Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡଃ ବାଳାସାହେବ ବିଖେ ପାଟିଲଙ୍କ ଆତ୍ମଜୀବନୀ ‘ଦେହ ବେଚୱା କାରଣି’ ଉନ୍ମୋଚିତ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡଃ ବାଳାସାହେବ ବିଖେ ପାଟିଲଙ୍କ ଆତ୍ମଜୀବନୀ ‘ଦେହ ବେଚୱା କାରଣି’ ଉନ୍ମୋଚିତ

38

– ‘ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନ’ର ନାମ ପରିବର୍ତ୍ତିତ ହୋଇ ହେଲା ଲୋକନେତେ ଡଃ ବାଳାସାହେବ ବିଖେ ପାଟିଲ ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନ
– ଡଃ ବାଳାସାହେବ ବିଖେ ପାଟିଲଙ୍କ ଉଦ୍ୟମ ଓ ଅବଦାନ ଭବିଷ୍ୟତ ପିଢିକୁ ଅନୁପ୍ରାଣିତ କରିବ: ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଡଃ ବାଳାସାହେବ ବିଖେ ପାଟିଲଙ୍କ ଆତ୍ମଜୀବନୀ ‘ଦେହ ବେଚୱା କାରଣି’ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ଏହା ସହିତ ସେ ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନର ନାମକୁ ଲୋକନେତେ ଡଃ ବାଳାସାହେବ ବିଖେ ପାଟିଲ ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନ ନାମରେ ପୁନର୍ନାମିତ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ରର ପ୍ରତ୍ୟେକ ଅଞ୍ଚଳରେ ବିଖେ ପାଟିଲଙ୍କ ଜୀବନୀ ସଂପର୍କିତ କାହାଣୀ ଶୁଣିବାକୁ ମିଳେ। ସେ ଡଃ ବିଠଳରାଓ ବିଖେ ପାଟିଲଙ୍କ ପଦାଙ୍କ ଅନୁସରଣ କରି ମହାରାଷ୍ଟ୍ରର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ବିଖେ ପାଟିଲଙ୍କ ଜୀବନ ଗ୍ରାମବାସୀ, ଦରିଦ୍ର ଜନତା, ଚାଷୀ ଓ ସାଧାରଣ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା। ସେମାନଙ୍କ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସେ ନାନା ମତେ ଉଦ୍ୟମ କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାଳାସାହେବ ପାଟିଲଜୀ ସର୍ବଦା ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଯଥାର୍ଥ ସାମାଜିକ ପରିବର୍ତ୍ତନ ଆଣିବାରେ ରାଜନୀତିକୁ ଏକ ମାଧ୍ୟମଭାବେ ଗ୍ରହଣ କରିଥିଲେ। ଏହା ମାଧ୍ୟମରେ ସେ ଗରିବ ଓ ଗ୍ରାମାଞ୍ଚଳର ଲୋକଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରି ସଫଳ ହୋଇଥିଲେ। ବାଳାସାହେବଙ୍କ ଏହି ଆଭିମୁଖ୍ୟ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନକରି ଗଢି ତୋଳିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାଳାସାହେବ ପାଟିଲଙ୍କ ଆତ୍ମଜୀବନୀ ଆମ ସମସ୍ତଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଏଥିରେ ସେ ଗ୍ରାମବିକାଶ, ଗରିବମମାନଙ୍କ କଲ୍ୟାଣ, ସେମାନଙ୍କ ଶିକ୍ଷା, ମହାରାଷ୍ଟ୍ରରେ ସମବାୟ ଆନ୍ଦୋଳନର ସଫଳତା ଆଦି ବିଷୟ ଏବଂ ତାଙ୍କର ଅବଦାନ ସଂପର୍କରେ ଉଲ୍ଲେଖ କରିଛନ୍ତି। ଏସବୁ ତଥ୍ୟ ଆଗାମୀ ପିଢିକୁ ଅନୁପ୍ରାଣିତ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡଃ ବାଳାସାହେବ ପାଟିଲ ଗରିବ ଏବଂ କୃଷକଙ୍କ ଯନ୍ତ୍ରଣା ଓ ଦୁର୍ଦ୍ଦଶା ବେଶ୍‌ ଭଲଭାବେ ବୁଝିଥିଲେ। ତେଣୁ ସେ ଚାଷୀମାନଙ୍କୁ ଏକାଠି କରି ସମବାୟ ସୂତ୍ରରେ ବାନ୍ଧିଥିଲେ। ଅଟଳଜୀଙ୍କ ସରକାରରେ ଜଣେ ମନ୍ତ୍ରୀଭାବେ ସେ ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ଭାଗରେ ସମବାୟ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଗ୍ରାମୀଣ ଶିକ୍ଷା ସମଗ୍ର ଦେଶରେ ଆଲୋଚନାର ପରିସରରେ ବିଶେଷ ନଥିଲା ଡଃ ବାଳାସାହେବ ପାଟିଲ ସେତେବେଳେ ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନ ଗଠନ କରି ଗ୍ରାମାଞ୍ଚଳର ଯୁବକମାନଙ୍କୁ ସଶକ୍ତ କରିବାକୁ ଉଦ୍ୟମ କରିଥିଲେ। ଏହି ଶିକ୍ଷା ସଂସ୍ଥାନ ‘ପ୍ରବରା ରୁରାଲ ଏଡୁକେସନ ସୋସାଇଟି’ ମାଧ୍ୟମରେ ସେ ଗ୍ରାମାଞ୍ଚଳର ଯୁବକଯୁବତୀଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ କାମ କରିଥିଲେ। ସେ ଆହୁରି କହିଛନ୍ତି ଯେ ବାଳାସାହେବ ପାଟିଲଜୀ ଗ୍ରାମାଞ୍ଚଳରେ ଚାଷବାସ କ୍ଷେତ୍ରରେ ଶିକ୍ଷାର ଗୁରୁତ୍ୱ ସଂପର୍କରେ ଅବଗତ ଥିଲେ। ଏବେ ଚାଷୀମାନଙ୍କୁ ଉଦ୍ୟୋଗୀ ବନିବା ପାଇଁ ସରକାରଙ୍କ ପକ୍ଷରୁ ନୂଆ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଆହୁରି କହିଥିଲେ ଯେ ସ୍ୱାଧୀନତା ପରେ ଯେତେବେଳେ ଦେଶବାସୀଙ୍କ ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଖାଦ୍ୟଶସ୍ୟ ଉତ୍ପାଦିତ ହେଉ ନ ଥିଲା ସେତେବେଳେ ସରକାର ଖାଦ୍ୟଶସ୍ୟ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଥିଲେ। ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିର ଏହି କ୍ଷଣରେ ଚାଷୀଙ୍କ ଲାଭ ଉପରେ ଯଥୋଚିତ ଗୁରୁତ୍ୱ ଦିଆଯାଇନଥିଲା। ସେ କହିଛନ୍ତି ଯେ ଏବେ ଦେଶ ଚାଷୀଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି ଏବଂ ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରହିଛି। ଏଥିପାଇଁ ନିୟମିତ ବ୍ୟବଧାନରେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଉଛି। ୟୁରିଆ ସାରରେ ନିମକୋଟିଂ ବ୍ୟବସ୍ଥା କରାଯାଇଛି ଏବଂ ଚାଷୀଙ୍କୁ ଶସ୍ୟବୀମାର ଉତ୍ତମ ସୁବିଧା ଯୋଗାଇ ଦିଆଯାଇଛି। ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ଫଳରେ ଚାଷୀମାନେ ଏବେ ଛୋଟମୋଟ ଖର୍ଚ୍ଚ ପାଇଁ ଅନ୍ୟ ଉପରେ ନିର୍ଭର କରୁନାହାନ୍ତି। ଅଧିକନ୍ତୁ କୋଲ୍ଡ ଚେନ୍‌, ବୃହତ୍‌ ଫୁଡ୍‌ ପାର୍କ, କୃଷି ପ୍ରକ୍ରିୟାକରଣ ଭିତ୍ତିଭୂମି ଆଦିର ସୁବିଧା ବୃଦ୍ଧି କରିବାକୁ ଅଭୂତପୂର୍ବ ଢଙ୍ଗରେ କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାଳାସାହେବ ପାଟିଲଙ୍କ ପାରମ୍ପରିକ କୃଷି ଜ୍ଞାନ ଉପରେ ଗୁରୁତ୍ୱ ଦେଇ ଏହାର ସଂରକ୍ଷଣ ସପକ୍ଷରେ ମତ ଦେଇଛନ୍ତି। ପ୍ରାକୃତିକ ପରିବେଶରେ ସେ କିପରି ଚାଷ କରୁଥିଲେ ଏବଂ ଯେଉଁସବୁ କୌଶଳ ଅବଲମ୍ବନ କରୁଥିଲେ ତାହାକୁ ନୂଆ ଚାଷ ପଦ୍ଧତି ସହ ମିଶାଇ ଚାଷବାସରେ ପ୍ରୟୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଆଖୁଚାଷର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ମଧ୍ୟ ଏହି ଚାଷରେ ଉଭୟ ନୂଆ ଓ ପୁରୁଣାକାଳିଆ ପଦ୍ଧତି ବ୍ୟବହାର କରାଯାଉଛି। ଆଖୁରୁ ଚିନି ଓ ଇଥାନଲ୍‌ ପ୍ରସ୍ତୁତ କରିବା ପାଇଁ ନୂଆ ନୂଆ ଉଦ୍ୟୋଗମାନ ସ୍ଥାପନ କରାଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡଃ ବାଳାସାହେବ ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ଏବଂ ଚାଷ କାର୍ଯ୍ୟ ପାଇଁ ଜଳସେଚନ ବ୍ୟବସ୍ଥା ସକାଶେ ଉଦ୍ୟମ କରି ସଫଳ ହୋଇଥିଲେ। ସେ କହିଛନ୍ତି ଯେ ଏବେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ମହାରାଷ୍ଟ୍ରରେ ୨୬ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜୋରସୋରରେ କାମ ଚାଲିଛି। ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ବହୁ ଦିନରୁ ଅଟକି ରହିଥିଲା। ସେଥିମଧ୍ୟରୁ ୯ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ଏହାଫଳରେ ୫ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯାଇପାରିବ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଜଳଜୀବନ ମିଶନ ଅଧୀନରେ ମହାରାଷ୍ଟ୍ରର ସବୁ ପରିବାରକୁ ପାଇପ ଯୋଗେ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରାଯାଉଛି। ଏହି କାମ ଦ୍ରୁତଗତିରେ ଚାଲିଛି। ଇତିମଧ୍ୟରେ ମହାରାଷ୍ଟ୍ରର ୧୯ ଲକ୍ଷ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବା ବ୍ୟବସ୍ଥା ଗତବର୍ଷ ଶେଷ ହୋଇଛି। କରୋନା ମହାମାରୀ ସମୟରେ ଏହି ଯୋଜନାରେ ୧୩ ଲକ୍ଷ ଗରିବ ପରିବାରକୁ ଏହି ସୁବିଧା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ମୁଦ୍ରା ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ସୁବିଧା ସୁଯୋଗ ବୃଦ୍ଧି ପାଇଛି। ସ୍ୱୟଂସହାୟିକା ଗୋଷ୍ଠୀ ମାଧ୍ୟମରେ ଦେଶରେ ୭ କୋଟିରୁ ଅଧିକ ମହିଳା ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଋଣ ପାଇଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଚାଷୀ ଓ ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ବ୍ୟାଙ୍କରୁ ସୁବିଧାରେ ଋଣ ଯୋଗାଣ ବ୍ୟବସ୍ଥା କରାଯାଇଛି। ପ୍ରାୟ ୨-୫ କୋଟି କ୍ଷୁଦ୍ର ଚାଷୀ ପରିବାର ଯେଉଁମାନେ କି ପୂର୍ବରୁ କିଷାନ କ୍ରେଡିଟ କାର୍ଡରୁ ବଞ୍ଚିତ ଥିଲେ ଏବେ ଏହି ସୁବିଧା ପାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କୁ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସେମାନଙ୍କୁ ଆତ୍ମନିର୍ଭର କରିବାରେ ସହାୟକ ହେବ। ବାଳାସାହେବ ବିଖେ ପାଟିଲ ମଧ୍ୟ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରଶୀଳତା ଭାବନା ସୃଷ୍ଟି କରିବାରେ ବିଶ୍ୱାସ କରୁଥିଲେ ଏବଂ ଏ ଦିଗରେ କାର୍ଯ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.