Home ଓଡ଼ିଶା ଅଖବାରନାମାର ୮ମ ସ୍ୱନକ୍ଷତ୍ର ଉତ୍ସବ : ପ୍ରତ୍ୟେକ ଖବରକୁ ଗଣମାଧ୍ୟମ ଗୁରୁତ୍ୱ ଦେବା ଉଚିତ୍‌: ରାଜ୍ୟପାଳ

ଅଖବାରନାମାର ୮ମ ସ୍ୱନକ୍ଷତ୍ର ଉତ୍ସବ : ପ୍ରତ୍ୟେକ ଖବରକୁ ଗଣମାଧ୍ୟମ ଗୁରୁତ୍ୱ ଦେବା ଉଚିତ୍‌: ରାଜ୍ୟପାଳ

238

ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) : ଏକ ସଶକ୍ତ ଓ ବିକଶିତ ସମାଜ ଗଠନରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ଗଣମାଧ୍ୟମ ହେଉଛି ସାଧାରଣ ଲୋକଙ୍କ ସ୍ୱର। ସେମାନଙ୍କର ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ। ମାଜରେ ଘଟୁଥିବା ଅନେକ ସକାରତ୍ମକ ଘଟଣା ଲୋକଲୋଚନକୁ ଆସିବା ଦରକାର। ସବୁ ପ୍ରକାର ଖବର ପ୍ରକାଶ ପାଇଲେ ଖବରକାଗଜର ମହତ୍ତ୍ୱ ରହିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ମଙ୍ଗଳବାର ଜୟଦେବ ଭବନ ଠାରେ ଦୈନିକ ଉର୍ଦ୍ଦୁ ଖବରକାଗଜ “ଅଖବାରନାମା’ର ୮ମ ସ୍ୱନକ୍ଷତ୍ର ଉତ୍ସବକୁ ଉଦ୍‌ଘାଟନ କରି ଏହା କହିଛନ୍ତି ରାଜ୍ୟପାଳ। ଏହି ଅବସରରେ ଅଖବାରନାମା ଖବରକାଗଜର ସମ୍ପାଦକ ଶେଖ୍ ସିରାଜ ମହମ୍ମଦ, ପରିଚାଳନା ସମ୍ପାଦକ ଶେଖ୍ ରିଆଜ ମହମ୍ମଦ କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୁଖ୍ୟ ଅତିଥି ପ୍ରଫେସର ଗଣେଶୀ ଲାଲ୍ ଏବଂ ଅନ୍ୟାନ୍ୟ ଅତିଥିଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ (ମେମେଣ୍ଟୋ) ଦେଇ ସମ୍ମାନିତ କରିଥିଲେ।

