Home ଓଡ଼ିଶା ସରକାରଙ୍କ ନଗରବନ ଯୋଜନା- ଅନେକ ସମସ୍ୟାର ସମାଧାନ

ସରକାରଙ୍କ ନଗରବନ ଯୋଜନା- ଅନେକ ସମସ୍ୟାର ସମାଧାନ

190

ପ୍ରତ୍ୟେକ ବର୍ଷ ଜୁନ୍‌ମାସ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଏ। ଜାତିସଂଘର ପର୍ଯ୍ୟାବରଣ କାର୍ଯ୍ୟକ୍ରମ ଦ୍ୱାରା ପ୍ରଦତ ବିଷୟବସ୍ତୁ ଆଧାରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ବା ପ୍ରତିଯୋଗିତା ଅନୁଷ୍ଠିତକରି ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହାକୁ ପାଳନ କରେ। ଏ ବର୍ଷ ମଧ୍ୟ ବର୍ତମାନର କରୋନା ମହାମାରୀ ପରିସ୍ଥିତିରେ ଭର୍ଚୁଆଲ ଉତ୍ସବ ପାଳନ ଅବସରରେ ଏଥରର ବିଷୟବସ୍ତୁ ଜୌବବିବିଧତା ସହିତ ନଗରବନ ବା ସହରବନ ଉପରେ ସଂମ୍ପୂର୍ଣ ଧ୍ୟାନ ଦିଆଯାଇଛି। ଏହି ଉତ୍ସବରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରକାଶ ଜାଭେଦକର ଜୀ ଆଗାମୀ ପାଂଚ ବର୍ଷ ମଧ୍ୟରେ ଭାରତର ୨୦୦ ସହରରେ ନଗରବନ ବା ସହରବନ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଓଡିଶା ସରକାର ମଧ୍ୟ ନଗରବନ ଯୋଜନାରେ ଆମ ରାଜ୍ୟର ୫ଟି ମହାନଗର ଯଥା କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ଠାରେ ୧୩ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ସହରବନ ପ୍ରତିଷ୍ଠା କରିବେ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମକେଶରୀ ଆରୁଖ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଫଳରେ କଂକ୍ରିଟ୍ ଜଙ୍ଗଲ ମାଡ଼ି ଚାଲିଥିବା ରାଜ୍ୟର ଏହି ପାଂଚ ମହାନଗର ନିଗମରେ ନୂଆ ଜଙ୍ଗଲ ସୃଷ୍ଟି ହେବ। ଏବେ ଆସନ୍ତୁ ଜାଣିବା ଏହି ନଗରବନ ବା ସହରବନ କଣ ଓ ଏହା କେବେଠାରୁ ସୃଷ୍ଟି ହୋଇଥିଲା।

ସହର ବନ:

ସହର ମଧ୍ୟରେ ବା ସହର ନିକଟରେ ବୃକ୍ଷ ଗୁଡ଼ିକର ରୋପଣ, ରକ୍ଷଣା ବେକ୍ଷଣ, ଯତ୍ନ ଓ ସୁରକ୍ଷା ଆଦି ବ୍ୟବସ୍ଥାକୁ ସହରବନ ବା ନଗରବନ କୁହନ୍ତି। ଏହି ବନରେ ଥିବା ଗଛ ଗୁଡ଼ିକ ସହରର ନିର୍ମାଣ ଏବଂ ଅବିବୃଦ୍ଧି ଯୋଜନାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସହରବନ ଗୁଡ଼ିକ ପ୍ରାକୃତିକ ପରିବେଶକୁ ବଜାୟ ରଖିବା ସହିତ ଚିତୋବିନୋଦନର ଏକ ମାଧ୍ୟମ ସାଜିଥାଏ। ଏହା ସହିତ ସହରବନ ଗୁଡିକ ସଂରକ୍ଷଣ ଶିକ୍ଷା, ଜୈବବିବିଧତା ସଂରକ୍ଷଣ, ଜଳ ଏବଂ ମୃତିକା ସଂରକ୍ଷଣ, ବିଭିନ୍ନ ପ୍ରକାର ପ୍ରଦୂଷଣ ହ୍ରାସ, ସହର ଉତାପ ଦ୍ୱୀପର ପ୍ରଭାବ ହ୍ରାସ କରିବା ଆଦି କାର୍ଯ୍ୟରେ ସହାୟକ ହୋଇଥାଏ। ଆମେରିକାର ବିଭିନ ସହରରେ ପାଖାପାଖି ୧୩୦ ନିୟୁତ ଏକର ରୁ ଅଧିକ ଜାଗାରେ ସହରବନ ଦେଖାଜାଏ। ବ୍ରାଜିଲର ରିଓଡି ଜେନେରିୟରେ ମଧ୍ୟ ବହୁତ ଗୁଡିଏ ସହରବନ ଅଛି।

ସହରବନର ଆବଶ୍ୟକତା:

ଦିନକୁ ଦିନ ସହର ଗୁଡିକ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଚାଲିଛି। ଫଳରେ ପକ୍କା କୋଠା ଓ ରାସ୍ତାଘାଟ ସବୁ ଉତାପ ବିକିରଣକରି ସହରାଂଚଳର ବାୟୁମଣ୍ଡଳକୁ ସହର ବାହାରେ ଥିବା ଗ୍ରାମାଂଚଳ ଠାରୁ ଉତାପ ଦ୍ୱୀପ ପ୍ରକ୍ରିୟା ଦ୍ୱାରା ଉତପ୍ତ କରୁଛନ୍ତି। ଗଛ ଗୁଡ଼ିକ ବାୟୁମଣ୍ଡଳର ତାପ ନିୟନ୍ତ୍ରଣରେ ସହାୟକ ହେବା ସହିତ ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣକୁ କମ କରିଥାଏ। ବୃକ୍ଷ ଗୁଡ଼ିକ ଋତୁ ପର୍ଯ୍ୟାୟରେ ନିଜର ଆକାର, ପ୍ରକାର ଓ ବର୍ଣ୍ଣ ପରିବର୍ତ୍ତନ କରୁଥିବାରୁ ସହର ପ୍ରକୃତିରେ ବହୁତ ସୁନ୍ଦର ଦେଖାଯାନ୍ତି। ସେମାନଙ୍କର ବ୍ୟବହାର ଓ ଅସ୍ପର୍ଶ ଉପାଦେୟତା ମନସ୍ତାତିକ ଏବଂ ସøନ୍ଦର୍ଯ୍ୟ ବୃଦ୍ଧିଠାରୁ ଜଳବାୟୁକୁ ସୁଧାରିବା ପର୍ଯ୍ୟନ୍ତ ବିସ୍ତାରିତ ସୁଫଳ ପ୍ରଦାନ କରିଥାଏ। ଆହୁରି ମଧ୍ୟ ଏହାର ସବୁଜିମାମୟ ପରିବେଶ ଜୀବନ ନିର୍ବାହ ପାଇଁ କିଛିମାତ୍ରାରେ ଖାଦ୍ୟ, ପଶୁଖାଦ୍ୟ, ଜାଳେଣି କାଠ ଓ ବିଭିନ୍ନ ନିର୍ମାଣ ପାଇଁ ମୂଲ୍ୟବାନ କାଷ୍ଠ ଯୋଗାଇ ଦେଇଥାଏ। ସହରବନ ଗୁଡ଼ିକର ସøନ୍ଦର୍ଯ୍ୟ ଉପଭୋଗକରି ବିଭିନ୍ନ ପ୍ରକାର ବାହ୍ୟ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏକ ମନୋମୁଗ୍ଧକର ପରିବେଶ ପ୍ରଦାନ କରିଥାଏ। ଏହି ବନ ଗୁଡ଼ିକ ସହରୀ ଚଳଣି ମଧ୍ୟରେ ଏକ ନୈସର୍ଗିକ ପ୍ରାକୃତିକ ଅନୁଭବ ପ୍ରଦାନ କରିବା ସହିତ ଦୈନନ୍ଦିନ ଜୀବନର ମାନସିକ ଅବସାଦକୁ ଦୂରକରିବାରେ ସହାୟକ ହୋଇଥାଏ। ଆହୁରି ମଧ୍ୟ ସହରବନ ଗୁଡ଼ିକ ପର୍ଯ୍ୟଟନ କ୍ଷେତ୍ର ବୃଦ୍ଧିକରିବା ସହିତ ପରୋକ୍ଷରେ କିଛିଲୋକଙ୍କୁ ଜୀବିକା ନିର୍ବାହର ପନ୍ଥା ଯୋଗାଇଥାଏ। ଏହା ସହିତ ଏଗୁଡ଼ିକ କୌଣସି ନିର୍ଦ୍ଦିଷ୍ଠ ଅଂଚଳର ଜଳସ୍ତରକୁ ବୃଦ୍ଧିକରିବାରେ ସାହାର୍ଯ୍ୟ କରେ। କିଛିଲୋକ ଏହି ଜଙ୍ଗଲରୁ ବିଭିନ୍ନ ପ୍ରକାର ଫୁଲଫଳ ଆଣି ନିଜର ଗୁଜୁରାଣ ମେଂଟାଇ ଥାଆନ୍ତି। ଏହି ବନ ଗୁଡ଼ିକ ମାଟିର ଗୁଣବତା ବୃଦ୍ଧିକରିବା ସହିତ ମୃତିକାର ଜଳ ଧାରଣ କ୍ଷମତାକୁ ବଢା଼ଇବାରେ ସହାୟକ ହୁଅନ୍ତି। ସହରବନ ଗୁଡ଼ିକ ମଧ୍ୟ ସ୍ଥାନୀୟ ଜଳବାୟୁର ଗୁଣବତାକୁ ବୃଦ୍ଧି କରିବାରେ ବିଶେଷ ଭୂମିକା ନିର୍ବାହ କରନ୍ତି।

