Home Top News ଶିଳ୍ପ ବିହୀନ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ହେବାକୁ ଯାଉଛି ସିମେଣ୍ଟ କାରଖାନା

ଶିଳ୍ପ ବିହୀନ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ହେବାକୁ ଯାଉଛି ସିମେଣ୍ଟ କାରଖାନା

45

ମାଲକାନଗିରି ୧୨-୩ (ଓଡ଼ିଆ ପୁଅ) ମାଲକାନଗିରି ବ୍ଲକସ୍ଥ ମାଟାପେକା ପଞ୍ଚାୟତ କତା ମାଟେରୁରେ ବହୁ ପ୍ରତିକ୍ଷୀତ ସିମେଣ୍ଟ କାରଖାନା ପ୍ରତିଷ୍ଠା ନେଇ ଆଜି ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଶୁଣାଣିରେ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ, ଡାଲମିୟା ସିମେଣ୍ଟ କାରଖାନା ଅଧିକାରୀ, ତହସିଲଦାର, ପ୍ରଶାସନିକ ଅଧିକାରୀ, ଉଚ୍ଚ ପୋଲିସ ଅଧିକାରୀ, ତିନୋଟି ପଞ୍ଚାୟତର ଗାଁ ମୁଖିଆ, ଗ୍ରାମବାସୀଙ୍କ ସହ କମ୍ପାନୀ କର୍ମଚାରୀ ଏହି ଜନ ଶୁଣାଣୀରେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ। ସିମେଣ୍ଟ କାରଖାନା ନିର୍ମାଣ ହେଲେ ଜିଲ୍ଲାର ଅଗ୍ରଗତି ହେବା ସହ ସ୍ଥାନୀୟ ବେକାରୀ ଯୁବକ ଯୁବତୀମାନେ କର୍ମନିଯୁକ୍ତି ପାଇ ପାରିବେ, ପ୍ରଭାବିତ ଗ୍ରାମ ଗୁଡିକରେ ଶିକ୍ଷା ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ ସହ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀ ଓ କାରଖାନା କର୍ତ୍ତୃପକ୍ଷ ଗ୍ରାମବାସୀମାନଙ୍କୁ ବୁଝାଇବା ପରେ ଗ୍ରାମବାସୀମାନେ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବା ପାଇଁ ଜନଶୁଣାଣିରେ ସହମତ ପ୍ରକାଶ କରିଥିଲେ।

ଶିଳ୍ପ ବିହୀନ ମାଲକାନଗିରି ଜିଲ୍ଲାରେ ଦେଶର ଏକ ପ୍ରତିଷ୍ଠିତ ଘରୋଇ କମ୍ପାନି ଡାଲମିଆ ସିମେଣ୍ଟ ଲିମିଟେଡକୁ ମିଳିଛି ଚୁନ ପଥର ଖଣିର ଟେଣ୍ଡର। ଗତ ଦୁଇ ବର୍ଷ ତଳେ ଡାଲମିଆ କମ୍ପାନି ଚୁନ ପଥର ଖଣିର ଟେଣ୍ଡର ପାଇଥିବା ବେଳେ କିଛି ଲୋକଙ୍କ ବିରୋଧ ଯୋଗୁଁ ସେଠାରେ ସିମେଣ୍ଟ କାରଖାନା ନିର୍ମାଣ ପ୍ରକ୍ରିୟା ହୋଇ ପାରିନଥିଲା। ହେଲେ ସିମେଣ୍ଟ କାରଖାନା ସ୍ଥାପନ କରିବା ଲାଗି ଆଜି ଜିଲ୍ଲା ପ୍ରଶାସନ ତରଫରୁ ମାଟାପାକା ପଞ୍ଚାୟତରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୋଇଥିଲା ଜନଶୁଣାଣୀ।

