Home Top News ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗତ ରାଜନୈତିକ ଚିଠା ପ୍ରସ୍ତାବ ..

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗତ ରାଜନୈତିକ ଚିଠା ପ୍ରସ୍ତାବ ..

32

ଆମର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ପ୍ରାପ୍ତ କରି ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ବହନ କରିବା ପରେ ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟ ମାନଙ୍କ ବିକାଶ କାର୍ଯ୍ୟ କରିଚାଲିଛନ୍ତି। କଂଗ୍ରେସ ଦଳର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓଡ଼ିଶାର ସାଂସଦ ମାନଙ୍କୁ ଟଙ୍କା କଣ ଗଛରେ ଫଳେ ବୋଲି କହି କଟାକ୍ଷ କରିଥିଲେ। ମାତ୍ର ମୋଦି ସରକାର ଓଡ଼ିଶାର ଦୃତ ବିକାଶ ପାଇଁ କେନ୍ଦ୍ରର ଟ୍ରେଜରୀ ଖୋଲି ଦେଇଛନ୍ତି। ବନ୍ୟା, ବାତ୍ୟା, ଦୈବ ଦୁର୍ବିପାକ ସମୟରେ ମୋଦି ସରକାର ଓଡ଼ିଶାବାସୀଙ୍କ ସହ ରହି ରାଜ୍ୟ ସରକାର ମାଗିବା ଆଗରୁ ଆବଶ୍ୟକତା ଠାରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି। କୋଭିଡ୍ ମହାମାରୀ ସମୟରେ ମୋଦି ସରକାରଙ୍କ ଅବଦାନକୁ ଓଡିଶାବାସୀ ଭୁଲି ପାରିବେ ନାହିଁ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଡାଲି, ଗ୍ୟାସ, ଜନଧନ ଖାତାକୁ ଟଙ୍କା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସମେତ ଅନେକ ଯୋଜନା ସାଙ୍ଗକୁଟିକା କରଣ, ଅକ୍ସିଜେନ୍ ଯୋଗାଣ, ଇକ୍‌ମୋ ମେସିନ୍‌, କୋରନା ପାଇଁ ଚିକିତ୍ସା ସେବା ଯୋଗାଇଥିବାରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁୟସି ପ୍ରଶଂସା କରୁଅଛି। ଅପରପକ୍ଷରେ ରାଜ୍ୟର ଶାସକ ବିଜୁ ଜନତା ଦଳ ବିକାଶ ଲକ୍ଷ୍ୟରେ ବିଚ୍ୟୁତ୍ ହୋଇ କେବଳ ପ୍ରଚାର ସର୍ବସ୍ୱ ହୋଇ ବାହାବା ନେବା ପାଇଁ ଉଦ୍ୟମ କରୁଛି। ୨୧ ବର୍ଷ ଶାସନରେ ଓଡ଼ିଶାକୁ ସବୁ କ୍ଷେତ୍ରରେ ପଛକୁ ପକାଇ ଦେଇଛି। ରାଜ୍ୟ ସରକାରଙ୍କ ନିଜସ୍ୱ ବାର୍ଷିକ ରାଜସ୍ୱ ଯାହା ତାହା ସରକାରୀ କର୍ମଚାରୀ ମାନଙ୍କ ଦରମା, ପେନ୍‌ସନକୁ ନିଅଣ୍ଟ। ରାଜ୍ୟ ସରକାର କରିଥିବା ଋଣର ସୁଧ ଦେବା ପାଇଁ ଋଣ କରୁଛି। କେନ୍ଦ୍ର ସରକାରଙ୍କ ଅନୁଦାନରୁ ଫନ୍ଧି ଫିକର କରି ଅର୍ଥକୁ ରାଜ୍ୟ ସରକାର ହରିଲୁଟ୍ କରିଛନ୍ତି। ମୋଦି ସରକାର ପଠାଉଥିବା ଟଙ୍କାକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଭାରତୀୟ ଜନତା ପାର୍ଟି ନିଷ୍ଠାର ସହିତ କାର୍ଯ୍ୟ କରିବ ବୋଲି କାର୍ଯ୍ୟକାରିଣୀ ପ୍ରତିଶୃତି ଦେଉଛି।

ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ; ବିଜେଡି ଶାସନରେ ମହିଲା ବିପଦରେ –
ଓଡ଼ିଶାରେ ପ୍ରତିଦିନ ୪ ଧର୍ଷଣ, ୬ ଅପହରଣ ଓ ଗତ ୫ ବର୍ଷ ଭିତରେ ୨୭ ହଜାର ଶିଶୁ ନିଖୋଜ ଘଟଣା ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିଫଳିତ ହୋଇଛି। ଥାନା ଓ ପୋଲିସ ଉପରୁ ଓଡ଼ିଶାର ସାଧାରଣ ଲୋକଙ୍କ ଭରସା, ବିଶ୍ୱାସ ଉଠିଗଲାଣି। ବିଜେଡି ଶାସନରେ ମହିଲା ବିପଦରେ। ଯାହା ଗଣତନ୍ତ୍ର ପାଇଁ ଚିନ୍ତା ଜନକ। ଶାସକ ବିଜୁ ଜନତା ଦଳର ସ୍ୱାର୍ଥ ପାଇଁ କେତେକ ମୃଷ୍ଟିମେୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ପୋଲିସ ଅପରାଧୀଙ୍କୁ ଖସାଇ ଦେଉଛନ୍ତି।ଆଦିବାସୀ, ଦଳିତ, ମହିଳାଙ୍କ ଉପରେ ଅତ୍ୟାଚାର ବଢି ବଢି ଚାଲିଛି ଯାହା ୨୦୨୦ ମସିହାରେ ଓଡ଼ିଶାର ଥାନା ମାନଙ୍କରେ ଦାୟର ହୋଇଥିବା ୧ ଲକ୍ଷ ୩୪ ହଜାର ଫୈାଜଦାରୀ ମୋକଦ୍ଦମାରୁ ପ୍ରମାଣିତ କରୁଛି।

କଳାହାଣ୍ଡି ମହାଲିଙ୍ଗ କଲେଜର ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଚର୍ଚ୍ଚିତ ଜଘନ୍ୟ ହତ୍ୟା ଘଟଣା ରାଜ୍ୟ ବାସୀଙ୍କୁ ସ୍ତବ୍ଧ କରିଛି। ଓଡ଼ିଶାରେ କିମ୍ବା ଓଡ଼ିଶା ବାହାରେ ଥିବା ଓଡ଼ିଆମାନେ ମମିତା ନ୍ୟାୟ ପାଇଁ ଆନ୍ଦୋଳନ କରୁଛନ୍ତି। ଘଟଣାରେ ସମ୍ପୃକ୍ତ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଇସ୍ତଫା ଦାବି ଜୋର ଧରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ସଭାରେ ନିଜ ପାଖରେ ବସାଇ ଅପରାଧୀକୁ ସୁରକ୍ଷା ଦେବା ଘଟଣା ରାଜ୍ୟ ବାସୀଙ୍କୁ ଚକିତ କରିଛି। ଓଡ଼ିଶା ମାଟିର ଝିଅ ମମିତାକୁ ନ୍ୟାୟ ଦେବା ପରିବର୍ତ୍ତେ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ସଂପୃକ୍ତିର ସମସ୍ତ ପ୍ରମାଣକୁ ନଷ୍ଟ କରିଦେବା ପାଇଁ ଓଡ଼ିଶା ପୋଲିସ ପ୍ରାଣ ମୂର୍ଛା ଉଦ୍ୟମ କରୁଛି। ପୋଲିସର କାର୍ଯ୍ୟ “ଲୁଚିଛି ନା ଗୋଡ ଦିଟା ଦିଶୁଛି”। ଯଦି ମୁଖ୍ୟମନ୍ତ୍ରୀଙ୍କର ଦମ୍ ଅଛି ତେବେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ସୁପାରିଶ ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ଆହ୍ୱାନ କରୁଛି। ଦିବ୍ୟସିଂହ ବରାଳ ଏବଂ କୂଳମଣି ବରାଳ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତ ଥିବା ବିଜେପି ବାରମ୍ବାର ଦାବି କରି ଆନ୍ଦୋଳନ କରୁଥିବା ବେଳେ ଏ ଘଟଣାରେ ମଧ୍ୟ ପୋଲିସ, ମନ୍ତ୍ରୀ ଶ୍ରୀ ଜେନାଙ୍କୁ ବଞ୍ଚାଇବା ପାଇଁ ପ୍ରାଣ ମୂର୍ଛା ଉଦ୍ୟମ କରିଥିଲେ। କିନ୍ତୁ ଅଦାଲତ ଏହି ହତ୍ୟାକାଣ୍ଡର ମୁଦାଲା ଭାବେ ମନ୍ତ୍ରୀ ଜେନାଙ୍କୁ ସାମିଲ କରିଥିବା ଏବଂ ଏବେ ଅଦାଲତ ମନ୍ତ୍ରୀଙ୍କ ପି. ଏ ଓ ଜଣେ ଘନିଷ୍ଠ ସହଯୋଗୀଙ୍କ ସହଯୋଗ ପୋଲିସକୁ ମାଗିଥିବାରୁ ମନ୍ତ୍ରୀ ଜେନାଙ୍କୁ ମଧ୍ୟ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରାଯାଉ। ନଚେତ୍ ତଦନ୍ତରେ ନିରପେକ୍ଷତା ରହିବ ନାହିଁ।

ରାଜ୍ୟରେ ନିଯୁକ୍ତି ଶୁନ୍; ଓଡ଼ିଶାର ଶ୍ରମିକଙ୍କ ଭରସା ଅନ୍ୟ ରାଜ୍ୟ –
ଆଜି ଓଡ଼ିଶାର ଲକ୍ଷ ଲକ୍ଷ କୁଶଳୀ କାରିଗର ନିଜର ପେଟ ପାଟଣା ପାଇଁ ଅନ୍ୟ ରାଜ୍ୟର ଭରସାରେ ଜୀବନ ବିତାଉଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରୁ ହଜାର ହଜାର ଶ୍ରମିକ ଆଜି ପ୍ରବାସୀ ଶ୍ରମିକ ସାଜି ଅନ୍ୟ ରାଜ୍ୟର ବିକାଶରେ ସହାୟତା ସାଜିଛନ୍ତି। ଓଡିଶାର ମାଟି, ପାଣି, ପବନ, ଖଦି, ଖାଦାନ ଉପରେ ନିର୍ଭର କରି ରାଜ୍ୟରେ ଅନେକ ବଡ ବଡ ଶିଳ୍ପ ପ୍ରତିଷ୍ଠା ହୋଇଥିବା ସତ୍ୱେ ଓଡିଆ ପୁଅ ଏଠି ବେକାର ବସିଛି। ୨୦୨୧ ସୁଦ୍ଧା ୧୫ ଲକ୍ଷରୁ ଅଧିକ ଯୁବକ ଚାକିରି ପାଇଁ ନାମ ପଂଜୀକୃତ କରି ଆକାଶକୁ ଚାହି ଦିନ ଗଣି ଚାଲିଛନ୍ତି। କମ୍ପାନୀମାନଙ୍କର ଦଲାଲି କରିବାରରେ ବିଜୁ ଜନତା ଦଳର ନେତା ମନ୍ତ୍ରୀ ବ୍ୟସ୍ତ।

