Home ଜିଲ୍ଲା ପରିକ୍ରମା ନୂଆ ଏସପିଙ୍କ ଯୋଗଦାନ ପରେ ଭଦ୍ରକ ପୁଲିସ ଏବେ ତତ୍ପର, ଅପରାଗତା ନା ଦକ୍ଷତା ପ୍ରଦର୍ଶନ...

ନୂଆ ଏସପିଙ୍କ ଯୋଗଦାନ ପରେ ଭଦ୍ରକ ପୁଲିସ ଏବେ ତତ୍ପର, ଅପରାଗତା ନା ଦକ୍ଷତା ପ୍ରଦର୍ଶନ !

27

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ(ଏସପି) ଭାବେ ଇତିମଧ୍ୟରେ ଯୋଗଦେଇଛନ୍ତି ଚରଣ ସିଂ ମୀନା । ନୂଆ ଏସପି ଭାବେ ଯୋଗଦେବା ପରେ ଭଦ୍ରକ ଜିଲ୍ଲା ପୁଲିସ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଦିନ ଦିନ ଧରି ଫାଙ୍କା ପଡୁଥିବା ଜିଲ୍ଲା ପୁଲିସ ଟ୍ୟୁଟର୍ ଏକାଉଣ୍ଟରେ ଏବେ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି ପୁଲିସ ବିଭାଗର କୃତିତ୍ୱର ଲମ୍ବା ଫର୍ଦ୍ଦ । କେଉଁଠି ବିପୁଳ ପରିମାଣର ମଦ ଜବତ୍ ତ ଆଉଁ କେଉଁଠି କୋଇଲା ମାଫିଆଙ୍କ ଉପରେ ପୁଲିସର ଚଢ଼ାଉ । ଏହାବ୍ୟତୀତ କୋଭିଡ କଟକଣା ଉଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ । ଜିଲ୍ଲା ପୁଲିସ ଟ୍ୟୁଟରରେ ପୋଷ୍ଟ ହେଉଥିବା ଏସମସ୍ତ ତଥ୍ୟ ନିଜର ପୂର୍ବ ଦୋଷ ଦୁର୍ବଳତା ଢ଼ାଙ୍କିବାକୁ ନା ନୂତନ ଏସପିଙ୍କ ଆଗରେ ନିଜର ଦକ୍ଷତା ପ୍ରତିପାଦନ ପାଇଁ! ତେବେ ଏସମସ୍ତ ବିଷୟକୁ ନେଇ ଆରମ୍ଭ ହୋଇଛି ଜିଲ୍ଲାତମାମ ଚର୍ଚ୍ଚା । କାରଣ ନୂତନ ଏସପି ଶ୍ରୀ ମୀନାଙ୍କ ପାଇଁ ଜିଲ୍ଲାରେ ମୁଖ୍ୟ ଚାଲେଞ୍ଜ ଥିଲା, ଆଇନ ଶୃଙ୍ଖଳା ପରିସ୍ଥିତି, କୋଇଲା ମାଫିଆଙ୍କ ପ୍ରାର୍ଦୂଭାବକୁ ବନ୍ଦ କରିବା, ବେଆଇନ ମଦ କାରବାର ଉପରେ ରୋକ ଲଗାଇବା, ଗୋ ଚାଲାଣ ଉପରେ ରୋକ । କାରଣ ବିଭତ ଦିନରେ ଏସମସ୍ତ ବେଆଇନ କାରବାର ଉପରେ ଜିଲ୍ଲା ପୁଲିସ ରୋକ ଲାଗାଇବାକୁ ଅକ୍ଷମ ହୋଇ ଆସିଛି ।

