Home ଓଡ଼ିଶା ମା ଝାଡେଶ୍ଵରୀ ମହାବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ ଉଦଘାଟିତ

ମା ଝାଡେଶ୍ଵରୀ ମହାବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ ଉଦଘାଟିତ

111

ଧମା, ୧୧/୦୧ (ଓଡ଼ିଆ ପୁଅ) , ଆଜି ସ୍ଥାନୀୟ ମା ଝାଡେଶ୍ଵରୀ ମହାବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି। ୧୯୯୪ ମସିହାରେ ଧମାଠାରେ ସ୍ଥାପିତ ହୋଇଥିବା ଏହି ଶିକ୍ଷାଅନୁଷ୍ଠାନର ରଜତ ଜୟନ୍ତୀ ପାଳନ ଅବସରରେ ପ୍ରଭାତରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମା ଝାଡେଶ୍ଵରୀଙ୍କ ମନ୍ଦିର ଅଖଣ୍ଡ ଦୀପରୁ ଏକ ମଶାଲରେ ଅଗ୍ନି ଆଣି ବିରାଟ ଶୋଭାଯାତ୍ରାରେ ଧମା ଗ୍ରାମରୁ ମହାବିଦ୍ୟାଳୟ ପରିସରକୁ ଆଣି ସ୍ଥାପିତ କରିଥିଲେ।ମହାବିଦ୍ୟାଳୟ ଯୁକ୍ତ ଦୁଇ ପକ୍ଷର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଥିବା ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ସରକାରୀ ଉପ-ମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ ଯୋଗଦେଇ କହିଥିଲେ ଯେ ଅଞ୍ଚଳର ବିଧାୟକ ଭାବରେ ଏହି ଅଞ୍ଚଳର ଭବିଷ୍ୟତ ଗଢୁଥିବା ଶିକ୍ଷାନୁଷ୍ଠାନ ଗୁଡିକ ଉନ୍ନତି କରିବା ତାଙ୍କର କର୍ତ୍ତବ୍ୟ ବୋଲି କହି ଧନ୍ଦାମୂଳକ ଶିକ୍ଷା ଆଜି ସମୟର ଆହ୍ଵାନ ଅଟେ ଓ ସେଥିପ୍ରତି ଆମେ ସଭିଏ ଚେଷ୍ଟିତ ହେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ନାଟ୍ୟବିଦ୍ ଅଟଳ ବିହାରୀ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବୟସକୁ ଭୃକ୍ଷେପ ନକରି ଆମେ ଆଗକୁ ବଢିବା ଶିଖିବାକୁ ହେବ। ସମ୍ବଲପୁରୀ ଭାଷାପ୍ରତି ତାଙ୍କ ଜୀବନ ଉତ୍ସର୍ଗୀକୃତ ବୋଲି କହି ନିଜ ମାଟି ଓ ନିଜ ଭାଷାପ୍ରତି ସମର୍ପିତ ମନୋଭାବ ରଖିବାକୁ ସେ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବିଦ୍ୟା ଅଧ୍ୟୟନ ହେଉଛି ଆମର ମୂଳଭିତ୍ତି ତେଣୁ ପ୍ରଥମେ ପାଠପଢାକୁ ଧ୍ୟାନ ଦେଇ ପରେ ଅନ୍ୟାନ୍ୟ କ୍ଷେତ୍ରରେ ଆମ ପାଖରେ ରହିଥିବା ପ୍ରତିଭାକୁ ବିକାଶ କରିବାକୁ ପଡିବ ସେଇଭଳି ଶିକ୍ଷକମାନଙ୍କୁ ମଧ୍ୟ ପରିବର୍ତ୍ତନଶୀଳ ଜଗତକୁ ଆଖି ଆଗରେ ରଖି ବିଭିନ୍ନ କ୍ଷେତ୍ରରେ ହେଉଥିବା ଇଣ୍ଟରନେଟ ସଫ୍ଟୱେର ଟେକ୍ନୋଲୋଜି ଆଜି କ୍ଷେତ୍ରରେ ହେଉଥିବା ବିକାଶକୁ ଧ୍ୟାନ ଦେଇ ଶିକ୍ଷାଦାନ କରିବାକୁ ହେବ।