Home Coronavirus Outbreak ପ୍ରତି ୧୦ ଲକ୍ଷରେ ସର୍ବନିମ୍ନ ସଂକ୍ରମିତ ଓ ମୃତ୍ୟୁ ହାର ସହ ଅଧିକ ଟେଷ୍ଟିଂ କ୍ଷେତ୍ରରେ...

ପ୍ରତି ୧୦ ଲକ୍ଷରେ ସର୍ବନିମ୍ନ ସଂକ୍ରମିତ ଓ ମୃତ୍ୟୁ ହାର ସହ ଅଧିକ ଟେଷ୍ଟିଂ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ

62

– ସକ୍ରିୟ ମାମଲା କ୍ରମାଗତ ଭାବେ ନିମ୍ନମୁଖୀ ରହିଛି
– ଗତ ୨୪ ଘଣ୍ଟା ମଧ୍ୟରେ ୫୫, ୩୪୨ ନୂଆ ପଜିଟିଭ

ନୂଆଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ନିର୍ଦ୍ଦିଷ୍ଟ ରଣକୌଶଳ ଏବଂ କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ସମନ୍ୱିତ ପ୍ରଚେଷ୍ଟା ଯୋଗୁ ପ୍ରତି ନିୟୁତ ଜନସଂଖ୍ୟାରେ କମ୍ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେହିପରି କମ୍ ମୃତ୍ୟୁ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ସାମିଲ ହୋଇପାରିଛି।

ବିଶ୍ୱସ୍ତରରେ ପ୍ରତି ୧୦ ଲକ୍ଷରେ ପଜିଟିଭ୍ ସଂଖ୍ୟା ୪୭୯୪ ଥିବା ବେଳେ ଭାରତରେ ରହିଛି ୫୧୯୯। ବ୍ରିଟେନ, ରୁଷ, ଦକ୍ଷିଣ ଆଫ୍ରିକା, ଆମେରିକା ଏବଂ ବ୍ରାଜିଲରେ ଏହି ସଂଖ୍ୟା ଅଧିକ ରହିଛି।

ପ୍ରତି ୧୦ ଲକ୍ଷରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୩୮ ଥିବା ବେଳେ ଭାରତରେ ରହିଛି ୭୯।

କରୋନା ପରୀକ୍ଷା କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରମୁଖ ସ୍ଥାନ ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୦, ୭୩, ୦୧୪ ନମୁନା ପରୀକ୍ଷା ହୋଇଥିବା ବେଳେ ଦେଶରେ ଏ ପର୍ଯ୍ୟନ୍ତ ମୋଟ ୮.୮୯ କୋଟି (୮, ୮୯, ୪୫, ୧୦୭) ନମୁନା ପରୀକ୍ଷା ହୋଇଛି।

ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା ହେଉଥିବାରୁ ଶୀଘ୍ର ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇପାରୁଛି। ଠିକ୍ ସମୟରେ ସେମାନଙ୍କ ଚିକିତ୍ସା ହେଉଛି ଓ ଅଧିକ ସୁସ୍ଥ ହେଉଛନ୍ତି ଏବଂ ମୃତ୍ୟୁ ସଂଖ୍ୟା କମ୍ ରହୁଛି।

ଅଧିକ ଆୟସମ୍ପନ୍ନ ରାଷ୍ଟ୍ର ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ରୁଷ ଏବଂ ଫ୍ରାନ୍ସ ସହ ଭାରତର ତୁଳନା ଅନୁଚିତ, ଯେହେତୁ ସେମାନେ ସମାନ ସ୍ତରରେ ନାହାନ୍ତି। ଜନସଂଖ୍ୟା ଦୃଷ୍ଟିରୁ ଭାରତରେ ସମ୍ବଳ ବଣ୍ଟନରେ ଅସମାନତା ରହିଛି। ପ୍ରତି ନିୟୁତ ଜନସଂଖ୍ୟାରେ ଡାକ୍ତର ଓ ନର୍ସଙ୍କ ଉପଲବ୍ଧତା ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉଥିବା ଖର୍ଚ୍ଚକୁ ତୁଳନା କଲେ ଅନ୍ୟାନ୍ୟ ଆୟସମ୍ପନ୍ନ ରାଷ୍ଟ୍ରଙ୍କ ତୁଳନାରେ ଭାରତରେ କମ୍। କିନ୍ତୁ କୋଭିଡ-୧୯ ପରିଚାଳନା ଏବଂ ଗତ କିଛି ମାସ ମଧ୍ୟରେ ହୋଇଥିବା ଜନସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯୋଗୁ ଭଲ ଫଳ ମିଳିପାରିଛି।

