Home ଓଡ଼ିଶା ସାଲିଆସାହି ଉଚ୍ଛେଦ ପ୍ରତିବାଦରେ ଏବଂ ୨୦ ଫୁଟରେ ୩୦ ଫୁଟ ଜମି ଦାବିରେ ୨୫ ହଜାର...

ସାଲିଆସାହି ଉଚ୍ଛେଦ ପ୍ରତିବାଦରେ ଏବଂ ୨୦ ଫୁଟରେ ୩୦ ଫୁଟ ଜମି ଦାବିରେ ୨୫ ହଜାର ବସ୍ତିବାସିନ୍ଦା ପରିବାରଙ୍କ ବିଧାନସଭା ଅଭିଯାନ

258

ଭୁବନେଶ୍ୱର ୨୨/୧୧ (ଓଡ଼ିଆ ପୁଅ) – ସାଲିଆସାହି ଉଚ୍ଛେଦ ଅଭିଯାନ ସମ୍ପୂର୍ଣ୍ଣ ବନ୍ଦ କରିବା, ସବୁ ପରିବାରଙ୍କୁ ୨୦ ଫୁଟରେ ୩୦ ଫୁଟ ଜମି ପ୍ରଦାନ, କର୍ମସ୍ଥଳୀ ନିକଟରେ ବାସସ୍ଥାନ ସୁନିଶ୍ଚିତ କରିବା, ବର୍ତ୍ତମାନ ରହୁଥିବା ଜମିର ପଟ୍ଟା ଏବଂ ସ୍ଥାୟୀ ଉନ୍ନତି ବିଧାନ ତଥା ସମ୍ମାନର ସହ ବଞ୍ଚିବାର ଅଧିକାର ଦାବିରେ ଆଜି ସାଲିଆସାହି ବସ୍ତି ଅଞ୍ଚଳର ୨୫ ହଜାରରୁ ଉର୍ଦ୍ଧ୍ୱ ବସ୍ତିବାସିନ୍ଦା ପରିବାର ବିଧାନସଭା ଅଭିଯାନ କରି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପୂର୍ବାହ୍ନ ୧୦ଘଟିକା ସମୟରେ ସାଲିଆସାହି ଆଞ୍ଚଳିକ କମିଟି ନେତୃତ୍ୱରେ ହଜାର ହଜାର ମହିଳା ପୁରୁଷ ଓ ଛାତ୍ରଛାତ୍ରୀଙ୍କ ଏକ ବିଶାଳ ଶୋଭାଯାତ୍ରା ମଇଳା ଟାଙ୍କି ଛକ ଠାରୁ ବାହାରି ଜୟଦେବ ବିହାର ଛକ, ୪ ନମ୍ବର, ୧୧ତାଲା, ରାମ ମନ୍ଦିର, ମାଷ୍ଟର କ୍ୟାଣ୍ଟିନ୍ ଦେଇ ବିଧାନସଭା ସମ୍ମୁଖ ମହାତ୍ମାଗାନ୍ଧୀ ମାର୍ଗ ଠାରେ ପହଞ୍ଚିଥିଲା। ସେଠାରେ ବସ୍ତିନେତା ଜୟଦେବ ନାୟକ, ପ୍ରମିଳା ବେହେରା, ରଘୁନାଥ ନାଥ, ଅଞ୍ଜନ ନାଥ ଓ ଲକ୍ଷ୍ମୀପ୍ରିୟା ଲେଙ୍କାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିବାଦକାରୀଙ୍କ ପକ୍ଷରୁ ବସ୍ତିନେତା ଶିବରାମ, ସାଲ ମାରଣ୍ଡିଙ୍କ ନେତୃତ୍ୱରେ ଏକ ୧୧ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସାଲିଆସାହି ବସ୍ତିବାସିନ୍ଦାଙ୍କ ଏହି ଆନ୍ଦୋଳନକୁ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ବସ୍ତି ସଂଗଠନ, ଶ୍ରମିକ ସଂଗଠନ, ଆଦିବାସୀ ସଂଗଠନ ମାନଙ୍କ ପକ୍ଷରୁ ସମର୍ଥନ ଘୋଷଣା କରି ଉକ୍ତ ସଂଗଠନ ମାନଙ୍କର ପ୍ରମୁଖ ନେତୃବୃନ୍ଦ ନିଜ ବକ୍ତବ୍ୟ ଜରିଆରେ ସଂହତି ପ୍ରଦାନ କରିଛନ୍ତି। ଏହି ଶୋଭାଯାତ୍ରାରେ ସାଲିଆସାହି ବସ୍ତିଅଞ୍ଚଳ ଅନ୍ତର୍ଗତ ୪୩ଗୋଟି ବସ୍ତି କମିଟି, ବସ୍ତିର ସମସ୍ତ ମହିଳା ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବକ କ୍ଳବ ଆଦି ନିଜ ନିଜ ବ୍ୟାନର ଧରି ସାମିଲ ହୋଇଥିଲେ। ମରିବୁ ପଛେ ଟଳିବୁ ନାହିଁ ବସ୍ତିଭାଙ୍ଗିବାକୁୁ ଛାଡ଼ିବୁ ନାହିଁ, ରକ୍ତ ଦେବୁ ପଛେ ବସ୍ତି ଭାଙ୍ଗିବାକୁ ଦେବୁ ନାହିଁ, ଉପଯୁକ୍ତ ଥଇଥାନ ପୂର୍ବରୁ ଇଞ୍ଚେ ଜାଗା ଛାଡ଼ିବୁ ନାହିଁ, ସ୍ମାର୍ଟ ସିଟି ବାତିଲ କର, ବିକାଶ ନାମରେ ବିନାଶଲୀଳା ବନ୍ଦ କର ଆଦି ଗଗନ ପ୍ରକମ୍ପିତ ଶ୍ଳୋଗାନ୍ ଦେଇ ୭ କି.ମି ରାସ୍ତା ଚାଲି ଚାଲି ବିଧାନସଭା ଆଡ଼କୁ ମାଡ଼ି ଚାଲିଥିଲେ କ୍ରୋଧିତ ବସ୍ତିବାସିନ୍ଦା। ୨୦ବର୍ଷ ଧରି ଶାସକ ଦଳକୁ ଭୋଟ ଦେଇ ଜିତେଇବା ପରେ ମଧ୍ୟ କର୍ପୋରେଟ୍ କମ୍ପାନୀ ଓ ଜମି ମାଫିଆଙ୍କ ସ୍ୱାର୍ଥରେ ଆମକୁ ବୁଲ୍ ଡୋଜର ଓ ବସ୍ତିଭଙ୍ଗା ପୁରସ୍କାର ଚଳିବ ନାହିଁ। ବସ୍ତିଭଙ୍ଗା ସରକାର ଧିକ୍ ଧିକ୍ ଆଦି ପ୍ଲାକାର୍ଡ ପ୍ରଦର୍ଶନ କରି ବିଧାନସଭା ଆଡ଼କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ଏହି ବସ୍ତିବାସିନ୍ଦା।

ପ୍ରକାଶଯୋଗ୍ୟ, ସାଲିଆସାହି ବସ୍ତି ଜଙ୍ଗଲ ଜମି ଉପରେ ଅବସ୍ଥିତ। ଜଙ୍ଗଲ ଜମି କଥା କହି ସାଲିଆସାହିରେ କୈାଣସି ଉନ୍ନତି ମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉନାହିଁ। ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ସଂଶୋଧିତ ଆଇନ ୨୦୧୨ ଅନୁସାରେ ତଥା ମିନିଷ୍ଟି୍ର ଅଫ୍ ଟ୍ରାଇବାଲ୍ ଆଫେୟର୍ସର ତା ୫.୦୩.୨୦୧୫ରିଖ ଚିଠି ଅନୁସାରେ ସହରାଞ୍ଚଳରେ ମଧ୍ୟ ଜଙ୍ଗଲ ଜମି ଉପରେ ବାସ କରୁଥିବା ଆଦିବାସୀ ଓ ପାରଂପରିକ ଅଧିବାସୀଙ୍କୁ ଜମି ଅଧିକାର ଯୋଗେଇଦେବାକୁ ଆଇନ ରହିଛି। ଏଥିସହିତ ସାଲିଆସାହି ଅଞ୍ଚଳର ବସ୍ତିବାସିନ୍ଦାଙ୍କୁ ସେହି ସ୍ଥାନରେ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରାଯିବ ବୋଲି ତା. ୨୦.୧୧.୧୯୯୮ ରିଖରେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ତା ୨୦.୦୩.୧୯୯୯ରିଖରେ ସାଲିଆସାହି ବସ୍ତି ଥଇଥାନ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅନୁଷ୍ଠିତ ଏକ ବୈଠକରେ ମଧ୍ୟ ନିଷ୍ପତ୍ତି ହୋଇଥିଲା। ତା୦୭.୧୨.୧୯୯୪ରିଖର ପ୍ରଶାସନିକ ନିଷ୍ପତ୍ତି ଅନୁସାରେ ଥଇଥାନ ପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ୬୧ଗୋଟି ତାଲିକାଭୁକ୍ତ ବସ୍ତି ମଧ୍ୟରୁ ଇନ୍ -ସିଟୁ ଥଇଥାନ ପାଇଁ ସାଲିଆସାହିକୁ ଚିହ୍ନଟ କରାଯାଇଥିଲା।

