Home Top News ୩ ହଜାର ୪ କୋଟି ବ୍ୟୟରେ ବିଶ୍ୱ ସ୍ତରୀୟ ହେବ ପାରାଦୀପ ବନ୍ଦର

୩ ହଜାର ୪ କୋଟି ବ୍ୟୟରେ ବିଶ୍ୱ ସ୍ତରୀୟ ହେବ ପାରାଦୀପ ବନ୍ଦର

31

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାରାଦୀପରେ ୱେଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ “ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢାଇବା” ସମ୍ପର୍କୀତ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିବା ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୩ ହଜାର ୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗ ତଥା ପିପିପି ମୋଡ଼ରେ ନିର୍ମାଣ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ପାରାଦୀପ ବନ୍ଦର ଆଧୁନିକୀକରଣ ଏବଂ ବିଶ୍ୱସ୍ତରୀୟ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟଙ୍କୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଭାରତ ସରକାର ପୂର୍ବ ଭାରତର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ। ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୮୦୦ ଲୋକ ଏବଂ ପରିଚାଳନା ପର୍ଯ୍ୟାୟରେ ୨୦୦ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ବନ୍ଦର ମାଧ୍ୟମରେ ଆଶା କରାଯାଉଥିବା କାରବାର ବାର୍ଷିକ ୧୭୦ ମିଲିୟନ ଟନ୍ ଅତିକ୍ରମ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ବନ୍ଦରର ପାରିପାର୍ଶ୍ବିକ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାର୍ଷିକ ୨୫ ମିଲିୟନ ଟନ୍ କ୍ଷମତା ସୃଷ୍ଟି କରିବାକୁ ଯୋଜନା କରାଯାଇଛି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପାରାଦୀପ ଭଳି ମୁଖ୍ୟ ବନ୍ଦର ଗୁଡ଼ିକରେ ବଡ଼ ବଡ଼ ଜାହାଜ ଗୁଡିକର ପରିଚାଳନା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ନାହିଁ। କମ୍ ସମୟ ମଧ୍ୟରେ ଅଧିକ ମାଲ ପରିବହନ ପାଇଁ ବଡ଼ ବଡ଼ ଜାହାଜ ନିର୍ମାଣ ହେଉଥିବା ବେଳେ ଏହି ଜାହାଜ ଗୁଡ଼ିକ ପାରାଦୀପ ବନ୍ଦରରେ ଥିବା ଡକ୍ ଭିତରକୁ ଆସି ପାରୁନାହିଁ। ଫଳରେ ବର୍ତ୍ତମାନ ବଡ଼ ଜାହାଜ ଗୁଡ଼ିକ କଲମ୍ବୋ ଏବଂ ସିଙ୍ଗାପୁର ଅଭିମୁଖେ ଯାଉଛନ୍ତି। ବଡ଼ ଜାହାଜ ଆଣିବା ପାଇଁ ଭାରତକୁ ବଡ଼ ବନ୍ଦର ଏବଂ ଡକ୍ ଦରକାର। ତେଣୁ ଏହି ବଡ଼ ବଡ଼ ଜାହାଜ ଗୁଡ଼ିକ ପରିଚାଳନା କରିବା ପାଇଁ ଆବଶ୍ୟକ ରହିଛି ଆନୁସଙ୍ଗିକ ବ୍ୟବସ୍ଥା। ତେବେ ପ୍ରସ୍ତାବିତ ୱେଷ୍ଟନ୍ ଡକ୍ ନିର୍ମାଣ କରାଯିବାର ନିଷ୍ପତ୍ତି ଫଳରେ ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ସହଜରେ ଆସିପାରିବ। ପାରାଦୀପ ବନ୍ଦରରେ ଏହି ବିକାଶର କାମ ଖୁବ ଶୀଘ୍ର ଆରମ୍ଭ ହେବ। ପାରାଦୀପ ବନ୍ଦରକୁ ବଡ଼ ବଡ଼ ଜାହାଜ ଆସିବା ନେଇ ଯେଉଁ ସମସ୍ୟା ହେଉଥିଲା, ଏହା ଏହା ଦୂର ହେବ। ପାରାଦୀପ ବନ୍ଦରରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ବଡ଼ ବଡ଼ ଜାହାଜ ଲାଗିବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବଡ଼ ବଡ଼ ଜାହାଜରୁ କୋଇଲା ସହଜରେ ଅନଲୋଡ୍ ହୋଇପାରିବ, ସମୁଦ୍ରରେ ମାଲ ପରିବହନ ମୂଲ୍ୟ ହ୍ରାସ ହେବା ଏବଂ ବନ୍ଦରରେ ଶିଳ୍ପ ଅର୍ଥନୀତିକୁ ବୃଦ୍ଧି କରିବା ସହ ଅଧିକ ରୋଜଗାର ସୃଷ୍ଟି ହେବ।

