Home Top News କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଦର ନକମାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ: ବିଜେଡି

କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଦର ନକମାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ: ବିଜେଡି

15

ନଭେମ୍ବର ୩୦ ସୁଦ୍ଧା ଦର ହ୍ରାସ କରିବାକୁ ବିଜେଡି ଦେଲା ସମୟତିନି ଦିନ ଧରି ଚାଲିଥିବା ଆନ୍ଦୋଳନରେ ବହୁ ସଂଖ୍ୟାରେ ଲୋକେ ସାମିଲଆନ୍ଦୋଳନରେ ସାମିଲ ପାଇଁ ବେଜେଡି ଜଣାଇଲା କୃତଜ୍ଞତା

ଭୁବନେଶ୍ୱର ୨୫-୧୧ (ଓଡ଼ିଆ ପୁଅ) : ରନ୍ଧନ ଗ୍ୟାସର ଦରବୃଦ୍ଧିର ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ଗତ ୨୨. ୨୩ ଓ ୨୪ ତାରିଖରେ ଯେଉଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଥିଲା, ତାହାକୁ ରାଜ୍ୟବାସୀ ବିପୁଳ ସମର୍ଥନ କରିଛନ୍ତି। ପ୍ରଥମେ ସେଥିପାଇଁ ଦଳ ତରଫରୁ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ବିଜେଡିର ତିନି ବିଧାୟକ ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ। ତେବେ ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ତିନି ବିଧାୟକ କହିଛନ୍ତି ଯେ ବିଶ୍ୱର କୌଣସି ଦେଶରେ କେବେବି ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ପରିମାଣରେ ବଢି ନାହିଁ। ୨୦୧୪ରେ ଯେତେବେଳେ ଏହି ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିଲେ ସେତେବେଳେ ଗ୍ୟାସ ସିଲିଣ୍ଡରର ଦର ଥିଲା ୪୧୪ ଟଙ୍କା। ଗତ ୭ ବର୍ଷ ଭିତରେ ଦର ଦୁଇଗୁଣରୁ ଅଧିକ ବଢି ୯୩୦ ଟଙ୍କା ଛୁଇଁଲାଣି। କରୋନା ଭଳି ମହାମାରୀ ସଂକଟ ବେଳେ ପ୍ରତି ମାସରେ ୨୫/ ୫୦ / ୭୫ ଟଙ୍କା ପର୍ଯ୍ୟନ୍ତ ବଢାଯାଇ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ କରାଯାଉଛି।

ରନ୍ଧନ ଗ୍ୟାସର ଏଭଳି ଅହେତୁକ ଦରବୃଦ୍ଧି କରି କେନ୍ଦ୍ର ସରକାର ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇ ସାରିଲେଣି। ଲୋକେ ତ୍ରାହି ତ୍ରାହି ଡାକିଲେଣି ଓ ଏହାର ପ୍ରତିବାଦରେ ବିଜୁ ଜନତା ଦଳର ଡାକରାରେ ରାସ୍ତାକୁ ଓହ୍ଲାଇଲେଣି। ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ।

ଓଲଟା ବିଜେପିର ରାଜ୍ୟ ନେତୃବୃନ୍ଦ ସରକାରକୁ ବଞ୍ଚାଇବା ଲାଗି ମିଛର ସାହାରା ନେଉଛନ୍ତି ଏବଂ ଉଦ୍ଭଟ ଓ ହାସ୍ୟାସ୍ପଦ ଯୁକ୍ତି ବାୁଛନ୍ତି। ଲୋକଙ୍କୁ ଭୁଆଁ ବୁଲାଇବାକୁ ଯାଇ କହୁଛନ୍ତି, ଅନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସ୍ ଓ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ରନ୍ଧନ ଗ୍ୟାସ୍ ଦର ବୁଛି। ମାତ୍ର ବାସ୍ତବତା ହେଲା; ୨୦୧୪ରେ ଆନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସର ଦର ୬ ଡଲାର/ ବିଟିୟୁ (ବ୍ରିଟିଶ୍ ଥର୍ମାଲ ୟୁନିଟ୍‌) ଥିଲାବେଳେ ଏବେ ତାହା ୫.୮ ଡଲାରକୁ କମିଯାଇଛି। ଠିକ୍ ସେମିତି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିଲାବେଳେ ଏବେ ଏହା ୭୮ ଡଲାର ରହିଛି। ଉଭୟ ପ୍ରାକୃତିକ ଗ୍ୟାସ୍ ଓ ଅଶୋଧିତ ତୈଳର ଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲାବେଳେ ରନ୍ଧନ ଗ୍ୟାସ୍ ଦର ୧୨୩ % ବଢିବାର ଯଥାର୍ଥତା କେଉଁଠି ବୋଲି ବିଜେଡିର ତିନି ନେତା ପ୍ରଶ୍ନ କରିଛନ୍ତି।

ଅନୁରୂପ ଭାବେ ଉଜ୍ଜ୍ୱଳା ଯୋଜନା ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଲୋକଙ୍କୁ ମିଛ ସଫଳତାର କାହାଣୀ ଶୁଣାଇ ଚାଲିଛନ୍ତି। ଏହି ଯୋଜନାକୁ ବହୁ ଆଡ଼ମ୍ବରରେ ଆରମ୍ଭ କଲାବେଳେ ସରକାର କେତେ ସ୍ୱପ୍ନ ଦେଖାଇଥିଲେ। ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲିମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କହିଥଲେ। ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଉଜ୍ଜ୍ୱଳା ଯୋଜନାର ଅଧିକାଂଶ ହିତାଧିକାରୀ ମହିଳା ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରି ନପାରି ପୁଣି ଚୁଲିମୁଣ୍ଡକୁ ଫେରି ଯାଇଛନ୍ତି। ଏ ସବୁ ପ୍ରତିଶ୍ରୁତି ଯେ ଫମ୍ପା ଥିଲା, ତାହା ସେମାନେ ବୁଝି ସାରିଲେଣି। ତେଣୁ ଦଳମତ ର୍ନିବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି। ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ ଜବାବ ଦେବେ।

ବିଜୁ ଜନତା ଦଳ ସବୁବେଳେ ରାଜ୍ୟର ସାଢେ ଚାରି କୋଟି ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ପାଇଁ କାମ କରି ଆସୁଛି। ଏହି ପରିପ୍ରେକ୍ଷୀରେ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନର ଡାକରା ଦିଆଯାଇଥିଲା। ଚଳିତ ମାସ ୨୨, ୨୩, ୨୪ ଗତ ୩ ଦିନ ଧରି ଦଳ ପକ୍ଷରୁ ରାଜ୍ୟ ସାରା ଯେଉଁଭଳି ଭାବେ ମହିଳା, ଯୁବକ, ଛାତ୍ର ଓ ସାଧାରଣ ଜନତାଙ୍କ ପକ୍ଷରୁ ଏହି ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳିଛି, ତାହା ଅଭୂତପୂର୍ବ। ଏଥିପାଇଁ ଆମେ ରାଜ୍ୟବାସୀଙ୍କୁ ପୁଣିଥରେ ଧନ୍ୟବାଦ ଜଣାଉଛୁ। ଏଥି ସହିତ କେନ୍ଦ୍ର ସରକାରକୁ ପୁଣିଥରେ ଚେତାବନୀ ଦେଉଛୁ କି ଯଦି ସରକାର ଆଗାମୀ ୩୦ ତାରିଖ ଭିତରେ ଗ୍ୟାସ୍ ଦର କମାଇବାକୁ ପଦକ୍ଷେପ ନ ନିଅନ୍ତି, ତେବେ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.