Home Top News ଲକ୍ ଡାଉନ ଓ ସଟ୍ ଡାଉନ- ପ୍ରଶାସନିକ ଅବ୍ୟବସ୍ଥାର ନଗ୍ନ ଚିତ୍ର

ଲକ୍ ଡାଉନ ଓ ସଟ୍ ଡାଉନ- ପ୍ରଶାସନିକ ଅବ୍ୟବସ୍ଥାର ନଗ୍ନ ଚିତ୍ର

181

ଦ୍ୱିତୀୟ ପର୍ଯ୍ୟାୟ କରୋନା ମୁକାବିଲାରେ ସଟ୍ ଡାଉନର ପ୍ରଚଳନ ଓଡିଶା ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଅଦ୍ୟାବଧି ପ୍ରଚଳନ କରାଯାଇ ନାହିଁ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ କେବଳ ଲକ୍ ଡାଉନ ଓ ରାତ୍ରକାଳିନ କର୍ଫୁକୁ ଆଧାର କରି କରୋନାକୁ ମୁକାବିଲା କରିଛନ୍ତି ଓ ସଫଳତା ହାସଲ କରିଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତାମିଲନାଡୁ, ରାଜସ୍ଥାନ, ଗୁଜୁରାଟ ଆଦି ରାଜ୍ୟମାନଙ୍କରେ କରୋନାର ଦ୍ୱିତୀୟ ଲହରୀର ପ୍ରକୋପ ମାତ୍ରାଧିକ ଥିଲା। ମାତ୍ର ଏ ସମସ୍ତ ରାଜ୍ୟ କେବଳ ଲକ୍ ଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ହିଁ ପ୍ରୟୋଗ କରିଥିଲେ। ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ଲକ୍ ଡାଉନର ପ୍ରଚଳନ କରି ଏମାନେ ଅନଲକ୍ ପ୍ରକ୍ରୀୟା ପ୍ରୟୋଗ କରି ଅନେକ କିଛି କୋହଳ କରିବା ଆରମ୍ଭ କଲେଣି। ମହାମାରୀ ସହିତ ସାଧାରଣ ଜୀବନ ଶୈଳୀ ଯେପରି ମାତ୍ରାଧିକ ପ୍ରଭାବିତ ନହେବ ସେଥିପ୍ରତି ଅହରହ ଉଦ୍ୟମ ଏହି ରାଜ୍ୟର ସରକାରମାନେ ପ୍ରଚେଷ୍ଟା କରୁଛନ୍ତି। ଲକ୍ ଡାଉନ, ସଟ୍ ଡାଉନ, ରାତ୍ରୀକାଳୀନ କର୍ଫ୍ୟୁ ବ୍ୟତୀତ ପ୍ରଶାସନିକ ସୁବନ୍ଦୋବସ୍ଥ ସକାଶେ ଏହି ରାଜ୍ୟର ଜନସାଧାରଣ ଆର୍ôଥକ ଓ ମାନସିକ ସ୍ତରରେ ଧିରେ ଧିରେ କରେନା ପ୍ରଭାବରୁ ମୁକ୍ତ ହେବାକୁ ବସିଲେଣି। ମାତ୍ର ଆମ ରାଜ୍ୟ ଓଡିଶାରେ ଏ ବ୍ୟବସ୍ଥାରେ ଅନେକ ତୃଟି ପରିଲକ୍ଷିତ ହେଉଥିବା ବୁଦ୍ଧିଜୀବୀମାନେ ମତପୋଷଣ କରୁଛନ୍ତି।

ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତାମିଲନାଡୁ, ରାଜସ୍ଥାନ, ଗୁଜୁରାଟ ଆଦି ରାଜ୍ୟମାନଙ୍କ ତୁଳନାରେ ଓଡିଶାରେ କରୋନାର ଦ୍ୱିତୀୟ ଲହରୀର ପ୍ରକୋପ ବହୁତ କମ୍ ଥିଲା। କରୋନା ଆରମ୍ଭ ହେବା ଦିନୁ ପ୍ରଥମେ ଓଡିଶା ନାଇଟ୍ କର୍ଫ୍ୟୁ ପ୍ରଚଳନ କରିଥିଲା। ପ୍ରକୋପ ନକମିବାରୁ ସପ୍ତାହନ୍ତ ସଟ୍ ଡାଉନ୍। ତା ପରେ ଲକ୍ ଡାଉନ୍। ମାତ୍ର ଅନ୍ୟ ରାଜ୍ୟମାନଙ୍କରେ ପ୍ରଥମେ ଲକ୍ଡାଉନ। ପରିସ୍ଥିତି ଅଚଳ ହେଲେ ଅନ୍ୟ ବ୍ୟବସ୍ଥା। ଓଡିଶା ଗୋଟିଏ ଗରୀବ ରାଜ୍ୟ। ଅଧିକାଂଶ ନାଗରିକ ଦୈନନ୍ଦିନ ରୋଜଗାରରେ ଜୀବୀକା ନିର୍ବାହ କରନ୍ତି ଏ ରାଜ୍ୟରେ। ତେଣୁ ଆଜି ପର୍ଯ୍ୟନ୍ତ ଏମାନଙ୍କ ଜୀବନ ଜୀବୀକା କି ପ୍ରକାର ପ୍ରତିକୂଳ ଅବସ୍ଥା ଦେଇ ଗତି କରୁଛି ତାହା ପ୍ରତି ସରକାରଙ୍କର କୌଣସି ନିଘା ନାହିଁ। ଗୋଟିଏ ପଟେ ଆମ ରାଜ୍ୟର ତଥାକଥିତ ତଥା ଅଘୋଷିତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମିଡିଆରେ ଅନର୍ଗଳ ବକ୍ତୃତା ରଖୁଛନ୍ତି ଯେ ରାଜ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡିକରେ ଶଯ୍ୟା ସଂଖ୍ୟା, ଆଇସିୟୁ ସଂଖ୍ୟା, ଭେଂଟିଲେଟର ସଂଖ୍ୟା ପଚାଶ ପ୍ରତିଶତ ଉପରେ ଖାଲି ଅଛି। ତେଣୁ ଏହି ମତାମତକୁ ଯଦି ଆମେ ବଶ୍ଳେଷଣ କରିବା ତେବେ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ ଅଛି ଏବଂ ଆମେ କରୋନାକୁ ସଫଳତାର ସହିତ ଏବଂ ଶୀଘ୍ର ଆରୋଗ୍ୟ ଲାଭର କ୍ଷମତା ମଧ୍ୟ ରଖୁଛେ। ତେଣୁ ଆଜି ସରକାର ଅନ୍ ଲକ ପ୍ରକ୍ରିୟାର ପ୍ରଥମ ଚରଣରେ ଯେଉଁ ଦୟା ଦେଖାଇଛନ୍ତି ରାଜ୍ୟବାସୀଙ୍କ ଉପରେ ସେଥିରେ ଆହୁରି ଅଧିକା ଦୟାଶୀଳ ହୋଇ ପାରିଥାନ୍ତେ।

