Home Top News ମତ୍ସ୍ୟ ସମ୍ପଦର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ

ମତ୍ସ୍ୟ ସମ୍ପଦର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ

82

(ଜାତୀୟ ମତ୍ସ୍ୟ ଚାଷୀ ଦିବସ ଉପଲକ୍ଷେ)

ପୁରାଣରେ ବର୍ଣ୍ଣିତ, ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ନେଇଥିଲେ। ମାନ୍ୟତା ରହିଛି ଯେ, ଏହି ଅବତାରରେ ବିଷ୍ଣୁ ମହାପ୍ରଳୟ ସମୟରେ ‘ବେଦ ଗ୍ରନ୍ଥକୁ ଉଦ୍ଧାର କରି ନୂତନ ସୃଷ୍ଟିର ନିର୍ମାଣ କରିଥିଲେ। ପୁରାଣରୁ ମଧ୍ୟ ସୂଚନା ମିଳେ ରାଷ୍ଟ୍ର ନିର୍ମାଣରେ ମତ୍ସ୍ୟ ସମ୍ପଦର ଅବଦାନ ରହିଛି। ଅର୍ଥନୈତିକ ଅଭିବୃଦ୍ଧି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପାଇଁ ମତ୍ସ୍ୟ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ।

୧୯୫୭ ମସିହା ଜୁଲାଇ ୧୦ ତାରିଖ ଦିନ ଓଡ଼ିଶାର ଅନୁଗୁଳ ଠାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମତ୍ସ୍ୟବିଜ୍ଞାନୀ ପ୍ରଫେସର ହିରାଲାଲ୍ ଚୌଧୁରୀଙ୍କ ଗବେଷଣାର ଫଳସ୍ୱରୂପ ଓ ଡ. କେ. ଏଚ୍. ଆଲିକୁନିଙ୍କ ସହଯୋଗରେ ପ୍ରଥମ ଥର ପାଇଁ ଆବଦ୍ଧ ପୋଖରୀରେ “ପ୍ରବର୍ତ୍ତିତ ପ୍ରଜନନ ପଦ୍ଧତି” ର ଶୁଭାରମ୍ଭ ହୋଇଥିଲା। ବିଭାଗର ଅଧକ୍ଷ ଡ. କେ.ଏଚ୍. ଆଲିକୁନି ଓ ଡ. ହିରାଲାଲ୍ ଚୌଧୁରୀଙ୍କ ପ୍ରଚେଷ୍ଟା ଫଳରେ ମତ୍ସ୍ୟ ପ୍ରଜାତିର “ପ୍ରବର୍ତ୍ତିତ ପ୍ରଜନନ ପଦ୍ଧତି” ଆବଦ୍ଧ କ୍ଷେତ୍ରରେ ଗୁଣ୍ଡ ଯାଆଁଳ ପ୍ରସ୍ତୁତିରେ ସଫଳତା ଆଣିଦେଇଥିଲା। ପ୍ରଫେସର ଚୌଧୁରୀଙ୍କ ସଫଳତାକୁ ମନେପକେଇବା ଓ ମତ୍ସ୍ୟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ୨୦୦୧ ମସିହାରୁ ପ୍ରତି ବର୍ଷ ଜୁଲାଇ ୧୦ ତାରିଖରେ ଦେଶବ୍ୟାପୀ ମହାସମାରୋହରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନ କରାଯାଏ।