ମୋଦି ସରକାରରେ ପାରାଦୀପ ଦେଶର ଅନ୍ୟତନ ବୃହତମ ବନ୍ଦର ରୂପେ ପରିଗଣିତ ହେଲାଣି। ମୋଦି ସରକାର ପୂର୍ବରୁ ପାରାଦୀପ ବନ୍ଦରରେ ବାଣିଜ୍ୟିକ କାରବାର ୬୦ ମିଲିୟନ ମେଟ୍ରିକ୍ ଟନ (ଏମଏମଟି) ଥିବା ବେଳେ ଏବେ ତାହା ବଢ଼ି ୧୧୨ ମିଲିୟନ ମେଟ୍ରିକ ଟନରେ ପହଁଚିଛି ବୋଲି ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି। ସେହିପରି ଦେଶରେ ପ୍ରଥମ ଜେନେରେସନ ଇଥାନଲ ଉତ୍ପାଦନ ବୃଦ୍ଧି କରାଯିବ। ବିକଳ୍ପ ଇନ୍ଧନର ବ୍ୟବସାୟିକ ମଡେଲ ଇଥାନଲ ହେବ। ଏଥିପାଇଁ ସଂଶୋଧିତ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ମଞ୍ଜୁରି ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପ୍ରାୟତଃ ଦେଶରେ ବଳକା ଚାଉଳ, ଗହମ, ବାର୍ଲି, ମକାରୁ ବର୍ଜ୍ୟ, ଆଖୁ ଛେଦାରୁ ଇଥାନଲ ଉତ୍ପାଦନ ହୋଇଥାଏ। ଆଜି କ୍ୟାବିନେଟର ଅନୁମୋଦନ ଦ୍ୱାରା ଏହି ଶସ୍ୟ ଉତ୍ପାଦନ କରୁଥିବା ଚାଷୀଙ୍କ ଆୟ ବଢ଼ିବ। ଅନେକ ଚାଷୀଙ୍କୁ ଲାଭ ଦେବା ପାଇଁ ସରକାର ଉପଲବ୍ଧ ମକା ଏବଂ ବଳକା ଚାଉଳରୁ ଇଥାନଲ ଉତ୍ପାଦନ କରିବା ପାଇଁ ଭାରତର ଖାଦ୍ୟ ଉଦ୍ୟୋଗ (ଏଫସିଆଇ) ସହ ଡିଷ୍ଟିଲାରୀ ଗୁଡ଼ିକୁ ପ୍ରୋତ୍ସାହନ ଦେଉଛନ୍ତି। ୨୦୨୨ ସୁଦ୍ଧା ପେଟ୍ରୋଲରେ ଇଥାନଲର ୧୦ ଭାଗ ମିଶାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୨୬ ସୁଦ୍ଧା ୧୫ ପ୍ରତିଶତ ଇଥାନଲ ଓ ୨୦୩୦ ସୁଦ୍ଧା ୨୦ ପ୍ରତିଶତ ଇଥାନଲ ପେଟ୍ରୋଲରେ ମିଶାଇବାର ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ସହ ସେମାନଙ୍କ ଜୀବନରେ ପରିବର୍ତନ ଆଣିବ। ବିଗତ ୬ ବର୍ଷ ମଧ୍ୟରେ ଆଖୁ ଚାଷୀମାନେ ଉପକୃତ ହୋଇଛନ୍ତି କାରଣ ଡିଷ୍ଟୁଲାରୀର କ୍ଷମତା ବର୍ତମାନ ଦ୍ୱିଗୁଣିତ ହୋଇ ବର୍ତମାନ ୪୨୬ କୋଟି ଲିଟରରେ ରହିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.