Home ଜିଲ୍ଲା ପରିକ୍ରମା ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ମହୋତ୍ସବ : ମଇ ୫ରେ ଲଗ୍ନଧରା ୨୪ରେ ବିବାହ

ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ମହୋତ୍ସବ : ମଇ ୫ରେ ଲଗ୍ନଧରା ୨୪ରେ ବିବାହ

19

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡ଼ିଧାମରେ ବିଜେ ବାବା ଆଖଣ୍ଡଳମଣିଙ୍କ ପବିତ୍ର ଶିବ ବିବାହ ଓ ଶୀତଳ ଷଷ୍ଠୀ ପର୍ବ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାଏକ ଏବଂ ଆଖଣ୍ଡଳମଣି ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଉପଜିଲ୍ଲାପାଳଙ୍କ ଦ୍ୱାରା ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପଲେଇ ଶିବ ବିବାହ ମହୋତ୍ସବ କାର୍ଯ୍ୟକ୍ରମର ରୂପରେଖ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ ।

ସଭାପତିଙ୍କ ନିର୍ଦ୍ଦେଶମତେ ସେବାୟତ ବିଜୟ କୁମାର ଦାସ ଶିବବିବାହ ଉତ୍ସବ ଦିନର ନୀତିକାନ୍ତି, ଲଗ୍ନଧରା, ଗୁଆମଙ୍ଗୁଳା, ବରଧରା, ବରଯାତ୍ରୀ ଶୋଭାଯାତ୍ରା ଆଦି କାର୍ଯ୍ୟକ୍ରମର ସମୟ ବିଧି ବିଧାନ ସମ୍ବନ୍ଧରେ ବିଷଦ ଭାବେ ପ୍ରକାଶ କରିଥିଲେ । ଅକ୍ଷୟ ତୃତୀୟା ତିଥିରେ ବର ପିତା ଓ କନ୍ୟାପିତା ପାଇଁ ଆସିଥିବା ଆବେଦନ ମଧ୍ୟରୁ ଚୂଡ଼ାନ୍ତ କରାଯାଇଥିବା ପ୍ରସ୍ତାବ ବୈଠକରେ ଅନୁମୋଦିତ ହୋଇଥିଲା । ପ୍ରମୋଦ ପାଢ଼ୀଙ୍କୁ ବରପିତା ଓ ମନୋରଞ୍ଜନ ପାଢ଼ୀଙ୍କୁ କନ୍ୟାପିତା ଭାବେ ଚୟନ କରାଯାଇଥିଲା । ଚଳିତ ମାଇମାସ ୨୪ ତାରିଖ ଶୁକ୍ଳପକ୍ଷ ଦଶମୀ ତିଥି ବୁଧବାର ଦିନ ଅନୁଷ୍ଠିତ ହେବାକୁ ଥିବା ଆଖଣ୍ଡଳ ମଣିଙ୍କ ଶିବ ବିବାହ ଉତ୍ସବକୁ ଶାନ୍ତି ଶୁଙ୍ଖଳାର ସହିତ ସମାପନ କରାଯିବା ଉଦ୍ଦେଶ୍ୟରେ କାର୍ଯ୍ୟସୂଚୀ ଅନୁଯାୟୀ ଶାନ୍ତି ଶୃଙ୍ଖଳା ରକ୍ଷା, ଗମନାଗମନ ଓ ଟ୍ରାଫିକ ନିୟନ୍ତ୍ରଣ, ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବର ପ୍ରୋସେସନ ସମୟରେ ରାସ୍ତା ଅବରୋଧ, ରାସ୍ତାଘାଟ ମରାମତି, ଅଗ୍ନିଶମ ବ୍ୟବସ୍ଥା, ସ୍ୱେଚ୍ଛାସେବୀମାନଙ୍କ ସହଯୋଗ, ଯାତ୍ରୀ ପରିବହନ ଓ ନଦୀଘାଟରେ ଯାତ୍ରୀଙ୍କ ସୁରକ୍ଷା ଓ ନିରାପଦ ଘାଟ ପାରିହେବା, ଯାତ୍ରୀ ପରିବହନ, ଅଗ୍ନିଶମ ବ୍ୟବସ୍ଥା ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତ୍ତି କ୍ରମେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା ।

ବରାନୁଗମନ ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ସଂକୀର୍ତ୍ତନ ମଣ୍ଡଳୀ, ପୁରୀ ବୀରଗୋବିନ୍ଦପୁରର ଘଣ୍ଟବାଦ୍ୟ ଓ ଗୋଟିପୁଅ ନୃତ୍ୟ, ପ୍ରସିଦ୍ଧ ସାହିମେଢ଼ ଓ ବନାଟି, ଢ଼େଙ୍କାନାଳର ସାହିବାଦ୍ୟ, କେନ୍ଦୁଝରର କଳସ ନୃତ୍ୟ, ବ୍ରହ୍ମପୁରର ଯୋଡ଼ି ସଙ୍ଖ, ପଶ୍ଚିମବଙ୍ଗ କଲିକତାର ମୟୁରଚୁଳିଆ ବାଦ୍ୟ, ଖୋର୍ଦ୍ଧାର ପାଇକ ଆଖଡ଼ା ଓ ବାଘନୃତ୍ୟ, ବାଲେଶ୍ୱରର କଙ୍କାଳ ନୃତ୍ୟ, ଯାଜପୁରର ତେଲିଙ୍ଗି ବାଦ୍ୟ ଓ ଷଣ୍ଢନାଚ, ଭଦ୍ରକର ବ୍ୟାଣ୍ଡବାଜା ଓ ଅନ୍ନପାଳର ଘୋଡ଼ାନାଚ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆକର୍ଷଣୀୟ ଆଲୋକ ସଜ୍ଜା ଓ ଆତସବାଜୀ, ବରଯାତ୍ରୀ ଦଳରେ ବ୍ରହ୍ମା, ବିଷ୍ଣୁ, ଇନ୍ଦ୍ର ଆଦି ବେଶରେ ଦେବଗଣଙ୍କ ଯାତ୍ରା ସମ୍ବନ୍ଧେରେ ସୂଚନା ପ୍ରଦାନ କରାଯାଇଥିଲା । ବିବାହ ଉତ୍ସବ ଦିନ ଦିବା ୧୦ଟାରେ ଦିଅଁ ମଙ୍ଗୁଳା ଓ ସନ୍ଧ୍ୟା ୭ଟା ୩୦ରୁ ବରାନୁଗମନ ଶୋଭାଯାତ୍ରା ଆରମ୍ଭ ନେଇ ସମୟ ନିର୍ଦ୍ଧାରଣ କରାଯାଇଥିବା ପ୍ରକାଶ କରାଯାଇଥିଲା । ପରଦିନ ୨୫ ତାରିଖ ଗୁରୁବାର ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ । ଚାନ୍ଦବାଲି ବି.ଡ଼ି.ଓ. ଜ୍ୟୋତିବିକାଶ ଦାସ, ତହସିଲଦାର ସୁଶାନ୍ତ କୁମାର ସୂତାର, ଏସ୍‌.ଡ଼ି.ପି.ଓ. ସୌରଭ କୁମାର ଓତା, ଡ଼ି.ଏସ୍‌.ପି. ଡ଼ି.ଆଇ.ବି. କମଳ ଲୋଚନ ଭୂୟାଁ, ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀ ପରମାନନ୍ଦ ବେହେରା, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.