Home Top News ଜଷ୍ଟିସ୍ ଫର୍ ପରୀ; ନାଁ ପଲ୍ଟିକ୍ସ୍ ଫର୍ ପରୀ ?

ଜଷ୍ଟିସ୍ ଫର୍ ପରୀ; ନାଁ ପଲ୍ଟିକ୍ସ୍ ଫର୍ ପରୀ ?

98

ଭୁବନେଶ୍ୱର: ଜଷ୍ଟିସ୍ ଫର୍ ପରୀ ପାଇଁ ବିଜେପି ଏବେ ଚଲାଇଛି ବ୍ୟାପକ ଆନ୍ଦୋଳନ। ବିଭିନ୍ନ ଆନ୍ଦୋଳନ ଭିତରେ ଓଡ଼ିଶା ବିଜେପି ଯେଉଁ ସବୁ ଆନ୍ଦୋଳନ କରି ଆସିଛି ତା’ ଭିତରେ ନାରୀ ସୁରକ୍ଷା ନେଇ ଆନ୍ଦୋଳନ ସବୁଠୁ ଆଗରେ ରହି ଆସିଛି। କିଛି ବର୍ଷ ହେଲା ମହିଳା ମୋର୍ଚ୍ଚା ଭରଷାରେ ହିଁ ବିଜେପି ନବୀନ ସରକାରଙ୍କୁ ଘେରିବାର ସର୍ବାଧିକ ଉଦ୍ୟମ କରିଆସିଛି। ତେବେ, ଏବେ ଯେଉଁ ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମ ଘଟଣାରେ ପରୀକୁ ନ୍ୟାୟକୁ ନ୍ୟାୟ ଦେବା ପାଇଁ ବିଜେପି ଯେଉଁପରି ଆନ୍ଦୋଳନ ଚଲାଇ ଆସିଛି, ଏଭଳି ବୋଧେ ପୂର୍ବରୁ ସେପରି କୌଣସି ଆନ୍ଦୋଳନ ଦେଖାଯାଇ ନାହିଁ। ବିଶେଷତଃ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ନେଇ କଥା ଉଠିବା ପରେ ବିଜେପି ଏହି ଆନ୍ଦୋଳନ ଆରମ୍ଭ କରିଛି। ପୂର୍ବରୁ ତ’ ଅନେକ ପରୀ (ଶିଶୁ) ହତ୍ୟା ହୋଇଛନ୍ତି, ନିଖୋଜ ହୋଇଛନ୍ତି। କିନ୍ତୁ, ନିର୍ଦ୍ଧିଷ୍ଟ ଭାବରେ ଏହି ଘଟଣାରେ ବିଜେପି ଏତେ ଆନ୍ଦୋଳିତ କାହିଁକି? ଏହାର କାରଣ କେବଳ ମନ୍ତ୍ରୀ ଅରୁଣ ସାହୁ ବୋଲି କୁହାଯାଉଛି। ଅତୀତରେ ବାଣୀବିହାର ଛାତ୍ର ସଂସଦ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରାଇଥିଲେ ମନ୍ତ୍ରୀ ଅରୁଣ ସାହୁ। ଯାହା କି ଆଜି ପର୍ଯ୍ୟନ୍ତ କୁଆଡ଼େ ଭୁଲି ପାରି ନାହାଁନ୍ତି ଧର୍ମେନ୍ଦ୍ର। ତେଣୁ ସେହି ପରାଜୟର ପ୍ରତିଶୋଧ ନେବା ପାଇଁ ଧର୍ମେନ୍ଦ୍ରଙ୍କୁ ଏକ ସୁଯୋଗ ମିଳିଯାଇଛି ବୋଲି କୁହାଯାଉଛି। ସେହିପରି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ନବୀନ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ମନ୍ତ୍ରୀ ହେବା ସଙ୍ଗେ ସଙ୍ଗେ ଯେଉଁ କିଛି ବିଜେଡିର ତୁଙ୍ଗ ନେତୃତ୍ୱଙ୍କ ଉପରେ ନବୀନ ଭରଷା ଏବଂ ବିଶ୍ୱାସ କରନ୍ତି ତନ୍ମଧ୍ୟରେ ଅରୁଣ ସାହୁ ଅନ୍ୟତମ ବୋଲି କୁହାଯାଏ। ତେଣୁ ମଧ୍ୟ ବିଜେପି ଏତେ ଆନ୍ଦୋଳିତ ବୋଲି କୁହାଯାଉଛି।