ଦୁର୍ନିତି ଚରମ ସୀମାରେ; ମୁଖ୍ୟମନ୍ତ୍ରୀଙ୍କ ପି.ସି ବନ୍ଦ ତାଗିଦ୍‌ରେ କେବଳ ଶସ୍ତା ଲୋକ ପ୍ରିୟତାର ସ୍ଲୋଗାନ –
୨୦୧୭- ୧୮ ବର୍ଷରୁ ଓଡ଼ିଶା ସରକାର ଆମ ଗାଁ’ ଆମ ବିକାଶ ଯୋଜନା ଆରମ୍ଭ କରି ନିଜର ଦଳୀୟ ଲୋକଙ୍କ ବିକାଶ ପାଇଁ ବ୍ଳକ୍‌ରେ ଚାଲିଥିବା ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରିଦେଲେ। ବ୍ଳକ୍‌/କର୍ମଚାରୀ ଏବେ ଠିକାଦାର ଓ ବିଜେଡି କର୍ମୀ ମୁନସୀ ହୋଇ ରାଜକୋଷର ଅର୍ଥ ଲୁଟିବାର ରାସ୍ତା ତିଆରି କଲେ। ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଟଙ୍କା, ଜିଲ୍ଲା ଖଣିଜ ପାଣ୍ଡିକୁ ବିନା ଟେଣ୍ଡରେ ଠିକାଦାର ସଜାଇଛି ରାଜ୍ୟ ସରକାର। ବିକାଶ ପାଇଁ ମୋଦି ପଠାଉଥିବା ଟଙ୍କାକୁ ଔଋ ମାନଙ୍କ ମାଧ୍ୟମରେ ରାଜ୍ୟ ସରକାର ନିଜ ଦଳର ପାଣ୍ଠି ବଢେଇବାରେ ଲାଗିଛନ୍ତି।

ଖଣିଜ ପାଣ୍ଠି” ଡି.ଏମ୍‌.ଏଫ୍ ରାଜ୍ୟ ସରକାରଙ୍କ ଦ୍ୱାରା ଅପବ୍ୟବହାର –
କେନ୍ଦ୍ରରେ ମୋଦୀ ସରକାର ଶାସନ ଭାର ଗ୍ରହଣ କରିବା ପରେ ୨୦୧୫ ମସିହାରେ ଖଣିଜ, ଖାଦାନ ଥିଲା ଜିଲ୍ଲା ମାନଙ୍କ ସ୍ୱତନ୍ତ୍ର ବିକାଶ ଉଦ୍ଦେଶ୍ୟରେ (ଏକ ସ୍ୱତନ୍ତ୍ର ଆଇନ୍ ବଳରେ) ଡିଏମ୍‌ଏଫ୍ ପାଣ୍ଠି ଗଠିତ ହୋଇଥିଲା। ଓଡ଼ିଶାର ୭ଟି ଜିଲ୍ଲାରେ ଥିବା ଡି.ଏମ୍‌.ଏଫ୍ ପାଣ୍ଠିରେ ଶହ ଶହ କୋଟି ଟଙ୍କା ଜମା ହୋଇ ରହିଛି। ସେହି ଅର୍ଥ ଦ୍ୱାରା ସେହି ଜିଲ୍ଲାର ବିଭିନ୍ନ ପ୍ରକାର ବିକାଶରେ ଗଠିତ କମିଟିର ସୁପାରିଶ୍‌ରେ ଖର୍ଚ୍ଚ ହେବାର ବ୍ୟବସ୍ଥା ଥିବାବେଳେ ଓଡ଼ିଶା ସରକାରର ଆଖି ଏବେ ଏହି ପାଣ୍ଠି ଉପରେ ପଡୁଛି। ଜିଲ୍ଲାପାଳମାନଙ୍କୁ ଧରି ରାଜ୍ୟ ସରକାର ମନଇଛା ଏହି ପାଣ୍ଠିର ଖର୍ଚ୍ଚ କରୁଛନ୍ତି।

ଜଗନ୍ନାଥ ରତ୍ନ ଭଣ୍ଡାର ଚାବି କେଉଁଠି; ରତ୍ନ ଭଣ୍ଡାରରେ ରତ୍ନ ଅଛି ନାଁ ଖାଲି –
ଆମ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଚାବି କେଉଁଠି ? ଏ ପ୍ରଶ୍ନ ଆଜି ସାରା ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଧାନସଭାର ପବିତ୍ର ଗୃହରେ ରତ୍ନ ଭଣ୍ଡାର ଚାବି ସୁରକ୍ଷିତ ବୋଲି ମନ୍ତ୍ରୀ ବିବୃତି ଦେଲେ, ହେଲେ ଚାବି ଏବେ କେଉଁଠି ? ରତ୍ନ ଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ତ?

ଧାନ କିଣା ବିକାରେ ଚାଷୀର ଶୋଷଣ –
ନରେନ୍ଦ୍ର ମୋଦୀଙ୍କ ସରକାର ଧାନର ସହାୟକ ମୂଲ୍ୟ ପ୍ରତିବର୍ଷ ବର୍ଦ୍ଧିତ କରି ଚଳିତ ବର୍ଷ ଧାନ ପ୍ରତି କ୍ୟୁଣ୍ଟାଲ ୧୯୪୦ଟଙ୍କା ଧାର୍ଯ୍ୟ କରିଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀ ଆଜି ସେଥିପାଇଁ ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ମୋଦୀ ସରକାର ଚାଷୀଙ୍କ ଧାନ କିଣିବା ପାଇଁ ପ୍ରତି କ୍ୱିଂଟାଲ ୧୯୪୦ଟଙ୍କା ସହ ଅଖା, ଶୁତୁଲି, ଶ୍ରମ ଓ ପରିବହନ ଖର୍ଚ୍ଚ ରାଜ୍ୟକୁ ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ବିଜୁ ଜନତା ଦଳର ସରକାର ଧାନ କିଣାବିକାରେ ମିଲର୍ସଙ୍କ ଜରିଆରେ ଚାଷୀଙ୍କୁ ବ୍ୟାପକ ଶୋଷଣ କରୁଛି। ଧାନ କିଣାବିକା ବ୍ୟବସ୍ଥା ଟୋକନ ଜରିଆରେ ସିଧା ସଳଖ ରାଜଧାନୀରୁ ନିୟନ୍ତ୍ରଣ ହେଉଥିବା ବେଳେ ଏଠି ଚାଷୀ ୧ ହଜାରରୁ ୧୨ ଶହ ମଧ୍ୟରେ ଅତି ନ୍ୟୁନ ମୂଲ୍ୟରେ ଧାନ ବିକ୍ରି ପାଇଁ ବାଧ୍ୟ ହେଉଛି। କେନ୍ଦ୍ର ସରକାର ପଠାଉଥିବା ଅଖା, ଶ୍ରମ, ପରିବହନ ଖର୍ଚ୍ଚ ମଧ୍ୟ ଏଠି ଚାଷୀ ପାଉ ନାହିଁ।

ମରୀଚିକା ପଛରେ ଓଡ଼ିଶାରେ ଜଳସେଚନ –
ବିଜୁ ଜନତା ଦଳର ନିର୍ବାଚନ ସମୟରେ ପ୍ରତି ବ୍ଲକ୍‌କୁ ୩୫% ଜଳସେଚନ ବ୍ୟବସ୍ଥାର ନିର୍ବାଚନ ଘୋଷଣା ଆଜି କେବଳ ଧୁଆଁବାଣ ହୋଇ ରହିଯାଇଛି। ୨୧ ବର୍ଷ ଶାସନରେ ରାଜ୍ୟ ସରକାର ଗୋଟିଏ ମଧ୍ୟ ବୃହତ୍ତ ଜଳସେଚନ କିମ୍ବା ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ କରିପାରିଲା ନାହିଁ। ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଅନେକ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ବର୍ଷ ବର୍ଷ ଧରି ଗଡି ଚାଲିଛି, ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ ହେଉନଥିବାରୁ ଖର୍ଚ୍ଚ ମଧ୍ୟ ବହୁତ ପରିମାଣରେ ବଢି ବଢି ଚାଲିଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସିଂଚାଇ ଯୋଜନାରେ ରାଜ୍ୟ ଖର୍ଚ୍ଚ ନହୋଇ ପଡି ରହିଛି।

ବିଜୁ ସ୍ମାର୍ଟକାର୍ଡ ବଣ୍ଟନରେ ସରକାର ବ୍ୟସ୍ତ କିନ୍ତୁ ଏପଟେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ –
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ଓଡ଼ିଶାର ଲୋକ ଉପକୃତ ହେଲେ, କାଳେ ସାବାସୀ କେନ୍ଦ୍ର ସରକାର ପାଖକୁ ଚାଲିଯିବ ସେଥିପାଇଁ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ନକରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶାର ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ବିଧାନସଭା ଅଧିବେଶନ ସମୟରେ ଦିନକ ପାଇଁ ମଧ୍ୟ ବିଧାନସଭାର ପବିତ୍ର ଗୃହରେ ପାଦ ଦେଉ ନାହାଁନ୍ତି କିନ୍ତୁ ଜିଲ୍ଲା ଜିଲ୍ଲା ବୁଲି ବିଜୁ ସ୍ମାର୍ଟ କାର୍ଡ ବାଣ୍ଟିବାରେ ବ୍ୟସ୍ତ। ଏପରିକି ସରକାରର ମନ୍ତ୍ରୀମାନେ ରାଜ୍ୟର ପଞ୍ଚାୟତ ପଞ୍ଚାୟତ ବୁଲି ସ୍ମାର୍ଟ କାର୍ଡ ବାଣ୍ଟି ଚାଲିଛନ୍ତି। ସ୍ମାର୍ଟ କାର୍ଡର ମିଛ ମଧ୍ୟ ଧରା ପଡିଲାଣି। ସ୍ମାର୍ଟ କାର୍ଡ ପାଇଥିବା ଅନେକ ଗରୀବ ଲୋକ ଚିକିତ୍ସା ସୁବିଧା ନପାଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ରାଜ୍ୟର ଗ୍ରାମାଞ୍ଚଳ ସିଏଚସି ପିଏଚସିରେ ଏପରିକି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ମାନଙ୍କରେ ଡାକ୍ତର, ନର୍ସ, ଟେକ୍‌ନିସିଆନ୍ ପଦବୀ ଖାଲି ପଡିଛି।

ପଞ୍ଚାୟତ ବିକାଶରେ କେନ୍ଦ୍ରର ସହାୟତାରେ ରାଜ୍ୟ ସରକାର ବାଧକ –
ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବାପରେ ଦେଶର ଗ୍ରାମ ପଞ୍ଚାୟତ ସଂସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ କେନ୍ଦ୍ରରୁ ସିଧାସଳଖ ଅର୍ଥ ଦେଶର ଗ୍ରା:ପ ଓ ପଞ୍ଚାୟତ ସମିତିକୁ ଯୋଗାଇ ଦେଲେ। ଚତୁର୍ଦ୍ଦଶ, ପଞ୍ଚଦଶ ଅର୍ଥ କମିଶନରୁ ବହୁ ପରିମାଣରେ ଟଙ୍କା ରାଜ୍ୟକୁ ଆସୁଛି। ଗ୍ରା:ପ ସକ୍ଷମ ନଥିଲା ବିକାଶ ମୂଳକ କାର୍ଯ୍ୟ ପାଇଁ କିନ୍ତୁ ଆଜି ସେହି ସବୁ ପଞ୍ଚାୟତ କେନ୍ଦ୍ର ସରକାରଙ୍କ ଟଙ୍କାରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାମ ଆରମ୍ଭ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ କେନ୍ଦ୍ର ପଞ୍ଚାୟତକୁ ପଠାଉଥିବା ଟଙ୍କା ଖର୍ଚ୍ଚରେ ରାଜ୍ୟ ସରକାର ହସ୍ତକ୍ଷେପ କରି ନିଜ ଯୋଜନାରେ ସେହି ଟଙ୍କା ଖର୍ଚ୍ଚ କରାଉଛନ୍ତି। ସ୍ୱଚ୍ଛ ଭାରତ ପାଇଁ କେନ୍ଦ୍ର ଦେଉଥିବା କୋଟି କୋଟି ଟଙ୍କା ବାଟ ମାରଣା ହେଉଛି।

ଚିଟପଣ୍ଡରେ ଟଙ୍କା ହରାଇଥିବା ଗରିବ ଲୋକଙ୍କୁ ସହାୟତା କେବେ?
ନବୀନ ସରକାର ସମୟରେ ସରକାରଙ୍କ ସହାୟତାରେ ଓ ଅନେକ ମନ୍ତ୍ରୀଙ୍କ ପୃଷ୍ଠପୋଷକତାରେ ଓଡ଼ିଶା ରାଜ୍ୟକୁ ଅନେକ ଚିଟଫଣ୍ଡ ସଂସ୍ଥାର ପ୍ରବେଶ ହୋଇଥିଲା। ଓଡିଶାର ଲକ୍ଷ ଲକ୍ଷ ଗରିବ ଲୋକ ଜୀବନ ସାରା ପରିଶ୍ରମ କରି ଅର୍ଜି ଥିବା ଟଙ୍କା ଏହି ଚିଟଫଣ୍ଡ କମ୍ପାନୀମାନେ ହରିଲୁଟ୍ କରିଛନ୍ତି। ଜମାକାରୀଙ୍କ ଆନ୍ଦୋଳନ ଚାପରେ ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ଏକ କମିଶନ ଗଠନ କଲେ ଓ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ୩ ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଗଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ କମିଶନଙ୍କ ରିପୋର୍ଟ ପ୍ରକାଶ ପାଇଲାନାହିଁ କିମ୍ବା ଜମାକାରୀମାନେ ଟଙ୍କା ଫେରସ୍ତ ପାଇଲେ ନାହିଁ। ୩ ଶହ କୋଟି ଟଙ୍କା କର୍ପସ ଫଣ୍ଡ କେଉଁଠିକୁ ଗଲା ?

କେନ୍ଦୁପତ୍ର ଶ୍ରମିକ ଶୋଷିତ –
ରାଜ୍ୟର କେନ୍ଦୁପତ୍ର ତୋଳାଳୀ, ଶ୍ରମିକମାନେ ଅକ୍ଲାନ୍ତ ପରିଶ୍ରମ କରି ରାଜ୍ୟ ରାଜକୋଷକୁ ପାଖାପାଖି ବର୍ଷକୁ ଶହେ କୋଟି ଟଙ୍କା ଲାଭ ଦେଉଥିବା ବେଳେ ଆଜି ରାଜ୍ୟର ୧୩ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ସରକାରଙ୍କ ଶୋଷଣର ଶିକାର ହେଉଛନ୍ତି। ବିବାହ ସହାୟତା, ମୃତ୍ୟୁବରଣ କରୁଥିବା କେନ୍ଦୁପତ୍ର ତୋଳାଳୀ, ଶ୍ରମିକ, ଶିକ୍ଷା ସହାୟତା ତଥା ଅନ୍ୟାନ୍ୟ ସହାୟତା ରାଜ୍ୟ ସରକାର ଯୋଗାଇ ଦେଉ ନାହାନ୍ତି।

ଓଡ଼ିଶାବାସୀଙ୍କୁ ବିଦ୍ୟୁତ୍ ଦର ବାଧକ –
କୋଟି କୋଟି ଟଙ୍କାର କିକ୍ ବ୍ୟାକ୍ ଜରିଆରେ ବିଦ୍ୟୁତ୍ ବିଭାଗକୁ ଓଡ଼ିଶା ସରକାର ଟାଟା କଂପାନୀକୁ ବିନା ଟେଣ୍ଡରରେ ହସ୍ତାନ୍ତର କରିବା ପରେ ଆକାଶ ଛୁଆଁ ବିଦ୍ୟୁତ୍ ଦର ବଢି ଯାଇଥିବାରୁ ଓଡିଶାର ବିଦ୍ୟୁତ୍ ଉପଭୋକ୍ତାଙ୍କ ଭିତରେ ତୀବ୍ର ଅସନ୍ତୋଷ ବ୍ୟାପିବାରେ ଲାଗିଛି। କୃଷି କ୍ଷେତ୍ରରେ ଗଭୀର ନଳକୂପ ଜରିଆରେ ଜଳ ସେଚନ କରୁଥିବା କୃଷକମାନଙ୍କୁ ବର୍ଦ୍ଧିତ ବିଦ୍ୟୁତ୍ ଦର ଦୁଃଖ ଦେଇଛି। ବିଦ୍ୟୁତ୍ ଦରବୃଦ୍ଧି ୮୦ ଭାଗ ଚାଷୀଙ୍କ ଜଳସେଚନକୁ ପ୍ରଭାବିତ କରୁଛି। ଓଡ଼ିଶା ସରକାରଙ୍କଠୁ ଛତିଶଗଡ ରାଜ୍ୟ ବିଦ୍ୟୁତ୍ କିଣୁଥିବା ସତ୍ତ୍ୱେ ତାଙ୍କ ରାଜ୍ୟର ଚାଷୀ ମାନଙ୍କୁ ଅତି ଅଳ୍ପ ଦରରେ ବିଦ୍ୟୁତ୍ ଯୋଗାଇ ଦେବାରୁ ସେଠାରେ ଜଳସେଚନ କ୍ଷେତ୍ରରେ ସଫଳତା ଲାଭ କରିଛି। ତେଣୁ ତୁରନ୍ତ ବିଦ୍ୟୁତ୍ ଦର ହ୍ରାସ ସହ ଗଭୀର ନଳକୂପ ଚାଷୀଙ୍କୁ ମୁକ୍ତରେ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଉଛି।

