Home Coronavirus Outbreak କୋଭିଡ ମୁକାବିଲା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଶିଳ୍ପ ସଂସ୍ଥା ପାଇଁ ନୀତି, ପ୍ରବାସୀଙ୍କ ଫେରିବା, ଚାଷୀଙ୍କୁ ସହାୟତା...

କୋଭିଡ ମୁକାବିଲା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଶିଳ୍ପ ସଂସ୍ଥା ପାଇଁ ନୀତି, ପ୍ରବାସୀଙ୍କ ଫେରିବା, ଚାଷୀଙ୍କୁ ସହାୟତା ଆଦି ଉପରେ ସମୀକ୍ଷା

267

ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଗ୍ରୀନ୍ ଜୋନ୍‌ରେ ସ୍ବାଭାବିକ ଅବସ୍ଥା ଫେରିବ ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ଓ ସଂଗରୋଧ ବାଧ୍ୟତାମୂଳକ

ଭୁବନେଶ୍ବର, ୫.୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଏବଂ ତଜନିତ ପରିସ୍ଥିତି ସଂପର୍କରେ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଥିଲେ। ଏଥିରେ ମୁଖ୍ୟତଃ ବାହାରୁ ଆସୁଥିବା ଶ୍ରମିକ ମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର, ପରୀକ୍ଷଣ, କୋଭିଡ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ସଂଗ୍ରହ, ଫସଲ ପରିସ୍ଥିତି, ଶ୍ରମଭିତ୍ତିକ କାର୍ଯ୍ୟ, ଆଇନ ଶୃଙ୍ଖଳା ଏବଂ ଶିଳ୍ପ କ୍ଷେତ୍ରର ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା।। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଅପେକ୍ଷାକୃତ ଭଲ ରହିଥିବାରୁ ଏବଂ ଏ ଦିଗରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ସହିତ ଉତ୍ସର୍ଗୀକୃତ ଭାବେ କାମ କରୁଥିବା ପ୍ରଶାସନ, ପୋଲିସ, ଶିକ୍ଷକ, ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ଓ ପୌରସଂସ୍ଥାର କର୍ମଚାରୀ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାରେ ସନ୍ତୋଷ ଲାଭ ନ କରି ଆଗାମୀ ଦିନର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସଂପୂର୍ଣ୍ଣ ପରିସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିମ୍ନୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ବାହାରୁ ଆସୁଥିବା ଭାଇଭଉଣୀ ମାନଙ୍କ ପାଇଁ ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୦, ୭୫୧ଟି ଅସ୍ଥାୟୀ ଚିକିତ୍ସା ଶିବିର ପ୍ରତିଷ୍ଠା କରାଯାଇଛି ଏବଂ ଏଥିରେ ୪.୬୮ ଲକ୍ଷ ଲୋକଙ୍କର ରହିବା ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଖାଦ୍ୟ ପାଇଁ ଦୈନିକ ମୁଣ୍ଡପିଛା ୧୨୦ ଟଙ୍କା ଲେଖାଏ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ଟୁଥ ବ୍ରସ୍, ପେଷ୍ଟ ଏବଂ ଅନ୍ୟାନ୍ୟ ଉପକରଣ ସହିତ ପାଣି ବୋତଲ ଯୋଗାଇ ଦିଆଯାଉଛି। ସେହିପରି ସହରାଞ୍ଚଳରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪୧୫ଟି ସଂଗରୋଧ କେନ୍ଦ୍ରରେ ୩୨, ୫୨୪ ଜଣ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।

ସଂଗରୋଧ କେନ୍ଦ୍ରରେ ରହିଥିବା ଅନ୍ତେବାସୀମାନେ କଡାକଡି ଭାବରେ ନିୟମ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରାଇ ଦିଆଯାଇଛି। ବର୍ତ୍ତମାନର ଅସାଧାରଣ ପରିସ୍ଥିତିରେ ସମସ୍ତଙ୍କୁ ତ୍ୟାଗ ସ୍ବୀକାର କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଗାମୀ ଦିନରେ ବିଦେଶରୁ ଓଡ଼ିଆ ଭାଇଭଉଣୀମାନେ ଫେରିବାର ସମ୍ଭାବନା ରହିଛି। ଓଡ଼ିଶା ଆସିବା ପୂର୍ବରୁ ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ, ଟେଷ୍ଟିଂ ଓ ସଂଗରୋଧ ବାଧ୍ୟତାମୂଳକ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ୧୬ ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣ ରହିଛି। ସେଥିପାଇଁ ୬୨ଟି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ରୂପେ ଘୋଷଣା କରାଯାଇଥିଲା। ତନ୍ମଧ୍ୟରୁ ବଉଁମାନ ୪୭ଟି ସକ୍ରିୟ ଜୋନ୍ ରହିଛି। ସଂକ୍ରମିତ ଅଞ୍ଚଳରୁ ସଂଗୃହୀତ ୬୩୭୬ଟି ନମୂନା ମଧ୍ୟରୁ ୧୩୬ଟି ପଜିଟିଭ କେସ୍ ବାହାରିଥିଲା ଯାହାକି ମୋଟ ପଜିଟିଭ ସଂଖ୍ୟାର ୮୩ ପ୍ରତିଶତ ଅଟେ।

