Home ଜିଲ୍ଲା ପରିକ୍ରମା ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ବୈଠକ

ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ବୈଠକ

14

ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଆଗାମୀ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସଦ୍‌ଭାବନା ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅଂଶୁଘାତ ପୀଡିତଙ୍କ ଚିକିତ୍ସା ପାଇଁ ଶୀତତାପ ନିୟନ୍ତ୍ରିତ କକ୍ଷ ବ୍ୟବସ୍ଥା ସହ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା କରିବା ନିମନ୍ତେ ନିର୍ଦ୍ଦେଶ ଦିଆ ଯାଇଛି । ଜରୁରୀକାଳୀନ ବିଭାଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ବିଭାଗର ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ଗ୍ରୀଷ୍ମ ପ୍ରବାହ ସମୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟଜଳର ସମସ୍ୟା ଯେପରି ନ ହୁଏ, ସେଥିପାଇଁ ଗ୍ରାମ୍ୟ ଜଳଯୋଗାଣ, ସହରାଞ୍ଚଳ ଜଳ ଯୋଗାଣ ଓ ବିଦ୍ୟୁତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ । ପାନୀୟ ଜଳ ପ୍ରକଳ୍ପ ଓ ନଳକୂପ ଗୁଡିକୁ ସଚଳ ରଖିବାକୁ ପଦକ୍ଷେପ ନେବେ । ଆବଶ୍ୟକ ସ୍ଥଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବାକୁ ପରାମର୍ଶ ଦିଆ ଯାଇଛି । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଶ୍ରମିକ ମାନଙ୍କର କାର୍ଯ୍ୟର ଉପଯୁକ୍ତ ସମୟ ନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ଦିନବେଳା ଚଳାଚଳ କରୁଥିବା ବସ୍ ଗୁଡିକରେ ପର୍ଯ୍ୟାପ୍ତ ପାନୀୟ ଜଳ, ଔଷଧ ଓ ଓ.ଆର.ଏସ. ଦ୍ରବଣ ମହଜୁଦ ରଖିବାକୁ ବୈଠକରେ ସ୍ଥିର କରାଯାଇଥିଲା ।

ପଶୁ ସମ୍ପଦର ସୁରକ୍ଷା ନିମିତ୍ତ ପାଣିକୁଣ୍ଡର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଅଂଶୁଘାତରେ ମୃତବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିଲେ ସ୍ଥାନୀୟ ତହସିଲଦାର ଓ ସ୍ୱାସ୍ଥ୍ୟ ଅଧିକାରୀ ମିଳିତ ତଦନ୍ତ କରି ବିବରଣୀ ପ୍ରଦାନ କରିବେ । ସମସ୍ତ ବିଡିଓ ଓ ତହସିଲଦାରମାନେ ସେମାନଙ୍କ ନିଜସ୍ୱ ଅଞ୍ଚଳରେ ଏ ସଂକ୍ରାନ୍ତୀୟ ବୈଠକ କରି ବିଭାଗୀୟ କର୍ମଚାରୀଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆ ଯାଇଥିଲା ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ସେମାନଙ୍କର କଣ୍ଟିଜେଣ୍ଟ ପ୍ଲାନ ପ୍ରସ୍ତୁତ କରି ଜିଲ୍ଲା କାର୍ଯ୍ୟାଳୟକୁ ପଠାଇବାକୁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ଓ ଇନ୍ଦ୍ରମଣି ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ଜୟଶ୍ରୀ ସେନାପତିଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.