Home ଜିଲ୍ଲା ପରିକ୍ରମା ୯.୯ କୋଟି ବ୍ୟୟରେ ନାଜର ନଳାର ପୁନରୁଦ୍ଧାର କାର୍ଯ୍ୟ ହେବ, ଉପକୃତ ହେବେ ୪୫ ଶହ...

୯.୯ କୋଟି ବ୍ୟୟରେ ନାଜର ନଳାର ପୁନରୁଦ୍ଧାର କାର୍ଯ୍ୟ ହେବ, ଉପକୃତ ହେବେ ୪୫ ଶହ ପରିବାର

33

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ଚୀନର ଦୁଃଖ ହେୟାଙ୍ଗ ହୋ’ ଭଳି ଜଳ ନିଷ୍କାସନ ସମସ୍ୟା ଭଦ୍ରକ ସହରବାସୀଙ୍କ ଅର୍ଦ୍ଧ ଶତାବ୍ଦୀର ଦୁଃଖ । ବର୍ଷାଋତୁ ଆସିଲେ ଜଳ ଅବରୋଧ ସମସ୍ୟାକୁ ନେଇ ସହରବାସୀଙ୍କ ଚିନ୍ତା ବଢିଯାଏ । ୧୯୯୯ ମସିହା ବାତ୍ୟାର ତାଣ୍ଡବ ରୂପ ଆଜି ସହରବାସୀଙ୍କ ମନରୁ ଆଜିଯାଏଁ ଲିଭିନାହିଁ । ବିଶେଷକରି ପୁରୁଣାବଜାର ଓ ତାର ଆଖପାଖ ଅଂଚଳର ବସ୍ତିବାସିନ୍ଦାମାନେ ଜଳ ଅବରୋଧ ସମସ୍ୟାର ସମ୍ମୁଖୀନ ହୋଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିବାକୁ ପଡିଥାଏ । ନାଜର ନଳାର ଚେନାଲଗୁଡିକ ଚିଙ୍ଗୁଡି ଦଳ, ମାର୍ସିଗ୍ରାସ ଓ ସହରର ବର୍ଜ୍ୟବସ୍ତୁ କାରଣରୁ ପୋତି ହୋଇପଡିଛି । ଯାହାଫଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ଘଟିଛି । ଜଳ ନିଷ୍କାସନ ପାଇଁ ପ୍ରଶାସନ ଓ ପୌରପାଳିକାକୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟ କରିବାକୁ ପଡିଥାଏ । ଏହାବ୍ୟତୀତ ବିଭିନ୍ନ ଆଶ୍ରୟସ୍ଥଳୀମାନଙ୍କରେ ବିପନ୍ନମାନଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରିବା ଏକ ପରମ୍ପରାରେ ପରିଣତ ହୋଇଛି । ଏହି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଜନପ୍ରତିନିଧି ମାନେ ନିର୍ବାଚନ ସମୟରେ ସହରବାସୀଙ୍କୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ଏହାକୁ ଗୁରୁତ୍ୱ ଦେଇନଥାନ୍ତି । ପୁରୁଣାବଜାର ଅଂଚଳର ଥିବା ବ୍ରିଟ୍ରିଶ ଅମଳର ଦୁଇ କିଲୋମିଟରରୁ ଉର୍ଦ୍ଧ୍ୱ ନାଜର ନଳା ପୋତି ହୋଇଯିବା ଫଳରେ ବର୍ଷାଋତୁରେ ସାଳନ୍ଦୀ ନଦୀର ଉଦ୍‌ବୃତ୍ତ ଜଳ ଓ ବର୍ଷାଜଳ ନିଷ୍କାସନ ହୋଇନପାରି ପୁରୁଣାବଜାର ତଳି ଅଂଚଳ, ଆଖପାଖ ଗାଁ ଗୁଡିକରେ ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ ।