ସହରବନର ସୃଷ୍ଟି:

ମହାରାଷ୍ଟ୍ରର ପୁନେ ସହରର ଓା୍ୱରଜେ ଠାରେ ୪୦ଏକର ଜାଗାରେ ଏକ ଜଙ୍ଗଲ ବିକଶିତ କରାଜାଇଛି। ଏହାକୁ ଓା୍ୱରଜେ ସହରବନ କୁହାଜାଏ ଓ ଏହିଠାରୁ ହିଁ ସହରବନର ଅୟମାରମ୍ଭ ହୋଇଛି। ଏହି ଜଙ୍ଗଲ ମଧ୍ୟରେ ୬୫, ୦୦୦ ରୁ ଅଧିକ ଗଛ ମାନଙ୍କ ସହିତ ୫ଟି ପୋଖରୀ ଓ ୨ଟି ପ୍ରହରୀ କୋଠା ପ୍ରତିଷ୍ଠିତ ହୋଇଛି। ବହୁତ ଗୁଡ଼ିଏ ଗଛର ଉଚ୍ଚତା ୨୫ – ୩୦ ଫୁଟ ରହିଥିବାବେଳେ, ଏବର୍ଷ ଆହୁରି ଅଧିକ ବୃକ୍ଷରୋପଣ କରାଜାଇଛି। ବର୍ତମାନ ଏହି ବନରେ ୨୩ ପ୍ରକାର ଉଦ୍ଭିଦ, ୨୯ ପ୍ରକାର ପକ୍ଷୀ, ୧୫ ପ୍ରକାର ପ୍ରଜାପତି, ୧୦ ପ୍ରକାର ସରୀସୃପ ଓ ୩ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ ଦେଖାଜାଉଛନ୍ତି। ସହରବନ ପ୍ରକଳ୍ପ ପରିବେଶର ସନ୍ତୁଳନ ରକ୍ଷା କରିବା ସହିତ ପୁନେବାସୀଙ୍କୁ ପ୍ରାତଃ ଏବଂ ସାନ୍ଧ୍ୟ ଭ୍ରମଣର ପଥ ପ୍ରଦାନ କରିଛି। ଓା୍ୱରଜେ ସହରବନ ଏବେ ଆମ ଦେଶର ସହରମାନଙ୍କ ପାଇଁ ଏକ ଆଦର୍ଶ ନମୁନା ପାଲଟିଛି। ଟେକନୋଲୋଜି, ଏଜୁକେଶନ୍‌, ରିସର୍ଚ୍ଚ ଓ ରିହାବିଲିଟେସନ ଅଫ ଏନଭରନମେଂଟ୍ (ଟେରେ) ନାମକ ସଂସ୍ଥା ଏହି ସହରବନକୁ ବିକଶିତ କରିଛି ଏବଂ ତାହାର ୱେବସାଇଟରେ ପ୍ରକାଶ କରିଛି ଯେ ପୁନେ ସହର ଏକଦା ତାର ସବୁଜିମା ପାଇଁ ପ୍ରସିଦ୍ଧ ଥିଲା, କିନ୍ତୁ ଦ୍ରୁତ ବିକାଶର ଗତିରେ ଏହା ତାର ସବୁଜିମାକୁ ହରାଇଲା ଓ ସବୁଜିମାରୁ ଧୂସର ଆଡ଼କୁ ଢଳି ଚାଲିଲା। ବଢ଼ିଚାଲିଥିବା ପ୍ରଦୂଷଣ ସହିତ ସଂଘର୍ଷକରି ଜୟଲାଭ କରିବାପାଇଁ ଟେରେ ଓା୍ୱରଜେର ସହରବନକୁ ବିକଶିତ କରିଛି। ଏହା ୨୦୧୫ ମସିହାରେ ଟେରେ ପାଇଁ ଏକ ଅଗ୍ରଣୀ ପ୍ରକଳ୍ପ ଥିଲା।

