Home ଜିଲ୍ଲା ପରିକ୍ରମା ମରୁଡ଼ି ପ୍ରବଣ ବଲାଙ୍ଗୀର ଜିଲ୍ଲାର ଲାଇଫ ଲାଇନ ବୋଲାଯାଉଥିବା ସୁକତେଲ ଜଳ ପ୍ରକଳ୍ପକୁ ନେଇ ବିସ୍ଥାପିତଙ୍କ...

ମରୁଡ଼ି ପ୍ରବଣ ବଲାଙ୍ଗୀର ଜିଲ୍ଲାର ଲାଇଫ ଲାଇନ ବୋଲାଯାଉଥିବା ସୁକତେଲ ଜଳ ପ୍ରକଳ୍ପକୁ ନେଇ ବିସ୍ଥାପିତଙ୍କ ସାମ୍ବାଦିକ ସମ୍ମିଳନୀ

39

ବଲାଙ୍ଗୀର, ୧୫-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଲାଇଫଲାଇନ କୁହାଯାଉଥିବା ଜିଲ୍ଲାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାମ ଗତ ୨ ବର୍ଷରୁ ଅଧିକ ସମୟ ହେଲା ବନ୍ଦ ହୋଇ ପଡିରହିଛି। ଇତି ମଧ୍ୟରେ ନିର୍ମାଣ କାମ ପୁଣି ଆରମ୍ଭ କରିବା ପାଇଁ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ସରକାରଙ୍କ ନିଷ୍ପତ୍ତିକୁ ବିସ୍ଥାପତିମାନେ ପୁଣି ବିରୋଧ କରିଛନ୍ତି। ପୂର୍ବରୁ ବୁଡି ଅଂଚଳର କେତେକ ଅଂଚଳର ଗ୍ରାମବାସୀ ୧୯୯୪ ମସିହା ଆଇନ ଅନୁଯାୟୀ କ୍ଷତିପୂରଣ ପାଇଥିବା ବେଳେ ଏବେ ୨୦୧୩ ଆଇନ ଅନୁଯାୟୀ କ୍ଷତିପୂରଣ ଦେବା ପାଇଁ ନୁତନ ପ୍ରସ୍ତାବ ରହିଛି। ତେଣୁ ଗୋଟିଏ ପ୍ରକଳ୍ପରେ ସର୍ବତ୍ର ଗୋଟିଏ ଆଇନ ଲାଗୁ କରାଯାଇ, ୨୦୧୩ ଆଇନ ଅନୁସାରେ ଏକକାଳୀନ ବିସ୍ଥାପିତମାନଙ୍କୁ ସମସ୍ତ ପ୍ରକାର କ୍ଷତିପୂରଣ ପ୍ରଦାନ କଲା ପରେ ଯାଇ କାମ ଆରମ୍ଭ ହୋଇପାରିବ ବୋଲି ବୁଡି ଅଂଚଳ ଅଗ୍ରଗାମୀ ସଂଘ ତରଫରୁ ବଲାଙ୍ଗିର ଯାଦବ ଭବନ ଠାରେ ଆଜି ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସଂଘର ସଭାପତି ଉପେନ୍ଦ୍ର ସାହୁ କହିଛନ୍ତି ଯେ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସମସ୍ତ ଗ୍ରାମର ବିସ୍ଥାପିତଙ୍କୁ ଗୋଟାଏ ପ୍ରକଳ୍ପ ଓ ଗୋଟାଏ ଆଇନ ଅନୁସାରେ ୨୦୧୩ ନୂଆ ଆଇନ ଅନୁଯାୟୀ ବର୍ତ୍ତମାନ ବଜାର ଦରରେ ଘର, ଗଛ, କୂଅ, ଜମି ଇତ୍ୟାଦିର ଏକକାଳୀନ କ୍ଷତିପୂରଣ ପ୍ରଦାନ କରାଯାଉ। ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ପୁଅ ଓ ଝିଅଙ୍କ ସର୍ଭେ କରି ଏକକାଳୀନ ଥଇଥାନ ରାଶି ପ୍ରଦାନ କରାଯାଉ। ଜମିହୀନ ବିସ୍ଥାପତି ପରିବାରଙ୍କୁ ଚିହ୍ନଟ କରି ତାଙ୍କୁ ପାତର ଅନ୍ତର ନ କରି ବିସ୍ଥାପିତଙ୍କ ସହିତ ସମାନ ହିସାବରେ ଥଇଥାନ ରାଶି ପ୍ରଦାନ କରାଯାଉ। ଯେଉଁ ବିସ୍ଥାପିତ ଙ୍କୁ ସରକାରଙ୍କ ଥଇଥାନ କଲୋନୀରେ ଘରଡିହ ମିଳିନାହିଁ ଏବଂ ଯେଉଁମାନେ ଘରଡିହ ସହାୟତା ରାଶି ବଦଳରେ ଘରଡିହ ଚାହୁଁଛନ୍ତି