Home Top News ପବିତ୍ର “ଶ୍ରୀରାମ ନବମୀ” ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ..

ପବିତ୍ର “ଶ୍ରୀରାମ ନବମୀ” ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ..

126

।|ରାମାୟ ରାମ ଭଦ୍ରାୟ ରାମଚନ୍ଦ୍ରାୟ ବେଧସେ।
ରଘୁନାଥାୟ ନାଥାୟ ସୀତାୟାଃ ପତୟେ ନମଃ|।
ଆଜି ପବିତ୍ର ଶ୍ରୀରାମ ନବମୀ। ଚୈତ୍ର ଶୁକ୍ଳ ନବମୀରେ ରାମ ନବମୀ ପାଳନ କରାଯାଇଥାଏ। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ୧୦ ତାରିଖରେ ପଡ଼ିଛି ଶ୍ରୀରାମ ନବମୀ। ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ। ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ। ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା। ରାଜାଙ୍କର ବଡ଼ ଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ନଥିଲେ। କୂଳଗୁରୁ ବଶିଷ୍ଠ ପ୍ରାର୍ଥିତ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷିଶୃଙ୍ଗଙ୍କ ଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ପରାମର୍ଶ ଦେଲେ। ରାଜା ଦଶରଥ କୁଳଗୁରୁଙ୍କ ଉପଦେଶ ଅନୁସାରେ ମହାନ୍ ଋଷି ଋଷିଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ। ବଶିଷ୍ଠ ଓ ଋଷିଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନ ପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ। ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟ ଅଧା ଭାଗକୁ କୈକେଇଙ୍କୁ ପ୍ରଦାନ କଲେ।କୌଶଲ୍ୟା ଓ କୈକେୟୀ ନିଜ ନିଜର ଚରୁ ଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ। ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ। ପବିତ୍ର ଚୈତ୍ର ନବମୀ ଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ। ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷାସ ମାନଙ୍କୁ ସଂହାର କରିବାକୁ ପୃଥିବୀ ପୃଷ୍ଟରେ ଅବତରଣ କରିଥିଲେ। ବୟସ ପ୍ରାପ୍ତ ହେବାପରେ ପ୍ରଭୁ ରାମଚନ୍ଦ୍ରଙ୍କର ମିଥିଳା ନରେଶ ରାଜର୍ଷି ଜନକଙ୍କ ଦୁହିତା ଦେବୀ ସୀତାଙ୍କ ସହିତ ବିବାହ ହୋଇଥିଲା। ବାଲ୍ମିକୀ ରାମାୟଣ ଅନୁଯାୟୀ ମାର୍ଗଶିର ଶୁକ୍ଳ ପଞ୍ଚମୀ ତିଥିରେ ବିବାହ ଅନୁଷ୍ଠିତ ହୋଇଥିଲା। ରାଜସୁଖକୁ ପରିହାର ପୂର୍ବକ ପିତୃସତ୍ୟ ପାଳନ କରି ଚଉଦ ବର୍ଷ ରାମଚନ୍ଦ୍ର ଦେବୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ବନବାସ ଯାଇଥିଲେ। ଦୁଃଖ, ଯନ୍ତ୍ରଣାକୁ ପାଥେୟ କରି ଅରଣ୍ୟରୁ ଅରଣ୍ୟ ଘୁରି ବୁଲୁଥିଲେ। ଦଣ୍ଡକାରଣ୍ୟରେ ଅବସ୍ଥାନ କାଳରେ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ଦୁରାଚାରୀ ରାବଣ ମାତା ସୀତାଙ୍କୁ ଏକାକିନୀ ଦେଖି ଅପହରଣ କରିନେଲା। ରାବଣ ଓ ସମସ୍ତ ରାକ୍ଷାସ ମାନଙ୍କୁ ନିଧନ କରି ସୀତାଙ୍କୁ ଉଦ୍ଧାର ବେଳକୁ ଚଉଦ ବର୍ଷର ବନବାସ ପୂରିଯାଇଥିଲା। ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ପ୍ରଭୁ ଶ୍ରୀରାମ ରାଜ ସିଂହାସନରେ ଅଭିସିକ୍ତ ହୋଇ ରାଜଧର୍ମ ପାଳନ ଅବସରରେ ପ୍ରଜା କୁଳଙ୍କୁ ସମ୍ମାନ ଜଣାଇବାକୁ ଯାଇ ଲଙ୍କାରୁ ଉଦ୍ଧାର ସମୟରେ ସୀତା ଅଗ୍ନିପରୀକ୍ଷା ଦେଇଥିଲେ ମଧ୍ୟ ତାଙ୍କୁ ନିର୍ବାସନ ଦଣ୍ଡ ଦେଇଥିଲେ। ଶ୍ରୀରାମ ତାଙ୍କ ଅବତାରରେ ସଂପୂର୍ଣ୍ଣ ମାନବ ଜୀବନ ଯାପନ କରିଥିଲେ।ରାମନବମୀ ଉପଲକ୍ଷେ ନ’ଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ଆଦି ଚାଲେ ବିଶେଷ ଭାବରେ ରାମଚରିତ ମାନସ ପାଠ କରାଯାଏ। ଭାରତରେ ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳନ କରାଯାଏ। ତେବେ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଶ୍ରୀରାମ ନବମୀ ଅତି ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଏ। ଭଦ୍ରକରେ ଆୟୋଜିତ ଶ୍ରୀରାମ ନବମୀ ମହୋତ୍ସବ ଓଡ଼ିଶା ପ୍ରସିଦ୍ଧ। ଭଦ୍ରକରେ “ଶ୍ରୀରାମ ମହାଯଜ୍ଞ ସମିତି’ ପକ୍ଷରୁ ଆୟୋଜିତ ଶ୍ରୀରାମ ନବମୀ ମହୋତ୍ସବ” ବିଭିନ୍ନ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ମାତୃଭୂମି ପାଇଁ ଗଣଦୌଡ଼, ରାଷ୍ଟ୍ରୀୟ ନବବର୍ଷ ପାଳନ, ଗୋ- ମାତା ପୂଜନ, ସାଧୁସନ୍ଥ ପୂଜନ, ସାଂସ୍କୃତିକ ସନ୍ଧ୍ୟା, ମହିଳା କଳସ ଶୋଭାଯାତ୍ର, ହନୁମାନ ଚାଲିଶା ପାଠ ଆଦି କାର୍ଯ୍ୟକ୍ରମ ପରେ ଆୟୋଜିତ ହୋଇଥାଏ ପବିତ୍ର ଶ୍ରୀରାମ ନବମୀ। ଏଥିରେ ଭଦ୍ରକ ତଥା ଆଖପାଖ ଜିଲ୍ଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥାଆନ୍ତି।
।।ଶ୍ରୀରାମ ଜୟ ରାମ ଜୟ ଜୟ ରାମ।।
/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.