Home ଜିଲ୍ଲା ପରିକ୍ରମା ଗୋ-ଚାଲାଣ ମାଫିଆଙ୍କ ପ୍ରତି ଜିଲା ପୁଲିସ୍ ପ୍ରଶାସନର ଦରଦ କାହା ସ୍ୱାର୍ଥରେ!, ଭଦ୍ରକ ପାଲଟିଛି ରାଜ୍ୟର...

ଗୋ-ଚାଲାଣ ମାଫିଆଙ୍କ ପ୍ରତି ଜିଲା ପୁଲିସ୍ ପ୍ରଶାସନର ଦରଦ କାହା ସ୍ୱାର୍ଥରେ!, ଭଦ୍ରକ ପାଲଟିଛି ରାଜ୍ୟର ଚୋରା ଗୋ-ଚାଲାଣର ହବ୍‌

53

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ବଢିଚାଲିଛି ବେଆଇନ୍ ଗୋ-ଚାଲାଣ । ଏହି ଚାଲାଣର କରିଡର ପାଲଟିଛି ଭଦ୍ରକର ୧୬ନଂ ଜାତୀୟ ରାଜପଥ । ଗୋ ଚାଲାଣକୁ ନେଇ ପ୍ରତିଦିନ ବ୍ୟବସାୟୀଙ୍କ ସହ ଗୋ ସୁରକ୍ଷା ସଂଗଠକ ମୁହାଁମୁହିଁ ହେଉଛନ୍ତି । ଏଥିରେ ଧନ ଜୀବନ ନଷ୍ଟ ହେଉଛି । ତଥାପି ଅଟକୁନି ଗୋ ଚାଲାଣ । ବିଶେଷକରି ରାତିବେଳା ଏହି ଚାଲାଣ ପାଇଁ ସ୍ୱତନ୍ତ୍ର ରାକେଟ କାମ କରୁଛି । ଆଜିସୁଦ୍ଧା ଭଦ୍ରକରେ ଏହି ଚୋରା ଗୋ ଚାଲାଣକୁ ରୋକିବା ନେଇ ଗୋ ସୁରକ୍ଷା ବାହିନୀ ସହ ମାଫିଆ ମାନଙ୍କର ରକ୍ତାକ୍ତ ସଂଘର୍ଷ ହୋଇଛି । ଏଥିରେ ଗୋ ସୁରକ୍ଷା ବାହିନୀର ସଦସ୍ୟଙ୍କ ସମେତ ପୁଲିସ୍ ମଧ୍ୟ ମରଣାନ୍ତକ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି । ମାତ୍ର ଗୋ ମାଫିଆଙ୍କ ସହ ପୁଲିସ୍‌ର ମଧୁଚନ୍ଦ୍ରିକା ଗୋ ଚାଲାଣକୁ ରୋକିବା ଦିଗରେ ସରକାରଙ୍କ ସମସ୍ତ ଆଇନ୍‌କୁ ତୁଚ୍ଛ କରିଛି । ଉପର ଦେଖାଣିଆ ଭାବେ ଭଦ୍ରକର ସମସ୍ତ ଥାନା ଏହାକୁ ସଂପୂର୍ଣ୍ଣ ରୋକିବା ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାର ଡିଣ୍ଡିମ ପିଟୁଥିଲେ ମଧ୍ୟ ବାସ୍ତବରେ ଫଳ ଓଲଟା ବୋଲି ସମସ୍ତେ ଜାଣନ୍ତି । କାହିଁକି ନା ଥରେ ନୁହେଁ ବହୁବାର ଅନେକ ଜିଲା ଆରକ୍ଷୀ ଅଧିକ୍ଷକ ଏହି ଗୋ ଚାଲାଣକୁ ରୋକିବା ଦିଗରେ ଫମ୍ପା ପ୍ରତିଶ୍ରୁତି ଦେଇଆସୁଥିଲେ ମଧ୍ୟ କେତେବେଳେ ମାଲ ବୋଝେଇ କଣ୍ଟେନର ତ ଅନ୍ୟ କେତେବେଳେ ବିଭିନ୍ନ କଂପାନୀର କୋରିୟର ଭ୍ୟାନ୍‌ରେ ଏହି ଗୋ-ଚାଲାଣ କରାଯାଉଛି । ଯାହା ସରକାର ନଗର ନିକଟ ଏକ ସ୍ଥାନରୁ ମନିଟରିଂ କରାଯାଉଛି । ଏବଂ ଏହି ଗୋ-ଚାଲାଣର ଅନ୍ୟତମ ଭୂମିକା ନେଇଛି ଧାମନଗର ଅଂଚଳ । ଏଠାରୁ ମଧ୍ୟ ଦିବାରାତ୍ରି ଏହି ଗୋରୁ ପିକ୍‌ଅପ୍ ଭ୍ୟାନ୍ ମାଧ୍ୟମରେ ରାଜପଥ ଦେଇ ଭଦ୍ରକ ଅଣାଯିବା ପରେ ତାହା ପଶ୍ଚିମବଙ୍ଗ ଓ ବାଂଲାଦେଶକୁ ଚାଲାଣ କରାଯାଉଛି । ଏବେ କରୋନା ଜନିତ ଲକଡାଉନ୍ ଓ ସଟ୍‌ଡାଉନ୍ ସମୟରେ ଏହି ଚୋରା ଗୋ-ଚାଲାଣ ରାକେଟ୍ ଗୋରୁଗୁଡିକୁ ଅଭିନବ ଉପାୟରେ ବିଭିନ୍ନ ଦଳରେ ବିଭକ୍ତ କରି ଚଲାଇ ଚଲାଇ ଆଣୁଥିବାର ଦେଖାଯାଉଛି । ଯାହାକୁ ପୁଲିସ୍ ଜାଣିଶୁଣି ଅଣଦେଖା କରୁଛି । ଏବଂ ଯେତେବେଳେ ଗୋ-ସୁରକ୍ଷା ବାହିନୀ ସହ ସେମାନଙ୍କୁ ପ୍ରତିରୋଧ କରୁଛି, ସେତେବେଳେ ପୁଲିସ୍ ସେମାନଙ୍କୁ ସୁରକ୍ଷା ଦେବା ତ ଦୂରର କଥା ଅପରପକ୍ଷେ ମିଥ୍ୟା କେଶ୍‌ରେ ଜଡିତ କରାଇ ଜେଲ୍ ହାଜତକୁ ପଠାଉଛି ବୋଲି କହିଛନ୍ତି ଗୋ ସୁରକ୍ଷା ବାହିନୀର କେତେକ କର୍ମକର୍ତ୍ତା । ୫୦ ବର୍ଷ ତଳେ ଗୋ ଚାଲାଣ ରୋକିବାକୁ କରାଯାଇଥିବା ପ୍ରିଭେନସନ୍ ଅଫ୍ କ୍ରୁଏଲଟି ଆକ୍ଟ ୧୯୬୦ ବ୍ୟର୍ଥ ହୋଇଛି । ତେଣୁ ପ୍ରତି ମାସରେ ରାଜ୍ୟର ବିଭିନ୍ନ ଜିଲାରୁ ୨ ଲକ୍ଷ ୫୩ ହଜାରରୁ ଅଧିକ ଗୋରୁ ଚାଲାଣ ହେଉଛି ବୋଲି ପିପୁଲସ୍ ଫର ଆନିମଲ ରିପୋର୍ଟରୁ ଜଣାପଡିଛି । ପ୍ରତିମାସରେ ୧୦୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗୋ ଚାଲାଣ ବ୍ୟବସାୟ ହେଉଛି । ଗୋଟିଏ ଗୋରୁର ବ୍ୟବସାୟୀଙ୍କୁ ମିଳୁଛି ପାଖାପାଖି ୧ ଲକ୍ଷରୁ ଅଧିକ ଲାଭ । ଏହା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ । ତେଣୁ ଚାଲାଣ କମିବା ବଦଳରେ ବଢିବାରେ ଲାଗିଛି ।

କେନ୍ଦ୍ରାପଡା ଜିଲାରୁ ସିଧା ସଳଖ ୯ନଂ ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥ ଦେଇ ଭଦ୍ରକକୁ ଆସୁଛି ଗୋରୁ । ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରୁ ଗୋରୁ କିଣାଯାଇ ସରକାର ନଗର ନିକଟ ଏକ ନିର୍ଦ୍ଦିଷ୍ଟ ସ୍ଥାନ ସମେତ ପୁରୁଣାବଜାର ଏବଂ ବୁଧୁବାରିଆ ହାଟ ପଡିଆରେ ଗଚ୍ଛିତ ରଖାଯାଉଛି । ଏଠାରୁ ଗୋରୁ ଚାଲାଣ ହେଉଛନ୍ତି ପଶ୍ଚିମବଙ୍ଗ ଓ ବଙ୍ଗଲା ଦେଶକୁ । ଗୋରୁ ଚାଲାଣର ମୁଖ୍ୟ ପେଣ୍ଠସ୍ଥଳୀ ସାଜିଛି ଭଦ୍ରକ । ଏଥିପାଇଁ ୧୦୦ ରୁ ଅଧିକ ଟ୍ରକ୍ ନିୟୋଜିତ ହୋଇଛନ୍ତି । ଚାଲାଣ ଗୋରୁର ଲାଭ ସଂପର୍କରେ ମିଳିଥିବା ସୂଚନା ବଡ ଚାଞ୍ଚଲ୍ୟକର । ଗୋଟିଏ ଗୋରୁ କ୍ରୟ କରିବାରେ ଖର୍ଚ୍ଚ ହୋଇଥାଏ ୧୦ ରୁ ୨୦ ହଜାର ଟଙ୍କା । ଏହାପରେ କଂସେଇ ଖାନାରେ ଗୋରୁ ପହଞ୍ôଚବାକୁ ଗାଡି ଖର୍ଚ୍ଚ ସହ ପୁଲିସ୍ ଓ ଅସାମାଜିକ ଯୁବକଙ୍କୁ ସନ୍ତୁଷ୍ଟ କରିବାରେ ବ୍ୟବସାୟୀଙ୍କୁ ପାଖାପାଖି ୨୨ ହଜାର ଟଙ୍କା ଗୋଟିଏ ଗୋରୁ ପାଇଁ ଖର୍ଚ୍ଚ କରିବାକୁ ପଡିଥାଏ । ଜଣେ ଗୋ ବ୍ୟବସାୟୀ ନାମ ଗୋପନ ରଖିବା ସର୍ତ୍ତରେ ଏହା ପ୍ରକାଶ କରିଛନ୍ତି ଯେ ଗୋଟିଏ ଗୋରୁର ମାଂସର ବଜାର ମୂଲ୍ୟ ୨୦ ହଜାର ଟଙ୍କା ହୋଇଥିବାବେଳେ ଏଥିରୁ ମିଳିଥାଏ ୧୫୦ କିଲୋ ହାଡ । କିଲୋ ୨୦୦ ଟଙ୍କାର ବିକ୍ରି କରାଗଲେ ୩୦ ହଜାର ଟଙ୍କା । ଗୋଟିଏ ଗୋରରୁ ଚମଡା ୨୦ ହଜାରରୁ ୨୮ ହଜାର ଟଙ୍କାରେ ବିକ୍ରି କରାଯାଇଥାଏ । ଏଥିସହିତ ଖୁରା ଓ ସିଙ୍ଗର ମୂଲ୍ୟ ଏକ ହଜାର ଟଙ୍କାରେ ବିକ୍ରି କରାଯାଇଥାଏ । ଗୋଟିଏ ଗୋରୁରୁ ମିଳିଥାଏ ୩୦ ଲିଟର ରକ୍ତ । ବଜାର ମୂଲ୍ୟରେ ଏହି ଗୋରୁ ରକ୍ତ ଲିଟର ପିଛିା ୨୨୦୦ ରୁ ୨୩୦୦ ଟଙ୍କାରେ ବିକ୍ରୟ କରାଯାଏ । ପାଖାପାଖି ଏଥିରୁ ୬୬ ହଜାର ଟଙ୍କା ମିଳିଥାଏ । ଚର୍ବି ମିଳିଥାଏ ୨୦ ରୁ ୩୦ କିଲୋ । ଚର୍ବି କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି କରାଗଲେ ସେଥିରୁ ୬ ହଜାର ଟଙ୍କା ମିଳିଥାଏ । ଏହିସବୁ ହିସାବରୁ ଗୋଟିଏ ଗୋରରୁ ପାଖାପାଖି ଲାଭ ମିଳିଥାଏ ୧ ଲକ୍ଷ ୫୭ ହଜାର ୨୦୦ ଟଙ୍କା । ଏଥିରୁ ଖର୍ଚ୍ଚ ବାବଦରେ ୪୦ ରୁ ୫୦ ହଜାର ଟଙ୍କା ଯାଇଥାଏ । ଲାଭକୁ ହିସାବ କଲେ ଗୋଟିଏ ଗୋରୁର ପାଖାପାଖି ୧ ଲକ୍ଷ ଟଙ୍କା ଗୋରୁ ବେପାରୀଙ୍କୁ ମିଳିଥାଏ । ତେଣୁ ଏହି ରାକେଟ୍‌କୁ ସଂପୂର୍ଣ୍ଣ ଭାବେ ବନ୍ଦ କରାନଗଲେ ଆଗାମୀ ଦିନରେ ଗୋ ସୁରକ୍ଷା ବାହିନୀ ସହ ସେମାନଙ୍କର ଯେଉଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ଜିଲା ପୁଲିସ୍ ପ୍ରଶାସନ ଦାୟୀ ରହିବ ବୋଲି କହିଛନ୍ତି ଭଦ୍ରକର ବହୁ ବୁଦ୍ଧିଜୀବୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.