ବିଶେଷକରି ଭଦ୍ରକ ପୌରପାଳିକାର ପୁରୁଣାବଜାର, ଦୁର୍ଗାପୁର, ମିର୍ଜାପୁର, ନୀଳକଣ୍ଠପୁର, ଭୂୟାଁମହଲା, ଶଙ୍କରପୁର, ପଠାଣମହଲା, ବାଙ୍କାବଜାର, ହଳଦିଡିହ, ସାନ୍ତରାସାହି, ଭବାନୀବିନ୍ଧା, ଦହଣାଶୁଣୀ ଆଦି ଅଂଚଳ ଗୁଡିକ ଜଳମଗ୍ନ ହୋଇପଡିଥାଏ । ତେବେ ଏବେକାର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସହରର ଜଳ ନିଷ୍କାସନ ସମସ୍ୟାର ବାସ୍ତବ ରୂପକୁ ପ୍ରତ୍ୟେକ୍ଷ ଭାବେ ଅନୁଧ୍ୟାନ କରି ସମାଧାନ ପାଇଁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପମାନ ନେବା ଘଟଣା ସହରବାସୀଙ୍କୁ ଆଶ୍ୱସ୍ତି ଆଣିଦେଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୯ କୋଟି ୯ ଲକ୍ଷ ବ୍ୟୟ ଅଟକଳରେ ଏହି ନାଜର ନଳାଟିର ପ୍ରଶସ୍ତିକରଣ ଓ ପୁନରୁଦ୍ଧାର କାର୍ଯ୍ୟକୁ ଗତ ତା ୨୪.୦୬.୨୦୨୧ ରିଖରେ ଜଳସଂପଦ ବିଭାଗର ୧୩୪ତମ ଟେକ୍‌ନିକାଲ ଆଡଭାଇଜରୀ କମିଟି ଏହାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଏହାମଧ୍ୟରେ ପାଖାପାଖି ୨ ବର୍ଷ ବିତିଯାଇଥିଲେ ମଧ୍ୟ ଏହି କାର୍ଯ୍ୟଟି ଡ୍ରେନେଜ୍ ବିଭାଗର ଆଇନ୍ ତଳେ ଚାପିହୋଇଯାଇଥିଲା । ଏପରିକି ପୁନରୁଦ୍ଧାର କାର୍ଯ୍ୟରେ ଆବଶ୍ୟକ ପଡୁଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଡ୍ରେନେଜ୍ ବିଭାଗ ଗୁରୁତ୍ୱ ଦେଇନଥିଲା । ଗତ ତା ୧୫.୧୨.୨୨ ରିଖରେ ଜିଲାପାଳ ଶ୍ରୀ ବୋନ୍ଦର ନାଜର ନଳାର ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହାମଧ୍ୟରେ ଜମି ଅଧିଗ୍ରହଣ ପାଇଁ ଜିଲା ଭୂଅର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳଙ୍କ ଅଧ୍ୟକ୍ଷତାରେ କ୍ଷତିଗ୍ରସ୍ତ ହେଉଥିବା ଜମି ମାଲିକଙ୍କ ସହ ନାଜର ନଳାର ଟେ ଲେଣ୍ଡରେ ବେକା, ଢସାଇ ଗାଁର ସ୍ଥିତିବାନ ସଂପତ୍ତି ୧.୧୬ ଏକର ସିଧାସଳଖ ଜମି ଅଧିଗ୍ରହଣ ପାଇଁ ଏକ ଦୁଇପାକ୍ଷିକ ବୁଝାମଣା ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ବୈଠକରେ ଜମି ମାଲିକଙ୍କ ସହ ଆଲୋଚନା ହୋଇଥିଲା ଏବଂ ଜମିମାଲିକ ମାନେ ଜମି ଦେବା ପାଇଁ ସହମତି ପ୍ରକାଶ କରିଥିଲେ ।

ପରବର୍ତ୍ତୀ ସମୟରେ ଗତ ୧୭.୦୨.୨୦୨୩ ରିଖରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଷ୍ଟ୍ରିକ୍ କମ୍ପେନସେସନ ଆଡଭାଇଜରୀ କମିଟିର ଏକ ବୈଠକରେ ନାଜର ନଳାର ପୁନରୁଦ୍ଧାର ପାଇଁ ସରକାରଙ୍କ ନୂଆ ଭୂଅର୍ଜନ ଆଇନ୍ ଅନୁସାରେ ଜମି ମାଲିକଙ୍କ ଠାରୁ ସିଧାସଳଖ କିଣିବା ପାଇଁ କ୍ଷତିପୂରଣ ଅର୍ଥ ବାବଦରେ ନୀତି ନିର୍ଦ୍ଧାରଣ ହୋଇଥିଲା । ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ଭୂଅର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ, ଡ୍ରେନେଜ୍ ବିଭାଗ ସୁପରିଟେଣ୍ଡେଣ୍ଟ ଇଂଜିନିୟର ସଂଜୀବ କୁମାର ସାମଲ, ଡିଷ୍ଟ୍ରିଟ୍ ସବରେଜିଷ୍ଟ୍ରର କସ୍ତୁରୀବାଳା ଜେନା, ଅତିରିକ୍ତ ଉପଜିଲାପାଳ ଲକ୍ଷ୍ମୀଧର ସାହୁ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଏହି ୨.୦୧ ନାଜର ନଳାଟିର ଉତ୍ପତ୍ତିସ୍ଥଳ ଠାରୁ ଟେ ଲେଣ୍ଡ ପର୍ଯ୍ୟନ୍ତ ଆରସିସି ଡ୍ରେନ୍ ନିର୍ମାଣ ହେବା ସହ ୦ ରୁ ୦.୦୬ କିଲୋମିଟରକୁ ପୁନରୁଦ୍ଧାର ଓ ଏହାବ୍ୟତୀତ ୬ଟି କଲର୍ଭଟ ନିର୍ମାଣ କରାଯିବା ପାଇଁ ଏଷ୍ଟିମେଟ୍‌ଟି ସ୍ୱୀକୃତି ଲାଭ କରିଛି । ନାଜର ନଳାର ପୁନରୁଦ୍ଧାର କାର୍ଯ୍ୟ ହେବା ଫଳରେ ପାଖାପାଖି ୪୫ ଶହ ଘର ଓ ୫୭୫ ହେକ୍ଟର ଚାଷଜମିକୁ ଜଳମଗ୍ନରୁ ଉଦ୍ଧାର କରାଯାଇପାରିବ ବୋଲି ପ୍ରଶାସନିକ ସୂତ୍ରରୁ ଜଣାଯାଇଛି । ଏଠାରେ ପ୍ରକାଶଯୋଗ୍ୟ ଜମି ଅଧିଗ୍ରହଣର କ୍ଷତିପୂରଣ ଅର୍ଥ ବାବଦରେ ଜଳସଂପଦ ବିଭାଗ ୯୮ ଲକ୍ଷ ଟଙ୍କା ମଂଜୁର ପ୍ରଦାନ କରିଛନ୍ତି । ତେବେ ଏହି ପୁନରୁଦ୍ଧାର କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ଆହ୍ୱାନ କରାଯିବ ବୋଲି ଡ୍ରେନେଜ୍ ବିଭାଗ ସୂତ୍ରରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.