ଓା୍ୱରଜେ ସହରବନ ମହାରାଷ୍ଟ୍ରର ସର୍ବ ପ୍ରଥମ ସହରବନ ପ୍ରକଳ୍ପ ଥିଲା। ସହରବନଟି ବିକଶିତ ହେବା ପୂର୍ବରୁ ଏହା ବନ ବିଭାଗର ପ୍ରାୟ ୧୬ ହେକ୍ଟର ପରିମିତ ଏକ ଅନୁର୍ବର ବା ବନ୍ଧ୍ୟା ପାର୍ବତ୍ୟ ଅଂଚଳ ଥିଲା, ଯାହାକି ସେଠାକାର ବସ୍ତିବାସିନ୍ଦା ଓ ଗୃହନିର୍ମାଣକାରୀଙ୍କ ଜବରଦଖଲରେ ରହିଥିଲା। ଟେରେ ବନ ବିଭାଗର ଏହି ପ୍ରଦୂଷିତ ଅଂଚଲକୁ ପ୍ରଦୂଷଣମୁକ୍ତ କରିବା ସହିତ ସ୍ୱଚ୍ଛ ବାୟୁରେ ପରିପୂର୍ଣ୍ଣ କରି ଏକ ସୁନ୍ଦର ସହରବନ ଗଢ଼ି ତୋଳିବାକୁ ଆଗେଇ ଆସିଥିଲା।

ସହରବନରେ ପାଳିତ ବୃକ୍ଷ:

