Home Top News ସାଇକେଲ ଓ ଅର୍ଥନୀତି

ସାଇକେଲ ଓ ଅର୍ଥନୀତି

61

(ବିଶ୍ୱ ସାଇକେଲ ଦିବସ ଉପଲକ୍ଷେ)

ସ୍କୁଲରେ ପଢୁଥିବାବେଳେ ପିଲାମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ଏକ ସାଧାରଣ କଥା। ଯାହା ବି ପାଟିତୁଣ୍ଡ ହୁଏ ପୁଣି କିଛି ସମୟ ପରେ ପରସ୍ପର ଭୁଲିଯାଇ ଖେଳକୁଦରେ ମାତିଯାନ୍ତି। ମାଧିଆ ଏବଂ ଯଦୁ ଗୋଟେ ସ୍କୁଲରେ ଏକା ଶ୍ରେଣୀରେ ପଢ଼ନ୍ତି। ଦିନେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥାଏ। ମାଧିଆ କହିଲା-ରେ ଯଦୁ, ତୋ ବାପା ବହୁତ କୃପଣ, ଯାହା ଟଙ୍କା ରୋଜଗାର କରନ୍ତି ସବୁ ବ୍ୟାଙ୍କରେ ରଖିଦିଅନ୍ତି। ଗାଡ଼ି ଖଣ୍ଡେ ବି କିଣୁ ନାହାନ୍ତି, ଅଫିସକୁ ସାଇକେଲରେ ଯାଉଛନ୍ତି। ମୋ ବାପା ସୌଖିନ କାରରେ ଅଫିସ ଯାଉଛନ୍ତି, ତୁ କଣ ବଡ଼ ବଡ଼ କଥା କହୁଛୁ ? ଯଦୁ କହିଲା- ସାଇକେଲରେ ଗଲେ ଅସୁବିଧା କ’ଣ ? ସ୍ୱାସ୍ଥ୍ୟ ପାଇଁ ଭଲ। ମାଧିଆ କହିଲା-ହଁ ହଁ ଅଙ୍ଗୁର କୋଳି ନଖାଇ ପାରିଲେ ଖଟା। ତୋ ବାପା ଯାତାୟାତ ପାଇଁ ସାଇକେଲ ବ୍ୟବହାର କରନ୍ତି, ଦେଶର ଅର୍ଥନୀତିକୁ ତୋ ବାପାର ଅବଦାନ କଣ ? ଯଦୁ କହିଲା-ତୋ’ ବାପା କାର ଚଲେଇ ଅର୍ଥନୀତିକୁ କେମିତି ଟେକି ଧରିଛି କହିଲୁ ଟିକେ ଶୁଣିବା। ମାଧିଆ କହିଲା-ମୋ ବାପା ଲୋନ କରି କାର କିଣିଛି। ପ୍ରତି ମାସରେ ସୁଦ୍ଧ ଦେଉଛି, କାର ର ବୀମା କରି ଟଙ୍କା ଦେଉଛି, ପେଟ୍ରୋଲ କିଣୁଛି, ଟ୍ୟାକ୍ସ ଦେଉଛି, ପାର୍କିଙ୍ଗ ପଇସା ଦେଉଛି ଯାହାକି ରାଜସ୍ୱ ବଢେଇବାରେ ସହାୟକ ହେଉଛି। ଯଦୁ କହିଲା-ତୋ କଥା ଶୁଣି ହସ ଲାଗୁଛି, ତା’ମାନେ ଯାହାର ସାଇକେଲ ନାହିଁ, ଯିଏ ଚାଲି ଚାଲି ଯାଉଛନ୍ତି ସେମାନେ ଅର୍ଥନୀତିକୁ ପଛକୁ ଘୋଷାରି ଆଣୁଛନ୍ତି, କି ଅଜବ କଥା କହୁଛୁ ? ତୋ କଥାରୁ ଯାହା ଜଣାପଡୁଛି ଅସୁସ୍ଥ ଲୋକ ଡାକ୍ତରଙ୍କୁ ଟଙ୍କା ଦେଉଛନ୍ତି, ଔଷଧ କିଣୁଛନ୍ତି ଯାହାକି ଅର୍ଥନୀତିକୁ ଆଗକୁ ବଢ଼ିବାରେ ସାହାଯ୍ୟ କରୁଛନ୍ତି ଆଉ ସୁସ୍ତ ଲୋକ ଅର୍ଥନୀତିକୁ ଦୁର୍ବଳ କରିଦେଉଛନ୍ତି ? କାହିଁକି ସେ ବେତଣ୍ଡା ଯୁକ୍ତି କରୁଛୁ ?

