Home Coronavirus Outbreak ଦୁର୍ବଳ ଶ୍ରମ ଆଇନ ହେତୁ ଲକ୍ ଡାଉନ୍ ପରେ ଶିଶୁ ଶ୍ରମିକ ଚାଲାଣ ବୃଦ୍ଧି ଘଟିପାରେ:...

ଦୁର୍ବଳ ଶ୍ରମ ଆଇନ ହେତୁ ଲକ୍ ଡାଉନ୍ ପରେ ଶିଶୁ ଶ୍ରମିକ ଚାଲାଣ ବୃଦ୍ଧି ଘଟିପାରେ: କେଏସସିଏଫ ରିପୋର୍ଟ

403

ଭୁବନେଶ୍ୱର: କୈଳାସ ସତ୍ୟାର୍ଥୀ ଚିଲଡ୍ରେନ୍ସ ଫାଉଣ୍ଡେସନ (କେ.ଏସ.ସି.ଏଫ) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି ଯେ କରୋନା ମହାମାରୀ ହେତୁ କେତେକ ରାଜ୍ୟରେ ଶ୍ରମ ଆଇନର ଦୁର୍ବଳତାକୁ ସମୀକ୍ଷା କରାଯାଇ ତୁରନ୍ତ ରଦ୍ଦ କରାଯିବା ଉଚିତ। ରିପୋର୍ଟରେ ଦର୍ଶାଯାଇଛି ଯେ ଦୁର୍ବଳ ଶ୍ରମ ଆଇନ ଶିଶୁଙ୍କ ସୁରକ୍ଷା ଉପରେ ପ୍ରଭାବ ପକାଇବ। ଯାହା ପରବର୍ତ୍ତୀ ସମୟରେ ଶିଶୁ ଶ୍ରମିକ ବୃଦ୍ଧି ଘଟାଇପାରେ। ଏଥିସହ ରିପୋର୍ଟରେ ଦର୍ଶାଯାଇଛି ଯେ କରୋନା ମହାମାରୀ ହେତୁ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟ ଯୋଗୁଁ ୨୧ ପ୍ରତିଶତ ପରିବାର ଆର୍ଥିକ ପ୍ରତିବନ୍ଧକ ହେତୁ ନିଜ ପିଲାମାନଙ୍କୁ ଶିଶୁ ଶ୍ରମିକ ହିସାବରେ କାମ କରିବାକୁ ଚାହୁଁଛନ୍ତି। ତାଲା ବନ୍ଦ ହଟିଯିବା ପରେ ପିଲାମାନଙ୍କ ଚାଲାଣ ବୃଦ୍ଧି ହେବାର ବହୁ ସମ୍ଭାବନା ରହିଛି। କରୋନା ମହାମାରୀ ଯୋଗୁଁ ଶ୍ରମିକଙ୍କ ସ୍ଥାନାନ୍ତରଣ ଓ ଆର୍ଥିକ ସଙ୍କଟ କାରଣକୁ ନେଇ ଭାରତର କେତେକ ଗ୍ରାମାଞ୍ଚଳରେ ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧ୍ୟୟନ କରିବା ପରେ କେ.ଏସ.ସି.ଏଫର ଏହି ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

“ A study on Impact of Lockdown and Economic Disruption on Poor Rural Households with Special Reference to Children ” ନାମରେ KSCFର ଏହି ଅଧ୍ୟୟନ ମାନବ ଚାଲାଣ ପ୍ରଭାବିତ ରାଜ୍ୟର ୫୦ ରୁ ଅଧିକ ଏନଜିଓ ଏବଂ ୨୫୦ ପରିବାର ସହିତ ଆଲୋଚନାରୁ ପ୍ରସ୍ତୁତ କରାଯାଇଛି। ଏହି ସର୍ବେକ୍ଷଣରେ ୮୯ ପ୍ରତିଶତରୁ ଅଧିକ ସ୍ବେଚ୍ଛାସେବୀ ସଂଗଠନ ଦର୍ଶାଇଛନ୍ତି ଯେ ଉଭୟ ବୟସ୍କ ଏବଂ ଶିଶୁ ଲକ୍ ଡାଉନ୍ ଖୋଲିବା ପରେ ଶ୍ରମ ଉଦ୍ଦେଶ୍ୟରେ ଚାଲାଣ ହେବାର ସମ୍ଭାବନା ଅଧିକ ରହିଛି। ଯେଉଁଠାରେ ୭୬ ପ୍ରତିଶତରୁ ଅଧିକ ସ୍ୱେଚ୍ଛାସେବୀ ସଂଗଠନ ଯୌନ ନିର୍ଯ୍ୟାତନା, ଯୌନ ଶୋଷଣ ଓ ଗଣଦୁଷ୍କର୍ମ ଇତ୍ୟାଦି ପାଇଁ ମାନବ ଚାଲାଣ ବୃଦ୍ଧି ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ଗ୍ରାମାଞ୍ଚଳରେ ଏଥିପାଇଁ ଅଧିକ ମନିଟରିଂ ତଥା ସଜାଗ ରହିବା ଆବଶ୍ୟକତା ଉପରେ ରିପୋର୍ଟ ଗୁରୁତ୍ୱାରୋପ କରିଥବା ବେଳେ, ଅନ୍ୟପକ୍ଷରେ ଆଇନ ଶୃଙ୍ଖଳା ଦାଇତ୍ଵରେ ଥିବI ସଂସ୍ଥାକୁ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ସ୍ୱଛାସେବୀ ଅନୁଷ୍ଠାନ ଗୁଡ଼ିକ ତାଲାବନ୍ଦ ହେତୁ ବାଲ୍ୟ ବିବାହକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଅଧ୍ୟୟନ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଗ୍ରାମ ପଞ୍ଚାୟତ ଏବଂ ବ୍ଲକ ସ୍ତରୀୟ ଅଧିକାରୀମାନେ ଶିଶୁ ମାନେ ବିଦ୍ୟାଳୟକୁ ଯିବା ପାଇଁ ନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ।

ଅଧ୍ୟୟନ ରିପୋର୍ଟରେ ଜୋର ଦିଆଯାଇଛି ଯେ ବ୍ୟବସାୟ କାର୍ଯ୍ୟ ଏବଂ ଉତ୍ପାଦନ ପ୍ରକ୍ରିୟା ପୁନଃ ଆରମ୍ଭ ହେବା ପରେ ସେଠାରେ ଯେପରି କୌଣସି ଶିଶୁ ଶ୍ରମିକ ନିୟୋଜନ ହୋଇନଥାଏ କିମ୍ବା ବେପାରୀମାନେ ପିଲାମାନଙ୍କୁ କାମରେ ନିୟୋଜିତ ନ କରିବା ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଏପରି ପ୍ରତିଷ୍ଠାନ ଗୁଡ଼ିକର ଅଚାନକ ଯାଞ୍ଚ କରିବାକୁ ପଡ଼ିବ। ଏହି ରିପୋର୍ଟରେ ଶିଶୁ ଶ୍ରମିକ, ବନ୍ଧକ ଶିଶୁ ଶ୍ରମିକ ଏବଂ ଚାଲାଣ ହୋଇଥିବା ଶିଶୁଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ପିଲାମାନଙ୍କୁ କ୍ଷତିପୂରଣ ଦେବାର ତୁରନ୍ତ ଲାଭ ଏଇଥି ପାଇଁ ହେବ ଯେ ଶିଶୁ ନିର୍ଯାତନାରୁ ମୁକ୍ତ ହୋଇଥିବା ପିଲାମାନେ ଅର୍ଥନୈତିକ ସଙ୍କଟରୁ ରକ୍ଷା ପାଇବେ ଏବଂ ଶିଶୁ ଶ୍ରମିକ ତଥା ଚାଲାଣ କାରବାରରୁ ସେମାନେ ମୁକ୍ତି ପାଇବେ। ଲକଡାଉନ୍ ଆର୍ଥିକ ସଙ୍କଟ ସୃଷ୍ଟି କରିଛି ଏବଂ ଆର୍ଥିକ ଅସୁରକ୍ଷିତତା କାରଣରୁ ଗରିବ ଏବଂ ଖଟିଖିଆ ପରିବାର ସେମାନଙ୍କ ନିଜ ପିଲାମାନଙ୍କୁ ଚାଲାଣ ହେବାକୁ ବାଧ୍ୟ କରୁଛନ୍ତି। ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ପରିସ୍ଥିତିରେ ପଞ୍ଚାୟତି ରାଜ ପ୍ରତିଷ୍ଠାନ (PRI) ସେମାନଙ୍କର ଭୂମିକା ତୁଲାଇବା ଆବଶ୍ୟକ। ଗ୍ରାମ ଭିତରକୁ ଓ ବାହାରକୁ ଆସୁଥିବା ପିଲାମାନଙ୍କୁ ଯାଞ୍ଚ କରିବା ପାଇଁ ପଞ୍ଚାୟତ ଗୁଡ଼ିକରେ ଏକ “Migration Register ” ପ୍ରଚଳନ ବାଧ୍ୟତାମୂଳକ କରିବା ଏବଂ ଏହା ବ୍ଲକ ଅଧିକାରୀଙ୍କ ଦ୍ଵାରା ନିୟମିତ ଯାଞ୍ଚ ହେବା ଉଚିତ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ପିଲାମାନଙ୍କୁ ଦୁର୍ବ୍ୟବହାରରୁ ରକ୍ଷା କରିବା ପାଇଁ ଏହାର ଉତ୍ସ ଅଞ୍ଚଳରେ ବ୍ୟାପକ ସୁରକ୍ଷା ଜାଲ ବିସ୍ତାର କରିବାର ଆବଶ୍ୟକତା ଉପରେ KSCF ରିପୋର୍ଟ ମଧ୍ୟ ଗୁରୁତ୍ୱାରୋପ କରିଛି। ବନ୍ଧିତ ଶିଶୁ ଶ୍ରମିକ ତଥା ଗ୍ରାମରେ ଶିଶୁ ଚାଲାଣକୁ ରୋକିବା ପାଇଁ ବିଦ୍ୟାଳୟ, ସମ୍ପ୍ରଦାୟ ଏବଂ ସ୍ଥାନୀୟ ପ୍ରଶାସନକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଏହି ରିପୋର୍ଟରେ କୁହାଯାଇଛି ଯେ ଦଲାଲ ମାନଙ୍କର ଆଖି ଓଡ଼ିଶା, ଝାଡ଼ଖଣ୍ଡ , ବିହାର, ପଶ୍ଚିମବଙ୍ଗ ଏବଂ ଆସାମ ଭଳି ରାଜ୍ୟ ମାନଙ୍କରେ ଚାଲାଣର ଉତ୍ସ ଅଞ୍ଚଳ ଗୁଡ଼ିକରେ ଲୋକଙ୍କୁ ସଚେତନ କରିବା ପାଇଁ ତୀବ୍ର ଅଭିଯାନ ଆରମ୍ବ କରିବା ଆବଶ୍ୟକ। ରିପୋର୍ଟ ଅନୁଯାୟୀ, ନିୟମିତ ତାଲିମ ମାଧ୍ୟମରେ ଆଇନ କାର୍ଯ୍ୟକାରୀ ସଂସ୍ଥା ଗୁଡ଼ିକର କ୍ଷମତା ମଧ୍ୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ରେଳପଥ ମାଧ୍ୟମରେ ପିଲାମାନଙ୍କୁ ଚାଲାଣ କରାଯାଇ ଗୋଟିଏ ଗାଁରୁ ମେଟ୍ରୋ ସହର ଗୁଡ଼ିକୁ ନିଆଯାଏ। ତେଣୁ ଗ୍ରାମାଞ୍ଚଳରୁ ପିଲାମାନଙ୍କ ଚାଲାଣକୁ ରେଳବାଇ ମାଧ୍ୟମରେ ମଧ୍ୟ ବନ୍ଦ କରାଯିବା ଉଚିତ। ଯେଉଁଥିରେ ଶିଶୁ ଚାଲାଣ ବିରୋଧୀ ୟୁନିଟ୍ (ଏ.ଏଚ.ଟି.