Home ଜିଲ୍ଲା ପରିକ୍ରମା ଜ୍ଞାନକୌଶଳ ଅଭାବରୁ ପୁଣି ଭୁଶୁଡିବ ଗେଙ୍ଗୁଟି ନଦୀବନ୍ଧ

ଜ୍ଞାନକୌଶଳ ଅଭାବରୁ ପୁଣି ଭୁଶୁଡିବ ଗେଙ୍ଗୁଟି ନଦୀବନ୍ଧ

47

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାର ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ବନ୍ୟା ଦାଉରୁ ସୁରକ୍ଷା କାର୍ଯ୍ୟ ଲାଗି ନାବାର୍ଡ ଠାରୁ କୋଟି କୋଟି ଟଙ୍କା ଋଣ ଆଣି ଖର୍ଚ୍ଚ କରୁଛନ୍ତି । ଏଥିଲାଗି ନାବାର୍ଡ ରାଜ୍ୟ ସରକାରଙ୍କ ଠାରୁ ସୁଧ ବି ନେଉଛି । ହେଲେ କିଛି ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅସାଧୁତାରୁ କୋଟି କୋଟି ଟଙ୍କା ପାଣିରେ ପଡୁଥିବା ଅଭିଯୋଗ ହେଉଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଧାମନଗର ବ୍ଲକ୍ ଦୋବଲ ଜୋନ୍ ଦେଇ ଯାଇଥିବା ବୈତରଣୀର ଶାଖା ଗେଙ୍ଗୁଟି ନଦୀରେ । ବନ୍ୟା ଦାଉରୁ ରକ୍ଷା ଲାଗି ରାଜ୍ୟ ସରକାର ପାଖାପାଖି ଶହେ କୋଟି ଟଙ୍କା ନାବାର୍ଡ ଠାରୁ ଋଣ ଆଣି ଧାମନଗର ଜଳସଂପଦ ବିଭାଗର ଉପଖଣ୍ଡ ଅଧିକାରୀଙ୍କ ସୁପାରିଶ ଆଧାରରେ ଖର୍ଚ୍ଚ କରିବାକୁ ଦେଲେ । ୪ଟି ପ୍ରକଳ୍ପ ମାଧ୍ୟମରେ ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ପ୍ରକଳ୍ପ ଗୁଡିକର ଅବଧି ଗତବର୍ଷ ମଇ ଓ ଅଗଷ୍ଟ ମାସରେ ସରିଯାଇଥିଲେ ବି କାମ ସଂପୂର୍ଣ୍ଣ ହୋଇନାହିଁ । ମୁସ୍ତଫାପୁର ପଂଚାୟତର ଗୋବିନ୍ଦାଗଡିଆ ଠାରୁ ଦଳାଙ୍ଗ ପଂଚାୟତର ରାମେଶ୍ୱରପୁର ପର୍ଯ୍ୟନ୍ତ ନଦୀବନ୍ଧ ମରାମତି ଓ ପଥର ସ୍ପର କରାଯିବା ଗୋଟିଏ ପ୍ରକଳ୍ପ । ଏହି ପ୍ରକଳ୍ପଟି ପାଖାପାଖି ୭ କିଲୋମିଟର ଲମ୍ବର ବନ୍ଧ ପାଇଁ ୯ କୋଟି ୪୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଗଲା । ଏଥିରେ ବନ୍ଧ ଉଚ୍ଚା ଓ ଚଉଡା ହେବ ଏବଂ ବନ୍ଧର ଉପରି ଭାଗ ୧୮ ଫୁଟ୍ ଚଉଡା ରହିବ । ଯେଉଁ ଜାଗାରେ ନଦୀର ଅତଡା ଧସୁଛି ନଦୀପଠା କୂଳ ଲଙ୍ଗୁଛି । ସେହି ଜାଗାରେ ପଥର ସ୍ପର ହେବ ବୋଲି ପ୍ଲାନ୍ ଓ ଏଷ୍ଟିମେଟ୍ କରାଯାଇଥିଲା ।

