Home ଓଡ଼ିଶା ମାଓ ମୁକାବିଲା ନେଇ କୋରାପୁଟରେ ଡିଜିପିଙ୍କ ସମୀକ୍ଷା ;୫ ମାଓବାଦୀ ମୃତ ଘଟଣା ଜିଲ୍ଲା ପୋଲିସର...

ମାଓ ମୁକାବିଲା ନେଇ କୋରାପୁଟରେ ଡିଜିପିଙ୍କ ସମୀକ୍ଷା ;୫ ମାଓବାଦୀ ମୃତ ଘଟଣା ଜିଲ୍ଲା ପୋଲିସର ଅଭୂତପୂର୍ବ ସଫଳତା – ନକ୍ସଲ ବିରୋଧୀ ଅଭିଯାନରେ ଏହା ଏକ ମାଇଲଖୁଣ୍ଡ ଅଟେ- ଡିଜିପି

431

କୋରାପୁଟ ୦୯-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ଓଡିଶା ପୋଲିସ ମହା-ନିର୍ଦ୍ଦେଶକ ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁବାର ସନ୍ଧ୍ୟାରେ ଜିଲା ପୋଲିସ ମୁଖ୍ୟାଳୟରେ ମାଓ ମୁକାବିଲା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନୀଲ କୁମାର ରାୟ, ଅତିରିକ୍ତ ଡିଜି ଅପରେସନ ଆର.ପି.କୋଚେ, ଗୁଇନ୍ଦା ଆଇଜି ଘନଶ୍ୟାମ ଉପାଧ୍ୟୟ, କୋରାପୁଟ ଏସପି ଡା.କେ.ଭି.ସିଂ ଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଓ ଦକ୍ଷିଣ-ପଶ୍ଚିମାଂଚଳ ରେଂଜ ଅନ୍ତର୍ଗତ ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ନୂଆପଡା ଏସପିଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମୀକ୍ଷା ବୈଠକରେପୋଲିସ ମହା-ନିର୍ଦ୍ଦେଶକ କୋରାପୁଟ ଜିଲା ପୁଲିସର କାର୍ଯ୍ୟକୁ ଉଚ ପ୍ରଶଂସା କରିଥିଲେ। ସମୀକ୍ଷା ବୈଠକ ପୂର୍ବରୁ ଡିଜିପି ଜିଲା ପୋଲିସ କାର୍ଯ୍ୟାଳୟରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରି ୫ ମାଓବାଦୀ ମୃତ ଘଟଣା କୋରାପୁଟ ଜିଲ୍ଲା ପୋଲିସର ଅଭୂତପୂର୍ବ ସଫଳତା ଅଟେ ବୋଲି ମତବ୍ୟକ୍ତ କରିବା ସହ ଏସଓଜି ଓ ଡିଭିଏଫ୍ ଯବାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ନକ୍ସଲ ବିରୋଧୀ ଅଭିଯାନରେ ଏହା ଏକ ମାଇଲଖୁଣ୍ଡ ବୋଲି ସେ ସୂଚନା ଦେଇଥିଲେ। ୬ ଜଣ ମାଓବାଦୀ ଥିଲେ ୫ ଜଣ ମୃତ୍ୟୁବରଣ କଲେ ଓ ଏକେ-୪୭ ବନ୍ଧୁକ ଧରିଥିବା ଜଣେ ମାଓବାଦୀ ଖସିବାରେ ସଫଳ ହୋଇଥିଲା ବୋଲି ସେ ସୂଚନା ଦେଇଥିଲେ।ଉକ୍ତ ମାଓବାଦୀର ପରିଚୟ ନିମନ୍ତେ ତଦନ୍ତ ଚାଲିଛି ବୋଲି ସେ ପ୍ରକାଶ କରିଥିଲେ। ବୁଧବାର ପାଡୁଆ ଥାନା କିତୁବା ଜଙ୍ଗଲରେ ଘଟିଥିବା ପୁଲିସ୍-ମାଓବାଦୀ ଗୁଳି ବିନିମୟ ଘଟଣାରେ ମୃତ ସମସ୍ତ ୫ଜଣ ମାଓବାଦୀଙ୍କ ପରିଚୟ ମିଳିଛି ବୋଲି ଡିଦିପି ସ୍ୱଷ୍ଟ କରିଥିଲେ। ଏପରିକି ମୃତ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନିଜଣ ମାଓବାଦୀଙ୍କ ସମ୍ପର୍କରେ ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ପୁଲିସ୍ ମହା-ନିର୍ଦ୍ଦେଶକଙ୍କ ସହ ଆଲୋଚନା ବେଳେ ସେମାନଙ୍କ ପରିଚୟ ସ୍ୱଷ୍ଟ ହୋଇଥିବା ଏବଂ ଗତବର୍ଷ ସେପ୍ଟେମ୍ବରରେ ବିଶାଖାପାଟଣା ଜିଲାର ଆରୁକୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ହତ୍ୟା କାଣ୍ଡରେ ସେମାନେ ସମ୍ପୃକ୍ତ ଥିବା ଆନ୍ଧ୍ର ପୁଲିସ୍ ସ୍ୱୀକାର କରିଥିବା ଡିଜିପି ସୂଚନା ଦେଇଥିଲେ। ମୃତ ମାଓବାଦୀଙ୍କ ମଧ୍ୟରେ ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲା ଭିମାଭରମ୍ ଗ୍ରାମର ପି.ଭି.କାମେଶ୍ୱରୀ ଓରଫ ରିଙ୍କି ଓରଫ ସ୍ୱରୂପା ଡିଭିଜନାଲ୍ କମିଟି ମେମ୍ବର ହୋଇଥିବାବେଳେ ତା ନାଁରେ ୬ଲକ୍ଷ ଟାଙ୍କା ପୁରଷ୍କାର ଥିବା ଡିଜିପି ସୂଚନା ଦେଇଥିଲେ। କାମେଶ୍ୱରୀ ଆନ୍ଧ୍ର-ଓଡିଶା ବୋର୍ଡର ଜୋନାଲ୍ କମିଟିର ଜଣେ ପ୍ରମୁଖ ସଦସ୍ୟା ଥିଲା ଓ ସେ ଡିସିଏମ୍ ରେଙ୍କରେ ରହି ନନ୍ଦପୁର ଏରିଆ କମିଟିର ଦାୟିତ୍ୱ ବୁଝୁଥିଲା। ଆରୁକୁ ବିଧାୟକ କେ.ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ଏସ୍.ସୋମା ହତ୍ୟା ଘଟଣାରେ କାମେଶ୍ୱରୀ ମୁଖ୍ୟ ଭୂମିକା ତୂଲାଇଥିବା ଜଣା ପଡିଛି। ମୃତ ମାଓବାଦୀ ଜି.ସତିବାବୁ ଓରଫ ଦାସୁ ଏରିଆ କମିଟି ମେମ୍ବର ଥିବାବେଳେ ଦାସୁ ନାଁରେ ମଧ୍ୟ ୪ଲକ୍ଷ ଟଙ୍କାର ପୁରଷ୍କାର ରହିଥିଲା। ଦାସୁର ଘର ପୂବ ର୍ଗୋଦାବରୀ ଜିଲା କରଡାକୋଟା ବୋଲି ଜଣା ପଡିଛି। ସେହିପରି ଅନ୍ୟ ଜଣେ ମୃତ ମହିଳା ମାଓବାଦୀ ବିଡିକା ଲକ୍ଷ୍ମୀର ଘର ବିଜୟନଗରମ୍ ଜିଲା କୁରୁପମ୍ ଗ୍ରାମରେ ବୋଲି ଜଣା ପଡିଛି। ଲକ୍ଷ୍ମୀ ମଧ୍ୟ ଏରିଆ କମିଟି ସଦସ୍ୟା (ଏସିଏମ୍) ରେଙ୍କର ରହି ନନ୍ଦପୁର ଏରିଆ କମିଟି ପାଇଁ କାମ କରୁଥିବା ଜଣା ପଡିଛି। ମୃତ ମାଓବାଦୀ କ୍ରିଷ୍ନା ୱାଡେକା ଓରଫ ପ୍ରକାଶ ଜଣେ ମିଲିସିଆ ହୋଇଥିବାବେଳେ ପ୍ରକାଶର ଘର ନାରାୟଣପାଟଣା ଅଂଚଳରେ ବୋଲି ଜଣା ପଡିଛି। ଅନ୍ୟ ପକ୍ଷରେ ମୃତ ମହିଳା ମାଓବାଦୀ ଗୀତାର (ଏସିଏମ୍) ଘର ଛତିଶଗଡ ହୋଇଥିବାବେଳେ ସେ ମଧ୍ୟ ନନ୍ଦପୁର ଏରିଆ କମିଟି ଦାୟିତ୍ୱରେ ଥିବା ଜଣା ପଡିଛି। ସାମ୍ବାଦିକ ମାନଙ୍କ ସହ ଆଲୋଚନା ପରେ ଡା.ଶର୍ମା ଏସ୍ଡବଲ୍ୟୁଆର୍ ଅଧୀନ ଏସପି ମାନଙ୍କୁ ନେଇ ମାଓ ମୁକାବିଲା ରଣନୀତି ଉପରେ ସମୀକ୍ଷା କରି ମାଓ ସଙ୍ଗଠନ ମୂଳପୋଛ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି। ମାଓ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେଉତିବାରୁ ଏହାର ସଦ ଉପଯୋଗ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ସମୀକ୍ଷା ବୈଠକରେ ଅତିରିକ୍ତ ଏସପି ସାଗରିକା ନାଥ, ଉତ୍କଳ ରଂଜନ ନାୟକ, ଅତିରିକ୍ତ ଏସପି(ଅପରେସନ) ନିରଂଜନ ସାହୁ, ଏସଓଜି.ଡିଭିଏଫ୍ କମାଣ୍ଡାଂଟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.