Home Top News ୨୦୨୪ ରେ ହେବ ବିଜେଡ଼ି-ବିଜେପି ଗଠବନ୍ଧନ !

୨୦୨୪ ରେ ହେବ ବିଜେଡ଼ି-ବିଜେପି ଗଠବନ୍ଧନ !

165

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଶାସକ ବିଜେଡ଼ି ଓ ବିଜେପି ମଧ୍ୟରେ ଗଠବନ୍ଧନ ହେବ ଓ ମିଳିତ ଭାବରେ ଦୁଇ ଦଳ ଆସନ ବୁଝାମଣାରେ ନିର୍ବାଚନ ଲଢିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡ଼ିଛି। ଏ ପ୍ରକାର ରାଜନୈତିକ ରଣନୀତି ଏବେକାର ନୁହେଁ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଏହାର ଅନ୍ତିମ ରୂପରେଖ ୨୦୨୪ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ। ତେଣୁ ବିଜୁ ଲିଗାସି ବା ବିଜୁ ଜନତା ଦଳର ସମସ୍ତ ପ୍ରତିଷ୍ଠିତ ନେତାମାନଙ୍କର ଏକ ପ୍ରକାର ରାଜନୈତିକ ସମାପ୍ତି ଏହି ଗଠବନ୍ଧନର ମୂଳ ଉଦ୍ଦ୍ୟେଶ।

ଗତ କିଛି ବର୍ଷ ହେଲା ବିଜୁ ଜନତାଦଳର ଅନେକ ବରିଷ୍ଠ ନେତାମାନଙ୍କୁ କଳେ ବଳେ କୌଶଳେ ରାଜନୀତିରୁ ହଟା ଯାଉଛି। ସେମାନଙ୍କ ସ୍ଥାନରେ ସେମାନଙ୍କ ପରିବାରରୁ ଯୁବ ନେତୃତ୍ୱକୁ ସାମନାକୁ ଅଣା ଯାଉଛି। ଯାହାର ପରିବାରରୁ କେହି ରାଜନୀତିକୁ ଆସିବାକୁ କୁଣ୍ଠାବୋଧ କରୁଛନ୍ତି ସେମାନଙ୍କ ସ୍ଥାନରେ ସେହି ଅଞ୍ଚଳର ଅନ୍ୟ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦିଆଯାଉଛି। ଦଳରେ ଅନେକ ଯୁବ ନେତାଙ୍କୁ ଏବେ ବିଧାୟକ, ମନ୍ତ୍ରୀ, ସାଂସଦ, ବିଭିନ୍ନ ନିଗମର ଅଧ୍ୟକ୍ଷ ଆଦି ପଦପଦବୀରେ ଅବସ୍ଥାପିତ କରାଯାଇଛି। ଏପରିକି ପଂଚାୟତ ଓ ଅର୍ବାନ ନିର୍ବାଚନରେ ମଧ୍ୟ ଯୁବ ପ୍ରାର୍ଥୀତ୍ୱକୁ ଗୁରୁତ୍ୱ ଦିଆଯାଇଛି। ଦଳ ଗଠନ ହୋଇ ଥିଲା ବିଜୁ ପଟ୍ଟନାୟକଙ୍କ ନାମରେ। ମାତ୍ର ଏବେ ବିଜୁ ଜନତା ଦଳର ଯେତେ ବି ଲୋକ ପ୍ରତିନିଧି ଅଛନ୍ତି ୯୦ ପ୍ରତିଶତ ନେତା ବିଜୁ ପଟ୍ଟନାୟକଙ୍କ ବିଷୟରେ ଜାଣି ନଥିବେ। ଅନେକ ତାଙ୍କୁ ଦେଖି ମଧ୍ୟ ନ ଥିବେ। ବିଜୁ ବାବୁଙ୍କ ନାମରେ ଦଳ। ତାଙ୍କନାମକୁ ଆଧାର କରି ଦଳ ସଫଳତା ପାଇଥିଲା ମାତ୍ର ଦଳରେ ତାଙ୍କର କୌଣସି ସହକର୍ମୀ ଏବେ ସକ୍ରୀୟ ନାହାଁନ୍ତି।

ଦଳରେ ଏକଦା ସକ୍ରୀୟ ଥିବା ଅନେକ ବରିଷ୍ଠ ନେତା ଯଥା, ପ୍ରଫୁଲ ଚନ୍ଦ୍ର ଘଡ଼ାଇ, ଦାମୋଦର ରାଉତ, ପ୍ରଭାତ ତ୍ରୀପାଠୀ, ପ୍ରଭାତ ବିଶ୍ୱାଳ, ଯୁଗଳ କିଶୋର ପଟ୍ଟନାୟକ ସମସ୍ଥଙ୍କୁ ଏକ ପ୍ରକାର ଜୋର ଜବରଦସ୍ତି ବିଶ୍ରାମ ଦିଆଯାଇଛି କହିଲେ ଚଳେ। ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏବେ ନଗଦରେ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ବାକି ରହିଲେ ଅନନ୍ତ ଦାସ, ପ୍ରଫୁଲ ମଲ୍ଲିକ, ପ୍ରଫୁଲ ସାମଲ, ଉଷାଦେବୀ, ସୂର୍ଯ୍ୟ ନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ପ୍ରସାଦ ମିଶ୍ର ପ୍ରମୁଖଙ୍କ ଅବସର ଯୋଜନା ପ୍ରସ୍ତୁତ ହୋଇ ସାରିଲାଣି। ସମୟ କାଳକୁ ଅପେକ୍ଷା।

