Home ଜିଲ୍ଲା ପରିକ୍ରମା ବଣ୍ଟା ହୋଇପାରିଲାନି ୧୮୮ କୋଟି ଟଙ୍କାର କୃଷିଋଣ : ୫୮ ପ୍ରତିଶତ ଚାଷୀ ରବିକୃଷି ଋଣରୁ...

ବଣ୍ଟା ହୋଇପାରିଲାନି ୧୮୮ କୋଟି ଟଙ୍କାର କୃଷିଋଣ : ୫୮ ପ୍ରତିଶତ ଚାଷୀ ରବିକୃଷି ଋଣରୁ ବଂଚିତ

175

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ଲାଗି ଭଦ୍ରକ ଜିଲାରେ ବଣ୍ଟା ହୋଇପାରିଲାନି ୧୮୮ କୋଟି ଟଙ୍କାର କୃଷି ଋଣ । ଧାର୍ଯ୍ୟଲକ୍ଷ୍ୟର ମାତ୍ର ୪୨ ପ୍ରତିଶତ ଚାଷୀ ରବିକୃଷି ଋଣ ନେବାକୁ ସମର୍ଥ ହୋଇଥିବାବେଳେ ୫୮ ପ୍ରତିଶତ ଚାଷୀ ରବି କୃଷି ଋଣରୁ ବଂଚିତ ହୋଇଛନ୍ତି । ଫଳରେ ଚଳିତବର୍ଷ ଭଦ୍ରକ ଜିଲାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ରବି ଚାଷ । ଚଳିତ ବର୍ଷ ଜିଲାରେ ପ୍ରାୟ ୪୫ ହଜାର ହେକ୍ଟର ଜମିରେ ରବି ଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବାବେଳେ କୃଷିଋଣ ଯୋଗାଣରେ କରୋନା ପ୍ରତିବନ୍ଧକ ଯୋଗୁଁ ମାତ୍ର ୩୩ ହଜାର ହେକ୍ଟରରେ ଜମିରେ ରବିଚାଷ କରାଯାଇଥିବା ନେଇ ଜିଲା କୃଷି ବିଭାଗ ତଥ୍ୟ ରଖିଥିଲେ ମଧ୍ୟ ଘଟଣାର ବାସ୍ତବତା ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଚଳିତ ରବି ଋତୁରେ ଜିଲା କୃଷି ବିଭାଗ ଯେତିକି ଜମିରେ ମୁଗ, ବିରି, ସୂର୍ଯ୍ୟମୁଖୀ, ସୋରିଷ ଅଧିକ ଅମଳ କ୍ଷମ ଧାନ ଏବଂ ପନିପରିବା ଚାଷ କରାଯାଇଥିବା କଥା ତଥ୍ୟ ରଖିଛନ୍ତି ଜିଲାରେ ରବି ଫସଲ ଉତ୍ପାଦନ ହାର ଦେଖିଲେ ତଥ୍ୟର ସତ୍ୟତା ନେଇ ସନ୍ଦେହ ଉପୁଜିଛି । ତେବେ ଏହି ବାବଦରେ ଜିଲା କୃଷି ବିଭାଗ ତଥ୍ୟ ଯାହା ଥାଉନା କାହିଁକି ଚଳିତବର୍ଷ କୃଷିଋଣ ପାଇବାରେ ଅଡୁଆ ହେତୁ ଜିଲାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ରବି ଫସଲ । କେନ୍ଦ୍ର ସମବାୟ ସଂସ୍ଥା ରିପୋର୍ଟ ଅନୁଯାୟୀ ଚଳିତବର୍ଷ ଭଦ୍ରକ ଜିଲାରେ ୧ ଲକ୍ଷ ୯ ହଜାର ୧୨୫ ଜଣ ଚାଷୀଙ୍କୁ ରବି କୃଷି ଋଣ ବାବଦକୁ ୩୯୦ କୋଟି ଟଙ୍କା ବଣ୍ଟନ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିଲା ।

 

 

ଏହି ଋଣ ଅବଧି ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ରବି ଋଣ ମୁଖ୍ୟତଃ ଖରିଫ କାର୍ଯ୍ୟକ୍ରମ ପରେ ଅର୍ଥାତ୍ ମାର୍ଚ୍ଚ ମାସରେ ହିଁ ଚାଷୀମାନେ ଉଠାଣ କରିଥାନ୍ତି । ହେଲେ ଚଳିତବର୍ଷ ମାର୍ଚ୍ଚ ମାସଠାରୁ କରୋନା ପ୍ରଭାବ ଯୋଗୁଁ ଲକଡାଉନ୍‌, ସଟଡାଉନ୍ ଏବଂ କର୍ଫ୍ୟୁ ଭଳି କଟକଣା ଯୋଗୁଁ ଚାଷୀ ଋଣନେବାକୁ ସମର୍ଥ ହୋଇନଥିବା ବେଳେ ସମବାୟ ସଂସ୍ଥା ଚାଷୀଙ୍କୁ ଋଣ ମଂଜୁର କରିବାକୁ ସମର୍ଥ ହୋଇନାହାଁନ୍ତି । ଫଳରେ ଚଳିତ ବର୍ଷ ଭଦ୍ରକ ଜିଲାରେ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି ରବି କୃଷି ଋଣ ଯୋଗାଣ । ବିଭାଗୀୟ ସୂଚନା ଅନୁଯାୟୀ ଚଳିତବର୍ଷ ଜିଲାରେ ୧ ଲକ୍ଷ ୯ ହଜାର ଚାଷୀଙ୍କ ମଧ୍ୟରୁ ମାତ୍ର ୪୬ ହଜାର ୭୦୧ ଜଣ ଚାଷୀ ରବି ଋଣ ନେବାକୁ ସମର୍ଥ ହୋଇଥିବାବେଳେ ବାଦ ପଡିଛନ୍ତି ୬୨ ହଜାର ୪୨୪ ଜଣ ଚାଷୀ । ସେହିଭଳି ଚଳିତବର୍ଷ ଜିଲାରେ ମୋଟ ୩୯୦ କୋଟି ଟଙ୍କା ରବି ଋଣ ଯୋଗାଣ ପାଇଁ ମଂଜୁର କରାଯାଇଥିବାବେଳେ ମାତ୍ର ୨୦୨ କୋଟି ୫୧ ଲକ୍ଷ ୧୧ ହଜାର ଟଙ୍କା ବଣ୍ଟନ ସମ୍ଭବ ହୋଇଥିବାବେଳେ ବଣ୍ଟା ହୋଇପାରିନାହିଁ ଆହୁରି ପ୍ରାୟ ୧୮୮ କୋଟି ଟଙ୍କା । କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ରବି ଋଣରେ ଏହି କମିକୁ ଦୃଷ୍ଟିରେ ରଖି ସରକାର ଜିଲାରେ ଚଳିତ ବର୍ଷର ଖରିଫ ଋଣ ପରିମାଣକୁ ପୂର୍ବବର୍ଷ ତୁଳନାରେ ଅଧିକ ସାଢେ ୨୬ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହି ସୂଚନା ଅନୁଯାୟୀ ଗତବର୍ଷ ଜିଲାପାଇଁ ୪୭୧ କୋଟି ୫୦ ଲକ୍ଷ ଟଙ୍କା ଖରିଫ କୃଷି ଋଣ ମଂଜୁର କରିଥିବାବେଳେ ଚଳିତବର୍ଷ ତାହାକୁ ୪୯୮ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.