ଭଣ୍ଡାରିପୋଖରୀ ବ୍ଲକ୍ ବାଲିପୋଖରୀ ଅଂଚଳର ଠିକାଦାର ଏହି କାମର ଠିକା ନେଲେ । ହେଲେ ଠିକାଦାର ବନ୍ଧ ଉପରେ ନାମକୁ ମାତ୍ର ମାଟି ପକାଇଥିବା ବେଳେ ତା ସହିତ ପୁରୁଣା ବନ୍ଧକୁ ତାଡି ଚଉଡାହ କରି ଦେଇଛନ୍ତି । ପୁରୁଣା ବନ୍ଧ କଡରେ ଥିବା ଗଛଲତାକୁ କାଟିଦେବାରୁ ଫାଙ୍କା ଓ ସୁନ୍ଦର ଦେଖାଯାଉଥିବାରୁ ତାର ଫାଇଦା ନେବାକୁ ଚେଷ୍ଟା କରିଛନ୍ତି । ଏହି ପ୍ରକଳ୍ପ ଅଧୀନରେ ରାମେଶ୍ୱରପୁର-କରଦା ଗେଙ୍ଗୁଟି ନଦୀ ପୋଲର ଶହେ ମିଟର ତଳେ ପୂର୍ବ ଦିଗରେ ମହାନ୍ତି ସାହିଠାରେ ନଦୀବନ୍ଧକୁ ସୁରକ୍ଷା ଦେବା ଲାଗି ୨୦୧୯-୨୦ ପଥର ବିଛା ଯାଇଥିଲା । କାମ ଅତି ନିମ୍ନମାନର ଓ ପଥର ପ୍ୟାଚିଂ ଠିକ୍ ଭାବେ କରାଯାଉନଥିବାରୁ ଗତବର୍ଷ ଅଗଷ୍ଟ ମାସରେ ସାମାନ୍ୟ ବର୍ଷାରେ ବାରମ୍ବାର ପଥର ଧସିଥିଲା । ପରେ ବନ୍ୟା ଆସିବା ଯୋଗୁଁ ତାହା ସଂପୂର୍ଣ୍ଣ ନଷ୍ଟ ହୋଇ ଦୁଇଶହ ଫୁଟ୍ ଲମ୍ବର ନଦୀବନ୍ଧ ଧସିଗଲା । ପ୍ରକଳ୍ପ ସରିନଥିବାରୁ ଏବେ ସଂପୃକ୍ତ ଠିକାଦାର ପୁରୁଣା ପଥରକୁ ନଦୀ ଗର୍ଭରୁ ଉଠାଇ ପୁଣି ପ୍ୟାଚିଂ କରୁଛନ୍ତି । ଅତଡା ଖାଉଥିବା ନଦୀପାଶ୍ୱର୍ରେ ବନ୍ଧ ନିର୍ମାଣ ସ କୂଳ ରକ୍ଷା କରିବା ଲାଗି ଭାରତୀୟ ମାନକ ବ୍ୟୁରୋ ଖଡଗପୁର ଆଇଆଇଟି କେନ୍ଦ୍ରୀୟ ଜଳ ଆୟୋଗ ଓ କେନ୍ଦ୍ର ଜଳ ସଂପଦ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ରିଭର ମ୍ୟାନେଜମେଣ୍ଟ ଗାଇଡଲାଇନ୍ ଅନୁସାରେ କାମ କରାଯିବା କଥା । ଏନେଇ ସରକାରଙ୍କ ପକ୍ଷରୁ ସମସ୍ତ ଜଳ ସଂପଦ କାର୍ଯ୍ୟାଳୟ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି । ଯେଉଁ ଜାଗାରେ ବନ୍ଧ ନିର୍ମାଣ ହେବ, ପଥର ପ୍ୟାଚିଂ କରାଯିବ, ସେହି ଜାଗାର ହାଇଡ୍ରୋଲିଜ୍‌କୁ ଗୁରୁତ୍ୱ ଦିଆଯିବ । ଅର୍ଥାତ୍ ସେହି ସ୍ଥାନରେ କେତେ ପାଣି ନିଷ୍କାସନ ହେଉଛି । ହାଇ ଫ୍ଲଡ୍ ବେଳେ କେତେ ଓ ସାମାନ୍ୟ ଅବସ୍ଥାରେ କେତେ ପାଣି ନିଷ୍କାସନ ହେଉଛି । ନଦୀର ସ୍ରୋତ କିପରି ରହୁଛି । ପାଣିର ସ୍ରୋତକୁ ବାଧା ସୃଷ୍ଟି କରୁଥିବା କିଛି କାରକ ରହିଛି କି । ଏତେସବୁ ବୈଷୟିକ ଓ ଜ୍ଞାନକୌଶଳର ଦିଗକୁ ନେଇ ପଥର ପ୍ୟାଚିଂ ଓ ବନ୍ଧ ନିର୍ମାଣ କରାଯିବା କଥା । ହେଲେ ରାମେଶ୍ୱରପୁର ମହାନ୍ତିସାହି ପାଖରେ ପଥର ପ୍ୟାଚିଂ ପୂର୍ବରୁ ଏଗୁଡିକୁ ଧ୍ୟାନ ଦିଆଯାଉନାହିଁ ।