ସମ୍ଭବତଃ କୋଇଲା ଓ ଗୋ ମାଫିଆ, ବେଆଇନ ମଦ କାରବାର କରୁଥିବା ମାଫିଆଙ୍କ ସହିତ ମଧୁଚନ୍ଦ୍ରିକା ପାଇଁ ଭଦ୍ରକ ପୁଲିସ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁନଥିଲା । କିନ୍ତୁ ନୂଆ ଏସପି ଶ୍ରୀ ମୀନାଙ୍କ କଡ୍ଡା ଆଭିମୁଖ୍ୟ ବା ଜିରୋ ଟଲେରେନ୍ସ ଆଭିମୁଖ୍ୟ ପାଇଁ ଜିଲ୍ଲା ପୁଲିସ ଏବେ ବେଶ ତତ୍ପର ହୋଇ ଉଠିଛି ବୋଲି କୁହାଯାଉଛି । ଧାମରା ବନ୍ଦରରୁ ଆମଦାନୀ ହୋଇଥିବା ମୂଲ୍ୟବାନ କୋଇଲା ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଚାଲାଣ ହୋଇଥାଏ । କିନ୍ତୁ ଧାମରାରୁ ଭଦ୍ରକ ପର୍ଯ୍ୟନ୍ତ ଲମ୍ବିଥିବା ରେଳ ଧାରଣା ପାଶ୍ୱର୍ବର୍ତ୍ତୀ କେତେକ ଅଞ୍ଚଳରେ ନିୟମିତ ଭାବେ କିଛି କୋଇଲା ଚୋର ମାଲବାହୀ ଟ୍ରେନରୁ କୋଇଲା ଚୋରି କରି ଆସୁଛନ୍ତି । ଏହି ଚୋରା କୋଇଲା କାରବାର ପଛରେ ଜିଲ୍ଲା ପୁଲିସର ବହୁ ଅଧିକାରୀ ଓ ତଳିଆ କର୍ମଚାରୀ ଏପରିକି ବନ୍ଦର ଅôଦକାରୀଙ୍କ ହାତ ରହୁଛି ବୋଲି ଅଭିଯୋଗ ହୋଇ ଆସୁଥିଲା । କାରଣ ଧାମରା ବନ୍ଦର ଠାରୁ ଆରମ୍ଭ କରି ଭଦ୍ରକ ପର୍ଯ୍ୟନ୍ତ ରେଳ ଧାରଣା ପାଶ୍ୱବର୍ତ୍ତୀ ଅଞ୍ଚଳରେ ଯେତିକି ଥାନା ବା ପୁଲିସ ଫାଣ୍ଡି ରହିଛି, ସେଠିକାର କେତେକ ଅଧିକାରୀ ଓ ତଳିଆ କର୍ମଚାରୀ କୋଇଲା ମାଫିଆଙ୍କ ପ୍ରତି ନରମ ମନୋଭାବ ପୋଷଣ କରି ଆସୁଥିଲେ ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୋଇଲା ମାଫିଆ ଓ ପୁଲିସ ମଧ୍ୟରେ ସମ୍ପର୍କ ଅତୀତରେ ବହୁବାର ପ୍ରମାଣିତ ମଧ୍ୟ ହୋଇଛି । ସେହିପରି ଜିଲ୍ଲାରେ ବହୁ କୋଟି ଟଙ୍କା ବେଆଇନ ଦେଶୀ ମଦ କାରବାର ଚରାଲିଛି । ବାଲେଶ୍ୱର, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ବହୁ ପରିମାଣର ଦେଶୀ ମଦ ଭଦ୍ରକ ଜିଲ୍ଲାକୁ ଆସୁଛି । ଏ ସମ୍ପର୍କରେ ନିର୍ଦ୍ଧିଷ୍ଟ ସୂଚନାଥାଇ ମଧ୍ୟ ଜିଲ୍ଲା ପୁଲିସ ନିରବ ରହି ଆସିଛି । ଧର୍ମକୁ ଆଖିଠାର ସଦୃଶ କାଁଭାଁ ଚଢ଼ାଉ କରୁଛି । ଅନୁରୂପ ବେଆଇନ ଗୋରୁ ଚାଲାଣର ଏକ ପେଣ୍ଠସ୍ଥଳ ହେଉଛି ଭଦ୍ରକ । ଭଦ୍ରକ ମଧ୍ୟ ଦେଇ ଯାଉଥିବା ୧୬ ନମ୍ବର ଜାତୀୟ ରାଜପଥରେ ବେଆଇନ ଭାବେ ଶହଶହ ଗୋରୁ ଗାଡ଼ି ଚାଲାଣ ହୋଇ ଆସୁଛି । ଏସମ୍ପର୍କରେ ସୂଚନା ପାଇ ମଧ୍ୟ ୧୫ ନମ୍ବା ଜାତୀୟ ରାଜପଥ ପାଶ୍ୱର୍ସ୍ଥ ଥାନା, ଧାମନଗର, ଧୁଷୁରୀ, ଭଦ୍ରକ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଥାନାର ବହୁ ଅଧିକାରୀ ଓ କର୍ମଚାରୀ ନିରବଦ୍ରଷ୍ଟା ସାଜି ଆସିଛନ୍ତି ।

ତେବେ ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ଭଦ୍ରକ ଏକ ବ୍ୟତିକ୍ରମ । ଛୋଟବଡ଼ ଅପରାଧ ଘଟୁଛି । କିନ୍ତୁ ଭଦ୍ରକ ପରି ଏକ ସମ୍ବେଦନଶୀଳ ଜିଲ୍ଲାରେ ଘଟୁଥିବା ଅପରାଧ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ନାହିଁ । ତେବେ ନୂଆ ଏସପି ଯୋଗଦେବା ପରେ କୋଇଲା ମାଫିଆ, ମଦ ମାଫିଆଙ୍କ ଉପରେ ଚଢ଼ାଉକୁ ଜୋରଦାର କରିଛି ପୁଲିସ । ପୂର୍ବରୁ କୋଇଲା ଚୋରି ହେଉଥିଲା । ବେଆଇନ ମଦ କାରବାର ମଧ୍ୟ ଜୋରସୋରରେ ଚାଲିଥିଲା । କିନ୍ତୂ ସେତେବେଳେ ପୁଲିସ ସେତେ ସକ୍ରିୟ ନଥିଲା, ଯେମିତି ବର୍ତ୍ତମାନ ସମୟରେ ତତ୍ପରତା ଦେଖାଉଛି । ଗତକାଲି ବେଆଇନ ମଦ ପ୍ରସ୍ତୁତ କିମ୍ବା ବେଆଇନ ଚାଲାଣ ଉପରେ ପୁଲିସ ଯେପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଓ ବିଭିନ୍ନ ସ୍ଥାନରୁ କୋଇଲା ଚୋରଙ୍କୁ ଧରିବା, ସେଗୁଡ଼ିକ ଗୋଟିଏ ଗୋଟିଏ ଉଦାହରଣ ମାତ୍ର । ଅର୍ଥାତ୍ ପୂର୍ବରୁ ଏସମସ୍ତ ବେଆଇନ କାରବାର ଚାଲିଥିଲା ଓ ପୁଲିସ ଚୁପ ରହୁଥିଲା । କିନ୍ତୁ ଏବେ ଜିଲ୍ଲା ପୁଲିସ ତତ୍ପର । ଏହା ନିଜର ଦକ୍ଷତା ଦେଖାଇବାର ପ୍ରାସ ନହେଁତ(?) ବୋଲି ସହରରେ ଚର୍ଚ୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.