Home ଓଡ଼ିଶା ଆଜି ଆଇଟିଏଟି କଟକ ବେଞ୍ଚର କାର୍ଯ୍ୟାଳୟ ଓ ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଜି ଆଇଟିଏଟି କଟକ ବେଞ୍ଚର କାର୍ଯ୍ୟାଳୟ ଓ ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

43

ନୂଆ ଦିଲ୍ଲୀ ୧୧-୧୧ (ଓଡ଼ିଆ ପୁଅ) ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଉଦଘାଟନ କରିବେ। ଏ ସମ୍ପର୍କରେ ଆଜି ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି ପି ଭଟ୍ଟ ବିସ୍ତୃତ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ନଭେମ୍ବର ୧୧ ତାରିଖ, ୨୦୨୦ ଅପରାହ୍ଣ ସାଢ଼େ ଚାରିଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ଓ ନ୍ୟାୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବିଚାରପତିଗଣ, ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି ପି ଭଟ୍ଟ, କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡର ଅଧ୍ୟକ୍ଷ ଶ୍ରୀ ପି ସି ମୋଦୀ, ଆଇଟିଏଟି ଉପାଧ୍ୟକ୍ଷ ଏବଂ ସଦସ୍ୟଗଣ, ବିଭାଗୀୟ ଅଧିକାରୀ ଏବଂ ଦେଶର ବିଭିନ୍ନ ବାର ଆସୋସିଏସନର ପଦାଧିକାରୀ ଓ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ଭଟ୍ଟ କହିଥିଲେ ଯେ ଆଇଟିଏଟି କଟକ ବେଞ୍ଚ ନ୍ୟାୟାଧିକାର କ୍ଷେତ୍ର ସମଗ୍ର ଓଡ଼ିଶା ହୋଇଥିବା ବେଳେ ୧୯୭୦ରେ ଏହା ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ପାଖାପାଖି ୫୦ ବର୍ଷ ଧରି ଏହା ଭଡ଼ା ଘରେ ଚାଲି ଆସୁଥିଲା। ତେଣୁ ଆଇଟିଏଟିର କଟକ ବେଞ୍ଚ ଉଦଘାଟନ ହେବା ଫଳରେ ନ୍ୟାୟ ଚାହୁଁଥିବା ଲୋକମାନଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ। ନୂଆ ଅଟ୍ଟାଳିକାରେ ଉନ୍ନତ ସଂଚାର ବ୍ୟବସ୍ଥା ସହିତ ଇ-କୋର୍ଟ ସୁବିଧା ରହିଛି। ଯାହାଫଳରେ କଟକ ବେଞ୍ଚ ଏଠାକାର ମାମଲା ସମେତ କୋଲକାତା ଜୋନରେ ଥିବା ଅନ୍ୟ ନିଷ୍କ୍ରିୟ ବେଞ୍ଚ ଯେପରିକି ରାଞ୍ଚି, ପାଟନା ଓ ଗୌହାଟୀ କ୍ଷେତ୍ରରୁ ଆସୁଥିବା ମାମଲାଗୁଡ଼ିକର ଦ୍ରୁତ ସମାଧାନ କରିପାରିବ।

୨୩ ମେ, ୧୯୭୦ରେ ଆଇଟିଏଟିର କଟକ ବେଞ୍ଚ ପ୍ରତିଷ୍ଠା କରାଯାଇ କାର୍ଯ୍ୟାରମ୍ଭ କରାଯାଇଥିଲା। କଟକ ବେଞ୍ଚର ନ୍ୟାୟାଧିକାର କ୍ଷେତ୍ର ସମଗ୍ର ଓଡ଼ିଶାରେ ପରିବ୍ୟାପ୍ତ। ୨୦୧୫ରେ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଇଥିବା ୧.୬୦ ଏକର ଜମିରେ ଆଇଟିଏଟିର ନୂଆ କାର୍ଯ୍ୟାଳୟ ତଥା ଆବାସିକ ପରିସର ନିର୍ମିତ ହୋଇଛି। ମୋଟ ୧୯୩୮ ବର୍ଗମିଟର ସ୍ଥାନରେ କାର୍ଯ୍ୟାଳୟ ପରିସର ନିର୍ମାଣ କରାଯାଇଛି। ତିନି ମହଲା ବିଶିଷ୍ଟ ଅଟ୍ଟାଳିକାରେ ବଡ଼ କୋର୍ଟ କକ୍ଷ, ଅତ୍ୟାଧୁନିକ ରେକର୍ଡ କକ୍ଷ, ବେଞ୍ଚର ସଦସ୍ୟମାନଙ୍କ ପାଇଁ ସୁବ୍ୟବସ୍ଥିତ ଚାମ୍ବର୍ସ, ପାଠାଗାର କକ୍ଷ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ମକଦ୍ଦମାକାରୀଙ୍କ ପାଇଁ ଯଥେଷ୍ଟ ସ୍ଥାନ, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆଦିଙ୍କ ପାଇଁ ବାର କକ୍ଷ ଆଦି ରହିଛି।

