Home ଜିଲ୍ଲା ପରିକ୍ରମା ସବୁ ନାଗରିକଙ୍କୁ ଦେୟମୁକ୍ତ ଟୀକା ଓ ଦିନକୁ ଏକ କୋଟି ଲୋକଙ୍କୁ ଦିଆଯାଉ: କଂଗ୍ରେସ

ସବୁ ନାଗରିକଙ୍କୁ ଦେୟମୁକ୍ତ ଟୀକା ଓ ଦିନକୁ ଏକ କୋଟି ଲୋକଙ୍କୁ ଦିଆଯାଉ: କଂଗ୍ରେସ

77

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ ପ୍ରତ୍ୟେକ ଭାରତୀୟ ନାଗରିକ ମାନଙ୍କ ସାର୍ବଜନିନ ଦେୟମୁକ୍ତ ଟିକାକରଣ ବ୍ୟବସ୍ଥା କରିବା ଓ ପ୍ରତ୍ୟେକ ଦିନ ଏକ ମୋଟି ଟିକାକରଣ କରିବାର ସୁନିଶ୍ଚିତତା ସମଦ୍ଧରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ଦୀଆଯାଇଥିଲା । କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବକ୍ତବ୍ୟ ରଖି ଶ୍ରୀଦାସ କହିଥିଲେ କେନ୍ଦ୍ରର ମୋଦୀ ସରକାରଙ୍କ ଖାମଖିଆଲି ମନୋଭାବ ଓ ଦୂରଦୃଷ୍ଟିର ଘୋର ଅଭାବ ଯୋଗୁ ସମଗ୍ର ଭାରତ ବର୍ଷରେ ନାଗରିକମାନେ କରୋନା ମହାମାରୀରେ ଛଟପଟ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କର ‘ଟୀକାକରଣ ନୀତି’ ଫେଲ ମାରିଛି । ଟୀକାକରଣ ବ୍ୟବସ୍ଥାର ଭିନ୍ନଭିନ୍ନ କମ୍ପାନୀର ଟୀକା ଯଥା ସେରମ୍ ଇନିଷ୍ଟିଚ୍ୟୁଟର ଟୀକା କୋଭିସିଲ୍‌ଡ ଏବଂ ଭାରତ ବାୟୋଟେକ୍‌ର ଟୀକା କୋଭାକ୍ସିନର ଏକ ଡୋଜ୍‌ର ଦାମ କେନ୍ଦ୍ର ସରକାର ୧୫୦ ଟଙ୍କାରେ କିଣୁଥିବା ବେଳେ ରାଜ୍ୟ ସରକାର ସେହି ଟୀକାର ଡୋଜ ପ୍ରତି ଟ୩୦୦/-ରେ ଓ ବେସରକାରୀ ହସ୍‌ପିଟାଲରେ ଡୋଜ ପ୍ରତି ୬୦୦ ଟଙ୍କାରେ କିଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଏପରିକି କେନ୍ଦ୍ର ସରକାର ଲୋକଙ୍କୁ ମାଗଣାରେ ଟୀକା ଦେବାର ବ୍ୟବସ୍ଥା କରିବା ପରିବର୍ତେ ଟୀକାର ବ୍ୟବସାୟିକରଣ କରିବା ଅତ୍ୟନ୍ତ ପୀଡ଼ାଦାୟକ ଅଟେ । ୨୦୨୦ ମେ ମାସରେ ଅନ୍ୟ ଦେଶମାନେ ଟୀକା କିଣିବାର ବ୍ୟବସ୍ଥା କରିଥିବା ବେଳେ ମୋଦୀ ସରକାର ୨୦୨୧ ଜାନୁଆରୀରେ ଟୀକା କିଣିବାର ପ୍ରଥମ ପ୍ରୟାସ କରିବା ମୋଦୀ ସରକାରଙ୍କ ଖାମଖିଆଲି ମନୋଭାବର ଜ୍ୱଳନ୍ତ ଉଦାହରଣ ଅଟେ ।

୧୪୦ କୋଟି ଭାରତୀୟ ମାନଙ୍କ ଲାଗି ଆଜି ସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ରୂପେ ୩୯ କୋଟି ଟୀକାର ବରାଦ କରିବା ଉଭୟ ସରକାରଙ୍କର ପାରିବାପଣିଆ ପ୍ରତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ୩୧ ମେ ୨୦୨୧ ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୧ କୋଟି ୩୧ ଲକ୍ଷ ଟୀକା ନେଇଥିବା ବେଳେ ୪ କୋଟି ୪୫ ଲକ୍ଷ ଲୋକ ମାତ୍ର ୨ଟି ଡୋଜ୍ ଟୀକା ନେଇପାରିଛନ୍ତି ଯାହାକି ସାରା ଦେଶର ଜନସଂଖ୍ୟାର ମାତ୍ର ୩.୧୭% ଅଟେ । ଦୈନିକ ୧୬ ଲକ୍ଷ ଲୋକ ଟୀକାକରଣ ନେଉଥିବା ଯଦି ଏପରି ଅବସ୍ଥା ସମଗ୍ର ଦେଶରେ ଜାରି ରହେ ତେବେ ୧୪୦ କୋଟି ଲୋକଙ୍କୁ ଟୀକାକରଣ କରିବା ପାଇଁ ପ୍ରାୟ ୩ବର୍ଷ ଲାଗିଯିବ । ଏହି ସମୟ ଅବଧିରେ ଆମେ ଆମ୍ଭର ଲକ୍ଷ ଲକ୍ଷ ନାଗରିକଙ୍କୁ ହରାଇବା ସହ ଆହୁରି କୋଟିକୋଟି ଲୋକଙ୍କୁ କରୋନା କବଳରେ କବଳିତ କରିସାରିଥିବା ଓ ଦେଶର ପରିଣତ ଆହୁରି ଭୟାବହ ହେବା ସଂଗେସଂଗେ ଦେଶ ଓ ରାଜ୍ୟର ଅବସ୍ଥା ଅନିୟନ୍ତ୍ରିତ ହୋଇ ପଡ଼ିଥିବ । କେନ୍ଦ୍ରର ବିଜେପି ସରକାର ଅବିଳମ୍ବେ ଟୀକା କିଣି ଦେୟମୁକ୍ତରେ ରାଜ୍ୟ ଓ ବେସରକାରୀ ହସ୍‌ପିଟାଲକୁ ଦେଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ପ୍ରତିବାଦସଭାରେ ଅନ୍ୟମାନଙ୍କ ମଧ୍ୟରେ ଧାମନଗରର ବିଧାନସଭା କଂଗ୍ରେସ ନେତା ବିଦ୍ୟାଧର ଜେନା, ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଜିଲ୍ଲା କଂଗ୍ରେସର କର୍ମକତ୍ତ ଆଶିସ ରାଉତ, ବିଜୟ ବାରିକ, ପୀତବାସ ଧଳ, ପ୍ରଦ୍ୟୁମ୍ନ ଦାସ, ଗୋଲାମ ମୟିଉଦ୍ଦିନ, ଅସରଫ ଅଲ୍ଲି ଖାନ, ବାପୁଜି ପରିଡ଼ା, ରାଜକିଶୋର ସ୍ୱାଇଁ, ସେଖ ଲାଲୁ, ଯୁବ ନେତା ହେମନ୍ତ ମହାପାତ୍ର, ଇଲିୟାସ ଅଲ୍ଲି ଖାନ, ଟୋନି ଅଲ୍ଲି, ସେକ ଜିକୁ, ବବି ଖାନ, ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.