Home Top News ସମ୍ବଲପୁର ମୈଦାନରୁ ଓହରି ପାରନ୍ତି ବବି!

ସମ୍ବଲପୁର ମୈଦାନରୁ ଓହରି ପାରନ୍ତି ବବି!

210

ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ହୋଇଛନ୍ତି ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି। ବିଜେପି ଏଠାରୁ ପ୍ରାର୍ଥୀ କରିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ। ତେଣୁ ଏହି ସଂସଦୀୟ କ୍ଷେତ୍ରରେ କଡ୍ଡା ଟକ୍କର ହେବା ବୋଲି ଚାରିଆଡେ ଚର୍ଚ୍ଚା। ମାତ୍ର ସୂତ୍ରରୁ ଜଣାପଡ଼ିଛି ଯେ ବବି ଦାସଙ୍କୁ ବିଜେଡ଼ି ଏହି ଲଢେଇରୁ ଓହରାଇ ପାରେ।

ସମ୍ବଲପୁର ସଂସଦୀୟ କ୍ଷେତ୍ର ମଧ୍ୟରେ ସାତ ଗୋଟି ବିଧାନସଭା କ୍ଷେତ୍ର ରହିଛି। ସେଗୁଡ଼ିକ ହେଲା କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ। ଏହି ସାତୋଟି ନିର୍ବାଚନ ମଣ୍ଡଳୀରେ ୨୦୧୯ ମସିହା ସ୍ଥିତି ଆଉ ନାହିଁ। ସମ୍ବଲପୁର, ଦେବଗଡ, ରେଙ୍ଗାଲି ବିଧାନସଭା ଆସନ ଏବେ ବିଜେପି ହାତରେ ଅଛି। ବାକି ଚାରୋଟି ଆସନ କୁଚିଣ୍ଡା, ରେଢାଖୋଲ, ଛେଣ୍ଡିପଦା ଓ ଆଠମଲ୍ଲିକ ଶାସକ ବିଜେଡ଼ି ହାତରେ ଅଛି। ବିଜେଡ଼ି ହାତରେ ଥିବା ଏହି ଚାରୋଟି ଆସନରେ ଦଳୀୟ ଅସନ୍ତୋଷର ମାତ୍ରା ବହୁତ ଅଧିକ। ଏହା ଛଡ଼ା ସମ୍ବଲପୁର, ଦେବଗଡ଼, ରେଙ୍ଗାଲିରେ ବିଜେଡ଼ି ଭଲ ସ୍ଥିତିରେ ନାହିଁ। ତେଣୁ ଦଳ ସ୍ଥିର କରିଥିଲା ସାଙ୍ଗଠନିକ ସମ୍ପାଦକଙ୍କୁ ସେଠାରୁ ଛିଡ଼ା କଲେ ଦଳୀୟ ସ୍ଥିତିରେ ସୁଧାର ଆସିବ। ମାତ୍ର ଫଳ ହେଲା ଓଲଟା। ପ୍ରଥମେ ଦେଖିବା ଆଠମଲ୍ଲିକ କଥା। ସେଠାରେ ବିଜେଡ଼ି ପ୍ରାର୍ଥୀ କରିଛି ନଳିନୀ ପ୍ରଧାନଙ୍କୁ। ୨୦୧୯ ରେ ନଳିନୀ ପ୍ରଧାନ ସମ୍ବଲପୁର ଲୋକସଭା ବିଜେଡ଼ି ଟିକଟରୁ ଲଢ଼ି ପରାସ୍ତ ହୋଇଥିଲେ। ତେଣୁ ତାଙ୍କୁ ଆଠମଲ୍ଲିକରୁ ଟିକଟ ନ ଦେବା ପାଇଁ ଦଳୀୟ ନେତା ଓ କର୍ମୀ ବିରୋଧ କରୁଥିଲେ। ମାତ୍ର ବିଜେଡ଼ି ନେତୃବୃନ୍ଦ କିଛି ନ ଶୁଣି ନଳିନୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଅସନ୍ତୁଷ୍ଟ ହୋଇ ସେଠାର ବିଜେଡ଼ି ବିଧାୟକ ରମେଶ ସାଏ ନିଜ କର୍ମୀମାନଙ୍କ ସହ ବିଜେପିରେ ସାମିଲ ହେଇଛନ୍ତି। ବିଜେପି ଏଠାରୁ ପ୍ରାର୍ଥୀ କରିଛି ସଂଜୀବ ସାହୁଙ୍କୁ। ତେଣୁ ଏଠାରୁ ବିଜେଡ଼ି ଆସନ ସମ୍ପୂର୍ଣ୍ଣ ଟଳମଳ ଅବସ୍ଥାରେ ଅଛି। ଛେଣ୍ଡିପଦାରୁ ବିଜେଡ଼ି ବିଧାୟକ ସୁଶାନ୍ତ ବେହେରା ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ ପ୍ରବଳ। ଏଠାରୁ ମଧ୍ୟ ବିଜେପି ଆଡ଼ଭାନଟେଜ ପୋଜିସନରେ ଅଛି। ଦେବଗଡ଼ ବିଜେପି ହାତରେ ଅଛି। ଏଠାରୁ ପୁଣି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଜିତିବେ ବୋଲି ସର୍ଭେ କହୁଛି। ରେଢାଖୋଲରେ ବିଜେଡ଼ି ବିଧାୟକ ରୋହିତ ପୂଜାରୀଙ୍କ ଅବସ୍ଥା ଭଲ ନାହିଁ। ସେ ଜିତିବା କଷ୍ଟ ବୋଲି ଏଥର ସେ ସମ୍ବଲପୁର ଆସନ ଚାହୁଁଥିଲେ। ମାତ୍ର ଦଳ ପୁଣି ଥରେ ତାଙ୍କୁ ପ୍ରାର୍ଥୀ କରିଛି। ସମ୍ବଲପୁରରୁ ବିଜେଡ଼ି ଘୋଷଣା କରିଛି ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ। ସେ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା। ଦୁଇ ବର୍ଷ ହେଲା ସେ ରେଢାଖୋଲରେ ଦଳୀୟ ସଂଗଠନ ପାଇଁ କାମ କରୁଥିଲେ। ପ୍ରସନ୍ନ ବାବୁ ସମ୍ବଲପୁରରୁ ଲଢ଼ିବେନି ବୋଲି ନବୀନ ନିବାସ ଆସି ମନା କରି ଯାଇଛନ୍ତି। ରେଙ୍ଗାଲି ଆସନ ବିଜେପି ହାତରେ ଥିଲା। ବିଜେପି ପୁଣି ଥରେ ବିଧାୟକ ନାଉରି ନାୟକଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ସେଠାରେ ବିଜେଡ଼ି ପ୍ରାର୍ଥୀ ହୋଇଥିବା ସୁଦର୍ଶନ ହରିପାଳଙ୍କ ସ୍ଥିତି ଠିକ ନାହିଁ। କୁଚିଣ୍ଡାରୁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିନାହିଁ।