ରାଜ୍ୟରେ ପନିବରିବା ଓ ଅତ୍ୟବଶକୀୟ ସାମଗ୍ରୀର ଦର ଆକାଶ ଛୁଆଁ। ପରିବହନ ଗମନାଗମନର ଅବ୍ୟବସ୍ଥା ଓ ସ୍ୱଳ୍ପ ସମୟର କାରବାର ଏହାର ମୁଖ୍ୟ କାରଣ। ତା ସାଙ୍ଗକୁ ଶନିବାର ଓ ରବିବାର ପୁରା ବେପାର ବନ୍ଦ। ତେଣୁ ଆଖି କାନ ବୁଝି ବେପାରୀ ଲୁଟୁଛନ୍ତି ଗ୍ରାହକଙ୍କୁ। ଏହି ଲକ୍ ଡାଉନ ଓ ସଟ୍ ଡାଉନ ଜନିତ ଅବ୍ୟବସ୍ଥା ଉପରେ ସରକାରଙ୍କର କୌଣସି ନିୟଂତ୍ରଣ ନାହିଁ। ମଧ୍ୟବିତ, ନିମ୍ନ ମଧ୍ୟବିତ ଓ ଗରୀବ ଶ୍ରେଣୀର ପରିବାର କିପରି ସେମାନଙ୍କର ଭରଣପୋଷଣ କରୁଥିବେ ତାହା ସହଜେ ଅନୁମେୟ। ସରକାରଙ୍କର ସ୍ଲୋଗାନ ଜୀବନ ଆଗେ ଜୀବୀକା ପଛେ। ମାତ୍ର ଯଦି ଲକ୍ ଡାଉନ୍ ଓ ସଟ୍ ଡାଉନ ମାସାଧିକାଳ ଚାଲିବ ତେବେ ଭୋକ ଓପାସରେ ଏମିତି ଯିବନ ଚାଲିଯିବ, କରୋନାକୁ ଆଉ ସାମନା କରିବାକୁ ପଡିବ ନାହିଁ। ରାଜ୍ୟର ଅନେକ ଗରିବ ଖଟିକିଆ ନାଗରିକ ଏଭଳି ମତପୋଷଣ କରିବା ଆରମ୍ଭ କଲେଣି। ଲକ୍ ଡାଉନ ଓ ସଟ୍ ଡାଉନ୍କୁ ପ୍ରୟୋଗ କରି ସାମୟିକ ଭାବରେ ଆମେ କରୋନାକୁ ରୋକି ପାରିବା। ମାତ୍ର ଏହାକୁ ସମୂଳେ ନାଶ କରିବା ପାଇଁ ଦୀର୍ଘ ମିଆଦି ଯୋଜନାର ଆବଶ୍ୟକତା ରହିଛି। ଟୀକାକରଣକୁ ବ୍ୟାପକ ଓ ବହୁଳ କରିବା ଉପରେ ସରକାର ଧ୍ୟାନ ଦେବା ଜରୁରୀ। ବ୍ୟାପକ ଟେଷ୍ଟିଙ୍ଗ ପାଇଁ ଜନସଚେତନତାର ଆବଶ୍ୟକତା ରହିଛି। ବାହାର ରାଜ୍ୟକୁ ଗଲେ ଆରଟିପିସିଆର ନେଗେଟଭ ରିପୋର୍ଟର ଆବଶ୍ୟକତା ଥିବାରୁ ଅଧିକାଂଶ ଲୋକ ସେଥି ସକାଶେ କରୋନା ଟେଷ୍ଟି କରୁଛନ୍ତି। ତେଣୁ ଲକ୍ ଡାଉନ ଓ ସଟ୍ ଡାଉନର ବିକଳ୍ପ ପନ୍ଥା ଖୋଜି ଦୀର୍ଘମିଆଦୀ ଯୋଜନାରେ କରୋନାର ମୁକାବିଲା କରିବା ପାଇଁ ସରକାର ତତ୍ପରତା ପ୍ରକାଶ କରନ୍ତୁ ବୋଲି ଚିନ୍ତାଶୀଳ ନାଗରିକମାନେ ମତବ୍ୟକ୍ତ କରୁଛନ୍ତି।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.