Home ଅନୁଗୁଳ ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ ଦାବି ନେଇ ଆସନ୍ତା ଜୁଲାଇ ୪ ତାଳଚେର ବନ୍ଦ

ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ ଦାବି ନେଇ ଆସନ୍ତା ଜୁଲାଇ ୪ ତାଳଚେର ବନ୍ଦ

38

ତାଳଚେର, ୨୯/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ମେଡିକାଲ କଲେଜକୁ ରାଜ୍ୟ ସରକାର ଶୀଘ୍ର ପରିଚାଳନା କରିବା ଦାବି ନେଇ ଆସନ୍ତା ୪ ତାରିଖ ଦିନ ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯିବା ସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯିବ ବୋଲି ତାଳଚେର ସରକାରୀ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ତାଳଚେର ମେଡିକାଲ କଲେଜ କରିବା ପାଇଁ ପ୍ରାୟ ୧ହଜାର କୋଟି ଟଙ୍କା ବିନିମୟରେ କୋଠା ନିର୍ମାଣ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରପାତି କ୍ରୟ କାର୍ଯ୍ୟ ଆଜକୁ ୫ ବର୍ଷ ହେବ ଶେଷ ହୋଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନହେବା ଦୁଃଖର ବିଷୟ। କୋଠା ଘର ଭାଙ୍ଗିବା ସହିତ ଯନ୍ତ୍ରପାତି ଗୁଡିକ ନଷ୍ଟ ହେବାକୁ ବସିଲାଣି। କିନ୍ତୁ ସରକାର ଏ ଅଂଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଏହାକୁ କାର୍ଯ୍ୟକ୍ଷମ ନକରିବା ଦ୍ୱାରା ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପୂର୍ବରୁ ଆନ୍ଦୋଳନ ପାଇଁ ଡାକରା ଦେଇଥିଲେ ମଧ୍ୟ ପ୍ରଶାସନ ତରଫରୁ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ ପାଇଁ ସମୟ ମାଗିବା ଦ୍ୱାରା ପୂର୍ବ ଆନ୍ଦୋଳନକୁ ସ୍ଥଗିତ ରଖା ଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ସରକାର କେବେ ଠାରୁ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେବ ତାର ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ନଥିବାରୁ କ୍ରିୟାନୁଷ୍ଠାନ କମିଟି ଆସନ୍ତା ଜୁଲାଇ ୪ ତାରିଖ ଦିନ ତାଳଚେର ବନ୍ଦ ଡାକରା ଦେଇଛି। ଏହି ବନ୍ଦକୁ ସଫଳ କରିବା ପାଇଁ ତାଳଚେରର ବୁଦ୍ଧିଜୀବୀ, ଶ୍ରମିକ, ବ୍ୟବସାୟୀ, ଛାତ୍ର, ଯୁବକ ଏବଂ ତାଳଚେରବାସୀ ସଂପୂର୍ଣ୍ଣ ସହଯୋଗ କରିବା ସହିତ ୭୨ ଘଣ୍ଟିଆ ଅର୍ଥନୈତିକ ଆନ୍ଦୋଳନକୁ ସଫଳ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁରୋଧ କରାଯାଇଛି। କ୍ରିୟାନୁଷ୍ଠାନ କମିଟିର ଆବାହକ ପଦ୍ମଚରଣ ସାମଲଙ୍କ ସଭାପତିତ୍ୱରେ ପ୍ରେସ୍ କ୍ଲବ ଠାରେ ଆୟୋଜିତ ବୈଠକରେ ପୂର୍ବତନ ସାଂସଦ ରବିନାରାୟଣ ପାଣି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗମ୍ବର ଗଡନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ସମିତି ସଭ୍ୟ ବିନୋଦ ଲାଲ୍‌, ଶିଳ୍ପାଂଚଳ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଶୋଭାଗିନୀ ଦାସ, କଣିହାଁ ଅଂଚଳର ପୂର୍ବତନ ସରପଂଚ ମହେଶ୍ୱର ପ୍ରଧାନ, ସୁକାନ୍ତ କୁମାର ଦାସ, ଅଭୟ ପାଣି, ପ୍ରଦୀପ ମହାରଣା, କଷ୍ଟୁ ସାମଲ, ସଞ୍ଜୀବ ନାଏକ, ଅନୁପ ସାହୁ, ଗଗନ ବିହାରୀ ଦାସ, ମନୋଜ ପ୍ରଧାନ, ମହି ସାହୁ, ନୀଲମ୍ ଲାଲ୍ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.