ଯେଉଁ ଜାଗାରେ ପଥର ବିଛାଯାଉଛି, ସେହି ଜାଗାରେ ନଦୀପଠା ନାହିଁ । ନଦୀର ପାଣି ଧାର ଉପରେ ବନ୍ଧ ଛିଡା ହୋଇଛି । ତୀଖ ବନ୍ଧରେ ପଥର ବିଛାଇବା ଲାଗି ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପ୍ଲାନିଂ ଆଣ୍ଡ ଡିଜାଇନ୍ ଅଫ୍ ରିବେଟମେଣ୍ଟ ଗାଇଡ୍‌ଲାଇନ୍‌କୁ ଅନୁସରଣ କରାଯିବାକୁ ସଂପୂର୍ଣ୍ଣ ନିର୍ଦ୍ଦେଶ ଅଛି । ଏଣୁ ଏ କ୍ଷେତ୍ରରେ ପଥର ପ୍ୟାଚିଂ ପୂର୍ବରୁ କି-ୱାଲ ବା ଲଞ୍ଚ ଆପ୍ରୋନ କରାଯିବା କଥା । ଆବଶ୍ୟକ ସ୍ଥଳରେ ନଦୀ ଗର୍ଭରେ କଂକ୍ରିଟ୍ ସ୍ଲାବ୍ ଦିଆଯାଇ ସେହିଠାରୁ ପ୍ୟାଚିଂ ଆରମ୍ଭ କରିବା କଥା । ହେଲେ ଧାମନଗର ଜଳସଂପଦ ବିଭାଗକୁ କଂକ୍ରିଟ୍ ସ୍ଲାବ୍ କରିବାକୁ ନିର୍ଦ୍ଦେଶ ନଥିବାରୁ ଏଠାରେ ଲଞ୍ଚ ଆପ୍ରୋନ୍ କରିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଧାମନଗର ଜଳସଂପଦ ବିଭାଗ ତାହାକୁ ନଜର ଅନ୍ଦାଜ କରିଛି । ଏନେଇ ଧାମନଗର ଜଳସଂପଦ ବିଭାଗର ଏସ୍‌ଡିଓ ଭୁବନାନନ୍ଦ ମହାନ୍ତି କୁହନ୍ତି ଏବେ ଯେଉଁ ପଥର ପ୍ୟାଚିଂ ହେଉଛି, ତାହା ପୁରୁଣା ପ୍ରକଳ୍ପର ଅଂଶ । ଠିକାଦାର ଖରାପ କାମ କରିଥିବାରୁ ଧୋଇଗଲା । ତେଣୁ ସେ ପୁଣି ମରାମତି କରୁଛନ୍ତି । ହେଲେ ଲଞ୍ଚ ଆପ୍ରୋନ୍ ପାଇଁ ବ୍ୟୟ ଅଟକଳ ହୋଇନାହିଁ ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.