ରାଜ୍ୟପାଳ ଆହୁରି କହିଛନ୍ତି, ରାଜନୀତି ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟିକରେ। କିନ୍ତୁ ସଂସ୍କୃତି ଲୋକମାନଙ୍କୁ ଯୋଡ଼େ। ସୃଷ୍ଟି ଏକ ଏବଂ ଏହାର ସ୍ରଷ୍ଟା ମଧ୍ୟ ଏକ୍। ଆମ ଦେଶରେ ବହୁ ଧର୍ମର ସମାହାର ଦେଖିବାକୁ ମିଳେ, ଆଉ ସବୁ ଧର୍ମ କେବଳ ସମସ୍ତଙ୍କୁ ଭଲ ପାଇବା ହିଁ ଶିକ୍ଷା ଦେଇଥାଏ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଭିନ୍ନ ପ୍ରକାର ସୁଗନ୍ଧିତ ଫୁଲ ଅତି ସୁନ୍ଦର ମହକ ଦେଇଥାଏ, ଫୁଲର ବାସ୍ନା ଯେପରି ବିଭେଦ ଓ ବନ୍ଧନମାନେ ନାହିଁ, ସେହିପରି ମାନବୀୟ ସତ୍ତା ସମସ୍ତ ସଂକୀର୍ଣ୍ଣତାକୁ ଅତିକ୍ରମ କରିବା ଦରକାର। କିଏ ପ୍ରକାଶ କହେ, କିଏ ନୁର୍ କହେ ତ’ ପୁଣି କିଏ ଲାଇଟ୍ କୁହେ। କିନ୍ତୁ ସମସ୍ତ କଥା ଆଲୋକକୁ ହିଁ ବୁଝାଇଥାଏ। ସେହିପରି ଗୀତା, କୋରାନ୍ ହେଉ ଅବା ବାଇବେଲ୍ କିମ୍ବା ଇଶ୍ୱର, ଆଲ୍ଲା ହୁଅନ୍ତୁ ବା ଯୀଶୁ ସମସ୍ତେ ଏକ୍। କେବଳ ଅଲଗା ଅଲଗା ନାମରେ ଆମ ମଧ୍ୟରେ ପରିଚିତ ବୋଲି କହିଛନ୍ତି ରାଜ୍ୟପାଳ। ସେହିପରି କୋରାନ୍‌ରେ ଥିବା ସଙ୍ଗୀତ ଓ ବାଇବେଲେ୍ ପ୍ରୟୋଗ ଉର୍ଦ୍ଦୁ ଭାଷା ଅନନ୍ୟ ସାହିତ୍ୟ ସୃଷ୍ଟି କରିଥାଏ। ସମସ୍ତେ ଏକାଠି କାର୍ଯ୍ୟକଲେ ଆମ ଦେଶ ସଶକ୍ତ ହେବ ବୋଲି କହିଛନ୍ତି ରାଜ୍ୟପାଳ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଖୁବ୍ କମ୍ ଦିନ ମଧ୍ୟରେ ଅଖବାରନାମା ଭଳି ଏକ ଉର୍ଦ୍ଦୁ ଖବରକାଗଜ ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। ଲୋକଙ୍କ ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବାରେ ଏହା ଗୁରୁଦାୟିତ୍ୱ ର୍ନିବାହ କରିଛି। ରାଜ୍ୟର ଏକମାତ୍ର ଦୈନିକ ଉର୍ଦ୍ଦୁ ସମ୍ବାଦପତ୍ର ଭାବେ ଏହା ନୂଆ ଉଦାହରଣ ସୃଷ୍ଟି କରିପାରିଛି। ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ. ମକବୁଲ୍ ଇସଲାମ୍ କହିଥିଲେ ଯେ ଭାଷା ହେଉଛି ଆମ ପରିଚୟ। ଉର୍ଦ୍ଦୁ ହେଉଛି ଦେଶର ୧୧ତମ ଭାଷାୟ ଭାଷା ବଞ୍ଚିଲେ ସଂସ୍କୃତି ବଞ୍ଚିବ ଓ ଖବରକାଗଜ ବଞ୍ଚିଲେ ସଭ୍ୟତା ବଞ୍ଚିବ। ସେହିପରି ଇସଲାମ୍‌ରେ ସୁଫି ଦର୍ଶନ ଓ ବେଦ ବେଦାନ୍ତ ମଧ୍ୟରେ ନିବିଡ଼ ସମନ୍ୱୟ ରହିଛି ବୋଲି ସେ କହିଥିଲେ। ବରିଷ୍ଠ ସାମ୍ବାଦିକ ଦିଲୀପ୍ ବିଶୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଅଖବାରନାମାର ପରିଚାଳନା ସମ୍ପାଦକ ସେଖ୍ ରିଆଜ୍ ମହମ୍ମଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ସେଖ୍ ସିରାଜ୍ ମହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ ରାଜ୍ୟପାଳ। ସମ୍ମାନିତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ମହମ୍ମଦ ଅବଦୁଲ୍ ବାରୀ, ମୌଲାନା ସୟଦ ନକିବୁଲ୍ ଅମିନ୍ ବର୍କି, ସୟଦ ରେହେମାନୀ, ସଲ୍‌ମା ଆଜ୍‌ମୀ ବାନୁ, ଡକ୍ଟର ଅବଦୁଲ ଓସିଦ୍ ଖାଁ ଓ ମହମ୍ମଦ୍ ଫକରୁଦ୍ଦିନଙ୍କୁ ମାନପତ୍ର, ଉପଢୌକନ ଏବଂ ପୁଷ୍କଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।

ସଭାକାର୍ଯ୍ୟ ପରିଚଳନା କରିଥିଲେ ରାଜଲକ୍ଷ୍ମୀ ବେଦୁଲା। ସଭା କାର୍ଯ୍ୟ ଶେଷ ହେବା ପରେ ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଗୁଲ୍‌ସନ୍ ନଦିମ୍ ଏବଂ ସାଥୀ କଳାକାରମାନେ। ଏହି ସାଂସ୍କୃତି କାର୍ଯ୍ୟକ୍ରମରେ ଶୁଣିବାକୁ ମିଳିଥିଲା ୭୦ ଦଶକର ଲୋକପ୍ରିୟ ବଲିଉଡ୍ ଗୀତ। ଯାହାକୁ ଶୁଣି ମନ୍ତମୁଗ୍ଧ ହୋଇଥିଲେ ସେଠାରେ ଉପସ୍ଥିତି ଥିବା ଶତାଧିକ ଶ୍ରୋତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.