ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ପକ୍ଷରୁ ଭିନ୍ନକ୍ଷମଙ୍କୁ ଶୀତ ବସ୍ତ୍ର ବିତରଣ

ତାଳଚେର, ୧୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉତ୍କଳମଣି ଗୋପବନ୍ଧୁ ଅନ୍ଧ କଲ୍ୟାଣ ସମିତି ପକ୍ଷରୁ ୩୭ତମ ଶୀତ ବସ୍ତ୍ର ବିତରଣ କାର୍ଯ୍ୟକ୍ରମ ତାଳଚେର ବ୍ଲକ କଳମଛୁଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ଦୈତାରୀ ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ଗୋପବନ୍ଧୁ ଦରିଦ୍ର କଲ୍ୟାଣ ସମିତିର ସଭାପତି ଚକ୍ରଧର ପ୍ରଧାନ, ମୁଖ୍ୟ ବକ୍ତାଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦୁଃଖବନ୍ଧୁ ସାହୁ, ସମ୍ମାନୀତ ଅତିଥିଭାବେ କଳମଛୁଇଁ ସମିତି ସଭ୍ୟା କୁମୁଦିନୀ ସାହୁ, ଶିକ୍ଷାବିତ୍ ଦିବାକର ବାରିକ, କଳମଛୁଇଁ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୈଳାସିନୀ ପାନ୍ନା, ସମାଜସେବୀ ଜଗବନ୍ଧୁ ବାରିକ, ଫକୀର ମୋହନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ସମିତିର ପ୍ରାଣ ପ୍ରତିଷ୍ଠାତା କପିଳେଶ୍ୱର ପ୍ରଧାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସମିତିର କଳମଛୁଇଁ ଶାଖାର ୩ଜଣ ସକ୍ରିୟ ସଦସ୍ୟ ପ୍ରଭାତ କୁମାର ପ୍ରଧାନ, ପିଙ୍କୁ ମହାରଣା ଓ ଶିକ୍ଷାବିତ୍ ବାଲୁଙ୍କେଶ୍ୱର ପ୍ରଧାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସମିତିର ସମ୍ପାଦକ ସୁଧାକର ପ୍ରଧାନ ବିବରଣୀ ପାଠ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ସାହୁ ନିଜ ଅଭିଭାଷଣରେ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦିବ୍ୟାଙ୍ଗମାନଙ୍କ ସେବା କରିବାସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସମସ୍ତେ ନିରନ୍ତର ଉଦ୍ୟମ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ୨ଶହରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମମାନଙ୍କୁ ସମିତି ପକ୍ଷରୁ ଅନ୍ନଦାନ ଓ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମିତିର ଯୁଗ୍ମ ସମ୍ପାଦକ କାଳନ୍ଦୀ ଚରଣ ପ୍ରଧାନ, ରୋହିତ କୁମାର ପ୍ରଧାନ, ଅବନୀ କୁମାର ସାହୁ, ଛବିଳ ସାହୁ, ଭବାନୀ ପ୍ରସାଦ ପ୍ରଧାନ ପ୍ରମୁଖଙ୍କ ସହ କଳମଛୁଇଁ ଗ୍ରାମବାସୀମାନେ ସହଯୋଗ କରିଥିଲେ। ସମିତିର ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave a Reply

Your email address will not be published. Required fields are marked *