Home ଓଡ଼ିଶା ପ୍ରବାସୀ ଶ୍ରମିକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ସରକାରଙ୍କ ସହ ଭାଗୀଦାର ହେବା ପାଇଁ...

ପ୍ରବାସୀ ଶ୍ରମିକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ସରକାରଙ୍କ ସହ ଭାଗୀଦାର ହେବା ପାଇଁ ଇସ୍ପାତ ଉଦ୍ୟୋଗକୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିବେଦନ

76

– ଆତ୍ମନିର୍ଭର ଭାରତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ମର୍ଯ୍ୟାଦା ଓ ଆତ୍ମସମ୍ମାନ ଯୋଗାଇ ଦେବାକୁ ଉଦ୍ଦିଷ୍ଟ

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ପ୍ରବାସୀ ଶ୍ରମିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ଅଂଶୀଦାର ହେବାକୁ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ଉଦ୍ୟୋଗର ନେତୃମଣ୍ଡଳୀକୁ ନିବେଦନ କରିଛନ୍ତି। ଆତ୍ମନିର୍ଭର ଭାରତ; ଆବାସ, ନିର୍ମାଣ ଓ ଉଡାଣ ଉଦ୍ୟୋଗରେ ଇସ୍ପାତ ଉଦ୍ୟୋଗର ସହଯୋଗ ଶୀର୍ଷକ ଏକ ୱେବିନାରରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ଆବାସ ଓ ସହରାଞ୍ଚଳ ବିକାଶ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯେଉଁ ଯୋଜନା କରିଛି ତାହାକୁ ସଫଳ କରିବା ପାଇଁ ଇସ୍ପାତ ଉଦ୍ୟୋଗର ନେତୃମଣ୍ଡଳୀ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକ ଆଗେଇ ଆସି ଅଂଶୀଦାର ଭିତ୍ତିରେ କାମ କରିବା ଉଚିତ। ଏହି ଯୋଜନାରେ ସରକାର ଏକ ଲକ୍ଷ ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଇସ୍ପାତ ଉଦ୍ୟୋଗ ଏଥିରେ ସହଯୋଗ କଲେ ଅଧିକରୁ ଅଧିକ ଲୁହା ବ୍ୟବହାର କରି ସ୍ୱଳ୍ପ ମୂଲ୍ୟରେ ଆହୁରି ଅଧିକ ଆଦର୍ଶ ଗୃହ ନିର୍ମାଣ କରାଯାଇପାରିବ ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହେବ। ସରକାରଙ୍କର ଏଭଳି ଏକ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଇସ୍ପାତ ଉଦ୍ୟୋଗ ଭାଗୀଦାର ହେବାକୁ ସେ ନିବେଦନ କରିଛନ୍ତି। ଆତ୍ମନିର୍ଭର ଭାରତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ମର୍ଯ୍ୟାଦା ଏବଂ ଆତ୍ମସମ୍ମାନ ଯୋଗାଇ ଦେବାକୁ ଉଦ୍ଦିଷ୍ଟ। ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଇସ୍ପାତ ଉଦ୍ୟୋଗ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି।

ଏହି ୱେବିନାର ଭାରତୀୟ ଶିଳ୍ପ ବଣିକ ସଂଘ (ସିଆଇଆଇ) ସହଯୋଗରେ ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିଲା। ଏଥିରେ ଆବାସ ଓ ସହରାଞ୍ଚଳ ବ୍ୟାପାର (ସ୍ୱାଧୀନ ଦାୟିତ୍ୱ) ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂହ ପୁଲସ୍ତେ ସମ୍ମାନିତ ଅତିଥିଭାବେ ଉଦ୍‌ଘାଟନ ଅଧିବେଶନରେ ଯୋଗଦେଇଥିଲେ। ଏଥିରେ ଇସ୍ପାତ, ଆବାସ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ, ବରିଷ୍ଠ ଅଧିକାରୀ, ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରତିନିଧି, ସିଆଇଆଇର କର୍ମକର୍ତ୍ତା ଆଦି ଉପସ୍ଥିତ ଥିଲେ।

ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଆବାସ ଓ ସହରାଞ୍ଚ ବିକାଶ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ପ୍ରକାଣ୍ଡ ଗୃହ ନିର୍ମାଣ ପ୍ରକଳ୍ପ ହାତକୁ ନିଆଯାଇଛି ତାହା ଇସ୍ପାତ ମନ୍ତ୍ରଣାଳୟ ପାଇଁ ବଡ ଆନନ୍ଦଦାୟକ ଖବର। ଏହାଦ୍ୱାରା ଦେଶରେ ଇସ୍ପାତ ବ୍ୟବହାରର ଚାହିଦା ଯଥେଷ୍ଟ ବଢିବ। ଦେଶ ବିକାଶ ପଥରେ ଯେତେ ଅଗ୍ରଗତି କରିବ ଇସ୍ପାତ ଚାହିଦା ସେତେ ବଢିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣରୁ ଉଲ୍ଲେଖ କରି ସେ କହିଛନ୍ତି ଯେ ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରାଯିବ। ସେଥିପାଇଁ ପ୍ରଧାନମନ୍ତ୍ରୀ ଏକ ବିରାଟ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଏଥିରେ ଉଦ୍ୟୋଗ ଜଗତ ଏବଂ ଶିଳ୍ପ ବଣିକ ସଂଘ ସାମିଲ ହୋଇ ରୂପାୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବ। ଏ କ୍ଷେତ୍ରରେ ନାଲିଫିତା ସଂସ୍କୃତିର ଅବସାନ ଘଟାଇବାକୁ ସେ ଆହ୍ୱାନ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଭାରତୀୟ ଉଦ୍ୟୋଗ ଜଗତ ଆଶାନୁରୂପ ଦକ୍ଷତା ପ୍ରତିପାଦନ କରି ପିପିଇ କିଟ୍ସ, ମାସ୍କ ଓ ଭେଣ୍ଟିଲେଟର ଆଦି ବିପୁଳ ପରିମାଣର ଉତ୍ପାଦନ କରିବାକୁ ସକ୍ଷମ ହୋଇଛି। ଔଷଧ ଉଦ୍ୟୋଗ ମଧ୍ୟ ଘରୋଇ ଆବଶ୍ୟକତା ପୂରଣ କରି ୧୫୦ଟି ଦେଶକୁ ଔଷଧପତ୍ର ଯୋଗାଇଛି। ସେହି ଧାରାରେ ବିଶ୍ୱର ଦ୍ୱିତୀୟ ଇସ୍ପାତ ଉତ୍ପାଦନକାରୀ ଭାରତ ଆବଶ୍ୟକ ପରିମାଣର ଇସ୍ପାତ ଉତ୍ପାଦନ କରି ଘରୋଇ ଆବଶ୍ୟକତା ପୂରଣ କରିପାରିବ। ଦେଶରେ ଏବେ ଉତ୍ତମମାନର ଇସ୍ପାତ ସାମଗ୍ରୀର ଅଭାବ ନାହିଁ। ଘରୋଇଭାବେ ଉତ୍ପାଦିତ ଇସ୍ପାତ ସାମଗ୍ରୀର ବ୍ୟବହାର ବଢିଲେ ଏହି ଉଦ୍ୟୋଗ ସମୃଦ୍ଧ ହେବ ବୋଲି ସେ କହିଛନ୍ତି। ସ୍ୱଳ୍ପ ମୂଲ୍ୟର ସୁଲଭ ଉତ୍ପାଦ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ଏସବୁ ସାମଗ୍ରୀର ମାନକୁ ବଜାୟ ରଖିବା ସହ ଏହାର ଉତ୍ପାଦନ ବଢାଇବାକୁ ପଡିବ ଏବଂ ଏଥିରେ ମୂଲ୍ୟ ମିଶ୍ରଣ କରିବାକୁ ହେବ। ମିଶନ ମୋଡରେ ଏହି କାର୍ଯ୍ୟକ୍ରମ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।

ଦେଶରେ ଇସ୍ପାତ ବ୍ୟବହାର ବଢାଇବା ପାଇଁ ଏକ ନୀତି ପ୍ରଣୟନ କରିବା ପାଇଁ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ, ଶିଳ୍ପସଂଘ ଓ ଶିକ୍ଷାବିତ୍‌ମାନଙ୍କୁ ସାମିଲ କରିବାକୁ ସେ କିହଛନ୍ତି।

