Home Top News ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ତୃଣମୂଳ ସ୍ତରରେ...

ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ତୃଣମୂଳ ସ୍ତରରେ ସାମାଜିକ ପରିବର୍ତ୍ତନର ଅଗ୍ରଦୂତ ହେବାକୁ ଯୁବପିଢିଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

36

– ଜିଲ୍ଲା ସ୍ତରରେ ଦକ୍ଷତା ବିକାଶରେ ସହଯୋଗୀ ହେବା ଛାତ୍ରବୃତିର ଉଦ୍ଦେଶ୍ୟ
– କୁଶଳୀ ବୃତିଗତଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ
– ଦେଶର ସମସ୍ତ ଜିଲ୍ଲାରେ ୭୩୦ଟି ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତିଧାରୀ ନିୟୋଜିତ
– ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ୮ଟି ଆଇଆଇଏମକୁ ଯୋଡ଼ାଯାଇଛି
– ଧନ୍ଦାମୂଳକ ଶିକ୍ଷା ବିଷୟରେ ଅବଗତ ଥିବା ବୃତିଧାରୀ ବ୍ୟକ୍ତିବିଶେଷଙ୍କୁ ପ୍ଲାଟଫର୍ମ ପ୍ରଦାନ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୨୫ (ଓଡ଼ିଆ ପୁଅ) – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତି(ଏମ୍‌ଜିଏନଏଫ୍‌) ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରବୃତିଧାରୀ ତଥା ଯୁବପିଢିଙ୍କୁ ଦକ୍ଷତା ବିକାଶର ପ୍ରୟାସରେ ତୃଣମୂଳ ସ୍ତରରେ ସାମାଜିକ ପରିବର୍ତ୍ତନର ଅଗ୍ରଦୂତ ହେବାକୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତି ହେଉଛି ଏକ ୨ ବର୍ଷୀୟା ଛାତ୍ରବୃତି। ଏହି ବୃତିର ଉଦ୍ଦେଶ୍ୟ ହେଉଛି ଜିଲ୍ଲା ସ୍ତରରେ ଦକ୍ଷତା ବିକାଶରେ ସହଯୋଗୀ ହେବା। ଏଥିପାଇଁ ପୂର୍ବରୁୁ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ମ୍ୟାନେଜମେଣ୍ଟ୍‌(ଆଇଆଇଏମ) ସହ ପାଇଲଟ ଭିତିରେ ଆରମ୍ଭ ହୋଇଥିଲା। ତୃଣମୂଳ ସ୍ତରରେ ଦକ୍ଷତା ବିକାଶକୁ ସହଯୋଗ କରିବା ପାଇଁ ବ୍ୟକ୍ତିବିଶେଷ ଓ ଯୁବବର୍ଗଙ୍କୁ ୨ ବର୍ଷ ପାଇଁ ଏହି ବୃତି ସୁଯୋଗ ପ୍ରଦାନ କରିବ।

ପ୍ରଥମ ପର୍ଯ୍ୟାୟରେ ୬ଟି ରାଜ୍ୟର ୬୯ଟି ଜିଲ୍ଲାରେ ୬୯ଟି ବୃତିଧାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ସମସ୍ତ ଜିଲ୍ଲାରେ ଅଧିକ ୬୬୧ ବୃତିଧାରୀ ଅର୍ଥାତ୍ ମୋଟ ୭୩୦ ମହାତ୍ମା ଗାନ୍ଧୀ ଜାତୀୟ ବୃତିଧାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଆଇଆଇଏମ, ବାଙ୍ଗାଲୋର ସହଯୋଗରେ କାର୍ଯ୍ୟକ୍ରମରେ ଯୋଡାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ୮ଟି ଆଇଆଇଏମକୁ ଯୋଡ଼ାଯାଇଛି। ଜୀବନଜୀବିକା ପ୍ରୋତ୍ସାହନଭିତିକ କାର୍ଯାକ୍ରମ ସଙ୍କଳ୍ପ ଅଧୀନରେ ମହାତ୍ମା ଗାନ୍ଧୀ ଛାତ୍ରବୃତି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ଶାସନ ବ୍ୟବସ୍ଥା ଏବଂ ନୀତି ସହ ଧନ୍ଦାମୂଳକ ଶିକ୍ଷା ବିଷୟରେ ଅବଗତ ଥିବା ବୃତିଧାରୀ ବ୍ୟକ୍ତିବିଶେଷଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତ ଦିଗରେ ଆମେ ଅଗ୍ରସର ହେଉଛୁ। ବିଭିନ୍ନ କ୍ଷେତ୍ରରେ ହେଉଥିବା ଅଭୁତପୂର୍ବ ପରିବର୍ତ୍ତନ ଅଧିକ କୁଶଳୀ ବୃତିଗତଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ ଏବଂ ଜିଲ୍ଲା ସ୍ତରରେ ଦକ୍ଷତା ମ୍ୟାପିଂ ଏବଂ ସେହି ଅନୁସାରେ ଦକ୍ଷତା ବିକାଶ ପ୍ରୟାସକୁ ଦିଶାନିର୍ଦ୍ଦେଶ ଦେବ।

ଏକବିଂଶ ଶତାବ୍ଦୀର ଆବଶ୍ୟକତା ଏବଂ ସ୍ଥାନୀୟ ବିଷୟକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନ ଛାତ୍ରବୃତି ପାଉଥିବା ବ୍ୟକ୍ତିବିଶେଷଙ୍କୁ ବୈଶ୍ୱିକ ଚିନ୍ତାଧାରା ଏବଂ ସ୍ଥାନୀୟ ଆଭିମୁଖ୍ୟ ସହିତ ଦକ୍ଷତା ବିକାଶର ପ୍ରୟାସରେ ଆଂଚଳିକ ଭାଷାକୁ ଏକତ୍ରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଏହି ବୃତି ମାଧ୍ୟମରେ ଜିଲ୍ଲା ସ୍ତରରେ ଏବଂ ଆଇଆଇଏମ ସମାଜରେ ପରିବର୍ତ୍ତନ ଏବଂ ସଫଳତାର କାହାଣୀ ତିଆରି କରିବାରେ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଆଇଆଇଏମକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.