Home ଅନୁଗୁଳ ଶ୍ରମିକ ସଂଗଠନଗୁଡିକ ପକ୍ଷରୁ ୩ ଦିନିଆ ଧର୍ମଘଟ ଆରମ୍ଭ

ଶ୍ରମିକ ସଂଗଠନଗୁଡିକ ପକ୍ଷରୁ ୩ ଦିନିଆ ଧର୍ମଘଟ ଆରମ୍ଭ

211

ତାଳଚେର,୨/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କେନ୍ଦ୍ର ସରକାରଙ୍କ ଦ୍ୱାରା କୋଇଲା ଖଣିଗୁଡିକ ଘରୋଇକରଣ ନିଷ୍ପତି ପ୍ରତିବାଦରେ ଆଜି ଜୁଲାଇ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶର କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକ ପକ୍ଷରୁ ତିନି ଦିନିଆ ଧର୍ମଘଟ ଆରମ୍ଭ ହୋଇଯାଇଛି । ଏହାର ପ୍ରଭାବରେ ତାଳଚେରସ୍ଥିତ ଏମ୍‌.ସି.ଏଲ୍‌.ର ୯ଟି କୋଇଲାଖଣି ଯଥା- ଭରତପୁର,ଅନନ୍ତ, ଜଗନ୍ନାଥ, ବଳରାମ, ହିଙ୍ଗୁଳା,ନନ୍ଦିରା,କେନ୍ଦ୍ରୀୟ କର୍ମଶାଳା, ଲିଙ୍ଗରାଜ,କଣିହାଁ କୋଇଲା ଖଣିଗୁଡିକରୁ କୋଇଲା ଉତ୍ପାଦନ ଓ ପରିବହନ ସଂପୁର୍ଣ୍ଣ ଭାବରେ ବ୍ୟାହତ ହୋଇଯାଇଛି । ବ୍ୟବସାୟ ଉଦ୍ଦେଶ୍ୟରେ ଘରୋଇ ମାଲିକମାନଙ୍କୁ କୋଇଲାଖଣିର ବିକ୍ରୀ ଅବା ନିଲାମି ପ୍ରକ୍ରିୟାକୁ ବନ୍ଦ ରଖିବା,କୋଇଲା ଉଦ୍ୟୋଗରୁ ସମସ୍ତ ପ୍ରକାର ଘରୋଇକରଣ ବନ୍ଦ କରିବା,ସିଏମ୍‌ପିଡିଆଇକୁ କୋଲ୍ ଇଣ୍ଡିଆରୁ ଅଲଗା ନ କରିବା,କୋଇଲା ଖଣିରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ହାଇ ପାୱ୍ୱାର କମିଟିର ସୁପାରିଶ ଆଧାରରେ ବେତନ ପ୍ରଦାନ କରିବା, ଜାତୀୟ କୋଇଲାଖଣି ଶ୍ରମିକ ବେତନ ଚୁକ୍ତିନାମା(ଏନ୍‌ସିଡବ୍ଲୁଏ) ଧାରା ସଂଖ୍ୟା ୯:୩:୦୯:୪:୦,୯:୫:୦ ଅନୁଯାୟୀ ଆଶ୍ରିତମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଆଦି ପ୍ରମୁଖ ଦାବୀ ନେଇ ତାଳଚେର କୋଇଲା ଖଣି ଅଂଚଳରେ କାର୍ଯ୍ୟରତ ୪ଟି ଶ୍ରମିକ ସଂଗଠନ ଆଇଏନ୍‌ଟିୟୁସି, ବିଏମଏସ୍‌,ଏଚ୍‌ଏମ୍‌ଏସ୍‌, ଏଆଇଟିୟୁସି ଆଦି ଶ୍ରମିକ ସଂଗଠନର କର୍ମକର୍ତାମାନେ ବିଭିନ୍ନ କୋଇଲା ଖଣିର ଟାଇମ୍ ଅଫିସ,ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ,ଜି.ଏମ୍‌. ଅଫିସ,କୋଇଲା ଉତ୍ପାଦନ ସ୍ଥଳୀ ଆଦି ବିଭିନ୍ନ ସ୍ଥାନରେ ଧାରଣା ଦେଇଥିବାରୁ ସମସ୍ତ ଖଣି ଅଂଚଳ ଶୂନଶାନ୍ ହୋଇପଡିଛି । ଏହା ସହିତ ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋ,ଏନ୍‌ଟିପିସି ସହ ବିଭିନ୍ନ ଶିଳ୍ପାଂଚଳକୁ କୋଇଲା ପରିବହନ ବନ୍ଦ ରହିଛି । ଟ୍ରେନ ଯୋଗେଁ ମଧ୍ୟ ହେଉଥିବା କୋଇଲା ପରିବହନ କାର୍ଯ୍ୟ ଗୁରୁତର ଭାବରେ ବ୍ୟାହତ ହୋଇଛି । ଏହାଦ୍ୱାରା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହୋଇଥିବା ବେଳେ ଏହି ଧର୍ମଘଟରେ ସମସ୍ତ କୋଇଲାଖଣିର ଶ୍ରମିକମାନେ ସାମିଲ ହୋଇଛନ୍ତି । ସମସ୍ତ ଖଣି ଅଂଚଳରେ ସନ୍ଧ୍ୟା ସୁଦ୍ଧା କୌଣସି ଅପ୍ରତୀକର ପରିସ୍ଥିତି ସୃଷ୍ଟି ହୋଇ ନଥିବା ଜଣା ପଡିଛି । ଏହି ଅବସରରେ ଏମ୍‌ସିଏଲ୍‌ର ସିଏମ୍‌ଡି ବି.ଏନ୍‌.ଶୁକ୍ଲା ରାଷ୍ଟ୍ରୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଶ୍ରମିକ ଭାଇମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦାନ କରିବାକୁ ଅପିଲ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.