ୟୁ) ଏବଂ ରେଳ ପୋଲିସ (GRP)ର ସହାୟତା ପ୍ରଭାବଶାଳୀ ହୋଇପାରିବ। ରିପୋର୍ଟରେ କୁହାଯାଇଛି ଯେ ନାବାଳିକା ମାନଙ୍କ ବିବାହକୁ ବନ୍ଦ କରିବା ଏବଂ ଏହାର କୁପ୍ରଭାବ ବିଷୟରେ ସମାଜକୁ ଅବଗତ କରାଇବା ପାଇଁ ପ୍ରତ୍ୟେକ ଗ୍ରାମରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି (ଭିସିପିସି) ଗୁଡିକୁ ସକ୍ରିୟ କରିବାକୁ ପଡ଼ିବ। VCPC ନିଶ୍ଚିତ ଭାବରେ ଏହି ଉଦ୍ଦେଶ୍ୟରେ ନିଜକୁ ସମର୍ପଣ କରି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ନାବାଳିକା ମାନଙ୍କ ବିବାହ ବିଷୟରେ ସୂଚନା ଦେବା ପାଇଁ ଏକ ବିଶେଷ ହେଲ୍ପଲାଇନ ନମ୍ବର ଆରମ୍ଭ କରିବାର ଆବଶ୍ୟକତା ଉପରେ ମଧ୍ୟ ଏହି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ଶିଶୁମାନଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ ୩୦ ଜୁଲାଇରେ KSCF ଦ୍ୱାରା ଜାତୀୟ ସ୍ତରରେ “ justice for Every Child ” ନାମକ ଏକ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି | ଏହି ଦିନ ମଧ୍ୟ “100 Million for 100 Million ” ନାମକ ଏକ ଅଭିଯାନ ମାଧ୍ୟମରେ ଶିଶୁ ଚାଲାଣ ବିରୁଦ୍ଧରେ ସଚେତନତା ସୃଷ୍ଟି କରା ଯାଉଛି। ଏହା ସହିତ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଭାରତର ସମସ୍ତ ପିଲାଙ୍କୁ ମାଗଣା ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଦାବୀ କରାଯାଇଛି। ଉଲ୍ଲେଖନୀୟ ବିଷୟ ହେଉଛି ଏହି ପଦକ୍ଷେପଟି ସମାଜର ଗରିବ ଏବଂ ଦୁର୍ବଳ ବର୍ଗର ପିଲାମାନଙ୍କୁ କୋଭିଡ – ୧୯ ମହାମାରୀର କୁପ୍ରଭାବରୁ ରକ୍ଷା କରିବା ପାଇଁ ଏକ ଆହ୍ୱାନ ଅଟେ। ଏହି ଦେଶବ୍ୟାପୀ ଅଭିଯାନ ଆସନ୍ତା ତିନିମାସ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ଦେଶର ଯୁବ ନେତୃତ୍ୱାଧୀନ ସଂଗଠନ ଏବଂ ଛାତ୍ର ସଂଗଠନ ସେମାନଙ୍କର ଏକତା ପ୍ରଦର୍ଶନ କରିବେ ଏବଂ ଶିଶୁ ନିର୍ଯାତନା ବିରୋଧରେ ନୀତି ନିର୍ମାତା ଓ ସରକାର ମାନଙ୍କୁ ଚେତାବନୀ ଦେବାସହ ଏହାକୁ ବନ୍ଦ କରିବାକୁ ଦାବି କରିବେ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.