ରଙ୍ଗ

ମୁଁ ଖାତିର କରେନି
ତୋ ଧଳା ରଙ୍ଗର ବିସ୍ତାର

ମୋ ଆଖିରେ ଅଧ ଇଞ୍ଚର ନାଲିରଙ୍ଗ

କେବେ ଚୁଲି ଭିତରେ ମୁଣ୍ଡ
କେବେ ମୁଣ୍ଡ ଭିତରେ ଚୁଲି

ଦେଖ୍ ,
ମୋ ପାଦ ବିଲକୁଲ
ଲକ୍ଷ୍ମୀ ପାଦ ନୁହେଁ
ବିଭତ୍ସ, କଦାକାର, ଫଟା ଫଟା..

ମୋ ଚାଲିରେ ପଦ୍ମ ଫୁଟେନି….
ଶ୍ୱାନ ଶ୍ୱାପଦଙ୍କ ବିକଟାଳ ଚିତ୍କାର ପରି ପଦପାତରେ
ଯେବେ ବି ଯାହାକୁ ସାମ୍ନା କରେ
ସେ ପାଲଟିଯାଏ ଗଦାଏ ବତୁରା ମାଟି

ତାକୁ ମୁଁ ଗଢେ ମୋ ଇଚ୍ଛାରେ !!

ସେ,
ସ୍ୱର ହେଲେ
ମୁଁ ହିଁ ଶବ୍ଦ ହୁଏ

ସେ ବୀଜ ହେଲେ
ମୁଁ ତା ଅଙ୍କୁରୋଦ୍ଗମ

ସେ ଜଡ ହେଲେ
ମୁଁ ତା ସ୍ଥବିରତା

ମୁଁ ହିଁ ଯୁଦ୍ଧ
ଯାହାକୁ ତୁ ଲଢୁ
ନିଃଶ୍ୱାସରେ ବିଶ୍ୱାସରେ
ସହବାସରେ କି ତପସ୍ୟାରେ…

ମୁଁ ଗୋଟିଏ ‘ଥୁଃ’କାର
ସେହି ଆଦିମ ନର୍କର
ଯୋଉଠି ସଂସାର ଯାକର ଭଙ୍ଗା ହାଣ୍ଡି
ଭଂଗା ଚୁଡି,ଫଟା ଦର୍ପଣ ଓ
ସ୍ୱେଦ ରକ୍ତ ରେତର ଦୁର୍ଗନ୍ଧ

ଦେହରୁ ଲାଜ ଖୋଜୁଥିବା ପ୍ରଶ୍ନ ମାନଙ୍କୁ
ମୁଁ ଛୁଏଁ ପ୍ରେମରେ

ଛୁଏଁ ସେମାଙ୍କର ଶିଶୁ ପାଲଟିବାଯାଏ
ବିବର୍ତ୍ତନକୁ

ମୋ ସ୍ୱର ବିଲକୁଲ ପ୍ରାର୍ଥନାର ନୁହେଁ
ତଥାପି ଅନ୍ତରୀକ୍ଷ ଭେଦକରେ
ଯେବେ ସେଇ ମାନଙ୍କୁ ମୁଁ ଶ୍ରଦ୍ଧାରେ କହେ

‘ମୁଁ ହିଁ ତୋ ବ୍ୟର୍ଥ ପୁରୁଷାକାରର ବୈଧବ୍ୟ’

ମୋତେ ନାରୀ ହେବାକୁ କୁହନି,
ମୁଁ ସ୍ୱୀକାର କରେନି ମୋ ନିଜ ବଶ୍ୟତା…!!

 -ଏଲି ମହାନ୍ତି,ବାରିପଦା

Leave a Reply

Your email address will not be published. Required fields are marked *