ରାଜ୍ୟରେ ଓବିସି ସଂରକ୍ଷଣକୁ ଉପେକ୍ଷା –
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୮ଟି ଜିଲ୍ଲାରେ, ଜିଲ୍ଲା ପରିଷଦ ସଦସ୍ୟ ପଦବି ପାଇଁ ଗୋଟିଏ ହେଲେ ସ୍ଥାନ ଓବିସି ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇନାହିଁ। ରାଜ୍ୟ ସରକାରଙ୍କର ଏଭଳି ଅବ୍ୟବସ୍ଥା ଓ ସ୍ୱେଚ୍ଛାଚାରୀତା ବିଜେପି ଦୃଢ ନିନ୍ଦା କରୁଛି। ୫୨ ପ୍ରତିଶତ ଓବିସି ମାନଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇ ଆସୁଥିଲା।ଚଳିତ ନିର୍ବାଚନରେ ୨୭ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦେବୁ ବୋଲି କହି ରାଜ୍ୟ ସରକାର ଯେଭଳି ପଞ୍ଚାୟତ ସ୍ତରରେ ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ଜାରିରଖି ଭାବରେ ଏହି ବର୍ଗଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ କରିଛନ୍ତି ତାହାକୁ କାର୍ଯ୍ୟକାରିଣୀ ଦୃଢ ନିନ୍ଦା କରୁଛି।

ବୈଶ୍ବିକ ଭୂମିକା –
ଦେଶର ଯଶସ୍ୱୀ ଓ ସର୍ବପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶଳ ନେତୃତ୍ୱ ବଳରେ ବିଶ୍ୱ ମଞ୍ଚରେ ଆଜି ଭାରତ ବର୍ଷର ଛବି ଏକ ସକ୍ଷମ ଏବଂ ସଶକ୍ତ ରାଷ୍ଟ୍ର ରୂପରେ ଉଭା ହୋଇଛି। କରୋନା ସଙ୍କଟ ସମୟରେ ଭାରତର ସାମର୍ଥ୍ୟ ଓ କ୍ଷମତା ସହିତ ସମଗ୍ର ବିଶ୍ୱ ପରିଚିତ ହୋଇଛି। ଭାରତ ମାନବତାର ରକ୍ଷା ତଥା ପର୍ଯ୍ୟାବରଣ ଓ ପ୍ରକୃତିର ସଂରକ୍ଷଣ ଦିଗରେ ବିଶ୍ୱକୁ ମାର୍ଗଦର୍ଶନ ଦେବାରେ ଅଗ୍ରଣୀ ଦେଶ ରୂପେ ପରିଚିତ ହୋଇଛି।ପ୍ୟାରିସ ଜଳବାୟୁ ସମ୍ମିଳନୀରେ ମାନନୀୟ ପ୍ରଧାନମନ୍ତ୍ରୀ ବିଶ୍ୱର ବନକ୍ଷେତ୍ର ବଢାଇବା, କାର୍ବନ ନିଗମନକୁ ହ୍ରାସ କରିବା ଓ ବିକଳ୍ପ ଶକ୍ତି ସ୍ରୋତକୁ ଉତ୍ସାହିତ କରିବାର ସନ୍ଦେଶ ଦେଇଥିଲା ବେଳେ କିଛି ଦିନ ପୂର୍ବେ ଗ୍ଲାସଗୋ ଠାରେ ଅନୁଷ୍ଠିତ ଜଳବାୟୁ ସମ୍ମିଳନୀରେ ସେ ଜଳବାୟୁ ପରିବର୍ତ୍ତନ ବିରୁଦ୍ଧ ଲଢେଇରେ ପଞ୍ଚାମୃତ ସଂକଳ୍ପ ବ୍ୟକ୍ତ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ବିଷୟରେ ବିଶ୍ୱକୁ ଦିଗଦର୍ଶନ ଦେଇଥିବା ଏବଂ ଭାରତକୁ ନେତୃତ୍ୱ ନେବାକୁ ସକ୍ଷମ କରିବାରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଭୁମିକା ପାଇଁ ଏହି କାର୍ଯ୍ୟକାରିଣୀ ଅଭିନନ୍ଦନ ଜଣାଉଛି।