ୱେବିନାରରେ ଉଦବୋଧନ ଦେଇ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୁଲସ୍ତେ କହିଛନ୍ତି ଯେ ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବାକୁ ପଡିବ। ସ୍ମାର୍ଟ ସିଟି ମିଶନ, ଅମୃତ, ଆଞ୍ଚଳିକ ବିମାନ ସଂଯୋଗ ଯୋଜନା, ଉଡାଣ ଆଦି କାର୍ଯ୍ୟକ୍ରମରେ ଦେଶରେ ଇସ୍ପାତ ବ୍ୟବହାର ବଢିବ। ଇସ୍ପାତର ବ୍ୟବହାର ବୃଦ୍ଧି ଦେଶର ବିକାଶର ପରିଚାୟକ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଭାରତରେ ଇସ୍ପାତର ବ୍ୟବହାର ମୁଣ୍ଡ ପିଛା ବିଶ୍ୱ ହାର ତୁଳନାରେ କମ୍‌। ତେଣୁ ଏହାର ବ୍ୟବହାର ବୃଦ୍ଧିର ଯଥେଷ୍ଟ ସୁଯୋଗ ରହିଛି। ଆବାସ ଓ ସହରାଞ୍ଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ ଆମେ ଆମ ବାଟ ବାହାର କରି କରୋନା ସଂକଟରୁ ମୁକୁଳିପାରିବା। ଏଥିପାଇଁ ଆମକୁ ଅଧିକ ନିର୍ମାଣ ଏବଂ ଅଧିକରୁ ଅଧିକ ଔଦ୍ୟୋଗିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଅନେକ କାର୍ଯ୍ୟକ୍ରମ ଏବେ ଆରମ୍ଭ ହୋଇଛି। ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ଅଧିକ ଇସ୍ପାତ ବ୍ୟବହାରର ଆବଶ୍ୟକତା ରହିଛି। ସୁଲଭ ମୂଲ୍ୟରେ ଇସ୍ପାତ ଉତ୍ପାଦନ କରି ଲୋକଙ୍କୁ ଯୋଗାଇ ଦେବାପାଇଁ ନୂଆ ଟେକ୍ନୋଲଜି ଓ ଅଳ୍ପ ଖର୍ଚ୍ଚରେ ଉତ୍ପାଦନ ଭଳି ଜ୍ଞାନକୌଶଳ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଉତ୍ତମମାନର ଇସ୍ପାତ ସାମଗ୍ରୀ ନିର୍ମାଣ କରି ଶସ୍ତାରେ ତାହା ଖାଉଟିଙ୍କ ନିକଟରେ ପହଞ୍ଚାଇବା ପାଇଁ କୌଶଳ ବାହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଇସ୍ପାତ ମନ୍ତ୍ରଣାଳୟ ବାର୍ଷିକ ୩୦୦ ନିୟୁତ ମେଟ୍ରିକ ଟନ ଇସ୍ପାତ ଉତ୍ପାଦନ କରିବାକୁ ଯେଉଁ ଲକ୍ଷ୍ୟ ରଖିଛି ତାହାର ଫାଇଦା ସହରାଞ୍ଚଳ ବିକାଶ ଏବଂ ବେସାମରିକ ଉଡାଣ ଉଦ୍ୟୋଗ ଉଠାଇପାରିବ।

ଏହି ୱେବିନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆବାସ, ଭବନ ନିର୍ମାଣ, ସାଧାରଣ ନିର୍ମାଣ ଏବଂ ଉଡାଣ ଉଦ୍ୟୋଗରେ ଦେଶରେ ଉତ୍ପାଦିତ ଇସ୍ପାତର ବ୍ୟବହାର ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବା। ଏଥିରେ ଦେଶର ବର୍ତ୍ତମାନ ଓ ଭବିଷ୍ୟତର ଇସ୍ପାତ ଆବଶ୍ୟକତା ସଂପର୍କରେ ଆଲୋଚନା ହୋଇଥିଲା। ଦେଶରେ ଏବେ ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ରରେ ସର୍ବାଧିକ ଇସ୍ପାତ ବ୍ୟବହୃତ ହେଉଛି। ଅନ୍ୟାନ୍ୟ କ୍ଷେତ୍ରରେ ଏହାର ବ୍ୟବହାର ବଢାଇବାକୁ ଏଥିରେ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.