ଏହି ସହରବନ ମଧ୍ୟରେ ବର, ଅଶ୍ୱସଥ, ନିମ୍ବ, କଂଚନ, ସୁନ୍ଦରକୋଣି ବାଉଁଶ, ବାଦାମ, ଅଂଳା, ଆଦି ୨୩ ଜାତିର ସ୍ଥାନୀୟ ବୃକ୍ଷ ଦେଖିବାକୁ ମିଳେ। ଦର୍ଶକମାନେ ମଧ୍ୟ ଏହା ଭିତରେ ୨୯ ଜାତିର ସ୍ଥାନୀୟ ପକ୍ଷୀ, ୧୫ ପ୍ରକାର ପ୍ରଜାପତି ସହିତ ଅନେକ ସରୀସୃପ ଓ ସ୍ତନ୍ୟପାୟୀ ପ୍ରାଣୀ ମାନଙ୍କୁ ଦେଖିବାକୁ ପାଆନ୍ତି। ଉଭୟ ସଂସ୍ଥାର ଉତ୍ସାହୀ କର୍ମଚାରୀମାନେ ଏହି ସ୍ଥାନକୁ ବାରମ୍ବାର ବୁଲିବାକୁ ଆସି କିଛି ସ୍ୱେଚ୍ଛାକୃତ କାର୍ଯ୍ୟ ମଧ୍ୟ କରିଥାନ୍ତି। ଆହୁରି ମଧ୍ୟ କିଛି ଅନ୍ୟ ସଂଗଠନ ଓ ଓା୍ୱରଜେର ସ୍ଥାନୀୟ ଲୋକମାନେ ସେଠାରେ ବହୁବାର ଏକତ୍ରିତହୋଇ ସ୍ୱେଚ୍ଛାକୃତ ଭାବରେ ବୃକ୍ଷ ଗୁଡ଼ିକର ଜତ୍ନ ନେଇଥାନ୍ତି। ଦୁଇଟି ବଡ଼ ଜଳାଶୟ ଏହି ବନାଂଚଳ ମଧ୍ୟରେ ଅଛି, ଯାହା ବର୍ଷାଦିନେ ଜଳପୂର୍ଣ୍ଣ ହୋଇଜାଏ ଏବଂ ତାହାପରେ ସେହି ଜଳକୁ ଗଛଗୁଡ଼ିକ ବଢ଼ିବା ପାଇଁ ବ୍ୟବହାର କରାଜାଏ। ଓା୍ୱରଜେ ସହରବନ ମଧ୍ୟରେ ଗୋଟିଏ ନିର୍ଦ୍ଦିଷ୍ଠ ଗଛକୁ ଜଣେ ନିଜ ନାମରେ ପାଳିବାର ବ୍ୟବସ୍ଥା ମଧ୍ୟ ରହିଛି ଓ ଆଜି ପର୍ଯ୍ୟନ୍ତ ବହୁତ ପ୍ରକୃତି ପ୍ରେମୀ ନିଜ ପ୍ରିୟ ପରିଜନଙ୍କ ସ୍ମୃତିରେ ଗଛକୁ ସେମାନଙ୍କ ନାମରେ ପାଳନ କରିଆସୁଛନ୍ତି।

ସହରବନରେ ଓ ଜୈବବିବିଧତା ସଂରକ୍ଷଣ:

ବାଙ୍ଗାଲୋରରେ ଥିବା ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟର ପ୍ରଫେସର ହରିଣୀ ନଗେନ୍ଦ୍ରଙ୍କ ମତ ଅନୁସାରେ ପୁନେର ଓା୍ୱରଜେ ସହରବନ ମହାରାଷ୍ଟ୍ରର ସର୍ବପ୍ରଥମ ସହରବନ ପ୍ରକଳ୍ପ ଯାହାକି ଟେରେ ଓ ଟାଟା ମୋଟରର୍ସର ସାମାଜିକ ଉତରଦାୟିତ୍ୱ ଦ୍ୱାରା ସରକାରୀ-ଘରୋଇ ସହଭାଗୀତାର ଏକ ଆଦର୍ଶ ନମୂନା ଭାବେ ବିକଶିତ ହୋଇଛି ଏବଂ ଏହା ଜୈବବିବିଧତା ସଂରକ୍ଷଣରେ ସହାୟକ ହେଉଛି। ଏହିପରି ୧୮୯୦ ମସିହାରେ ଶିମଲାରେ ୧୦୦୦ ହେକ୍ଟର ଅଂଚଳ ପରିମିତ ଏକ ଅଭୟାରଣ୍ୟ ଶିମଲା ପାନୀୟ ଜଳ ଜଙ୍ଗଲ ଅବବାହିକାରେ ଶିମଲା ନଗର ପାଳିକା ଦ୍ୱାରା ଜୈବବିବିଧତା ସଂରକ୍ଷଣ ପାଇଁ ଆରମ୍ଭ ହୋଇଥିଲା। ଦିଲ୍ଲୀର ଆରାବଳୀ ଓ ଯମୁନା ଜୈବବିବିଧତା ଉଦ୍ୟାନ ସହରର କିଛି ଅଂଚଳକୁ ନେଇ ସଫଳତା ପୂର୍ବକ ପରିସଂସ୍ଥାନ ଓ ପ୍ରାକୃତିକ ବାସସ୍ଥଳୀରେ ପୁର୍ନଃଗଠିତ ହୋଇଛି। ଗୁଡ଼ଗାଁରେ ମଧ୍ୟ ଆରାବଳୀ ଜୈବବିବିଧତା ଉଦ୍ୟାନ ସେଠିକାର ପୌରପାଳିକା, ଗୋଷ୍ଠୀ ନିଗମ, ସାମାଜିକ ସଂସ୍ଥା ଏବଂ ସ୍ଥାନୀୟ ଲୋକମାନଙ୍କର ଅଦ୍ୱିତୀୟ ସହଭାଗିତାରେ ଗୋଟିଏ ଉଜୁଡ଼ା ଓ ପତିତ ଖଣି ଭୂମିକୁନେଇ ସୃଷ୍ଟି ହେଲା, ଜେଉଁଥିରେ ବର୍ତମାନ ୧୦୦ ଜାତିର ପୁଷ୍ପିତ ବୃକ୍ଷଲତା ରହିଛି ଏବଂ ଏବେ ଏହା ୨୦୦ ଜାତିର ପକ୍ଷୀ ମାନଙ୍କୁ ଆକର୍ଷିତ କରୁୁଛି।

