ଯୋଡା- ତା ୩୧/୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ଗୁରୁବାର ଦିନ ଯୋଡା ବସ୍ ଷ୍ଟାଣ୍ଡରେ ହୋଇଥିବା ଗଣ୍ଡଗୋଳରେ ଆଜି ଯୋଡା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଉଲ୍ଲି ହାଟିଂର ଭୁଣ୍ଡୁ ରାଜ (୨୫) ଓ ପପୁ ରାଜ (୫୫)ଙ୍କୁ ଯୋଡା ଥାନା ଏସ୍. ଆଇ. ଅର୍ଚ୍ଚନା ଛୋଟ୍ଟରାଏ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଦେବେନ୍ଦ୍ର ପାତ୍ର ଓ ଟୁକୁ ପାତ୍ର ନାମକ ଦୁଇ ଜଣ ଯୁବକ ଗୁରୁବାର ଦିନ ପ୍ରାୟ ୨ ଘଟିକା ସମୟରେ କଲେଜରୁ ଫେରିବା ବାଟରେ ଯୋଡା ବସ୍ ଷ୍ଟାଣ୍ଡରେ ଗୋଟିଏ ପାନ ଦୋକାନରୁ ଥଣ୍ଡା କିଣୁଥିବା ସମୟରେ ହଠାତ୍ ପପୁ ରାଜ, ପବନ ରାଜଙ୍କ ସହିତ ଆଉ ଦୁଇ ଜଣ ବ୍ୟକ୍ତି ହଠାତ୍ ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଗୋଟିଏ ବିଏର ବୋତରକୁ ଭାଙ୍ଗି ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଦେବେନ୍ଦ୍ର ପାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଉଲ୍ଲି ହାଟିଂର ଜୋସି ରାଉତ ଓ ତାଙ୍କ ମାମୁଁ ସିତାକାନ୍ତ ରାଉତ ବିରୋଧ କରିବାରୁ ସେମାନଙ୍କୁ ଖଣ୍ଡା ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ଘଟଣା ସ୍ଥଳରେ ଭିଡ ଜମିବାରୁ ଭୁଣ୍ଡୁ ରାଜ ଦେବେନ୍ଦ୍ର ପାତ୍ର ଓ ତାଙ୍କ ସାଙ୍ଗକୁ ଜୀବନରୁ ମାରିଦେବ ବୋଲି ଧମକ ଦେଇ ଘଟଣାସ୍ଥଳରୁ ପଳାଇଯାଇଥିଲା। ଅଭିଯୁକ୍ତଙ୍କ ନାମରେ ଯୋଡା ପୁଲିସ କେଶ ନଂ. ୫୬/୨୯.୦୩.୨୦୧୮, ୩୪୧, ୩୨୩, ୨୯୪, ୩୦୭, ୫୦୬, ୩୪ ଆଇପିସି ଆକ୍ଟରେ କେଶ ଋଜୁ କରିଥିବା ଜଣାପଡିଛି।
