Home ଜିଲ୍ଲା ପରିକ୍ରମା ୧୭ ବର୍ଷ ଧରି ନାହାଁନ୍ତି ସଂସ୍କୃତ ଶିକ୍ଷକ, ବାରମ୍ବାର ଦାବି ସତ୍ୱେ ଦୃଷ୍ଟି ଦେଉନି ବିଭାଗ

୧୭ ବର୍ଷ ଧରି ନାହାଁନ୍ତି ସଂସ୍କୃତ ଶିକ୍ଷକ, ବାରମ୍ବାର ଦାବି ସତ୍ୱେ ଦୃଷ୍ଟି ଦେଉନି ବିଭାଗ

21

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ବାଲିପୋଖରୀ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପ୍ରସାଦସ୍ଥିତ ଜଗନ୍ନାଥ ପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ ୨୦୦୬ ମସିହାରୁ ତତ୍‌କାଳୀନ ସଂସ୍କୃତ ଶିକ୍ଷକ ଅବସର ଗ୍ରହଣ କରିବା ପରେ ଆଉ କାହାରିଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଫଳରେ ସଂସ୍କୃତ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି । ସଂସ୍କୃତ ଶିକ୍ଷକଙ୍କ ଅବସର ପରେ ବିଭାଗର ଜିଲା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ୱେ କୌଣସି ପଦକ୍ଷେପ ନିଆନଯିବାରୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଇ ଜଣେ ସଂସ୍କୃତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ପିଲାମାନଙ୍କୁ ସଂସ୍କୃତ ପଢାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ମାତ୍ର ସଂପୃକ୍ତ ଶିକ୍ଷକଙ୍କ ମୃତ୍ୟୁ ହୋଇଯିବାରୁ ପୁନଶ୍ଚ ସଂସ୍କୃତ ଭାଷା ଶିକ୍ଷା କ୍ଷେତ୍ରରେ ଏହି ବିଦ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି । ଆଖପାଖ ତିନିଗୋଟି ପଂଚାୟତର ବିଭିନ୍ନ ଗ୍ରାମର ୨୭୦ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଏହା ଏକ ସୁନାମ ଅର୍ଜନ କରିଥିବା ବିଦ୍ୟାଳୟ ହୋଇଥିବାବେଳେ ସରକାରୀ ଅବହେଳା ଯୋଗୁଁ ଦୀର୍ଘ ୧୭ ବର୍ଷ ଧରି ସଂସ୍କୃତ ଶିକ୍ଷକ ନିଯୁକ୍ତି ଦିଆନଯିବା ଦୁଃଖର ବିଷୟ ବୋଲି ପୁରାତନ ଛାତ୍ର ସଂସଦ ପକ୍ଷରୁ କ୍ଷୋଭ ପ୍ରକାଶ କରାଯିବା ସହ ଭଦ୍ରକ ଜିଲା ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ବସନ୍ତ କୁମାର ମହାପାତ୍ର, ଶିଶିର ମହାପାତ୍ର, ବିନୋଦ ପଲେଇ ପ୍ରମୁଖ ବହୁ ସଂଖ୍ୟକ ଅଭିଭାବକ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ୱାକ୍ଷରିତ ଏହି ଦାବିପତ୍ର ପ୍ରଦାନ କରାଯାଇ ତୁରନ୍ତ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.