ଯଦିଓ ଭାରତରେ କମ ଭୂମି ଓ ଅଧିକ ଲୋକ ଏବଂ ପଶୁ ସମ୍ପଦ ଅଛନ୍ତି, ତଥାପି ପୃଥିବୀର ୮% ଜୈବବିବିଧତା କେବଳ ଆମ ଦେଶରେ ଦେଖାଯାଏ। ଆମ ଦେଶ ବିଭିନ୍ନ ପ୍ରକାର ପ୍ରାଣୀ ଓ ଉଦ୍ଭିଦ ମାନଙ୍କ ଦ୍ୱାରା ପୁରିରହି ଏକ ଉନ୍ନତ ଜୈବବିବିଧତାରେ ସମୃଦ୍ଧି ଲାଭ କରିଛି ଏବଂ ବିଶ୍ୱର ୩୫ଟି ଜୈବବିବିଧତା ହଟ୍‌ସ୍ପଟ୍ ମଧ୍ୟରୁ ୪ଟି ଭାରତରେ ରହିଛି। ପାରମ୍ପରିକ ବାବରେ ଜୈବବିବିଧତା ସଂରକ୍ଷଣ ସୁଦୂର ଜଙ୍ଗଲ ମଧ୍ୟରେ ସିମୀତ ରହିଆସିଛି, ମାତ୍ର ସହରାଂଚଳ ଗୁଡ଼ିକର ସଂଖ୍ୟା ଓ ଆକାର ବୃଦ୍ଧି ପାଉଥିବାରୁ ଏବେ ସହରାଂଚଳରେ ମଧ୍ୟ ଜୈବବିବିଧତାର ସୂରକ୍ଷା ଆବଶ୍ୟକ ହୋଇପଡ଼ୁଛି। ସେଥିପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନ୍ୟ ଦେଶମାନଙ୍କ ଭଳି ଆମ ଦେଶର ୨୦୦ ସହରରେ କାମ୍ପା ପାଣ୍ଠିରୁ ଟଙ୍କା ବ୍ୟୟକରି ସହରବନ ପ୍ରତିଷ୍ଠା କରିବା ପାଇଁ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭବିଷ୍ୟତରେ ସହରବନ ଗୁଡ଼ିକ ସହରର ଫୁସଫୁସ୍ ଭାବରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।

ନଳିନୀ କୁମାର ପଣ୍ଡା

ବନ ଗବେଷକ, ସ୍ନାତକତର, ଓ-ୟୁ-ଏ-ଟି-,

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.