ପୂର୍ବରୁ କିଛି ମନ୍ତ୍ରୀ ଏବଂ ବିଜେଡି ନେତାଙ୍କ ବିରୋଧରେ ବିଜେପି ଆନ୍ଦୋଳନ କରିଛି। ତାହା କିନ୍ତୁ ସାମୟିକ। ଅରୁଣ ସାହୁଙ୍କ କ୍ଷେତ୍ରରେ କିନ୍ତୁ ଆନ୍ଦୋଳନ ଚାଲୁ ରହିଛି। ପ୍ରଥମେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ଏବଂ କୁଶପୁତ୍ତଳିକା ଦାହ, ଏହାପରେ ବିଭିନ୍ନ ନିର୍ବଚନ ମଣ୍ଡଳୀରେ ବିକ୍ଷୋଭ, ବିଧାୟକ ମାନେ ସାମୂହିକ ଭାବରେ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ଦେବା, ବିଜେପି ପକ୍ଷରୁ ରାଜ୍ୟପାଳ ଭବନ ସମ୍ମୁଖରେ ଗଣଧାରଣାରେ ବସିବା, ପୁଣି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେବା, ଶିଶୁ ସୁରକ୍ଷା ଆୟୋଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା, ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଦାବୀପତ୍ର ଦେବା, ତେଣେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନଶନ ଚଲାଇବା, ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବୀପତ୍ର ଦେବା, ଭୁବନେଶ୍ୱରରୁ ନୟାଗଡ଼ ଯାଏଁ ପଦଯାତ୍ରା କରିବା ଏବଂ ଏହାକୁ ନେଇ ଘନଘନ ସମ୍ବାଦିକ ସମ୍ମିଳନୀ କରିବା ପରେ ଏବେ ପୁଣି ପରୀ ପାଇଁ ଆନ୍ଦୋଳନ ପଞ୍ଚାୟତ, ଗାଁ’ ସ୍ତର ଯାଏଁ ନେବାକୁ ଯୋଜନା କଲାଣି ବିଜେପି। ବିଜେପି କହୁଛି କେବଳ ଯେ ନୟାଗଡ଼ ଜିଲ୍ଲା ପରୀ ପାଇଁ ନ୍ୟାୟ ନୁହେଁ, ରାଜ୍ୟରେ ନିଖୋଜ ଥିବା ସମସ୍ତ ଶିଶୁଙ୍କ ପାଇଁ ଏ’ ଆନ୍ଦୋଳନ ଚାଲିଛି। ତେଣେ କିନ୍ତୁ, ନୟାଗଡ଼ ଜିଲ୍ଲା ପରୀ ଘଟଣାକୁ ନେଇ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀରେ ଅଡ଼ି ବସିଛି। ତେବେ, ଏତେ ସ୍ତର ସ୍ତର ଦେଇ ନଯାଇ ବିଜେପି ଏ’ ନେଇ କାହିଁକି ଯେ ଏକ ନିର୍ଣ୍ଣାୟକ ଲଢ଼େଇ କରୁନାହିଁ ବୁଝି ହେଉ ନାହିଁ।

