Home ଜିଲ୍ଲା ପରିକ୍ରମା କରୋନା ମୁକାବିଲାରେ ନବଜ୍ୟୋତିଙ୍କ ପ୍ରୟାସ : କଂଗ୍ରେସ ପକ୍ଷରୁ ଜିଲ୍ଲାର ୪ ପୌରାଞ୍ଚଳ ବିଶୋଧନ ନିଷ୍ପତି

କରୋନା ମୁକାବିଲାରେ ନବଜ୍ୟୋତିଙ୍କ ପ୍ରୟାସ : କଂଗ୍ରେସ ପକ୍ଷରୁ ଜିଲ୍ଲାର ୪ ପୌରାଞ୍ଚଳ ବିଶୋଧନ ନିଷ୍ପତି

88

ବାଲେଶ୍ୱର, ୧ା୬(ଓଡ଼ିଆ ପୁଅ/ଅଭୟ ଦାସ) : ମହାମାରୀ କରୋନା ଭଳି ସଙ୍ଗୀନ ସ୍ଥିତିରେ ବି କଂଗ୍ରେସ ଦଳ ସାଧାରଣ ଲୋକଙ୍କ ସହ ରହିଥିବା ବେଳେ କୋଭିଡ୍‌-୧୯ ମୁକାବିଲାରେ ଲୋକଙ୍କୁ ସହଯୋଗ କରି ଚାଲିଛି ବୋଲି ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତାମାନେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଲକଡାଉନ କଟକଣା ଯୋଗୁଁ ଦଳର ଅନ୍ୟତମ ନେତା ନବଜ୍ୟୋତି ପଟ୍ଟନାୟକ ଦିଲ୍ଲୀରେ ଅଟକି ରହିଥିଲେ ମଧ୍ୟ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ସେ ଭୁଲିପାରି ନାହାଁନ୍ତି ବୋଲି ଜିଲ୍ଳା କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ମାର୍ଚ୍ଚ ୨୬ ତାରିଖଠାରୁ ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାରେ ଲକ୍ଷାଧିକ ମାସ୍କ ଓ ସାନିଟାଇଜେସନ ବଂଟନ କରାଯାଇଥିବା ବେଳେ ସହରର ବିଭିନ୍ନ ବସ୍ତିବାସିନ୍ଦା ଗରିବ, ଅସହାୟଙ୍କ ପାଇଁ ବିଗତ ୨ ମାସ ହେଲା ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା। ଏହା ବ୍ୟତୀତ ବିଗତ ୫ ଦିନ ଧରି ଜାତୀୟ ରାଜପଥରେ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ରନ୍ଧାଖାଦ୍ୟ ପ୍ୟାକେଟ୍ ଓ ପାନୀୟଜଳ ବୋତଲ ବଂଟା ଯାଇଥିଲା। ପାଖାପାଖି ୬ ହଜାର ପ୍ରବାସୀଙ୍କୁ ରାଜପଥରେ ଏଭଳି ଖାଦ୍ୟ ଦିଆଯାଇଥିଲା। ଏଥି ସହିତ ଚେନ୍ନାଇଠାରୁ ମୁମ୍ବାଇ ଓ ଦିଲ୍ଲୀରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକ ଓ ବସ୍ତିବାସିନ୍ଦାଙ୍କୁ ପ୍ରାୟ ୨ ଲକ୍ଷ ୯୦ରୁ ଅଧିକ ଖାଦ୍ୟ ପ୍ୟାକେଟ୍ ବଂଟନ କରିଥିବା ଜିଲ୍ଲାସ୍ତରୀୟ କଂଗ୍ରେସ ନେତା ସୂଚନା ଦେଇଛନ୍ତି। ତାଙ୍କରି ନିର୍ଦ୍ଦେଶକ୍ରମେ ବାଲେଶ୍ୱର ପୌରାଞ୍ଚଳର ପ୍ରତି ୱାର୍ଡରେ ସାନିଟାଇଜେସନ କାର୍ଯ୍ୟ ଆରମ୍ଭ କରାଯାଉଥିବା ସେମାନେ କହିଛନ୍ତି। କରୋନା ସ୍ଥିତିରେ ପ୍ରଶାସନ ସାନିଟାଇଜେସନ ବ୍ୟବସ୍ଥାକୁ ସ୍ଥଗିତ ରଖିଥିଲା ବେଳେ କଂଗ୍ରେସ ଦଳ ଏହି ନିଷ୍ପତି ନେଇଥିବା ପିସିସି ସାଧାରଣ ସମ୍ପାଦକ ତଥା କୋଭିଡ୍‌-୧୯ର ଜିଲ୍ଲାମୁଖ୍ୟ ସଂଜୀବ ଗିରି ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଅନ୍ୟ ତିନି ପୌରାଞ୍ଚଳରେ ମଧ୍ୟ ଏଭଳି ସାନିଟାଇଜେସନ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଗିରିଙ୍କ ସମେତ ଟାଉନ କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା, ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ନୀଳଗିରି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ରାଣୀ ମନୋଜା ମଞ୍ଜରୀ ଦେବୀ, ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସଂମ୍ପାଦକ ଅର୍ଚ୍ଚନା ନନ୍ଦୀ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, ଅପର୍ଣ୍ଣା କର, ସୋର ବ୍ଲକ ପୂର୍ବତନ ଚେୟାରମ୍ୟାନ ଶ୍ରୀକାନ୍ତ ଜେନା, ପୂର୍ବତନ କାଉନସିଲର ଅଜୟ ଦ୍ୱିବେଦୀ, ଜିଲ୍ଲାକଂଗ୍ରେସ କମିଟିର ପୂବର୍ତ୍ତନ ଉପସଭାପତି ଗୋପୀନାଥ ପାଢ଼ି, କୃଷ୍ଣଗୋପାଳ ପଣ୍ଡା, ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଦେବଦତ ଦାସ, ରାଜ୍ୟ ଛାତ୍ରକଂଗ୍ରେସ ଆବହକ ଗୌତମ ସାହୁ, ଜିଲ୍ଲା ଛାତ୍ରକଂଗ୍ରେସ ଆବାହକ ଜ୍ଞାନେନ୍ଦ୍ର ମହାନ୍ତି, ପୂର୍ବତନ କାଉନସିଲର ନାସିର ଖାଁ, ଶେଖ ସରିଫ ମହମ୍ମଦ, ଶେଖ ଅସଗର ଅଲ୍ଲୀ, ଶେଖ ଫାତୁ ମୁସ୍ତାଫିଜ୍‌, ଜୀବନ ମହାପାତ୍ର, ବୈଦ୍ୟୁର୍ଜ୍ୟ ଦାସ, ସନ୍ତୋଷ ମହାପାତ୍ର ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.