ସ୍ଥାପନ ହେବାକୁ ଥିବା ଡାଲମିଆ ସିମେଣ୍ଟ କମ୍ପାନିକୁ ପୁର୍ବରୁ ସ୍ଥାନୀୟ ଆଦିବାସି ଲୋକେ ବିରୋଧ କରି ଆସୁଥିବା ବେଳେ ଆଜି ମାଟାପାକା ପଞ୍ଚାୟରେ ଆୟୋଜିତ କରାଯାଇଥିଲା ଜନଶୁଣାଣି। ଜନ ଶୁଣାନି ସ୍ଥାନ ଠାରୁ ୫ କିଲୋମିଟର ପର୍ଯ୍ୟନ୍ତ ଚାରିଆଡେ ହୋଇଥିଲା ପୋଲିସ ଛାଉଣି। ରାସ୍ତା ସାରା ତାର କଣ୍ଟା ବାଡ ସାଙ୍ଗକୁ ଜଗି ରହିଥିଲେ ସଶସ୍ତ୍ର ସୁରକ୍ଷା କର୍ମୀ। କେଉଁ ମାନେ ସଭା ସ୍ଥଳକୁ ଯିବେ ସେନେଇ ପୁର୍ବରୁ ତାଲିକା ପ୍ରସ୍ତୁତ କରିଥିଲା ଜିଲ୍ଲା ପ୍ରଶାସନ। ଲୋକଙ୍କୁ ତନ୍ନ ତନ୍ନ କରି ମେଟାଲ ଡିଟେକ୍ଟର ଯାଞ୍ଚ କରାଯାଇ ଜନ ଶୁଣାଣି ସ୍ଥାନକୁ ଛଡାଯାଇଥିଲା। ଏହା ପରେ କମ୍ପାନି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ଆଲୋଚନା। କମ୍ପାନି ଲାଗି ନିଜର ଜମି ହରାଉଥିବା ସ୍ଥାନୀୟ ଆଦିବାସି ଲୋକେ ଜିଲ୍ଲା ପ୍ରଶାସନ ପାଖରେ ଅନେକ ଦାବି ରଖିଥିବା ବେଳେ କମ୍ପାନି ମଧ୍ୟ ଲୋକଙ୍କୁ ଆଗାମି ତିନି ବର୍ଷ ମଧ୍ୟରେ ଅନେକ ସହାୟତା କରିବାର ପ୍ରତିଶୃତି ଦେଇଥିଲା। ସ୍ଥାନୀୟ ଆଦିବାସି ଲୋକଙ୍କ ବିକାଶ ଲାଗି ମୋବାଇଲ ଟାୱାର, ମାଗଣା ବିଦ୍ୟୁତ, ଉତ୍ତମ ସ୍ବାସ୍ଥ୍ୟ କେନ୍ଦ୍ର, ଭଲ ରାସ୍ତା ଶୁଦ୍ଧ ପାନୀୟ ଜଳ ଓ ଲୋକଙ୍କୁ ଚାକିରି ପ୍ରଦାନ କରିବାର ପ୍ରତିଶୃତି ଦେଇଛି କମ୍ପାନି। ପ୍ରସ୍ତାବିତ ଡାଲମିଆ ସିମେଣ୍ଟ କମ୍ପାନି ମାଟାପାକା ପଞ୍ଚାୟତର ୮୦୧ ହେକ୍ଟର ଚୁନ ପଥର ଖଣି ଲିଜ୍ ପାଇଥିବା ବେଳେ କମ୍ପାନି ପ୍ରତିଷ୍ଠା ଲାଗି ଆଉ ୪୦୦ ହେକ୍ଟର ଜମିର ଆବଶ୍ୟକତା ରହିଛି। ସେଥି ମଧ୍ୟରୁ ୪୬୨ ଜଙ୍ଗଲ ଜମି ରହିଥିବା ବେଳେ ୩୩୮ ହେକ୍ଟର ରାଜସ୍ବ, ୧୯୦ ହେକ୍ଟର ସରକାରି ଓ ୧୪୮ ହେକ୍ଟର ଆଦିବାସି ଲୋକଙ୍କ ପଟ୍ଟା ଜମି ରହିଛି। ତେବେ ଲୋକଙ୍କ ସହମତି ହେଲେ କମ୍ପାନି ପରିବେଶ ମନ୍ତ୍ରାଳୟର ମଞ୍ଜୁରି ନେଇ ମାଲକାନଗିରି ଜିଲ୍ଲାରେ ଆସନ୍ତା ତିନି ବର୍ଷ ମଧ୍ୟରେ ୫ ଶହ କୋଟି ଟଙ୍କା ଖର୍ଚ୍ଚ କରି ସ୍ଥାନୀୟ ଅଞ୍ଚଳର ବିକାଶ କରିବ ବୋଲି କହିଛନ୍ତି ଡାଲମିଆ ସିମେଣ୍ଟ କମ୍ପାନୀର ସହକାରି ନିର୍ଦ୍ଦେଶକ ସରୋଜ କୁମାର ରାଉତ। ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୌଣସି କମ୍ପାନି ପ୍ରତିଷ୍ଠା ହୋଇନଥିବା ବେଳେ ପ୍ରଥମ ଥର ଲାଗି ଡାଲମିଆ ସିମେଣ୍ଟ କମ୍ପାନି ସେଠାକୁ ଆସିଛି ହେଲେ ଗତ ଦୁଇ ବର୍ଷ ଧରି ସ୍ଥାନୀୟ ଆଦିବାସି ଲୋକେ ଜମି ଓ ଜଙ୍ଗଲ ପାଇଁ ସିମେଣ୍ଟ କମ୍ପାନିକୁ ବିରୋଧ କରି ଆସୁଥିବା ବେଳେ ଏବେ ସେଠାରେ କରାଯାଇଛି ଜନ ଶୁଣାଣି। ହେଲେ ଜନ ଶୁଣାଣିରେ ମାତ୍ର ୫୦୦ ଲୋକ ଯୋଗ ଦେଇଥିବା ବେଳେ ସଭା ସ୍ଥଳକୁ ଘେରି ରହିଥିଲେ ପ୍ରାୟ ଦୁଇ ହଜାର ସୁରକ୍ଷା କର୍ମୀ। କମ୍ପାନିକୁ ବିରୋଧ କରୁଥିବା ଲୋକଙ୍କୁ ୫ କିଲୋମିଟର ଦୁର ମାଟାପାକା ଛକ ଠାରେ ଅଟକା ଯାଇଥିଲା। ଯାହାକୁ ନେଇ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ସ୍ଥାନୀୟ ଆଦିବାସୀ ନେତାଏ ଦୁଖଃ ପ୍ରକାଶ କରିଛନ୍ତି। ତେବେ ଜନ ଶୁଣାଣିରେ ଯୋଗ ଦେଇଥିବା ଆଦିବାସି ଲୋକେ କିନ୍ତୁ ଡାଲମିଆ ସିମେଣ୍ଟ କମ୍ପାନିର ପ୍ରତିଶୃତି ଉପରେ ଭରଷା କରିଛନ୍ତି। କାରଣ ମାଲକାନଗିରି ଜିଲ୍ଲାର ଶହ ଶହ ଶ୍ରମିକ ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେମାନଙ୍କୁ ଏଠାରେ ସିଧା ସଳଖ ନିଯୁକ୍ତି ମିଳିବ। ଆଗାମି ୫୦ ବର୍ଷ ପର୍ଯ୍ୟ କମ୍ପାନି ସେଠାରେ ଚାଲିଲେ ଶିକ୍ଷିତ ଯୁବକ ଓ ଯୁବତୀମାନେ କମ୍ପାନିରେ ଚାକିରି ପାଇବେ। ଏହା ସହ ସ୍ଥାନୀୟ ଆଦିବାସି ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି କମ୍ପାନି ଗୁରୁତ୍ବ ଦେବ ବୋଲି କହିବା ପରେ ଲୋକେ ଏହାକୁ ସମର୍ଥନ କରିଛନ୍ତି। ଶାନ୍ତିପୂର୍ଣ ଭାବେ ଶେଷ ହୋଇଛି ଡାଲମିଆ ସିମେଣ୍ଟ କମ୍ପାନିର ଜନଶୁଣାଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.