Home Top News ବିଜେଡ଼ିକୁ ଡର ବିଜେଡ଼ି

ବିଜେଡ଼ିକୁ ଡର ବିଜେଡ଼ି

79

୨୦୨୪ ନିର୍ବାଚନର ବିଗୁଲ ବାଜି ସାରିଲାଣି। ଓଡ଼ିଶାରେ ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସ ନିଜ ନିଜର ପ୍ରଚାର କାର୍ଯ୍ୟ ଆରମ୍ଭ ଫୁଲ ଦମରେ ଆରମ୍ଭ କରିସାରିଲେଣି। ଏଥର ୨୪ ବର୍ଷର ଶାସକ ବିଜେଡ଼ିକୁ କଡା ଟକ୍କର ଦେଉଛି ମୁଖ୍ୟ ବିରୋଧୀ ଦଳ ବିଜେପି। ଓଡ଼ିଶା ଭୋଟର ଏବେ ଚୁପ ଅଛନ୍ତି। ଆଉ କିଛି ଦିନ ଭିତରେ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ଆଶା। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ମେ ୧୩ ତାରିଖରୁ ଆରମ୍ଭ। ମାତ୍ର ଶାସକ ବିଜେଡ଼ି ପାଇଁ ଗୋଟିଏ ବଡ଼ ସମସ୍ୟା ପାଲଟିଛି ଦଳ ଭିତରେ ଅଦୃଶ୍ୟ ବିଦ୍ରୋହ।

ବିଜେଡ଼ି ଦଳରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏକାଧିକ ଟିକଟ ଆଶାୟୀ ଥିଲେ। ଟିକଟ ବଣ୍ଟନ ସମୟରେ ଅନେକ ଟଣା ଓଟରା ଚାଲିଲା। ଅସନ୍ତୁଷ୍ଟ ଖୋଲାଖୋଲି ମୈଦାନକୁ ଓଲ୍ହାଇ ବିଦ୍ରୋହ କଲେ। ବିଭିନ୍ନ ମାଧ୍ୟ୍ୟମରେ ସେମାନଙ୍କ ବିଦ୍ରୋହକୁ ପ୍ରଶମିତ କରାଗଲା। କଂଗ୍ରେସ ଓ ବିଜେପିରୁ ଅନେକ ଆମଦାନୀ ନେତା ବି ଆସି ବିଜେଡ଼ିରେ ଯୋଗ ଦେଲେ। କିଛି ନେତାଙ୍କୁ ଟିକଟ ମିଳିଲା। କିଛି ନେତାଙ୍କୁ ଅପେକ୍ଷା କରିବାକୁ କୁହାଗଲା। ବିଭିନ୍ନ ନିର୍ବାଚନମଣ୍ଡଳୀର ଅନେକ ନେତା ଦଳୀୟ ଚାପରେ ପଡ଼ି ସମଝୋତା କରିଦେଲେ। ବହୁତ ନେତା ବୁଝିଵା ପରିସ୍ଥିତିରେ ନାହାଁନ୍ତି। ଦୀର୍ଘ ବର୍ଷ ଧରି ଦଳରେ କାମ କରୁଥିବା ନେତା ଟିକଟ ନ ପାଇ ବିଜେପି ବା କଂଗ୍ରେସକୁ ଡେଇଁଛନ୍ତି। କିଛି ସ୍ୱାଭିମାନୀ ନେତା ଦଳ ଛାଡ଼ି ନାହାଁନ୍ତି। ଏମାନେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବେ ବୋଲି ମନ ସ୍ଥିର କରିସାରିଛନ୍ତି। ସମାନ୍ତରାଳ ପ୍ରଚାର ଚାଲୁ ରଖିଛନ୍ତି। ଏମାନେ ବର୍ତ୍ତମାନ ଦଳର ମୁଣ୍ଡ ବିନ୍ଧା ପାଲଟିଲେଣି। ସୂତ୍ରରୁ ଆହୁରି ମଧ୍ୟ ଜଣା ପଡ଼ିଛି ଯେ ଯେଉଁ ନେତା ମାନଙ୍କୁ ବିଭିନ୍ନ ମାଧ୍ୟମରେ ବୁଝା ଯାଇଛି ସେମାନେ ଉପରେ ଉପରେ କିଛି କହୁ ନାହାଁନ୍ତି ସତ କିନ୍ତୁ ଭୋଟ ବେଳେ ବିଜେଡ଼ିକୁ ଭଲ ପାନେ ଶିଖାଇବେ ବୋଲି ରଣନୀତି ପ୍ରସ୍ତୁତ କରିସାରିଲେଣି। ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା ଅନେକ ବିଜେଡ଼ି ନେତା ଆଉ ବିଜେଡ଼ି ସଂଗଠନରେ ରହିବାକୁ ଉଚିତ ମନେ କରୁନାହାନ୍ତି। ଲୋକସଭା ଓ ବିଧାନସଭା ଟିକଟ ଯେଉଁ ଆଧାର ଚୟନରେ ବଣ୍ଟା ଯାଇଛି ନିର୍ବାଚନ ବୈତରଣୀ ପାର ହେବା ମୁସ୍କିଲ। ଆଉ ଗୋଟେ ବଡ଼ ମୁଦ୍ଦା ଦଳୀୟ ପ୍ରାର୍ଥୀମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ସାମନା କରୁଛନ୍ତି। ଓଡ଼ିଶାରେ ବିଜେଡ଼ି ସରକାରରେ ଅଫିସର ରାଜ। ସାଂସଦ ଓ ବିଧାୟକ ସବୁ ଅଫିସରଙ୍କ ଆଗରେ ମୁଣ୍ଡ ନୁଆଇଁ କାମ କରୁଛନ୍ତି। ମନ୍ତ୍ରୀମାନେ ମଧ୍ୟ ଅକାମି। ତେଣୁ ଭୋଟର ଜାଣୁଛନ୍ତି ଯଦି ବିଜେଡ଼ି ପ୍ରାର୍ଥୀଙ୍କୁ ଭୋଟ ଦବୁ ଏମାନେ ନିର୍ବାଚିତ ହେଲେ ପୁଣି ସେହି ଅଫିସରଙ୍କ ଗୁଲାମୀ କରିବେ। ବିଜେଡ଼ି ଲୋକପ୍ରତିନିଧିଙ୍କ ଆଉ ସ୍ୱାଧୀନତା ନାହିଁ। ଏମାନେ ନିଜେ ପରାଧୀନ। ଏହି ନିର୍ବାଚିତ ପ୍ରତିନିଧିମାନେ ନିଜ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନାହାଁନ୍ତି। ଏମାନେ ଆମ କଥା କଣ ବୁଝିବେ। ତେଣୁ ଏଭଳି ସ୍ଥିତିରେ ବିଜେଡ଼ି ପାଇଁ ପ୍ରମୁଖ ସମସ୍ୟା ହେଉଛି ଖୋଦ ବିଜେଡ଼ି। ଏ ଚକ୍ରବ୍ୟୁହରୁ ଦଳ କିପରି ମୁକୁଳୁଛି ତାହାର ଏକ ସ୍ପଷ୍ଟ ଚିତ୍ର ଆଗାମୀ ଦିନରେ ମିଳିଯିବ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.