ଭାରତରେ କ୍ରମାଗତ ଭାବେ ନୂଆ ପଜିଟିଭ୍ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୫୫, ୩୪୨ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି।

କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ ରଣକୌଶଳ ଅନୁଯାୟୀ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ତ୍ୱରିତ ନମୁନା ପରୀକ୍ଷଣ, ତୁରନ୍ତ ଟ୍ରାକିଂ ଏବଂ ନିରୀକ୍ଷଣ, ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରିବା ଏବଂ ଉଭୟ ସରକାରୀ ଓ ବେସରକାରୀ ହସପିଟାଲରେ ନିର୍ଦ୍ଦିଷ୍ଟ ପଦ୍ଧତିରେ ଚିକିତ୍ସା କରାଯିବା ଯୋଗୁ ତଥା ହୋମ୍ ଆଇସୋଲେସନ ନୀତି ଫଳରେ କରୋନା ନିୟନ୍ତ୍ରଣରେ ସଫଳତା ମିଳିପାରିଛି।

ଗତ ୫ ସପ୍ତାହ ମଧ୍ୟରେ ଦୈନିକ ନୂଆ ମାମଲା ହ୍ରାସ ପାଇବାରେ ଲାଗିଛି। ସାପ୍ତାହିକ ହାରାହାରୀ ସଂଖ୍ୟା ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ୯୨, ୮୩୦ ଥିବା ବେଳେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଏହା ହୋଇଛି ୭୦, ୧୧୪।

ଭାରତରେ ଦୈନିକ ସକ୍ରିୟ ମାମଲାର ନିମ୍ନମୁଖୀ ଧାରା ରହିଛି। ଦେଶରେ ଏବେ ମୋଟ ପଜିଟିଭ୍ ମାମଲାର ମାତ୍ର ୧୧.୬୯% (୮, ୩୮, ୭୨୯) ରହିଛି ସକ୍ରିୟ ମାମଲା। କ୍ରମାଗତ ପଞ୍ଚମ ଦିନ ପାଇଁ ଦେଶରେ ସକ୍ରିୟ ମାମଲା ୯ ଲକ୍ଷ ତଳେ ରହିଛି।

ନୂଆ ପଜିଟିଭ୍ ମାମଲାର ୭୬% ଆସିଛି ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ। ନୂଆ ମାମଲା ଚିହ୍ନଟରେ କର୍ଣ୍ଣାଟକ ମହାରାଷ୍ଟ୍ରକୁ ଅତିକ୍ରମ କରିଯାଇଛି। ଉଭୟ ରାଜ୍ୟରେ ଏବେ ବି ୭ ହଜାରରୁ ଅଧିକ ମାମଲା ସାମନାକୁ ଆସୁଛି। କର୍ଣ୍ଣାଟକ, କେରଳ, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ମାମଲା ସଂଖ୍ୟା ଅଧିକ ରହୁଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୭, ୭୬୦ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ ସୁସ୍ଥଙ୍କ ସଂଖ୍ୟା ୬୨ ଲକ୍ଷ (୬୨, ୨୭, ୨୯୫)କୁ ଅତିକ୍ରମ କରିଛି। ଦୈନିକ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଉଛି। ଏବେ ଏହି ହାର ରହିଛି ୮୬.୭୮%।

ଏଥିରୁ ୭୮% ସୁସ୍ଥ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୫ ହଜାରରୁ ଅଧିକ ସୁସ୍ଥ ହୋଇଥିବା ବେଳେ କର୍ଣ୍ଣାଟକରେ ୧୨ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।

କ୍ରମାଗତ ଦଶମ ଦିନରେ କୋଭିଡ-୧୯ ମୃତ୍ୟୁ ସଂଖ୍ୟା ୧୦୦୦ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୦୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ୭୯% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ମୃତ୍ୟୁର ୨୩% (୧୬୫ ଜଣ) ମହାରାଷ୍ଟ୍ରରୁ ଆସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.