କରୋନା ଲଢ଼େଇ –
କରୋନା ମହାମାରୀକୁ ଦୃଢ଼ ହସ୍ତରେ ମୁକାବିଲା କରିଥିବା ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳ ନେତୃତ୍ୱରେ ଏବେ ଭାରତରେ ୧୧୭କୋଟି ଲୋକଙ୍କ ଟୀକାକରଣ ସମ୍ପୂର୍ଣ୍ଣ ହୋଇଛି।ଯେଉଁଥିରେ ଓଡ଼ିଶାର ୪କୋଟି ୨୦ ଲକ୍ଷ ଟୀକାକରଣ ସାମିଲ ଅଛି। ଏତେ କମ୍ ଦିନ ଭିତରେ ଏତେ ଅଧିକ ସଂଖ୍ୟକ ଜନତାଙ୍କୁ ଟୀକା ଯୋଗାଇଦେବା ବିଶ୍ୱରେ ଏହା ରେକର୍ଡ ସୃଷ୍ଟି କରିଛି। ବିଶାଳ ଜନସଂଖ୍ୟା, ବ୍ୟାପକ ଭୌଗୋଳିକ ବିବିଧତା ଏକ ଅସହଯୋଗୀ ବିରୋଧି ଗୋଷ୍ଠୀ ସହିତ ଟୀକାକରଣରେ ସମ୍ପୃକ୍ତ ଅନେକ ବୈଜ୍ଞାନିକି ବାଧାବିଘ୍ନକୁ ନିଜର ଅଦମ୍ୟ ଇଚ୍ଛାଶକ୍ତି ତଥା ଦୃଢ଼ ମନୋବଳ ଦ୍ୱାରା ପ୍ରତିହତ କରି ଦେଶର ଜନତାଙ୍କୁ ଜୀବନ ସୁରକ୍ଷାକାରୀ ଟୀକା ଯୋଗାଇ ଦେଇଥିବାରୁ ଭାରତୀୟ ଜନତା ପାର୍ଟି ଓଡ଼ିଶାର ଏହି କାର୍ଯ୍ୟକାରିଣୀ ବୈଠକ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରୁଛି। ଟୀକା ଉଦ୍ଭାବନ ଠାରୁ ଆରମ୍ଭ କରି ଏହାର ସଫଳ ପରୀକ୍ଷଣ ଏବଂ ଉତ୍ପାଦନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତର ବୈଜ୍ଞାନିକ ଗବେଷକ, ଉତ୍ପାଦନକାରୀ ସଂଗଠନ ଏବଂ କରୋନା ଯୋଦ୍ଧାମାନଙ୍କୁ କାର୍ଯ୍ୟକାରିଣୀ ଧନ୍ୟବାଦ ଜଣାଉଛି।

ଗରିବ କଲ୍ୟାଣ ଯୋଜନା –
କରୋନାର ମହାମାରୀରେ ବିଭିନ୍ନ ଉପାୟରେ କ୍ଷତିଗ୍ରସ୍ତ ସାଧାରଣ ଜନତାଙ୍କୁ ସାହାଯ୍ୟ ପାଇଁ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦେଶର ୮୦ କୋଟି ଜନସାଧାରଣଙ୍କୁ ମାଗଣା ଚାଉଳ, ରାନ୍ଧଣା ଗ୍ୟାସ୍‌, ଡାଲି ଏବଂ ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ସାଧାରଣ ଗରିବ ଜନତାର ସଞ୍ଜୀବନି ସଦୃଶ କଷ୍ଟ ଲାଘବ କରିଛି।ଯେଉଁଥିରେ ଓଡ଼ିଶାର ପାଖାପାଖି ୩ କୋଟି ୧୮ ଲକ୍ଷ ଜନତା ଉପକୃତ ହେଇଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ –
କିଛି ଦିନ ପୂର୍ବେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୮ ଲକ୍ଷ ୧୭ ହଜାର ବାସଗୃହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଯୋଗାଇ ଦେଇଛନ୍ତି। ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ରାଜ୍ୟର ଗରିବ, ବାସହୀନ, ସାଧାରଣ ଜନତାଙ୍କ ପାଇଁ ଏକ ଆର୍ଶୀବାଦ। ଗତ ଦୁଇବର୍ଷ ଧରି ଦେଶରେ କରୋନାର କରାଳ ଛାଇରେ କବଳିତ ଆର୍ଥିକ ସଙ୍କଟକୁ ଭୃକ୍ଷେପ ନକରି ମାନନୀୟ ପ୍ରଧାନମନ୍ତ୍ରୀଙ୍କର ୨୦୨୨ ମସିହା ସୁଦ୍ଧା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବାର ସ୍ୱପ୍ନ ଏହି ପଦକ୍ଷେପ ଦ୍ୱାରା ସାକାର ହୋଇପାରିବ।

ଦୂର ସଞ୍ଚାର –
ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଦୂରସଂଚାର ମାଧ୍ୟମର ବିକାଶ ଏବଂ ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାରଙ୍କର ଦୂର ସଂଚାର ବିଭାଗରୁ ୩ ହଜାରରୁ ଉର୍ଦ୍ଧ୍ୱ ମୋବାଇଲ ଟାୱାର ସହିତ ୨୦୦ ନୂତନ ପୋଷ୍ଟ ଅଫିସ ନିର୍ମାଣ ପାଇଁ ଅନୁମୋଦନ ରାଜ୍ୟର ଅବହେଳିତ ଜିଲ୍ଲା ଗୁଡିକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏକ ଦୃଢ଼ ପଦକ୍ଷେପ।

ଉଡାନ୍ ଯୋଜନା –
ଝାରସୁଗୁଡାରେ କେନ୍ଦ୍ର-ସରକାରଙ୍କ ଉଡାନ୍ ଯୋଜନା ମାଧ୍ୟମରେ ନିର୍ମିତ ବିମାନ ବନ୍ଦର ଆଜି ବହୁତ କମ୍ ସମୟ ଅବଦ୍ଧିରେ ଦେଶର ଏକ ନମ୍ବର ସ୍ଥାନ ହାସଲ କରିଛି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ଚାଷୀ ସମାଜ ପାଇଁ ଆଗାମୀ ୨ ବର୍ଷରେ ଏହି ବିମାନ ବନ୍ଦରକୁ କୃଷି ଉଡାଣ ଯୋଜନାରେ ସାମିଲ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ସାମାଜିକ ସମରସ –
କେନ୍ଦ୍ର ମନ୍ତ୍ରୀମଣ୍ଡଳର ଗତ ପୁର୍ନଗଠନରେ ୨୭ ଜଣ ପଛୁଆ ବର୍ଗ, ୧୨ ଜଣ ଦଳିତ ଏବଂ ୧୧ ଜଣ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ସ୍ଥାନ ଦେଇଛନ୍ତି। ଏହା ସ୍ୱାଧିନୋତର ଭାରତରେ ସର୍ବାଧିକ ସାମାଜିକ ସମରସ ମନ୍ତ୍ରୀମଣ୍ଡଳ। ଏହି ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ସର୍ବାଧିକ ୩ ଜଣ ମନ୍ତ୍ରୀ (୨ କ୍ୟାବିନେଟ୍‌, ଜଣେ ରାଜ୍ୟ ପାହ୍ୟା)ଙ୍କୁ ସାମିଲ କରାଯିବା ପ୍ରଧାନମନ୍ତ୍ରୀଙ୍କର ରାଜ୍ୟ ପାଇଁ ବିଶେଷ୍ ଦୃଷ୍ଟିର ଏକ ପରିଚୟ।

