Home ଜିଲ୍ଲା ପରିକ୍ରମା ସରକାରୀ ଜାଗାକୁ ମାଡିବସିଛନ୍ତି ଜବରଦଖଲକାରୀ; ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ, ସହରର ରାଜରାସ୍ତା ହେଉଛି ସଂକୁଚିତ, ରାଜସ୍ୱ...

ସରକାରୀ ଜାଗାକୁ ମାଡିବସିଛନ୍ତି ଜବରଦଖଲକାରୀ; ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ, ସହରର ରାଜରାସ୍ତା ହେଉଛି ସଂକୁଚିତ, ରାଜସ୍ୱ ହରାଉଛି ପୌରପାଳିକା

74

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ବଢିଚାଲିଛି ଜବର ଦଖଲ । ସରକାରୀ ଯାଗାଜମିକୁ ଜବର ଦଖଲ କରି ମାଡିବସିଛନ୍ତି ଅଧିକାଂଶ ଲୋକ । ଫଳରେ ସହରର ରାଜରାସ୍ତା ସଙ୍କୁଚିତ ହେବା ଜଳ ନିଷ୍କାସନ କ୍ଷେତ୍ରରେ ଉପୁଜିଛି ଜଟିଳ ପରିସ୍ଥିତି । ବଡବଡ କୋଠାବାଡି,ସପିଙ୍ଗମଲ ଠାରୁ ଆରମ୍ଭ କରି ପ୍ରାଇଭେଟ ନିର୍ସିଙ୍ଗହୋମ ଏବଂ ଛୋଟମୋଟ ଗୁମୁଟିରେ ଛାଇ ହୋଇ ଗଲାଣି ଭଦ୍ରକ ସହର । ଜବରଦଖଲ ଉଛେଦ ଆଳରେ ମଝିରେ ମଝିରେ ପୌର ପ୍ରଶାସନ ପକ୍ଷରୁ ସହରରେ ଜବରଦଖଲ ଉଛେଦ ହେଉଛି ହେଲେ ଜବରଦଖଲ ହଟିବାର ଦିନ କେଇଟା ନଯାଉଣୁ ପୁଣି ଜବର ଦଖଲକାରୀ ମାଡି ବସୁଛନ୍ତି ସହରର ରାସ୍ତାଘାଟ । ପୋଲିସ ଦେଖୁଛି ପ୍ରଶାସନ ମଧ୍ୟ ଦେଖୁଛି ହେଲେ କେହି ମୁହଁ ଖୋଲିବାକୁ ନାରାଜ । ଜବରଦଖଲକାରୀଙ୍କ ବିରୁଦ୍ଧରେ ନୋଟିସ ଜାରି କରି ଅଥବା ସେମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଦେଇ ଚୁପ ବସୁଛି ପ୍ରଶାସନ । ତେଣେ ଜବର ଦଖଲକାରୀଙ୍କ କବଳରେ ଧିରେ ଧିରେ କବଳିତ ହୋଇ ପଡୁଛି ଭଦ୍ରକ ସହର ଏବଂ ଏହାର ପାଖ ଆଖ ଅଂଚଳ । ଗୋଟିଏ ପଟରେ ସହରରେ ଯାଗାଜମି କିଣି ଘରଖଣ୍ଡେ ତୋଳିବାକୁ ପ୍ଲାନ ଅନୁମୋଦନ ପାଇଁ ଲୋକଙ୍କୁ ଯାବତୀୟ କଟକଣା ପାଳନ କରିବାକୁ ପଡୁଥିବା ବେଳେ ବେଆଇନ ନିର୍ମାଣକାରୀ ଙ୍କ ସକାସେ ସବୁକିଛ ମୁକୁଳା ପଡିଛି । ଯିଏ ଯେଉଁଠି ପାରିଲା ସେଠି ମନଇଛା କୋଠା ନିର୍ମାଣ କରିଚାଲିଛି । କେଉଁଠି ରାଜନୈତିକ ଚାପରେ ପ୍ରଶାସନ ନୀରବ ରହୁଛି ତ କେଉଁଠି ମୋଟା ଅଙ୍କର ଲାଂଚ ନେଇ ଘଟଣାକୁ ଚାପିଦିଆଯିବାର ଉଦ୍ୟମ ହେଉଛି ।