ମହାବିଦ୍ୟାଳୟର +୩ ସ୍ରୋତର ପୂର୍ବତନ ପରିଚାଳନା ପରିଷଦର ସଭାପତି ଶ୍ରୀ ସୁରଂଜନ ମହାପାତ୍ର ଏବଂ +୨ ପରିଚାଳନା ପରିଷଦର ପୂର୍ବତନ ସଭାପତି ଶ୍ରୀ ଦିଲୀପ କୁମାର ମହାପାତ୍ର ଓ ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଶ୍ରୀ କମଳ ଲୋଚନ ପଣ୍ଡା ମଞ୍ଚରେ ଉପସ୍ଥିତ ଥିଲେ। ସଭା ଆରମ୍ଭରୁ ବରଗଡର ପ୍ରକୃତି ପ୍ରେମ, ଅନୁଷ୍ଠାନ ପକ୍ଷରୁ ଡ. ସତ୍ୟକେତନ ମହାନ୍ତିଙ୍କ ତତ୍ୱାବଧାନରେ ଭ୍ରାମ୍ୟମାଣ ସଂଗ୍ରହାଳୟ ଉଦଘାଟିତ ହୋଇଥିଲା। ଏତଦବ୍ୟତୀତ ଅଶୋକ ଜଲାନ ଫାଉଣ୍ଡେସନର ଅଧ୍ୟକ୍ଷ ଇଂ ଅଶୋକ ଜଲାନଙ୍କ ମହାବିଦ୍ୟାଳୟକୁ ପ୍ରଦତ୍ତ ଆର୍. ଓ ପାଣି ପ୍ରଦାନ କରୁଥିବା ଜଳବିଶୋଧକ ଯନ୍ତ୍ର ଏବଂ ଥଣ୍ଡା ପାନୀୟ ଜଳ ପ୍ରଦାନ କରୁଥିବା ଯନ୍ତ୍ର ସମେତ ବିଶିଷ୍ଟ ବ୍ୟବସାୟୀ ଜ୍ଞାନ ପ୍ରକାଶ ଅଗ୍ରୱାଲଙ୍କ ପ୍ରଦତ୍ତ ଅର୍ଥରୁ ନିର୍ମିତ ଛାତ୍ରୀମାନଙ୍କ ଶୌଚାଳୟକୁ ଅତିଥିମାନେ ଉଦଘାଟନ କରିଥିଲେ।

ସଭାରେ ଅଧ୍ୟାପିକା ଡ. ନିବେଦିତା ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିବା ବେଳେ ଅଧ୍ୟାପକ ରବି ଶଂକର ହୋତା ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ଵାଗତ ଭାଷଣ ଦେଇଥିଲେ। ଅଧ୍ୟାପକ ସତ୍ୟନାରାୟଣ ଦାଶ ମହାବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ ଉପଲକ୍ଷେ ପ୍ରସ୍ତୁତ କରାଯାଇଥିବା ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ।ଏହି ଅବସରରେ ନିମନ୍ତ୍ରିତ ମଞ୍ଚାସୀନ ଅତିଥିମାନଙ୍କ ସମେତ ପରିଚାଳନା ପରିଷଦର ପୂର୍ବତନ ସଦସ୍ୟ ଓ ପ୍ରାୟୋଜକମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏତଦବ୍ୟତୀତ ସଦ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଏଚଡି ଉପାଧି ପାଇଥିବା ଓଡ଼ିଆ ଅଧ୍ୟାପିକା ଡ. ନିବେଦିତା ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ରବିନ୍ଦ୍ର ନାରାୟଣ ଠାକୁର ଏବଂ ଅଧ୍ୟାପିକା ସ୍ମାରକୀ ମାହାର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସ୍ମରଣିକା ‘ସ୍ୱର୍ଣ୍ଣଛତ୍ର’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ବିଭିନ୍ନ ପ୍ରାୟୋଜିତ ପୁରସ୍କାର ପ୍ରଦାନ ପରିପ୍ରେକ୍ଷୀରେ ଶ୍ରୀ ସନ୍ତୋଷ କୁମାର ପୁରୋହିତଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ‘ସୁଧାସ୍ମୃତି’ ପୁରସ୍କାର ନିକିତା ପ୍ରଧାନ, ଦୀପାଳି ମହାକୁର ଓ ଜ୍ୟୋତ୍ସ୍ନାଞ୍ଜଳି ନାଏକଙ୍କୁ ଦିଆଯାଇଥିବା ବେଳେ ସୌଦାମିନୀ ମହାପାତ୍ରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ‘ ହାରାଧନ-ନୀଲାବତୀ’ ପୁରସ୍କାର ଜ୍ୟୋତ୍ସ୍ନାଞ୍ଜଳି ନାଏକ, ପ୍ରିୟବ୍ରତ ମିଶ୍ର, ଦୀପାଳୀ ମହାକୁର, ସୌମ୍ୟ ତ୍ରିପାଠୀଙ୍କୁ ଏବଂ ଉଦ୍ଧବ ଚରଣ ମହାପାତ୍ରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ‘ ଗୌନ୍ତିଆ ପଦ୍ମଲୋଚନ ମହାପାତ୍ର ଓ ରାମଜୀ ମହାପାତ୍ର ’ ପୁରସ୍କାର ନିକିତା ପ୍ରଧାନ, ପୂଜିତା ପୂଜାରୀ, ସୁଜାତା ବଜାର, ଜଣା ପାଢୀ, ରେଶମ ସାହୁଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ସଭା ଶେଷରେ ଯୁକ୍ତ ତିନି ସ୍ରୋତର ଅଧ୍ୟକ୍ଷ ଶ୍ରୀ ଅନିଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ସଭା କାର୍ଯ୍ୟ ପରେ ଛାତ୍ରଛାତ୍ରୀମାନେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିରେ ମହାବିଦ୍ୟାଳୟର ଇତିହାସକୁ ନେଇ ଏକ ନୃତ୍ୟ ଗୁରୁ ରଂଜନ ସାହୁଙ୍କ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ନେଇ ପରିବେଷଣ କରିଥିଲେ। ଅଧ୍ୟାପିକା ସୁଦୀପ୍ତା ଦାଶ ଓ ସୁଶ୍ରୀ ପାଢୀଙ୍କ ପ୍ରଶିକ୍ଷଣରେ ଛାତ୍ରଛାତ୍ରୀମାନେ ଭାରତନାଟ୍ୟମ, କଥକ ନୃତ୍ୟ ପରିବେଷଣ କରିଥିବାବେଳେ ନିକିତା ବେହେରା, ଅଙ୍କିତା ବହିଦାର, ରାହୁଲ ମହାପାତ୍ର, ଆଲୋକ ଗୌନ୍ତିଆ, ସୁଚିତ୍ରା ଦାସ, ସୁଜାତା ନାଏକ ଆଦି ପୁରାତନ ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପ୍ରଶିକ୍ଷଣରେ ଗୁଜରାଟୀ ନାଚ, କୋରାପୁଟ ଶବର ନାଚ, ଲାବଣୀ, ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ। ଅନୁପ କୁମାର ପ୍ରଧାନ, ଶ୍ୟାମ ମିରିଗ, କମଳାକାନ୍ତ କାଲି, ସୋନିଆ ରାଉତ, ଅନନ୍ତ କୁମ୍ଭାର, ସୁଦଶା ସୁନା, ରାଜେଶ ଚଇନୀ, ପୂଜିତା ପୂଜାରୀ ପ୍ରମୁଖ ଉଦଘୋଷକ ଭାବରେ କାର୍ଯ୍ୟ ତୁଲାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.