ସେମାନଙ୍କୁ ଘରଡିହ ପ୍ରଦାନ କରାଯାଉ। ବିଭିନ୍ନ ଗ୍ରାମର ୧୮ ବର୍ଷରୁ ଉର୍ଦ୍ଧ ବିସ୍ଥାପିତଙ୍କ ତାଲିକା ମଂଜୁର ପାଇଁ ଜଳସେଚନ ବିଭାଗ ପୁର୍ନବାସ ଓ ଥଇଥାନ ନିର୍ଦ୍ଦେଶକଙ୍କ ପାଖକୁ ୨ ବର୍ଷରୁ ଉର୍ଦ୍ଧ୍ବ ହେବାକୁ ଯାଇଛି, ତାହା ମଞ୍ଜୁର କରି ପ୍ରଦାନ କରାଯାଉ, ବିସ୍ଥାପିତଙ୍କ ନାମରେ ରୁଜୁ ହୋଇଥିବା ବିଭିନ୍ନ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ, ଆର ପି ଡି ଏ ସି ରେ ନୂତନ ସଭ୍ୟଙ୍କୁ ନିଆଯାଉ ଓ ପ୍ରତି ତିନି ମାସରେ ବୈଠକ ଥରେ ବସୁ, ଦୀର୍ଘ ୨୦ ବର୍ଷ ହେବ ବିସ୍ଥାପିତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜାନରୁ ବଂଚିତ କରାଯାଇଛି। ସେହିପରି ନୂତନ ଜାଗାରେ ଥଇଥାନ ହୋଇଥିବା ବିସ୍ଥାପିତଙ୍କୁ ଏହି ଯୋଜନାରେ ସାମିଲ କରାଯାଉ, ବିସ୍ଥାପିତଙ୍କୁ କ୍ଷତିପୂରଣ, ଥଇଥାନ ଓ ବିଭିନ୍ନ ଜମି ବିବାଦୀୟ ସମସ୍ୟାର ସମାଧାନ ପାଇଁ ପ୍ରକଳ୍ପ କାର୍ଯ୍ୟାଳୟ ଅଧୀନରେ ଏକ ବିଚାରପତି କାର୍ଯ୍ୟାଳୟ ସ୍ଥାପନ କରାଯାଉ, ଏବଂ ଆଂଶିକ କ୍ଷତିଗ୍ରସ୍ତ ଗ୍ରାମକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଗ୍ରାମ ଭାବେ ଘୋଷଣା କରାଯାଉ। ଗୋଟାଏ ଗ୍ରାମର ସମସ୍ତଙ୍କୁ କ୍ଷତିପୂରଣ ଓ ଥଇଥାନା ରାଶି ଏକକାଳୀନ ପ୍ରଦାନ କରାଯିବା ପରେ ଅନ୍ୟ ଗ୍ରାମରେ କ୍ଷତିପୂରଣ ଓ ଥଇଥାନ ରାଶି ପ୍ରଦାନ କରାଯାଉ। ଫଳରେ ବିସ୍ଥାପତିମାନେ ଉଚିତ ଭାବେ କ୍ଷତିପୂରଣ ପାଇ ପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହା ସହିତ ଏହି ମର୍ମରେ ଏକ ୧୧ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ବୋଲି ସଭାପତି ଶ୍ରୀ ସାହୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ରାଜପୁତ, ମଳୟ ମେହେର, ଉାମାକାନ୍ତ ଖୁଆସ, ଲଳିତ ଗଡତିୟା, ରାଜକୁମାର ପ୍ରଧାନ, ସୁବଳ ପଟେଲ, ଅର୍ଜୁନ ବେହେରା, ଧୀରେନ୍ଦ୍ର ନାଗ ଓ ବିଶ୍ୱାମିତ୍ର ପଢିଆରି ପ୍ରମୁଖ ଉପସ୍ଥିତ ଥିଲେ। ଦାଦନ ପ୍ରରୁଡ଼ି ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳ ପ୍ରକଳ୍ପ ନିର୍ମାଣ ହେଲେ ଦାଦନ ଶ୍ରମିକ ଚାଲାଣ ଓ ମରୁଡି ରୁ ଜିଲ୍ଲା ମୁକୁଳି ପାରିବ ବୋଲି ଏହି ପ୍ରକଳ୍ପ ଲାଇଫ ଲାଇନ ପାଲଟିବ ବୋଲି ବୁଦ୍ଧିଜୀବୀ ମହଲରେ ଶୀଘ୍ର ନିର୍ମାଣ ଦାବି ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.