Home ଓଡ଼ିଶା ଠାକୁରାଣୀ ଲୌହ ଖଣିର ଭୂମି ପୂଜନ, ପୁରୁଣା ଖଣି ମାଲିକ ହେବେ ସେହି ଖଣିର ଠିକାଦାର

ଠାକୁରାଣୀ ଲୌହ ଖଣିର ଭୂମି ପୂଜନ, ପୁରୁଣା ଖଣି ମାଲିକ ହେବେ ସେହି ଖଣିର ଠିକାଦାର

107

ଯୋଡା, ୩୦/୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗୋଟିଏ ପରେ ଗୋଟିଏ ନୂଆ ଖଣି ମାଲିକ ଖଣି କାର୍ଯ୍ୟ ଆରମ୍ଭ କରିବା ପାଇଁ ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ କରୁଥିବା ଦେଖିବାକୁ ମିଳିଛି । ନିକଟରେ ଜେଏସ୍‌ଡବ୍ଲୁ ତାର ୪ଟି ଖଣିର ଭୂମି ପୂଜନ କାର୍ଯ୍ୟ ସମାପ୍ତ କରିଥିବା ବେଳେ ମଙ୍ଗଳବାର ଦିନ ପୂର୍ବାହ୍ନରେ ଠାକୁରାଣୀ ଲୌହ ଖଣିର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ୨୨୮.୦୪ ହେକ୍ଟର ପରିମିତ ଲୌହ ଖଣିଟି ଆର୍ସେଲରମିତ୍ତର ନିପନ ଷ୍ଟିଲ ଇଣ୍ଡିଆ ୧୦୭.୫୫ ପ୍ରତିଶତରେ ନିଲାମ ଧରିଥିବା ବେଳେ ପୁରୁଣା ଖଣି ମାଲିକ କେପି ଇଣ୍ଟର ପ୍ରାଇଜେସର ପି.କେ. ଆଲୁୱାଲିଆ ଖଣିଟି ନିଲାମ ଧରିବାରେ ଅପଫଳ ହୋଇଥିଲେ । ଏହି ଖଣିଟିରେ ୧୮୦ ନିୟୁତ ମେଟ୍ରିକ ଟନ୍ ଲୁହାପଥର ଗଚ୍ଛିତ ଥିବା ଆକଳନ କରାଯାଉଥିବା ବେଳେ ଏହାକୁ ସରକାର କ୍ୟାପଟିଭ୍ ଖଣି ଭାବେ ଘୋଷଣା କରିଥିଲେ । ମାର୍ଚ୍ଚ ୩୧ ତାରିଖରେ ନୂତନ ଖଣି ଗୁଡିକ ନିଲାମ ପ୍ରକ୍ରିୟା ସମାପ୍ତ ହୋଇଥିଲେ ମଧ୍ୟ କୋଭିଡ-୧୯ ଯୋଗୁଁ ଖଣି ଗୁଡିକ କାର୍ଯ୍ୟ ଆରମ୍ଭ କରାଯାଇପାରିନଥିଲା । ଏବେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖଣି କାର୍ଯ୍ୟ ଆରମ୍ଭ କରିବା ପାଇଁ ଭେଷ୍ଟିଙ୍ଗ ଅର୍ଡର ଦିଆଯାଇଥିବା ବେଳେ ନୂତନ ଖଣି ମାଲିକମାନେ ଏଥିରେ ତତ୍ପରତା ପ୍ରଦର୍ଶନ କରିଛନ୍ତି । ମଙ୍ଗଳବାର ଦିନ ଏହି ଭୂମି ପୂଜନରେ ପୁରୁଣା ଖଣି ମାଲିକ ପି.କେ. ଆଲୁୱାଲିଆ, ଏହି ଖଣିର ପୂର୍ବତନ ଠିକାଦାର ନିର୍ମଲ ସିଂ, ତ୍ରିବେଣୀ ଆର୍ଥ ମୁଭର୍ସର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ଖଣିଟିରେ ପୂର୍ବରୁ ଶତାଧିକ କର୍ମଚାରୀ କାମ କରୁଥିବା ବେଳେ ଏବେ ସେମାନଙ୍କୁ ଛଟେଇ କରିଦିଆଯାଇଛି । ନୂତନ ଖଣି ମାଲିକ ମିତ୍ତଲ ସେମାନଙ୍କୁ ନିଜ ଖଣିରେ ଅବସ୍ଥାପିତ କରିବା ନେଇ କୌଣସି ସ୍ପଷ୍ଟ ନୀତି ପ୍ରଣୟନ କରିନଥିବା ବେଳେ କର୍ମଚାରୀଙ୍କ ମଧ୍ୟରେ ପୂଜା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ତେବେ ପୁଲିସର ହସ୍ତକ୍ଷେପ ପରେ ବୁଧବାର ଆପୋସ ଆଲୋଚନା ମାଧ୍ୟମରେ ଏହାକୁ ସମାଧାନ କରାଯିବ ବୋଲି ମିତ୍ତଲ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ପୂର୍ବତନ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ଏହି କମ୍ପାନୀ ଷ୍ଟାଚୁଟାରୀ ପଦବୀରେ ୧୨ଜଣ କର୍ମଚାରୀଙ୍କୁ ଅନ୍ୟ ସ୍ଥାନରୁ ଆଣି ଏହି ଖଣିରେ ଅବସ୍ଥାପିତ କରିଥିବା ବେଳେ ପୂର୍ବରୁ ଏହି ପଦବୀରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅଣଦେଖା କରାଯାଇଛି । ତେବେ ଏହାକୁ ମିତ୍ତଲ ଖଣି ପରିଚାଳକ ଅଜିତ୍ ପାତ୍ର ଗଣମାଧ୍ୟମରେ ଖଣ୍ଡନ କରି କରିବା ସହ ଏପର୍ଯ୍ୟନ୍ତ କାହାରିକୁ କୌଣସି ପଦବୀରେ ଅବସ୍ଥାପିତ କରାଯାଇନାହିଁ ବୋଲି କହିଥିଲେ । ତେବେ ବିଶେଷ ସୂତ୍ରରୁ ଜଣାପଡିଛି, ଏହି ଖଣିର ପୂର୍ବତନ ଖଣି ମାଲିକ କେ.ପି. ଇଣ୍ଟରପ୍ରାଇଜେସର ପି.କେ. ଆଲୁୱାଲିଆ ଖଣିଟିରେ ଠିକାଦାର ଭାବେ ଖଣି ଖନନ କାର୍ଯ୍ୟ କରିବେ । ଏହି ଭୂମି ପୂଜନରେ ନୂତନ ଅବସ୍ଥାପିତ ଜି.ଏମ୍‌. ଅଜିତ୍ ପାତ୍ର, ମିତ୍ତଲ କମ୍ପାନୀର ଓଡିଶା ଖଣି ମୁଖ୍ୟ ରାମାକ୍ରିଷ୍ଣନ୍‌, ତ୍ରିବେଣୀର ଜିଏମ୍ ଭେଙ୍କଟେସ, ପି.କେ. ଆଲୁୱାଲିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.