ଏବେ ନିଶ୍ଚିତ ଭାବରେ ପ୍ରଶ୍ନଉଠିବା ସ୍ୱାଭାବିକ ଏହି ଯୁବ ବିଜୁ ଜନତା ଦଳର ନେତୃତ୍ୱ ନେବ କିଏ ? ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନେତୃତ୍ୱ ନେଲେ ଏବଂ ଦଳ ଓ ଓଡ଼ିଶାକୁ ସଫଳତାର ଶୀର୍ଷରେ ପହଁଚାଇଲେ। ଓଡ଼ିଶାବାସୀଙ୍କ ପ୍ରୀୟ ନେତାହେଉଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ତାଙ୍କପରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଅବିବାହିତ। ତାଙ୍କ ଅନ୍ତେ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଉତ୍ତରାଧିକାରୀଭାବେ ଆଶାକରାଯାଇପାରେ। କିନ୍ତୁ ସିଏ ରାଜନୀତିକୁ ଆସିବେନି ଏକ ପ୍ରକାର ନିଶ୍ଚିତ। ତେଣୁ ଭୋଟ ଆସିବ କେଉଁଠୁ। ଦଳ ତିଷ୍ଠିବ କିପରି। ତେଣୁ ଭରତୀୟ ଜନତା ପାର୍ଟୀ ସହିତ ଗଠବନ୍ଧନ କରି ଦଳ ଆଗାମୀ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଛି। ତେଣୁ ନବୀନଙ୍କ ଉରାଧିକାରୀ ଭାବରେ ଗଣମାଧ୍ୟମରେ ଯେଉଁସବୁ ନାଆଁ ପ୍ରକାଶ ପାଉଛି ତାହାର ସତ୍ୟାସତ୍ୟ ରହିଛି। ମାତ୍ର ଏହି ନେତୃତ୍ୱକୁ ବିଜୁ ପ୍ରେମୀ ବା ବିଜୁଙ୍କ ସହଯୋଗୀ ସହଜରେ ଗ୍ରହଣ କରିବେ ନାହିଁ। ଦଳରେ ବିଦ୍ରୋହ ହେବ। ତେଣୁ ଡରାଇ ଧମକାଇ ପରିବାର ଭିତରେ ଅସନ୍ତୋଷ ସୃଷ୍ଟି କରାଇ ଏମାନଙ୍କୁ ଏକ ପ୍ରକାର ରାଜନୈତିକ ଅବ୍ୟାହତିର ପ୍ରକ୍ରୀୟା ଚାଲୁ ରହିଛି।

ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ଫୋକସ୍‌ରେ ଓଡ଼ିଶା ଦଖଲର ସ୍ୱପ୍ନ ନିଜସ୍ୱ ପ୍ରଚେଷ୍ଟାରେ ବିଫଳ ହୋଇଛି। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଏହା ପ୍ରମାଣିତ ହୋଇ ସାରିଛି। ୧୯୯୭ ମସିହାରେ ବିଜେଡ଼ି ଗଠନ ହେଲା ଓ ବିଜେପି ସହିତ ହାତ ମିଳାଇଲା। ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ମୁଖ୍ୟ ବିନ୍ଧାଣୀ ପ୍ରମୋଦ ମହାଜନଙ୍କ ପ୍ରଚେଷ୍ଟାରେ ବିଜେଡ଼ି- ବିଜେପି ଗଠବନ୍ଧନ ହେଲା ଓ ଦୁଇ ଦଳ ୨୦୦୦ ଏବଂ ୨୦୦୪ ଏକତ୍ର ନିର୍ବାଚନ ଲଢି ସଫଳତା ହାସଲ କଲେ। ଏହା ପର ଠାରୁ ବିଜେପି ଆଉ ଓଡ଼ିଶାରେ ତିଷ୍ଠି ପାରୁ ନାହିଁ। ଏବେ ପୁଣି ଇତିହାସର ପୁନରାବୃତି ହେବାକୁ ଯାଉଛି। ମୋଦି ଓ ଶାହାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟ ବିନ୍ଧାଣୀ ସାଜିଛନ୍ତି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ। ୨୦୧୯ ପରଠାରୁ ପ୍ରତିଟି ନିର୍ବାଚନରେ ବିଜେପି କେବଳ ନାମକୁ ମାତ୍ର ଲଢୁଛି। ଜଣା ପଡୁଛି ଦଳ ଯେପରି ଚାହୁଁଛି ସବୁ ନିର୍ବାଚନରେ ବିଜେଡ଼ି ବିଜୟ ଲାଭ କରୁ। ମାତ୍ର ଏହା ଏକ ସୁଚିନ୍ତିତ ରାଜନୈତିକ ଖେଳ। ଏହା ବାବଦରେ ନା ବିଜେଡ଼ି କର୍ମୀ ଅବଗତ ନା ବିଜେପି କର୍ମୀ। ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶାରେ ବିଜେଡ଼ି ସରକାର ଅଛି। ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବଢ଼ିଲାଣି। ରାଜ୍ୟରେ କଂଗ୍ରେସର ଅସ୍ତିତ୍ୱ ନାହିଁ। ତେଣୁ ବିକଳ୍ପ ଭାବରେ ବିଜେପିକୁ ଭୋଟ ଦେବା କଥା। ମାତ୍ର ଖୋଦ ବିଜେପିର ଉପର ନେତୃବୃନ୍ଦ ନିର୍ବାଚନର ଶେଷ ମୂହୁର୍ତ୍ତରେ ଏପରି ପରିସ୍ଥିତି ସୃଷ୍ଟି କରୁଛନ୍ତି ଯେ ବିଜେଡ଼ି ସୁନିଶ୍ଚିତ ବିଜୟ ଲାଭ କରୁଛି।

ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀଙ୍କୁ ବିଜେଡ଼ି ସମର୍ଥନ କରିବ। ରାଜ୍ୟସଭା ଓ ଲୋକସଭାରେ ମଧ୍ୟ ଦଳ ପୂର୍ବଭଳି ସବୁ ପ୍ରସ୍ତାବକୁ ସମର୍ଥନ କରିବ। ମୋଦୀ ସରକାର ଯେପରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ହିନ୍ଦୁ ଐତିହ୍ୟ ଗୁଡ଼ିକର ରୂପାନ୍ତରୀକରଣ କରୁଛନ୍ତି, ଠିକ ସେଇ ଢାଂଚାରେ ଓଡ଼ିଶାରେ ସରକାର କୋଟି କୋଟି ଖର୍ଚ୍ଚ କରି ଐତିହ୍ୟ ରୂପାନ୍ତରୀକରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୁପ୍ରମକୋର୍ଟରେ ଶ୍ରୀମନ୍ଦିର ନିର୍ମାଣଧିନ ଐତିହ୍ୟ କରିଡର ବାବଦରେ ଯେଉଁ ମାମଲା ଥିଲା ତାହାର ଆଜି ଶୁଣାଣୀ ହୋଇଛି। ଫଳାଫଳ ବିଜେଡ଼ି ସରକାର ସପକ୍ଷରେ ଯାଇଛି। ଏଥିରେ କେନ୍ଦ୍ରର ସହଭାଗିତା ଥିବା ରାଜନୈତିକ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।

ବିଜୁ ଜନତା ଦଳରେ ଅସନ୍ତୋଷ ଚରମ ସୀମାରେ। ଅନେକ ଟାଣୁଆ ନେତା ମଧ୍ୟ ଦଳରେ ଅବହେଳିତ। ବିଭିନ୍ନ ପ୍ରକାର ମାମଲାରେ ଛନ୍ଦି ହେଇ ଚୁପଚାପ ବସିଛନ୍ତି। ଏ ଘଟଣା ସବୁ ଘଟୁଥିଲେବି ନିଜର ରାଜନୈତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନ୍ଧ ଧୃଷ୍ଟରାଷ୍ଟ୍ର ସାଜିଛନ୍ତି। ରାଜନୀତିରେ କାଲି ଯିଏ ଶତୃ ଆଜି ସିଏ ମିତ୍ର। ଓଡ଼ିଶାବାସୀଙ୍କ ପ୍ରିୟ ବିଜୁ ପଟ୍ଟନାୟକ ଏବଂ ତା ପରେ ତାଙ୍କ ପୁତ୍ର ନବୀନ ପଟ୍ଟନାୟକ। ତେଣୁ ଏହି ପରିବାରକୁ ବାଦ ଦେଇ ବିଜୁ ଜନତା ଦଳ ରାଜନୀତିରେ ଆଗେଇବା ଅସମ୍ଭବ। ସାମୟିକ ଭାବରେ ସବୁ ଯୋଜନା ଏବେ କାର୍ଯ୍ୟକାରୀ ହୋଇ ଯାଉଛି। ମାତ୍ର ଦୀର୍ଘ ମିଆଦୀ ସୂତ୍ରରେ ଏହି ରାଜନୈତିକ ସନ୍ଧି କାର୍ଯ୍ୟକାରୀ ହେବ ଏହା ଅସମ୍ଭବ।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.