Home ଓଡ଼ିଶା କରୋନା ଭୟ- ଗୋଟିଏ ପରିବାରର ୩ ଭାଇଙ୍କ ଜୀବନ ଗଲା – ଅଙ୍ଗାରଗାଁ ପଞ୍ଚାୟତରେ କୋକୁଆ...

କରୋନା ଭୟ- ଗୋଟିଏ ପରିବାରର ୩ ଭାଇଙ୍କ ଜୀବନ ଗଲା – ଅଙ୍ଗାରଗାଁ ପଞ୍ଚାୟତରେ କୋକୁଆ ଭୟ, ବେଗୁନିଆପଡ଼ା ବ୍ଳକରେ ପଜିଟିଭ୍ ସଂଖ୍ୟା ୨୦୦ ପାର୍

360

କୋଦଳା ୧୯ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ମହାମାରୀର କରାଳ ରୂପ ଏବେ ତାଣ୍ଡବ ଲୀଳା ଧାରଣ କରିଛି। ଗଂଜାମ ଜିଲ୍ଲାରେ ଏହା କାୟା ବିସ୍ତାର କରି ଚାଲିଥିବା ବେଳେ କରୋନାରେ ଜିଲ୍ଲାର ବେଗୁନିଆପଡ଼ା ବ୍ଳକର ଅଙ୍ଗାରଗାଁରେ ଗୋଟିଏ ପରିବାରର ୩ ଭାଇଙ୍କ ଜୀବନ ଚାଲିଯିବା ଘଟଣା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ଗତ ୪ ଦିନ ମଧ୍ୟରେ ତିନି ଭାଇଙ୍କର ମୃତ୍ୟୁ ହେବା ପରେ ଅଙ୍ଗାରଗାଁ କୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ପ୍ରଶାସନ। ସେପଟେ ବେଗୁନିଆପଡ଼ା ବ୍ଳକରେ ପଜିଟିଭ୍ ସଂଖ୍ୟା ୨୦୦ ପାର୍ ହୋଇଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ବ୍ଲକର ୧୯ ଟି ପଞ୍ଚାୟତର ୩୪ ଟି ଗ୍ରାମ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଅଙ୍ଗାରଗାଁ ପଞ୍ଚାୟତରେ ପଜିଟିଭ୍ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରି ପଞ୍ଚାୟତର ବୋରିଆସାହି, ଛୋଟରାୟପୁର, ଗିଲିଣ୍ଡା, ନୂଆଁଗଡ, ଫାରକାପଲୀ ଓ ଶଂଖଭୂଇଁ ଗ୍ରାମକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି। ସେପଟେ ବ୍ଲକର ମର୍ଦକୋଟ ଓ କେ ବରିଡ଼ା ପଞ୍ଚାୟତକୁ ସରପଞ୍ଚ ମାନେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୭ ଦିନିଆ ସଟ ଡାଉନ କରିଛନ୍ତି। ମର୍ଦକୋଟ ପଞ୍ଚାୟତରେ ମୋଟ ପଜିଟିଭ୍ ସଂଖ୍ୟା ୧୫ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୧୧ ଜଣ ଆକ୍ଟିଭ୍ କେଶ୍ ରହିଛି। ସେହିପରି କେ ବରିଡ଼ା ପଞ୍ଚାୟତରେ ମଧ୍ୟ ୧୧ ପଜିଟିଭ୍ ଚିହ୍ନଟ ପରେ ଲୋକାଲ୍ କେଶ୍ କୁ ଦୃଷ୍ଟିରେ ରଖି ଭୟଭୀତ ଅବସ୍ଥାରେ ପଞ୍ଚାୟତବାସୀ। ଫାଶୀ ପଞ୍ଚାୟତର ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ଏବଂ ବର୍ତ୍ତମାନ ୩ ଟି ଆକ୍ଟିଭ୍ କେଶ୍ ରହିଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ଏହାଛଡା ଖଣ୍ଡିଆନଈ, ବୁରୁଝୁରୀ, ସୁମଣ୍ଡଳ ସମେତ ବହୁ ପଞ୍ଚାୟତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କିପରି କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ଅହୋରହ ଉଦ୍ୟମ ଜାରି ରହିଛି। ଏପଟେ ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ବାବ୍ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି। ତେବେ ଜ୍ବର, କାଶ, ଥଣ୍ଡା, ଛିଙ୍କ ହେଉଥିବା ଲୋକମାନେ କରୋନାକୁ ଡରି ପରୀକ୍ଷା କରାଉନଥିବା ଯୋଗୁଁ ଚିନ୍ତା ପ୍ରକଟ ହୋଇଛି। ଯଦି ଲୋକେ ରୋଗକୁ ଲୁଚାଇବେ ତେବେ ଏହାକୁ ରୋକିବା କଷ୍ଟକର ହୋଇ ପଡିବ ଏଥିରେ କୌଣସି ସନ୍ଦେହ ନାହିଁ। ଜୁଲାଇ ମାସ ଅଧିକ ସଂକ୍ରମଣ ଆଶଙ୍କା ବୋଲି କୁହାଯାଉଥିବା ବେଳେ ବେଗୁନିଆପଡ଼ା ବ୍ଲକରେ ଏବେ ପଜିଟିଭ୍ ସଂଖ୍ୟା ୨୦୦ ପାର୍ ହେବା ପରେ ହାହାକାର ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.