Home Top News ବିଜେଡ଼ିକୁ ଭାରି ପଡ଼ିବେ ଅସନ୍ତୁଷ୍ଟ

ବିଜେଡ଼ିକୁ ଭାରି ପଡ଼ିବେ ଅସନ୍ତୁଷ୍ଟ

48

ଓଡ଼ିଶାରେ ଶାସକ ବିଜେଡ଼ି ନିଜର ସାଂସଦ ଓ ବିଧାୟକ ପ୍ରାଥି ଘୋଷଣା କରିସାରିଲେଣି। ସମସ୍ତ ୨୧ ସଂସଦୀୟ କ୍ଷେତ୍ରରେ ନିଜର ପ୍ରାଥି ଘୋଷଣା କରିଛନ୍ତି। କିଛି କିଛି ଆସନରେ ଅସନ୍ତୁଷ୍ଟ ଥିଲେ ଭି ସେଗୁଡ଼ିକୁ ମ୍ୟାନେଜ କରିବାରେ ଦଳ ସକ୍ଷମ ହୋଇଛି କିନ୍ତୁ ବିଧାନସଭା କ୍ଷେତ୍ରରେ ଦଳ ପାଇଁ ଅସନ୍ତୁଷ୍ଟ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ପ୍ରଥମ ପର୍ଯ୍ୟାୟ ତାଲିକାରେ ବିଜେଡ଼ି ୭୨ ଟି ଆସନରେ ପ୍ରାଥି ଘୋଷଣା କରିଥିଲା। ପ୍ରାୟତଃ ସବୁ ଆସନରେ ପ୍ରାଥିଙ୍କୁ ରିପିଟ କରିଥିଲା ଦଳ। ୨୦୨୪ ନିର୍ବାଚନ ପାଇଁ ଅଧିକାଂଶ ଆସନରେ ବିଜେଡ଼ିର ଏକାଧିକ ଆଶାୟୀ ଥିଲେ। ସମସ୍ତଙ୍କୁ କୁହାଯାଇଥିଲା ଏରିଆରେ କାମ କର। ଠିକଣା ସମୟରେ ନିଷ୍ପତ୍ତି ନିଆଯିବ। ଫଳ ହେଲା ଓଲଟା। ସବୁ ପୁରୁଣାଙ୍କୁ ରିପିଟ କରାଗଲା। ଆଶାୟୀ ପୁରା ହତାଶ। ଏପରି ଅନେକ ପ୍ରାଥି ଅଛନ୍ତି ଯାହାଙ୍କୁ ୨୦୧୯ ରୁ ପ୍ରତିଶୃତି ଦିଆ ଯାଉଛି କିନ୍ତୁ ୨୦୨୪ ରେ ମଧ୍ୟ ସେମାନଙ୍କୁ ହତାଶ ହେବାକୁ ପଡ଼ିଛି। ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ସମ୍ବଲପୁର, ବରଗଡ ଆଦି ଜିଲ୍ଲାମାନଙ୍କର ଅଧିକାଂଶ ବିଧାନସଭା କ୍ଷେତ୍ରରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ମାତ୍ରାଧିକ। ସେମାନଙ୍କ ମତରେ ୨/୩/୪/୫ ଥର ଜିତିଲା ପରେ ଭି ପୁନର୍ବାର ଟିକଟ ଦେବା ଏକ ପ୍ରକାର ଅଗଣତାନ୍ତ୍ରିକ କାମ। ପଶ୍ଚିମ ଓଡ଼ିଶା ଅପେକ୍ଷା ଉପକୂଳ ଓଡ଼ିଶାରେ ଆସନ୍ତୋଷର ମାତ୍ରା ଅଧିକ। ଜଗତସିଂହପୁର ଜିଲ୍ଲାର ନିଆଳି, ପାରାଦୀପ, ଜଗତସିଂହପୁରରେ ପ୍ରାଥୀତ୍ୱକୁ ନେଇକି ତୀବ୍ର ଅସନ୍ତୋଷ। ଜଗତସିଂହପୁରର ଅନ୍ୟତମ ଟାଣୁଆ ବିଜେଡ଼ି ନେତା ଅମରେନ୍ଦ୍ର ଦାସଙ୍କୁ ଏଥର ଟିକଟ ଦିଆ ଯିବ ବୋଲି କୁହା ଯାଇଥିଲା। ମାତ୍ର ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ରିପିଟ କରିଛି। ପ୍ରଶାନ୍ତଙ୍କୁ ଦଳ ଏଥର ବାଲିକୁଦା – ଏରସମା ଟିକଟ ଦେବାର ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଅମରେନ୍ଦ୍ରଙ୍କୁ ହତାଶ ହେବାକୁ ପଡ଼ିଛି। ସେଠି ଅଧିକାଂଶ ପ୍ରଶାନ୍ତଙ୍କୁ ବିରୋଧ କରୁଛନ୍ତି। ତେଣୁ ୨୦ ତାରିଖ ସୁଦ୍ଧା ଏହି ଆସନ ଅଦଳବଦଳ ହୋଇପାରେ। ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ସୂଚନା ମିଳିଛି। ସେହିପରି କେନ୍ଦ୍ରାପଡ଼ା ଆସନ ଏବେ ଭି ଝୁଲିକରି ରହିଛି। କଂଗ୍ରେସରୁ ଆସି ବିଜେଡ଼ିରେ ଯୋଗ ଦେଇଛନ୍ତି ଗଣେଶ୍ୱର ବେହେରା। ତାଙ୍କୁ ଟିକଟ ମିଳିଲେ କେନ୍ଦ୍ରାପଡ଼ା ବିଜେଡ଼ି ଏକ ପ୍ରକାର ନିର୍ବାଚନ ବର୍ଜନ କରିବ ବୋଲି ଧମକ ଦେଇଛି। ଯାଜପୁରର ବଡଚଣା ଓ କୋରେଇର ବିଜେଡ଼ି ଟିକଟ ଏ ପର୍ଯ୍ୟନ୍ତ ଝୁଲିକରି ରହିଛି। ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ପରିସ୍ଥିତି ସମାନ। ଅମରେଶ ଜେନା, ରୁଦ୍ର ସାମନ୍ତରାୟ ମଧ୍ୟ ଆସନ ପାଇଁ ଲବି କରୁଥିଲେ। ସେମାନଙ୍କ ମତରେ ମଧ୍ୟରେ ଅନନ୍ତ ନାରାୟଣ ଜେନାଙ୍କ ଛଡା ଆଉ କାହାକୁ ଟିକଟ ଦେଲେ ସେମାନେ ଚୁପ ପଡ଼ିବେ। ଶେଷକୁ ଦଳ ଅନନ୍ତ ଜେନାଙ୍କୁ ଟିକଟ ଦେଲା। ଦଳ ତରଫରୁ ଏମାନଙ୍କୁ ମ୍ୟାନେଜ କରାଯାଇଛି ବୋଲି କୁହାଯାଉଛି। ମାତ୍ର ସୂତ୍ର କହୁଛି ଏମାନେ ସେମାନଙ୍କ ରଣନୀତି ବଦଳାଇବେ। ଏକାମ୍ର ଅବସ୍ଥା ମଧ୍ୟ ସେଇଆ। ଲିଟୁ ମହାସୁପକର ଚୁପ ରହିଥିଲେ ଭି ନିର୍ବାଚନ ସମୟରେ ଓଲଟା ଚାଲ ଚଳାଇବେ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା, ବେଗୁନିଆ, ଚିଲିକାରେ ବିଜେଡ଼ି ପ୍ରାଥି ଘୋଷଣା କରିପାରୁନାହିଁ। ସେଠାରେ ପୁରୁଣାଙ୍କୁ ରିପିଟ କଲେ ଅସନ୍ତୁଷ୍ଟ ବିଜେପି ଶିବିରକୁ ସାହାଯ୍ୟ କରିବେ ବୋଲି ଖବର ହସ୍ତଗତ ହେଇଛି। ଖଣ୍ଡପଡା ଅବସ୍ଥା ତଦ୍ରୁପ। ବିଜେଡ଼ିରେ ଅନେକ ଆଶାୟୀ। ଉଚିତ ପ୍ରାଥି ନ ହେଲେ ବାକି ସମସ୍ତ ଅସନ୍ତୁଷ୍ଟ ଖୋଲାଖୋଲି ବିଜେପି ପ୍ରାଥୀକୁ ସମର୍ଥନ କରିବେ। ବୌଦ୍ଧ ଓ କଣ୍ଟାମାଳରେ ସମାନ ଅବସ୍ଥା। ପ୍ରଦୀପ ଅମାତ ଓ ମହୀଧର ରାଣାଙ୍କୁ ଘୋର ବିରୋଧ। କଣ୍ଟାମାଳର ଅଧିକାଂଶ ନିର୍ବାଚିତ ସଦସ୍ୟ ବିଜେଡ଼ିରୁ ଇସ୍ତଫା ଦେଇ ସାରିଲେଣି।

