Home ଓଡ଼ିଶା ସୁରକ୍ଷା ଦାବିରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଧାରଣା

ସୁରକ୍ଷା ଦାବିରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଧାରଣା

25

ବାଲେଶ୍ୱର, ୨ା୨ (ଓଡ଼ିଆ ପୁଅ/ଅଭୟ ଦାସ): ବାରମ୍ବାର ଦାବି ସତ୍ତ୍ୱେ ରେମୁଣାସ୍ଥିତ ଫକୀର ମୋହନ ମେଡିକାଲ କଲେଜ କ୍ୟାମ୍ପସ ପ୍ରବେଶ ପଥରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଅଥବା ଜିଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁଁ ମଙ୍ଗଳବାର ଦିନ ଡାକ୍ତରୀ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ରେମୁଣା ମୁଖ୍ୟ ରାସ୍ତାରୁ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତାଟି ସମ୍ପ୍ରତି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ। ସନ୍ଧ୍ୟା ସମୟରେ ଯୁବକମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ଅସହ୍ୟ ହୋଇପଡୁଥିବା ସେମାନେ କହିଥିଲେ। କୌଣସି କାର୍ଯ୍ୟପାଇଁ କ୍ୟାମ୍ପସରୁ ବାହାରକୁ ଯିବା ବେଳେ ଅସାମାଜିକ ଯୁବକମାନେ ଡାକ୍ତରୀ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଥିବା ସେମାନେ ପ୍ରକାଶ କରିଛନ୍ତି। ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟରେ ଅସୁରକ୍ଷିତ ଛାତ୍ରଛାତ୍ରୀ ଏନେଇ ମେଡିକାଲ କଲେଜ ଡିନ୍‍ କିମ୍ବା ଜିଲାପାଳଙ୍କୁ ଜଣାଇଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ବେଳେ ଗତକାଲି ସଂଧ୍ୟାରେ ଜଣେ ଛାତ୍ରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ଘଟଣାର ଶିକାର କରାଯାଇଥିବା ଧାରଣାରତ ଛାତ୍ରଛାତ୍ରୀମାନେ ଆରୋପ ଉଠାଇଥିଲେ। ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ସୁରକ୍ଷାର ସୁରକ୍ଷାକୁ ଗୁରୁତ୍ୱ ଦେଇ ତୁରନ୍ତ ପ୍ରବେଶ ପଥର ଆରମ୍ଭ ସ୍ଥଳରେ ପୁଲିସ ବିଟ ସ୍ଥାପନ ପାଇଁ ସେମାନେ ଦାବି କରିଥିଲେ। ତେବେ କଲେଜ ଅଧ୍ୟକ୍ଷ ପ୍ରଫେସର ରାମଚନ୍ଦ୍ର ଗିରି ଧାରଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ସୁରକ୍ଷା ବ୍ୟବସ୍ଥା ବାବଦରେ ଉଚିତ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ନିବୃତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.