Home Top News କାମ ଦେଇ ନ ପାରେ ୨୦୧୯ ଫର୍ମୁଲା!

କାମ ଦେଇ ନ ପାରେ ୨୦୧୯ ଫର୍ମୁଲା!

106

ଶାସକ ବିଜେଡ଼ି ଆଜି ନଅଟି ବିଧାନସଭା ଆସନରେ ତାର ପ୍ରାର୍ଥୀ ଘୋଷଣା କରିଛି। ତନ୍ମଧ୍ୟରୁ ସବୁଠାରୁ ବଡ଼ ଘୋଷଣା ହେଲା ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରର କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢ଼ିବେ। ଏହା ପୂର୍ବରୁ ନବୀନ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳିରୁ ଭି ନିର୍ବାଚନ ଲଢ଼ିବେ ବୋଲି ଦଳ ତରଫରୁ ଘୋଷଣା କରାଯାଇସାରିଛି। ବିଜେଡ଼ି ନବୀନଙ୍କୁ କଣ୍ଟାବାଞ୍ଜିରୁ ଲଢେଇ ଗୋଟିଏ ମାଷ୍ଟରଷ୍ଟ୍ରୋକ ଖେଳିଛି ବୋଲି ବିଜେଡ଼ି ଶିବିରରେ ଆଲୋଚନ।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ସେହି ଏକା ରଣନୀତି ଆପଣାଇ ଥିଲା। ନବୀନ ହିଞ୍ଜିଳି ଓ ପଶ୍ଚିମ ଓଡ଼ିଶାର ବିଜେପୁରରୁ ନିର୍ବାଚନ ଲଢ଼ିଥିଲେ। ଦୁଇଟି ଆସନରୁ ଜିତିଥିଲେ ମଧ୍ୟ। ନିର୍ବାଚନ ସମୟରେ ବିଜେପୁରବାସୀଙ୍କୁ ପ୍ରତିଶୃତି ଦେଇଥିଲେ ବିଜେପୁର କଥା ମୁଁ ବୁଝିବି। ମାତ୍ର ଛଅ ମାସ ପରେ ଇସ୍ତଫା ଦେଇ ଥିଲେ ଓ ସେଠାରେ ଉପନିର୍ବାଚନ ହୋଇଥିଲା। ବିଜେଡ଼ି ଯୋଉ ରଣନୀତି ଆପଣାଇଥିଲା ୨୦୧୯ରେ ତାହା ମଧ୍ୟ ଦେଖିବାକୁ ଗଲେ ସେତେଟା ସଫଳତା ଲାଭ କରି ନ ଥିଲା। ନବୀନ ପଶ୍ଚିମ ଓଡ଼ିଶାରୁ ଛିଡା ହେବା ସତ୍ୱେ ବିରୋଧୀ ବିଜେପି ପାଞ୍ଚ ଲୋକସଭା ଓ ଆଠ ବିଧାନସଭା ଆସନ ଦଖଲ କରିନେଇଥିଲା। କଂଗ୍ରେସ ଭି ସୁନ୍ଦରଗଡର ରାଜଗାଙ୍ଗପୁର ଆସନ ଜିତିଥିଲା। ନବୀନ ପଟ୍ଟନାୟକ ୨୦୧୯ରେ ପଶ୍ଚିମ ଓଡ଼ିଶା ପାଇଁ ମାଳ ମାଳ ପ୍ରତିଶୃତି ଦେଇଥିଲେ। ତା ଛଡା ପଦ୍ମପୁର ଉପ ନିର୍ବାଚନରେ ଭି ଅନେକ ପ୍ରତିଶୃତି ଦେଇଥିଲେ। ପଦ୍ମପୁର ନୂଆ ଜିଲ୍ଲା ହେଲାନି। ବିଜେପୁର ପାଇଁ ଘୋଷିତ ନୂତନ ଜଳସେଚନ ପ୍ରକଳ୍ପ କେବଳ ଘୋଷଣାରେ ଅଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସପକ୍ଷରେ ପଦୁଟିଏ ପାଟି ଫିଟାଉ ନାହିଁ ରାଜ୍ୟ ସରକାର। ନିକଟରେ ପଶ୍ଚିମ ଓ ପୂର୍ବ ଓଡ଼ିଶା କଳାକାର କଳି ଉଗ୍ରରୂପ ଧାରଣ କରିଥିଲା। ସେଥିରେ ଭି ସରକାର ଚୁପ ରହିଥିଲେ। ତେଣୁ ବିଭିନ୍ନ ସରକାରୀ ଯୋଜନା ବ୍ୟତୀତ ୨୪ ବର୍ଷ ଭିତରେ ନବୀନ ସରକାର ପଶ୍ଚିମ ଓଡ଼ିଶା ପାଇଁ ସେପରି କିଛି ଆଖିଦୃଶିଆ ଉନ୍ନତିମୂଳକ କାର୍ଯ୍ୟ କରିନାହିଁ ବୋଲି ସେଠାକାର ଲୋକଙ୍କ ସଦାବେଳେ ଅଭିଯୋଗ।

ଏବେ ପୁଣି ବିଜେଡ଼ି ନବୀନଙ୍କୁ ଧରି ପଶ୍ଚିମ ଓଡ଼ିଶା ରଣନୀତି ପ୍ରସ୍ତୁତ କରୁଛି। ବିରୋଧୀ କହୁଛନ୍ତି ଛଅ ମାସ ପରେ ନବୀନ କଣ୍ଟାବାଞ୍ଜିରୁ ଇସ୍ତଫା ଦେବେ। ନିର୍ବାଚନ ସମୟରେ ପ୍ରତିଶୃତି ଅଜାଡ଼ି ଦେବେ। ତା ପରେ ସବୁ ଚୁପ। ବଲାଙ୍ଗୀରର ଜଣେ ବରିଷ୍ଠ ନାଗରିକଙ୍କ ମତରେ ପଶ୍ଚିମ ଓଡ଼ିଶା ଲୋକଙ୍କୁ ବାରମ୍ବାର ନବୀନ ସରକାର ବୋକା ବନାଇ ଆସୁଛନ୍ତି। ଏଥର କିନ୍ତୁ ଲୋକେ ଆଉ ବୋକା ବନିବେ ନାହିଁ। ବଲାଙ୍ଗୀରରେ ବିଜେପିର ଭଲ ଦବଦବା ରହିଛି। କଳାହାଣ୍ଡିରେ ବିଜେଡ଼ି ଅବସ୍ଥା ସେତେଟା ଭଲ ନାହିଁ। ତେଣୁ ଏ ସବୁରେ ସୁଧାର ଆସିବା ପାଇଁ ବିଜେଡ଼ି ପୁଣି ଥରେ ୨୦୧୯ ଫର୍ମୁଲା ଆପଣାଇଛି। କିନ୍ତୁ ରଣନୀତି ସଫଳ ହେବା ଏତେଟା ସହଜ ନୁହଁ ବୋଲି ପଶ୍ଚିମ ଓଡ଼ିଶାର କିଛି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.