ଆଗକୁ ବାକି ଥିବା ଆସନରେ ବିଜେଡ଼ି ଦୁଇ / ତିନି ଦିନ ଭିତରେ ତାର ପ୍ରାଥି ଘୋଷଣା କରିବ। ଅସନ୍ତୁଷ୍ଟଙ୍କ ମାତ୍ରା ଆହୁରି ବଢିବ। ମାଳ ମାଳ ଅସନ୍ତୁଷ୍ଟଙ୍କୁ ଧରି ନିର୍ବାଚନ ବୈତରଣୀ ପାର ହେବା ବିଜେଡ଼ି ପାଇଁ ମୁସ୍କିଲ ହେବ ବୋଲି ସାଧାରଣରେ ଚର୍ଚ୍ଚା। ଦଶ ହଜ଼ାର ଆବେଦନକାରୀର ବାହାବା ନେଉଥିବ ବିଜେଡ଼ି ଏବେ ନିଜ ଜାଲରେ ନିଜେ ଫସି ଯାଇଛି ବୋଲି ରାଜନୀତି ମହଲରେ ଚର୍ଚ୍ଚା। ପୂର୍ବରୁ ଯେତେ ନିର୍ବାଚନ ହେଇଛି କେବେବି ବିଜେଡ଼ିରେ ଏପରି ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ି ନ ଥିଲା। ତେଣୁ ଦଳ ଏହାକୁ କିପରି ମ୍ୟାନେଜ କରିବ ତାହା ଦେଖିବାର ଅଛି। ନ ହେଲେ ବିଜେଡ଼ି ହିଁ ବିଜେଡ଼ି ପତନର କାରଣ ହେବ ବୋଲି ରାଜନୀତି ବିଶ୍ଲେଷକମାନେ ମତପୋଷଣ କରୁଛନ୍ତି।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.