ତେଣୁ ଏପରି ଗୋଳିଆ ସ୍ଥିତିରେ ବିଜେଡ଼ି ପ୍ରାର୍ଥୀ ବବି ଦାସଙ୍କ ପାଇଁ ନିର୍ବାଚନୀ ବୈତରଣୀ ପାର ହେବା ମୁସ୍କିଲ। ତାଙ୍କୁ ପ୍ରାର୍ଥୀ କରା ଯାଇଥିଲା ସେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଥିବା ସମସ୍ୟାକୁ ସୁଧାରି ପାରିବେ। ମାତ୍ର ତଥ୍ୟ କହୁଛି ସେ ଏହି ମିଶନରେ ଫେଲ ମାରୁଛନ୍ତି। ତେଣୁ ଦଳ ଆଉ ରିସ୍କ ନେବାକୁ ଚାହୁଁନି ବୋଲି ସୂତ୍ରରୁ ଖବର ହସ୍ତଗତ ହୋଇଛି। ୨୦୧୯ ସେ ବିଜେଡ଼ି ସାଂସଦ ଟିକଟ ପାଇଥିବା ନଗେନ୍ଦ୍ର ପ୍ରଧାନ ପୁଣି ଥରେ ବବିଙ୍କ ସ୍ଥାନରେ ସମ୍ବଲପୁର ମୈଦାନକୁ ଓଲ୍ଲାହୀ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସେପରି ହେଲେ ପ୍ରଣବ ପ୍ରକାଶ ଦାସ ଯାଜପୁର କୋରେଇ ଆସନରୁ ବିଧାନସଭା ନିର୍ବାଚନ ଲଢ଼ି ପାରନ୍ତି।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.