କୋଭିଡ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଉପକରଣ ସଂଗ୍ରହ କାର୍ଯ୍ୟ ସନ୍ତୋଷଜନକ ରହିଛି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣାଯାଇଛି ଧାନ ଅମଳ ବର୍ତ୍ତମାନ ୪୦ ପ୍ରତିଶତରେ ପହଞ୍ଚି ଥିବାବେଳେ ଆଗାମୀ ୬ ତାରିଖରୁ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ ଏବଂ ମୁଗ, ବିରି ଆଦି ରବି ଫସଲ ୭ ମଇରୁ ଆରମ୍ଭ କରାଯିବ। ଖରିଫ ଋତୁରେ ଅଣଧାନ ଚାଷ ଉପରେ ଗୁରୁତ୍ବ ଦିଆଯିବ। କୃଷିକ୍ଷେତ୍ର ପାଇଁ

୧. ରାଜ୍ୟରେ ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ।

୨. ସୁରତରୁ ଓଡିଶାକୁ ଦୀର୍ଘ ପଥ ବସ୍‌ରେ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା, ଅଂଶୁଘାତ, ଦୁର୍ଘଟଣା ଭଳି ସମସ୍ୟା ଦେଖାଯିବା ସହିତ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସୁରତରୁ କେବଳ ଟ୍ରେନ ଯୋଗେ ଫେରିବା ପାଇଁ ସରକାର ଅନୁମତି ଦେବେ।

୩. ଗ୍ରୀନ୍ ଜୋରେ କୃଷି କାର୍ଯ୍ୟ, ଶିଳ୍ପ, ଜୀବନଜୀବିକା ଓ ପରିବହନ ସ୍ଵାଭାବିକ କରାଯିବ।

୪. ଶିଳ୍ପ ସଂସ୍ଥା ଗୁଡିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ କରାଯିବ।

୫. ଚାଷୀ ଓ SHG ମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ।

୬. ମିଶନ ଶକ୍ତିର ମା ମାନେ ଏହି କଠିନ ପରିସ୍ଥିତିରେ ଏକ କୋଟିରୁ ଅଧିକ ମିଲ୍ ଯୋଗାଇ ସାରିଲେଣି। ତେଣୁ ସେମାନଙ୍କୁ ପ୍ରତି ମିଲ୍ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ।।

୭. ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ବର ପରି ଜିଲ୍ଲା ଯେଉଁଠାରେ କି ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି, ତା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବ।

୮. ଆଗାମୀ ଖରିଫ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଯେପରି ସୁବିଧାରେ ଚାଷୀମାନେ ପାଇପାରିବେ, ସେ ଦିଗରେ ପଦକ୍ଷେପ ନିଆଯିବ।

ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଦୈନିକ ୩୫୦୦ ଟେଷ୍ଟିଂ କରାଯାଉଛି ଏବଂ ଆଗାମୀ ଦିନରେ ବାରିପଦା, ବାଲେଶ୍ବର, କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ ଟେଷ୍ଟି ସୁବିଧାର ବିକାଶ କରାଯିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬ ହଜାର ଟେଷ୍ଟିଂ ହୋଇଥିବା ବେଳେ ଏଥିମଧ୍ୟରୁ ୧୭୦ଟି ପଜିଟିଭ ଆସିଛି। ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୮୩ଟି ଟେଷ୍ଟି ହେଉଥିବା ବେଳେ ପ୍ରତି ୧୦ ଲକ୍ଷରେ ହଜାର ଟେଷ୍ଟିଂ କରାଯାଉଛି।

ଶ୍ରମିକ ସମସ୍ୟା ନାହିଁ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଚଳିତ ବର୍ଷ MGNREGS ଏକ ଲକ୍ଷ ଚାଷ ପୋଖରୀ ନିର୍ମାଣ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।

ସେହିପରି ଶିଳ୍ପ ଏବଂ କ୍ଷୁଦ୍ର, ମଧ୍ୟମ, ଅଣୁ ଶିଳ୍ପ ମାନଙ୍କ ସମସ୍ୟା ସଂପର୍କରେ ସରକାର Chamber of Indian Industry and Indian Chamber of Commerce ଏବଂ ବ୍ୟାଙ୍କ ମାନଙ୍କ ସହିତ ଖୁବ୍ ଶୀଘ୍ର ଆଲୋଚନା କରିବେ। ଏହା ସହିତ ଜାପାନ, କୋରିଆ ଏବଂ ଆମେରିକାରରୁ ଯେପରି ଅଧିକ ପୁଞ୍ଜି ରାଜ୍ୟକୁ ଆସିପାରିବ, ସେଥିପାଇଁ କଥାବର୍ତ୍ତା ଆରମ୍ଭ ହୋଇଛି।

ରାଜ୍ୟରେ ଆଇନଶୃଙ୍କଳା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘରୋଇ ହିଂସା ରୋକିବା ପାଇଁ ପୋଲିସ ୫୬୪୯ ଜଣଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ତନ୍ମଧ୍ୟରୁ ମାତ୍ର ୧ ପ୍ରତିଶତ ଅଭିଯୋଗ ଆସିଥିଲା ଏବଂ ତାର ପଦକ୍ଷେପ ନିଆଯାଇଛି। Lockdown ଉଲଙ୍ଘନ ଅଭିଯୋଗରେ ୬୫୦୦ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ୪୭୦୦୦ ଗାଡି ଜବତ କରି ଫେରାଇ ଦିଆଯାଇଛି।

ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ନିର୍ଭର କରୁଥିବା ଅଢେଇ ଲକ୍ଷ ପରିବାରର ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.