ଏହି ଅବସରରେ, ଆଇଟିଏଟି ଉପରେ ଏକ ଇ-କଫି ଟେବୁଲ ପୁସ୍ତିକା ଏବଂ ‘୨୦୧୪ ପରଠାରୁ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ସଂସ୍କାର’ ଶୀର୍ଷକ ଇ-ପୁସ୍ତିକା ଉନ୍ମୋଚିତ ହେବ।

କୋଭିଡ ମହାମାରୀ ସମୟରେ ଆଇଟିଏଟିର ପ୍ରଦର୍ଶନ ବିଷୟରେ ଉଲ୍ଲେଖ କରି ଆଇଟିଏଟି ସଭାପତି କହିଥଲେ ଯେ ସାରା ଦେଶରେ ଆଇଟିଏଟି ପକ୍ଷରୁ ଭର୍ଚୁଆଲ କୋର୍ଟ ପ୍ରତିଷ୍ଠା କରାଯାଇଛି। କୋଭିଡ-୧୯ ମହାମାରୀ କାରଣରୁ ଜାରି ହୋଇଥିବା ଲକଡାଉନ ଅବଧି ମଧ୍ୟରେ ଏଥିରେ ଭର୍ଚୁଆଲ ଶୁଣାଣି ହୋଇଛି। ଏହି ଅବଧି ମଧ୍ୟରେ ଆଇଟିଏଟିରେ ଦାୟର ହୋଇଥିବା ୭୨୫୧ଟି ମାମଲା ମଧ୍ୟରୁ ୩୭୭୮ ମାମଲାର ସମାଧାନ ହୋଇଛି। ସେ କହିଥିଲେ ଲୋକମାନଙ୍କୁ ଅଧିକ ନ୍ୟାୟ ଦେବା ଲାଗି ଆଇଟିଏଟି ପକ୍ଷରୁ ପ୍ରଯୁକ୍ତିର ବ୍ୟାପକ ଉପଯୋଗ କରାଯାଉଛି। ଆବେଦନକାରୀଙ୍କ ଆବେଦନ, କାଗଜପତ୍ର ଏବଂ ଅନ୍ୟାନ୍ୟା ଆବେଦନପତ୍ର ଇଲେକ୍ଟ୍ରୋନିକ ମାଧ୍ୟମରେ ଦାଖଲ କରିବା ଲାଗି ଏକ ନୂଆ ଇ-ପୋର୍ଟାଲ ପ୍ରସ୍ତୁତ ହୋଇସାରିଛି।

ଆଇଟିଏଟି ସମ୍ପର୍କରେ

ଆଇଟିଏଟି ନାମରେ ପରିଚିତ ଆୟକର ଆପିଲେଟ ଟ୍ରିବ୍ୟୁନାଲ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଧାନିକ ସଂସ୍ଥା ଏବଂ ତଥ୍ୟ ପ୍ରମାଣ ମିଳିବା ପରେ ଏହାର ଆଦେଶକୁ ଚୂଡ଼ାନ୍ତ ବୋଲି ଗ୍ରହଣ କରାଯାଇଥାଏ। ଝାଡ଼ଖଣ୍ଡ ଓ ଗୁଜରାଟ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ (ଅପସରପ୍ରାପ୍ତ) ପି- ପି- ଭଟ୍ଟ ବର୍ତ୍ତମାନ ଏହାର ମୁଖ୍ୟ ଅଛନ୍ତି।

ପ୍ରଥମ ଟ୍ରିବ୍ୟୁନାଲ ଭାବେ ୨୫ ଜାନୁଆରୀ, ୧୯୪୧ରେ ଆଇଟିଏଟି ପ୍ରତିଷ୍ଠା କରାଯାଇଥିଲା ଏବଂ ଏହା “ମୂଳ ଟ୍ରିବ୍ୟୁନାଲ” ଭାବେ ପରିଚିତ। ପ୍ରଥମେ ଦିଲ୍ଲୀ, ବମ୍ବେ ଓ କଲିକତାରେ ତିନୋଟି ବେଞ୍ଚ ସହିତ ୧୯୪୧ରେ ଏହା ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ଭାରତର ୩୦ଟି ସହରରେ ଏହାର ୬୩ଟି ବେଞ୍ଚ ଓ ଦୁଇଟି ସର୍କିଟ ବେଞ୍ଚ ରହିଛି।

ଆଇଟିଏଟିର ଲକ୍ଷ୍ୟ ହେଉଛି “ନିରପେକ୍ଷ ସୁଲଭ ସତ୍ବର ନ୍ୟାୟ”, ଯାହାର ଅର୍ଥ ନିରପେକ୍ଷ, ସହଜ ଓ ଦ୍ରୁତ ନ୍ୟାୟ। ୭୯ ବର୍ଷର ଗୌରବପୂର୍ଣ୍ଣ ଯାତ୍ରା ମଧ୍ୟରେ ଆଇଟିଏଟି ଆବେଦନକାରୀଙ୍କୁ ତୁରନ୍ତ ଓ ବାଧାମୁକ୍ତ ନ୍ୟାୟ ଦେବାରେ ସମସ୍ତ ପ୍ରକାରର ପ୍ରୟାସ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.