ବସ୍ତିବାସିନ୍ଦାଙ୍କ ପାଇଁ ପ୍ରଥମେ ୧୯୯୯ ମସିହାରେ ଜାତୀୟ ବସ୍ତିନୀତି ପ୍ରଣୟନ ହୋଇଥିଲା। ୨୦୦୩ ମସିହାରେ ବର୍ତ୍ତମାନର ଆମ ରାଜ୍ୟ ସରକାର ଓ.ଏମ୍ .ସି ଆଇନ ପରିଛଦ ୨୧ରେ ବସ୍ତି ଆଇନ ପ୍ରଣୟନ କରିଛନ୍ତି। ପୁନଃ ୨୦୧୧-୧୨ରେ ରାଜ୍ୟ ବସ୍ତିନୀତି ଘୋଷିତ ହୋଇଛି। ୨୦୧୫ରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନା ସମସ୍ତଙ୍କୁ ବାସଗୃହ ନୀତି କାର୍ଯ୍ୟକାରୀ ହୋଇଛି। ୨୦୧୭ ଅଗଷ୍ଟ ମସିହାରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତିବାସିନ୍ଦାଙ୍କୁ ସହରର ଜୀବନରେଖା ବୋଲି ଘୋଷଣା କରିବା ସହିତ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଆଇନ ଏବଂ ସମ୍ପତ୍ତି ଅଧିକାର ଆଇନ ଘୋଷଣା କରିଛନ୍ତି। ବସ୍ତିବାସିନ୍ଦାଙ୍କ ପାଇଁ ଏହାକୁ ବିଶ୍ୱର ଅନନ୍ୟ ଆଇନ ଭାବେ ବ୍ୟାପକ ପ୍ରଚାର କରିଛନ୍ତି। ଏଥିସହ ବିଭିନ୍ନ ସମୟରେ ସାଲିଆସାହିର ପ୍ରତିନିଧି ମାନଙ୍କ ସହ ସେହି ଜମି ଉପରେ ହିଁ ସାଲିଆସାହି ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବ ବୋଲି ଆଲୋଚନା ହୋଇଛି। ଏହି ସବୁ ଆଇନ ଓ ନିଷ୍ପତ୍ତିକୁ ପଛରେ ପକାଇ ଗତ ୨ ନଭେମ୍ବର ଠାରୁ ପୂର୍ବରୁ ଅବଗତ ନକରାଇ ବିନାନୋଟିସରେ ବଳପୂର୍ବକ ସାଲିଆସାହି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ୨୦୦ ଫୁଟିଆ ରାସ୍ତା ବାହାନାରେ ୪ ଓ ୭ ନଭେମ୍ବରରେ ଦୁଇଥିର ଆକ୍ରମଣ ସରିଛି। ବ୍ୟାପକ ପ୍ରତିରୋଧ ଯୋଗୁଁ ଫେରିବାକୁ ବାଧ୍ୟ ହୋଇଛନ୍ତି ଭଙ୍ଗାଳୀ ଦଳ। ଏହି ଅନ୍ୟାୟପୂର୍ଣ୍ଣ ବସ୍ତି ଉଚ୍ଛେଦ ବିରୁଦ୍ଧରେ ଏହି ମହା ଅଭିଯାନ। ୪୩ଗୋଟି ବସ୍ତି କମିଟିର ନେତୃତ୍ୱ ଏବଂ ସାଲିଆସହି ଆଞ୍ଚଳିକ କମିଟିର ନେତା ନାରାୟଣ ଲେଙ୍କା, ବିଜୟ ସାମଲ, ଉମେଶ ଦାସ, ଅନାଦି ପାତ୍ର, ବାସୁଦେବ ଦାସ, ରଜନୀ ପ୍ରଧାନ, ସନ୍ତୋଷ ଦାସ, ମନୋହର ମୁର୍ମୁ, ବିନ ସ୍ୱାଇଁ, ବିଶ୍ୱନାଥ ଦାସ, ଚାମ୍ବୁରୁ ସୋରେନ୍, ଫୁଲରାଣୀ ପାତ୍ର, ମହେଶ୍ୱର ବେହେରା, ଅଚ୍ୟୁତ ପ୍ରଧାନ, ପବିତ୍ର ମଲ୍ଲିକ, ନିରୁପମା ନାୟକ ଆଦି ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.