ସ୍ୱାସ୍ଥ୍ୟ ପାଇଁ ମାଛ ଖୁବ ଉପକାରୀ। ଏହାର ଉପକାରୀ ଗୁଣ ଯୋଗୁଁ ଏହା ଶରୀର ଦ୍ୱାରା ସହଜରେ ଶୋଷିତ ହୋଇଥାଏ। କେବଳ ଯେ ମାଛ ଖାଇବା ଶରୀର ପାଇଁ ଉପକାରୀ ତାହା ନୁହେଁ, ମାଛ ତେଲ ମଧ୍ୟ ବହୁ ଲାଭଦାୟକ। ଚୂନା ମାଛ ଗୁଡିକରେ ସମସ୍ତ ପ୍ରକାର ଖଣିଜ ପଦାର୍ଥ ଥାଏ ଏବଂ ଏହି ଚୂନା ମାଛରୁ ଭିଟାମିନ ଏ, ଡି ଓ ବି ମିଳିଥାଏ। ସାଧାରଣତଃ ଆମ୍ଭେମାନେ ଚୂନା ମାଛ ଗୁଡିକର ମୁଣ୍ଡ ଓ କଣ୍ଟା ସମ୍ପୂର୍ଣ୍ଣ ଖାଇଥାଉ, ଯାହାର କି ଉପାଦେୟତା ଅଧିକ ଥାଏ। ଚୂନା ମାଛରେ ଅଧିକ ପରିମାଣର ସୂକ୍ଷ୍ମ ପୁଷ୍ଟିସାର ଥାଏ, ତେଣୁ ଚୁନା ମାଛ ଖାଇବା ଦ୍ୱାରା ପିଲାମାନେ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ମାଛରେ ପୁଷ୍ଟିସାର ଅଧିକ ଥିବାରୁ ଏହା ଆମ ପାଇଁ ଅଧିକ ଉପଯୋଗୀ ଅଟେ। ଓମେଗା-୩ ଫ୍ୟାଟି ଏସିଡ୍, ଭିଟାମିନ୍ ପରିମାଣ ଅଧିକ ଥିବା ମାଛ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଆମ ରାଜ୍ୟରେ ଦିନକୁ ଦିନ ମାଛର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଅର୍ଥନୈତିକ ସର୍ବେ ରିପୋର୍ଟ ଅନୁସାରେ ରାଜ୍ୟରେ ବାର୍ଷିକ ମୁଣ୍ଡ ପିଛା ମାଛ ଆହରଣ ୨୦୧୪-୧୫ ରେ ୧୧.୦୬ କିଲୋଗ୍ରାମ ଥିବା ବେଳେ, ଏହା ବୃଦ୍ଧି ପାଇ ୨୦୨୦-୨୧ ରେ ୧୬.୩୪ କିଲୋଗ୍ରାମ ହୋଇଛି। ମାଛ ଆହରଣ ବଢିବାର ମୁଖ୍ୟ କାରଣ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ଓ ମାଛ ଉତ୍ପାଦନ ବୃଦ୍ଧି ବୋଲି କୁହାଯାଇପାରେ।

ପରିସଂଖ୍ୟାନରୁ ଜଣାଯାଏ, ରାଜ୍ୟରେ ୧୫ ଲକ୍ଷ ଲୋକ ମତ୍ସ୍ୟ କ୍ଷେତ୍ର ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ଅଛନ୍ତି। ଓଡିଶା ମତ୍ସ୍ୟ ଉତ୍ପାଦନରେ ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଗତ ଦଶନ୍ଧି ମଧ୍ୟରେ ଓଡିଶାରେ ସମୁଦାୟ ମାଛ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୧୩ -୧୪ ରୁ ୨୦୨୦ -୨୧ ମଧ୍ୟରେ ମତ୍ସ୍ୟ ଉତ୍ପାଦନ ଦ୍ୱିଗୁଣିତ ହୋଇଛି। ମୋଟ ମତ୍ସ୍ୟ ଉତ୍ପାଦନ ୨୦୧୯-୨୦ ରେ ୮୧୬ ହଜାର ମେଟ୍ରିକ ଟନ ରୁ ୨୦୨୦ -୨୧ ରେ ୮୭୩ ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ମୁଖ୍ୟତଃ କାର୍ଯ୍ୟକାରୀ ହେଉଥିବା କେତେଗୁଡିକ ଯୋଜନା ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହୋଇପାରିଛି।

ଆତ୍ମ ନିଯୁକ୍ତି ଓ ଆତ୍ମ ନିର୍ଭର ହେବାକୁ ଇଚ୍ଛା ଥିଲେ ମଧ୍ୟ, ସମସ୍ତଙ୍କ ପାଖରେ ଆର୍ଥିକ ସମ୍ବଳ ଓ ବୈଷୟିକ ଜ୍ଞାନ ନାହିଁ। ତେଣୁ ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା ଆତ୍ମ ନିଯୁକ୍ତିକୁ ପ୍ରୋତ୍ସହାନ ଯୋଗାଇଛି। ଲୋକ ମାନଙ୍କର ଅର୍ଥନୈତିକ ଓ ସାମାଜିକ ଉର୍ନ୍ନତି ପାଇଁ ଯୋଜନା ଗୁଡି଼କ କାର୍ଯ୍ୟକାରୀ ହେଉଛି। ଯୋଜନଟିର ସଫଳତା ଅନେକାଂଶରେ ହିତାଧିକାରୀଙ୍କ ଉପରେ ନିର୍ଭର କରିଥାଏ। ଯୋଜନାଟିକୁ ଭଲ ଭାବରେ ବୁଝିବା ଆବଶ୍ୟକ ଯେ କେଉଁ ଯୋଜନାଟି ତାଙ୍କ ପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇପାରିବ। ଆର୍ଥିକ ସହାୟତା ଦେଇଥିବା ସଂସ୍ଥା ସହିତ ଯୋଗାଯୋଗ ରକ୍ଷା କରିବା, ପ୍ରକଳ୍ପର ରାଶିକୁ ଅନ୍ୟ କାର୍ଯ୍ୟରେ ବିନିଯୋଗ ନକରିବା, ଉପଯୁକ୍ତ ସମୟରେ ତାଲିମ ଗ୍ରହଣ କରିବା ଓ ବୈଷୟିକ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ।

ଡଃ ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.