ପରୀ ଘଟଣାର ସିବିଆଇ ତଦନ୍ତ ଦାବୀ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ ପଛରେ ବାସ୍ତବରେ ବିଜେପିର କି ଉଦ୍ଦେଶ୍ୟ ରହିଛି? ବାସ୍ତବରେ ଏମାନେ କ’ଣ ପରୀ ପାଇଁ ନ୍ୟାୟ ଚାହୁଁଛନ୍ତି ନାଁ ପରୀ ନାମରେ ରାଜନୀତି କରୁଛନ୍ତି? ଅତୀତର କିଛି ଘଟଣା ଆମକୁ ଏପରି ପ୍ରଶ୍ନ କରିବାକୁ ବାଧ୍ୟ କରୁଛି। ତତ୍କାଳୀନ ମନ୍ତ୍ରୀ ଦାମ ରାଉତଙ୍କ “ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି” ମନ୍ତବ୍ୟ ଉପରେ ଖୁବ୍ ହଙ୍ଗମା କରିଥିଲା ବିଜେପି। ଦାମ ରାଉତଙ୍କୁ ତ’ ପ୍ରଥମେ ଲେଖାଶ୍ରୀ ଶ୍ରୀଖଣ୍ଡୀ ଭାବରେ ସଜାଇ ଦେଇଥିଲେ ଏବଂ ପରେ ତାଙ୍କୁ ନାରୀ ବିରୋଧୀ ଭାବରେ ସଜାଇ ଦେଲା ବିଜେପି ମହିଳା ମୋର୍ଚ୍ଚା। କିନ୍ତୁ, ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଦାମ ରାଉତଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରି ବିଜେପିରେ ସାମିଲ କରାଇଲେ ଏବଂ ଟିକେଟ ମଧ୍ୟ ଦେଲେ। ଶ୍ରୀଖଣ୍ଡୀ ସହ କାହାକୁ ତୁଳନା କରିବା ଅର୍ଥ ତାକୁ ନଂପୁସୁକର ଆଖ୍ୟା ଦେବା। ବୋଧେ ଦାମ ବାବୁ ବିଜେପିର ପଦ୍ମ ପୋଖରୀରେ ଗାଧୋଇ ପୁରୁଷତ୍ୱ ପ୍ରାପ୍ତି କଲେ? ସେହିପରି ଆଉ ଏକ ଘଟଣା ଦେଖିଲେ, ଅତୀତରେ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବା ଲାଗି ବିଜେପି ଲଗାତାର ଆନ୍ଦୋଳନ ଚଲାଇଥିଲା। ଘଟଣାରେ ସେବେ ବିଜେଡିରେ ଥିବା ଜୟରାମ ପାଙ୍ଗିଙ୍କ ସମ୍ପୃକ୍ତିର ଅଭିଯୋଗ ରହିଥିଲା। ହେଲେ ପରବର୍ତ୍ତୀ ସମୟରେ ଜୟରାମ ପାଙ୍ଗି ବିଜେପିରେ ଯୋଗଦେଲେ ଏବଂ ବିଜେପି ତାଙ୍କୁ ସ୍ୱାଗତ କରିବା ସହିତ ଟିକଟ ଦେଇ ନିର୍ବାଚନ ଲଢ଼ାଇଲା। ହୁଏତ ସ୍ୱର୍ଗତ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ବିଜେଡିରୁ ଟିକେଟ ମିଳି ନଥିଲେ ବିଜେପି ବୋଧେ ତାଙ୍କୁ ବି କୋଳେଇ ନେଇଥାଆନ୍ତା! ଆଉ, ଏବେ ଅରୁଣ ସାହୁଙ୍କ ଘଟଣାରେ ମଧ୍ୟ ସମାନ କଥା ଆକଳନ କରାଯାଇ ପାରେ। ସିବିଆଇ ତଦନ୍ତ ଦାବୀ କରି, ସିବିଆଇ ଭୟ ଦେଖାଇ ଅରୁଣ ସାହୁଙ୍କୁ ଆଉ ନିଜ ଦଳରେ ମିଶାଇବା ଯୋଜନାରେ ନାହିଁ ତ’ ବିଜେପି? ପରୀକୁ ନ୍ୟାୟ ଦେବା ଯାଏଁ ଏ’ ଲଢ଼େଇ ଜାରୀ ରହିବ ନାଁ ଅରୁଣ ସାହୁଙ୍କୁ ବିଜେପିରେ ସାମିଲ କଲା ଯାଏଁ ଏ’ ଲଢ଼େଇ ଜାରୀ ରହିବ ବୋଲି ମନରେ ପ୍ରଶ୍ନ ଉଠୁଛି। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.