Home ଓଡ଼ିଶା ପିଆଇବି ପକ୍ଷରୁ “ଆତ୍ମନିର୍ଭର ଭାରତ ଗଠନରେ ଏମଏସଏମଇ” ଶୀର୍ଷକ ୱେବିନାର : ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ...

ପିଆଇବି ପକ୍ଷରୁ “ଆତ୍ମନିର୍ଭର ଭାରତ ଗଠନରେ ଏମଏସଏମଇ” ଶୀର୍ଷକ ୱେବିନାର : ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବ ଏମଏସଏମଇ କ୍ଷେତ୍ର

240

– ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଂଟି ଯୋଜନାରେ ଓଡ଼ିଶାର ଏମଏସଏମଇ ଉଦ୍ୟୋଗଗୁଡ଼ିକ ପାଇଁ ୨୧୦୫ କୋଟି ଟଙ୍କା ମଞ୍ଜୁର
– ଅଗଷ୍ଟ ୩ ତାରିଖ ସୁଦ୍ଧା ୧୪୬୨ କୋଟି ଟଙ୍କା ଏମଏସଏମଇ ୟୁନିଟଗୁଡ଼ିକୁ ଆବଂଟନ : ଅର୍ଥ ମନ୍ତ୍ରଣାଳୟ ମୁଖପାତ୍ର

ଭୁବନେଶ୍ୱର ୬-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଲାଗି ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବେ। ମାତ୍ର ଅମଲାତନ୍ତ୍ର ଓ ଆର୍ଥିକ ପ୍ରତିଷ୍ଠାନଗୁଡିକର ସହଯୋଗ ଓ ଉଦ୍ୟୋଗୀମାନଙ୍କୁ ଏ ଦିଗରେ ଆକୃଷ୍ଟ କରାଯିବାର ଆବଶ୍ୟକତା ରହିଛି। ଫଳରେ ଏହି କ୍ଷେତ୍ର ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରମୁଖ ଶକ୍ତି ତଥା ଆଧାର ହୋଇପାରିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆଜି (୦୫-୦୮-୨୦୨୦) “ଆତ୍ମନିର୍ଭର ଭାରତ ଗଠନରେ ଏମଏସଏମଇ” ଶୀର୍ଷକ ୱେବିନାରରେ ଅଂଶଗ୍ରହଣ କରି ସେମାନେ ଏହି ମତ ବ୍ୟକ୍ତ କରିଛନ୍ତି।

ପିଆଇବି ମୁଖ୍ୟାଳୟର ମହାନିର୍ଦ୍ଦେଶକ ତଥା କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଶ୍ରୀ ରାଜେଶ ମାଲହୋତ୍ରା ଏବଂ ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ ୱେବିନାରର ଆଭିମୁଖ୍ୟ ଓ ଏମଏସଏମଇକୁ ତ୍ୱରାନ୍ୱିତ କରିବାରେ କେନ୍ଦ୍ର ସରକାରଙ୍କ ଅଙ୍ଗିକାରବଦ୍ଧତା ଉପରେ ଆଲୋକପାତ କରିଥିଲେ। ଶ୍ରୀ ମାଲହୋତ୍ରା ଏହି ଅବସରରେ କହିଥିଲେ ଯେ ଭାରତୀୟ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ଲାଗି ମେ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରଣ ମେ ୧୩ରୁ ୧୭ ତାରିଖ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ୫ଟି ପର୍ଯ୍ୟାୟରେ ଆତ୍ମନିର୍ଭର ଭାରତ ପ୍ୟାକେଜ ବିସ୍ତୃତ ବିବରଣୀ ପ୍ରଦାନ କରିସାରିଛନ୍ତି। ଏହି ପ୍ୟାକେଜ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଏମଏସଏମଇ କ୍ଷେତ୍ର ଲାଗି ବିଶେଷ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି। ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଉତ୍ପାଦନ ଓ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ଓଡ଼ିଶାରେ ଅଗଷ୍ଟ ୩, ୨୦୨୦ ସୁଦ୍ଧା ୧୦୦% ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଂଟି ଯୋଜନା ଜରିଆରେ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ୨୧୦୫ କୋଟି ଟଙ୍କାର ଋଣ ସହାୟତା ମଞ୍ଜୁର କରିଥିବା ବେଳେ ଏଥିମଧ୍ୟରୁ ୧୪୬୨ କୋଟି ଟଙ୍କା ରାଜ୍ୟର ବିଭିନ୍ନ ଏମଏସଏମଇ ଉଦ୍ୟୋଗଗୁଡ଼ିକୁ ବଂଟନ କରାଯାଇସାରିଛି ବୋଲି ଶ୍ରୀ ମାଲହୋତ୍ରା କହିଥିଲେ।

ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅଧୀନ ଏମଏସଏମଇ ବିକାଶ ସଂସ୍ଥାନର ନିର୍ଦ୍ଦେଶକ ଡ- ସୁକାନ୍ତ କୁମାର ସାହୁ କହିଲେ ଯେ, ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ପ୍ରଧାନ ଅଂଶ ଭାବେ ଏମଏସଏମଇ ଘୋଷଣା କରାଯାଇଥିବା ଆର୍ଥିକ ସହାୟତା ଖୁବ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ମାତ୍ର ଏଦିଗରେ ଗତିଶୀଳତା ଏପର୍ଯ୍ୟନ୍ତ ଉତ୍ସାହଜନକ ହୋଇପାରିନାହିଁ। ରାଜ୍ୟସ୍ତରୀୟ ବ୍ୟାଙ୍କିଙ୍ଗ କମିଟି ବୈଠକରେ ଏଦିଗରେ ଅନେକ ଆଲୋଚନା ହୋଇଛି। ବ୍ୟାଙ୍କିଙ୍ଗ ସଂସ୍ଥା ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏମଏସଏମଇ କ୍ଷେତ୍ରରେ ଆଗ୍ରହୀ ଉଦ୍ୟୋଗୀମାନେ ଏହାର ପୋର୍ଟାଲ ଅନୁସରଣ କରି ଓ ଆବଶ୍ୟକସ୍ଥଳେ ଏହାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।

ଉତ୍କଳ ଶିଳ୍ପ ବଣିକ ସଂଘ ଉପ-ସଭାପତି ଶ୍ରୀ ଅଶୋକ କୁମାର ସାରଦା ୱେବିନାରରେ ଅଂଶଗ୍ରହଣ କରି କହିଲେ ଯେ, କୋଭିଡ-୧୯ ଯୋଗୁଁ ସମଗ୍ର ବିଶ୍ୱ ଏକ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ମଧ୍ୟରେ ଆର୍ଥିକ ଦୁଃସ୍ଥିତି ଆଡକୁ ମୁହାଁଇଛି। ଏହି ପରିପ୍ରେକ୍ଷୀରେ ଏମଏସଏମଇକୁ ତ୍ୱରାନ୍ୱିତ କରିବା ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ଆର୍ଥିକ ପ୍ରତିଷ୍ଠାନଗୁଡିକର ଉଦାସୀନତା ମୁଖ୍ୟ ଅନ୍ତରାୟ ହେଉଛି। ଏମଏସଏମଇ ସଫଳତାର ଶତକଡା ୯୫ ଭାଗ ଅଣୁ ଉଦ୍ୟୋଗ ଉପରେ ନିର୍ଭରଶୀଳ ହେଉଥିବାରୁ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଭଳି ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ଅର୍ଥନୈତିକ ସ୍ତମ୍ଭକାର ଶ୍ରୀ ନାଗେଶ୍ୱର ପଟ୍ଟନାୟକ କୁଶଳୀ ଶ୍ରମିକଙ୍କ ଭୂମିକା ଓ ବଜାର ଉପଲବ୍ଧତା ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସରୋଜ କୁମାର ହୋତା ପରାମର୍ଶ ଦେଇ କହିଥିଲେ ଯେ ଆଶାୟୀ ଉଦ୍ୟୋଗୀମାନେ ଯେକୌଣସି ସମସ୍ୟାର ସମ୍ମୁଖିନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ସହାୟତା ନେଇପାରିବେ।

ପିଆଇବି ଭୁବନେଶ୍ୱର କାର୍ଯ୍ୟାଳୟର ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଓ ସହାୟକ ଅଧିକାରୀ ସ୍ୱାଧିନ ଶକ୍ତିପ୍ରସାଦ ୱେବିନାର ସଂଯୋଜନା କରିଥିଲେ। ଏହି ୱେବିନାରରେ ପିଆଇବି ସମେତ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି), ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଏହାବ୍ୟତୀତ ବହୁ ଏମଏସଏମଇ ଉଦ୍ୟୋଗୀ, ଅର୍ଥନୀତି ବିଶେଷଜ୍ଞ ଓ ବୁଦ୍ଧିଜୀବୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.