Home ଜିଲ୍ଲା ପରିକ୍ରମା ଅର୍ଥ ଥାଇ ଆରମ୍ଭ ହୋଇପାରୁନି ବିଶୋଳ କଲ୍ୟାଣମଣ୍ଡପ ନିର୍ମାଣ; ଭିତ୍ତିପ୍ରସ୍ତରକୁ ତିନିବର୍ଷ ପୁରିଲା

ଅର୍ଥ ଥାଇ ଆରମ୍ଭ ହୋଇପାରୁନି ବିଶୋଳ କଲ୍ୟାଣମଣ୍ଡପ ନିର୍ମାଣ; ଭିତ୍ତିପ୍ରସ୍ତରକୁ ତିନିବର୍ଷ ପୁରିଲା

114

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିଶୋଳ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନକୁ ତିନି ବର୍ଷ ପୂରଣ ହୋଇଛି । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ‘ଲେ ଆଉଟ’ ଦେଇନଥିବାରୁ କାର୍ଯ୍ୟ ଆରମ୍ଭ ହୋଇ ପାରିନଥିବା ଜଣାଯାଇଛି । ବାସୁଳାଇ ପଡିଆରେ ଏହି କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ତିରିଶ ଲକ୍ଷ ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଚତୁର୍ଥ ଅର୍ଥ କମିସନ ଯୋଜନାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ୨୦୧୮ ମସିହା ନଭେମ୍ବର ୧୯ ତାରିଖ ପତ୍ର ସଂଖ୍ୟା ୨୨୨୩୭ ଅନୁଯାୟୀ ଦଶଲକ୍ଷ ଟଙ୍କା ପ୍ରଦାନ କରାଯାଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବ୍ଲକ କାର୍ଯ୍ୟାଳୟର ଅନୁମୋଦନ କ୍ରମେ ପଞ୍ଚାୟତ ପକ୍ଷରୁ ଗତ ୨୦୧୮ ମସିହାରେ ଡିସେମ୍ବର ୨୩ ତାରିଖରେ ପଞ୍ଚାତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବିଭାଗୀୟ ଭାବେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ସେହି ମାସ ୨୮ ତାରିଖରେ ସ୍ଥାନୀୟ ବିଧାୟକ ତଥା ତତ୍‌କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ତତ୍‌କାଳୀନ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାସହ ନିର୍ମାଣ ଢାଞ୍ଚା ପ୍ରସ୍ତୁତ କରାଯାଇ ସ୍ଥାନ ନିରୂପଣ କରାଯାଇଥିଲା । ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ପ୍ରଥମ କିସ୍ତି ଅର୍ଥ ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରିବାକୁ ସର୍ତ୍ତ ରଖାଯାଇଥିଲା । ହେଲେ ଫାଇଲ ହଜିଯାଇଛି ଦର୍ଶାଇ ସେ ସମୟର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ନାୟକ ‘ଲେ ଆଉଟ’ ଦେଇନଥିଲେ । କାର୍ଯ୍ୟ ଆରମ୍ଭ ହୋଇ ପାରିନଥିଲା । ନୂତନ କନିଷ୍ଠ ଯନ୍ତ୍ରୀଙ୍କ ଯୋଗଦାନ ପରେ ପୁନଃ ଫାଇଲ ଖୋଲାଯାଇଥିଲା । ମାତ୍ର କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ପାତ୍ର ସମୟ ଗଡାଇ ଚାଲିଥିଲେ । ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ୱିତୀୟ କିସ୍ତି ଦଶଲକ୍ଷ ଟଙ୍କା ମଧ୍ୟ ଯୋଗାଇ ଦିଆଯାଇଛି । ହେଲେ ଅଦ୍ୟାବଧି ‘ଲେ ଆଉଟ’ ଦିଆଯାଉନି କି କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ଇତି ମଧ୍ୟରେ ତିନି ବର୍ଷ ବିତିଯାଇ ଥିବରୁ ନିର୍ମାଣ ସାମଗ୍ରୀ ଓ ମଜୁରୀ ଆଦି ଅହେତୁକ ବୃଦ୍ଧି ଘଟିଛି । ବରାଦ ଅର୍ଥରେ ନିର୍ମାଣ ହୋଇପାରିବା ନେଇ ସଂଶୟ ସୃଷ୍ଟି ହୋଇଛି । ଭିତ୍ତିପ୍ରସ୍ତର ସ୍ଥାପନରେ ଅତିଥି ଥିବା ତତ୍‌କାଳୀନ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଓ ବିଡିଓ ବନମାଳୀ ତରାଇଙ୍କ ପରଲୋକ ହୋଇସାରିଛି । ମାତ୍ର କାର୍ଯ୍ୟ ସାମାନ୍ୟତମ ଆରମ୍ଭ ହୋଇପାରିନାହିଁ । ଜମି ସମସ୍ୟା ଥିବାରୁ ‘ଲେ ଆଉଟ’ ଦିଆଯାଇ ପାରି ନାହିଁ ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ପାତ୍ର ମତ ପ୍ରକାଶ କରିଛନ୍ତି । କୋଭିଡ ସମସ୍ୟା ପାଇଁ ଏବେ ବିଳମ୍ବ ହୋଇଛି । ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବ୍ଲକ ସହାୟକ ଯନ୍ତ୍ରୀ ସିଦ୍ଧାର୍ଥ ଦାସ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.