ଭଦ୍ରକ ପୌରପାଳିକାର ସହରାଂଚଳ ଠାରୁ ଆରମ୍ଭ କରି ସାହିବସ୍ଥିରେ ସବୁଠି ସମାନ ଅବସ୍ଥା । କିଏ ରାସ୍ତା ଉପରେ ପାର୍କିଙ୍ଗ ଏରିଆ କରି ସହର ରାଜରାସ୍ତାକୁ ଜବର ଦଖଲ କରି ନେଇଛି ତ କିଏ ଡ୍ରେନ ଉପରେ କୋଠାବାଡି ନିର୍ମାଣ କରି ସହରର ଜଳ ନିଷ୍କାସନ ବ୍ୟବସ୍ଥାକୁ ଅବରୋଧ କରି ରଖିଛି ।ଏଥିପାଇଁ ନା ରହିଛି କୌଣସି ସରକାରୀ କଟକଣା ନା ପ୍ରତିବନ୍ଦକ । ଭଦ୍ରକ ପୌରପାଳିକା ସୁଚନା ଅନୁଯାଇ ଭଦ୍ରକ ପୌରାଂଚଳରେ ଏବେ ଛତୁ ଫୁଟିଲାଭଳି ବାସଗୃହ ନିର୍ମାଣ କରାଯାଉଥିଲେ ମଧ୍ୟ ପୌରପାଳିକାରେ ପଞ୍ଜିକୃତ ବାସଗୃହ(ହୋଲଡିଙ୍ଗ) ସଂଖ୍ୟା ମାତ୍ର ୧୫ ହଜାର ୪୨୬ ରେ ସିମିତ ରହିଛି । ଏଥିରେ ସରକାରୀ ହୋଲଡିଙ୍ଗ ସଂଖ୍ୟା ମାତ୍ର ୧୫୭ ରହିଥିବା ସ୍ତଳେ ବେସରକାରୀ ହୋଲଡିଙ୍ଗ ସଂଖ୍ୟା ୧୫ ହଜାର ୨୪୯ ରହିଛି । ଯେଉଁଥିରୁ ଭଦ୍ରକ ପୌରପାଳିକାକୁ ବାର୍ଷିକ ୨ କୋଟି ୨୨ ଲକ୍ଷ ଟଙ୍କାର ହୋଲଡିଙ୍ଗ ଟିକସ ମିଳୁଛି । ସେହିଭଳି ଭଦ୍ରକ ସହରାଂଚଳରେ ଏବେ ଜନ ସଂଖ୍ୟା ସରକାରୀ ଭାବେ ମାତ୍ର ୧ ଲକ୍ଷ ୭ ହଜାର କୁହାଯାଉଥିଲେ ମଧ୍ୟ ପ୍ରକୃତପକ୍ଷେ ସହରରେ ଜନ ସଂଖ୍ୟା ଦେଢଲକ୍ଷ ଟପିଯାଇଥିବା କୁହାଯାଉଛି । ସହରରେ ଏତେ ସଂଖ୍ୟକ ଲୋକ ରହିବା ସକାସେ ପର୍ଯ୍ୟାପ୍ତ ବାସଗୃହର ଆବଶ୍ୟକତା ରହିଥିବା ବେଳେ ସହରରେ ବେଆଇନ ବାସଗୃହ ସଂଖ୍ୟା ଦୃତଗତିରେ ବୃଦ୍ଧିପାଇବାରେ ଲାଗିଛି । ସରକାରୀ ନାଳ,ନୟନଯୋରୀ ଏପରିକି ଜଳାଶୟକୁ ପୋତି ଲୋକେ ରାତାରାତି କୋଠା ଛିଡା କରିଦେଉଛନ୍ତି । ଯାହାକି ପୋଲିସ,ପ୍ରଶାସନ,ପୌରପାଳିକା ଏବଂ ଟାଉନ ପ୍ଲାନିଙ୍ଗ କତୃପକ୍ଷଙ୍କ ର ଦୁର୍ବଳତାକୁ ପଦାରେ ପକାଇ ଦେଇଛି ।

ସାଧାରଣ ଲୋକଟିଏ ଯାଗା ଖଣ୍ଡେ କିଣି ଘର ଖଣ୍ଡେ ତୋଳିବାକୁ ପ୍ରଶାସନ ପାଖରେ ଅନମିତି ଲୋଡୁଥିବା ବେଳେ ପ୍ରଶାସନ ବିଭିନ୍ନ କଟକଣା ଦେଖାଇ ଲୋକଙ୍କ ପ୍ଲାନ ଅନୁମୋଦନ କରୁନଥିବା ବେଳେ ବେଆଇନ ନିର୍ମାଣ ପ୍ରତି କେମିତି ଅଣଦେଖା କରୁଛି ତାହା ଏବେ ସହରବାସୀଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଫଳରେ କେବଳଯେ ସହରର ରାସ୍ତାଘାଟ ସଙ୍କୁଚିତ ହେଉଛି ତା ନୁହେଁ ଜଳ ନିଷ୍କାସନ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ବିନା ହୋଲଡିଙ୍ଗରେ ବାସ ଗୃହ ନିର୍ମାଣ ଯୋଗୁ ପୌରପାଳିକାକୁ ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡୁଛି । କେବଳ ସେତିକି ନୁହେଁ ସହରାଂଚଳରେ ହୋଲଡିଙ୍ଗ ଟିକସ ଦେଇ ବସବାସ କରୁଥିବା ଲୋକଙ୍କ ଉପରେ ବୋଝ ପାଲଟିଛନ୍ତି ବେଆଇନ ଟିକସଦାତା । ଏଥିନେଇ ପୈାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେମାନେ ବେଆଇନ ନିର୍ମାଣ ଉପରେ ହୋଲଡିଙ୍ଗ ବସାଇପାରିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.