କ୍ରିଡା –
ସେହିପରି ଚଳିତ ବର୍ଷ କେନ୍ଦ୍ର ସରକାର ଓଡ଼ିଶାର ଦୁଇ ହକି ଖେଳାଳୀ ବିରେନ୍ଦ୍ର ଲାକରା ଓ ଅମିତ ରୋହିଦାସଙ୍କୁ ଅର୍ଜୁନ ପୁରସ୍କାର ଏବଂ ପାରା ଅଲିମ୍ପିକ୍ ବ୍ୟାଡମିଂଟନ୍ ଖେଳାଳୀ ପ୍ରମୋଦ ଭଗତଙ୍କୁ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହା ଓଡ଼ିଶାର ଖେଳାଳୀ ଏବଂ ସମ୍ପୂର୍ଣ୍ଣ ଖେଳ ଜଗତକୁ ବହୁ ଉତ୍ସାହିତ କରିଛି।

ପଦ୍ମ ପୁରସ୍କାର –
ଓଡ଼ିଶାର ଅନେକ କ୍ଷେତ୍ରରେ ବଣମଲ୍ଲୀ ସଦୃଶ ପରିଚୟଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରି କେନ୍ଦ୍ର ସରକାର ଗୈାରବାନ୍ୱିତ କରିବା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ହେଇଛି। ଶାନ୍ତି ଦେବୀ, ପୂର୍ଣ୍ଣମାସୀ ଜାନୀ, ରଜତ କୁମାର କର, କୃଷ୍ଣମୋହନ ପାଠୀ ଏବଂ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ଏବଂ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୁଷଣ ସମ୍ମାନରେ ସମ୍ମାନିତ କରି ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଧନ୍ୟ କରିଛନ୍ତି।

ଶିକ୍ଷା –
ଓଡ଼ିଶାରେ ଏକ ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ତଥା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ସହାୟତା ତଥା ଓଡ଼ିଶାରେ ସନ୍ଥ ଭୀମଭୋଇଙ୍କ ନାମରେ ଏକ ଚେୟାର ସ୍ଥାପନ କରାଯିବା ସହିତ ଭୀମ ଭୋଇ ସାହିତ୍ୟକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାର ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଏହା ଓଡ଼ିଶାର ବୌଦ୍ଧିକ ଜଗତର ବିକାଶରେ ବିଶେଷ ସହାୟକ ହେବ। ଇଂଜିନିୟରିଂ ପାଠ୍ୟକ୍ରମକୁ ମାତୃଭାଷା ଓଡ଼ିଆରେ ପଢିବା ଓ ପଢେଇବା ପାଇଁ ଓଡ଼ିଆ ଭାଷାରେ ପୁସ୍ତକ ରଚନା କରିବା ପାଇଁ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ।

ଜନଜାତି ଶିକ୍ଷା –
ଓଡ଼ିଶାର ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୮୭ଟି ଏକଲବ୍ୟ ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଏକ ଅତି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି।

ଜଳଜୀବନ ମିଶନ –
‘ହର୍ ଘର୍ କୋ ପାନି’ ଯୋଜନାରେ କେନ୍ଦ୍ର ସରକାର ଯେଉଁ ମହତ୍ୱାକଂକ୍ଷୀ ଯୋଜନା ହାତକୁ ନେଇଛନ୍ତି, ତାହା ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବାସୀଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନାରେ ଶୁଦ୍ଧ ପାନୀୟ ଜଳ ଆଜି ଓଡ଼ିଶାର ଗାଁ ଗାଁକୁ ପହଞ୍ଚି ପାରୁଛି।

ରାମାୟଣ ସର୍କିଟ –
ଭାରତବର୍ଷର ପର୍ଯ୍ୟଟନରେ ନବ ପ୍ରବର୍ତିତ ରାମାୟଣ ସର୍କିଟ ଯୋଜନାରେ ଓଡ଼ିଶାର ମହେନ୍ଦ୍ରଗିରି ସ୍ଥାନ ପାଇଥିବା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୈାରବର ବିଷୟ।

ଜନଜାତି ଗୈାରବ ଦିବସ –
କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଜନଜାତି ଗୈାରବ ଦିବସ ରୂପେ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଓଡ଼ିଶାର ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ଏହା ଏକ ଉଚିତ୍ ସମ୍ମାନ ଏବଂ ଗୈାରବର ବିଷୟ।

ଉପରୋକ୍ତ ସମସ୍ତ ପଦକ୍ଷେପ ପାଇଁ ଆଜିର କାର୍ଯ୍ୟକାରିଣୀ ବୈଠକ ଆନନ୍ଦ ପ୍ରକାଶ କରିବା ସହିତ କେନ୍ଦ୍ର ସରକାର ତଥା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରୁଛି।
ବନ୍ଦେ ଉତ୍କଳ ଜନନୀ; ଭାରତ ମାତା କୀ ଜୟ !
/-DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.