ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସମସ୍ୟା, ଭଦ୍ରକ ମହାବିଦ୍ୟାଳୟ ପଡିଆ ଜଳାର୍ଣ୍ଣବ

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉଦାସୀନତା ଯୋଗୁଁ ଗତ କିଛିବର୍ଷ ଧରି ଜିଲାସ୍ତରୀୟ ସ୍ୱାଧୀନତା ଦିବସ ଗୌରବ ହରାଇ ବସିଛି । ଜିଲାସ୍ତରୀୟ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଏକ ଜାତୀୟ ଦିବସ ହୋଇଥିବାବେଳେ ଧର୍ମକୁ ଆଖିଠାର ମାରିବା ଭଳି ଜେନ ତେନ ପ୍ରକାର ପାଳନ କରି ପ୍ରଶାସନ ପରମ୍ପରା ବଜାୟ ରଖୁଥିବା କଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ଜିଲାସ୍ତରୀୟ ଜାତୀୟ ଦିବସ ଗୁଡିକ ପାଳନ ଭଦ୍ରକ ସହର ଉପକଣ୍ଠ ଜାତୀୟ ରାଜପଥ ପାଶ୍ୱର୍ସ୍ଥ ନେହେରୁ ଷ୍ଟାଡିୟମ୍ରେ ବିଗତ ୫୦ ବର୍ଷରୁ ଉଦ୍ଧ୍ୱର୍ ଧରି ପାଳିତ ହୋଇଆସୁଥିଲା । ଏହି ନେହେରୁ ଷ୍ଟାଡିୟମ୍ଟି କ୍ରମାଗତ ଭାବେ କିଛିବର୍ଷ ଧରି ଜଳ ନିଷ୍କାସନ ଅଭାବରୁ ବର୍ଷା ଋତୁରେ ଜଳ ମଗ୍ନ ହୋଇପଡୁଛି । ଭଦ୍ରକ ମହାବିଦ୍ୟାଳୟ ପଡିଆରେ ବିଗତ ୬/୭ ବର୍ଷ ଧରି ପ୍ରଶାସନ ତରଫରୁ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଆସୁଥିଲା । ଚଳିତ ବର୍ଷର ଲଗାତର ବର୍ଷା ଯୋଗୁଁ ଭଦ୍ରକ ମହାବିଦ୍ୟାଳୟ ପଡିଆ କ୍ୟାମ୍ପସ୍ ଟି ମଧ୍ୟ ଜଳାର୍ଣ୍ଣବ ହୋଇପଡିଛି । ଅନ୍ୟପକ୍ଷରେ ରାଜ୍ୟ ପାଣିପାଗ ସୂଚନା ଅନୁଯାୟୀ ଆସନ୍ତା ୧୨ ତାରିଖ ଠାରୁ ପ୍ରବଳ ବର୍ଷା ହେବାକୁ ଥିବାରୁ ଏହି ପଡିଆରେ ଜିଲାସ୍ତରୀୟ ଏହି ସ୍ୱାଧୀନତା ଦିବସ ପାଳନ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ମାତ୍ର ୩ ଦିନ ପରେ  ପାଳିତ ହେବାକୁ ଥିବା ଚଳିତ ବର୍ଷର ଏହି ଜାତୀୟ ଦିବସ କେଉଁଠି ପାଳନ କରାଯିବ ଏନେଇ ପ୍ରଶାସନର ଭାଳେଣି ପଡିଛି । ସୂଚନାଯୋଗ୍ୟ ଜଳ ନିଷ୍କାସନର  ଅବ୍ୟବସ୍ଥା ଯୋଗୁଁ ଗତ ୬ ଓ ୭ ବର୍ଷ ଧରି ନେହେରୁ ଷ୍ଟାଡିୟମ୍ଟି କୃତି୍ରମ୍ ପୋଖରୀରେ ପରିଣତ ହୋଇପଡୁଛି । ସେହିପରି ଭଦ୍ରକ ମହାବିଦ୍ୟାଳୟ ପଡିଆ ଓ କ୍ୟାମ୍ପସରେ ବର୍ଷା ଜଳ ବୁଡି ରହିଛି । ଅତୀତରେ ଏହି ପଡିଆରେ ଅନୁଷ୍ଠିତ ହୋଇଥିବା ସ୍ୱାଧୀନତା ଦିବସ ପାଳନ ନେଇ ବାହାଘର ବେଳେ ବାଇଗଣ ରୋଇବା ଭଳି ପ୍ରଶାସନ ପକ୍ଷରୁ ଏହି କାଦୁଅ ପଡିଆରେ କ୍ରସର ଗୁଣ୍ଡ, ମୋରମ୍ ଓ ବାଲି ପକାଯାଇ ପରେଡ୍ କରାଯାଇଥାଏ । ଏହି ପରେଡ୍ ବେଳେ କୁନି କୁନି ପିଲାଙ୍କ ଜୋତା ବାଲି ମିଶା କାଦୁଅରେ ଅଟକି ରହିଯାଇଥିଲା । ମୁଖ୍ୟ ଅତିଥିଙ୍କ ଗାଡି ଫସିଯାଇଥିବା ନଜିର ମଧ୍ୟ ରହିଛି । ଏହି ଜାତୀୟ ଦିବସଟିକୁ ସୂଚାରୁ ରୂପେ ପାଳନ କରିବା ନେଇ ଏହିସବୁ ସମସ୍ୟାର ସ୍ଥାୟୀ ପ୍ରତିକାର କରାଯିବା ପାଇଁ ଭଦ୍ରକର ବୁଦ୍ଧିଜୀବୀ ମହଲ ଓ ବିଭିନ୍ନ ନାଗରିକ ମଂଚ ତରଫରୁ ଦାବି କରାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ନେହେରୁ ଷ୍ଟାଡିୟମ୍ ଫାଟକର ସମ୍ମୁଖ ଦେଇଯାଇଥିବା ଡ୍ରେନ୍ର ଜଳ ନିଷ୍କାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ୧.୫ କୋଟି ଟଙ୍କା ୨୦୧୪ ମସିହାରୁ ମଂଜୁର କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସଂପୃକ୍ତ ଡ୍ରେନ୍ରେ ଜଳ ନିଷ୍କାସନ ସମସ୍ୟା ସମାଧାନ ହୋଇପାରିନି ।

Leave a Reply

Your email address will not be published. Required fields are marked *