ମାଧିଆ କହିଲା- ତୁ କାର ବିଷୟରେ କ’ଣ ଜାଣିଛୁ ? ତୁ ସେହି ସାଇକେଲରେ ରହିଗଲୁ। ଯଦୁ କହିଲା- ତୋ ବାପା ୧୦ ହାତେ ବାଟ ବି ଚାଲି ପାରୁନାହାନ୍ତି କିନ୍ତୁ ମୋ ବାପା ପୁରା ଫିଟ। ସାଇକେଲ ଚଳାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ଯେଉଁମାନେ ସାଇକେଲ ଚଳାନ୍ତି ସେମାନେ ମେଦବୃଦ୍ଧିର ଶିକାର ହୁଅନ୍ତି ନାହିଁ। ଅର୍ଥନୀତି କ’ଣ ଦେଖଉଛୁ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ମୋ ବାପାକୁ ଯିଏ ବି ସାଇକେଲ ମାଗୁଛି ସେ ବିନା ଦ୍ବିଧାରେ ଦେଉଛନ୍ତି, ତୋ ବାପା କାହାକୁ କାର ଦେଇପାରୁଛି କି ? ପେଟ୍ରୋଲ ଖର୍ଚ୍ଚକୁ ଡ଼ରିକି ତୋ ବାପା ଚା ଟିକେ ପିଇବାକୁ ଗଲା ବେଳକୁ ୧୦ ଥର ଭାବୁଛନ୍ତି କିନ୍ତୁ ମୋ ବାପାର ସେ ଚିନ୍ତା ନାହିଁ। ତୋ ବାପା କାର ପାର୍କିଙ୍ଗ କରି ବାରମ୍ବାର ଗାଡିକୁ ଦେଖିବାକୁ ଯାଆନ୍ତି। ଏମିତିକି କୁକୁର ମଧ୍ୟ ତୁମ ଗାଡିକୁ କେତେ ଥର ଅପରିଷ୍କାର କରିଦେଇଛି କିନ୍ତୁ ସେ ସବୁ ଅସୁବିଧା ଆମର ନାହିଁ। ୨-୩ ବର୍ଷ ପରେ ସମସ୍ତେ କହିବେ କଣ ସେ ପୁରୁଣା ଗାଡି ଟା ଚଢୁଛନ୍ତି ନୂଆ ମଡେଲ ଗାଡି ଗୋଟେ କିଣ କିନ୍ତୁ ଆମ ସାଇକେଲ ଯେତେ ପୁରୁଣା ହେବ ଲୋକେ କହିବେ ଯାହା ହେଉ ଏତେ ପୁରୁଣା ସାଇକେଲ ରଖିଛନ୍ତି, ବହୁତ ଭଲ। ଯଦୁର କଥା ଶୁଣି ମାଧିଆ କହିଲା ହଉ ହଉ ଥାଉ ଆଉ ବେଶି ଭାଷଣ ମାରେନା, ତମ ସାଇକେଲ ତମକୁ ଭଲ, ଆମ କାର ଆମକୁ ଭଲ।
ଡଃ ଗଣେଶ ଚନ୍ଦ୍ର କୁଣ୍ଡ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.