ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ବୈଠକ

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ବୈଠକ ସଦର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି। ସଂଘ ସଭାପତି କାଳୁଚରଣ ନାୟକ ସେଥିରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ବିଭିନ୍ନ ଦାବି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା +୨ ପରିବର୍ତ୍ତେ +୩ କରାଯିବାକୁ ସଂଘ ଦାବି କରିଛି। ଗ୍ରାମାଞ୍ଚଳରେ ସେମାନଙ୍କ ପ୍ରତି କରାଯାଉଥିବା ର୍ଦୁବ୍ୟବହାର କରାଯାଉଥିବା କେତେକ ସଭ୍ୟ ଅଭିଯୋଗ କରିଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଏବଂ ଖାଉଟି କାର୍ଡ ସର୍ଭେ କାର୍ଯ୍ୟରେ ନିୟୋଜିତ କରାଯାଉଛି। ବିଭିନ୍ନ ସମୟରେ ସେମାନେ ଲୋକଙ୍କ ରୋଷର ଶିକାର ହେଉଛନ୍ତି। ଘଟଣା ସମ୍ପର୍କରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ରାଜନୈତିକ ହସ୍ତକ୍ଷେପ ଯୋଗୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏହାକୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ଆଗାମୀ ଦିନରେ ଏପରି ଘଟଣା ଘଟିଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟ ସମ୍ପାଦକ ସୁବ୍ରତ ନାୟକ, ଜିଲ୍ଲା ସମ୍ପାଦକ ସୁରେଶ କୁମାର ଦଳାଇ, ଭାସ୍କର ଚନ୍ଦ୍ର ସାହୁ, ରବୀନ୍ଦ୍ର କୁମାର ସାହୁ ଓ ମନଦୀପ କୁମାର ଶତପଥୀ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବୈଠକରେ ଜିଲ୍ଲାର ୧୧ଟି ବ୍ଲକର ପଞ୍ଚାୟତ କାର୍ଯ୍ୟନିର୍ମାହୀ ଅଧିକାରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *